Unknown

 

 

 

 

 

 

 

 

 

 

 

ଜୀବନର ପ୍ରତିଶ୍ରୁତି

ଶ୍ରୀକାନ୍ତ କୁମାର ରାଉତରାୟ

 

 

 

 

 

 

 

 

 

 

 

 

ତୁମକୁ..........................

 

ନିଜ ପକ୍ଷରୁ ପଦେ–

 

ଆଶାର ଆଲୋକ ପ୍ରକାଶ ପାଇ ସାରିବା ପରେ ଏ ମୋର ଦ୍ୱିତୀୟ ଉପନ୍ୟାସ । ପଲ୍ଲୀ ଅଞ୍ଚଳର ଏକ ସରଳ ଦାମ୍ପତ୍ୟ ଜୀବନ ଯାତ୍ରା ଉପରେ ଆଧାରିତ ଏହି କ୍ଷୁଦ୍ର ଉପନ୍ୟାସଟି ଏକ ବାସ୍ତବ ଅନୁଭୂତି । ଅତି ସହଜ ଓ ବୋଧଗମ୍ୟ ହେଲାଭଳି ଭାଷା ଏଥିରେ ଦିଆ ଯାଇଛି । ପାଠକ ପାଠିକା ମାନେ ପଢ଼ିବା ସମୟରେ ଏକ ଭିନ୍ନ ସ୍ୱାଦୁର ଉପଭୋଗ ପାଇବେ ବୋଲି ମୁଁ ଆଶା କରେ-

ଗୋଟିଏ ସରଳ ନିରୀହ ଭାବବିହ୍ୱଳିତ ଦମ୍ପତି ସଂସାରରୂପକ ରଙ୍ଗମଞ୍ଚରେ ଆବିର୍ଭୂତ ହୋଇଥିଲେ, ଛୋଟ ସଂସାରଟିଏ ଗଢ଼ିବା ପାଇଁ । ସମୟ ଗଡ଼ି ଚାଲିଲା, ସେମାନଙ୍କ ବୟସ ବଢ଼ିଲା, କିନ୍ତୁ ଜନକ ଜନନୀ ହେବାର ସୌଭାଗ୍ୟ ସେମାନଙ୍କୁ ମିଳିଲା ନାହିଁ । ମାନସିକ ଯନ୍ତ୍ରଣା ଭିତରେ ସେମାନେ ନିଷ୍ପେସିତ ହେଲେ, କ’ଣ ବା କରିବେ ସେମାନେ, କିଏ ବା ସେମାନଙ୍କ ପାଇଁ ଅଛି ?

ପଲ୍ଲୀ ଅଞ୍ଚଳର ଦୈନଦିନ କଥୋପକଥନ ଏବଂ ଚାଲିଚଳନକୁ ଆଖି ଆଗରେ ରଖି ଉପନ୍ୟାସଟିକୁ ସମ୍ପୂର୍ଣ୍ଣ କରାଯାଇଛି । ପ୍ରିୟ ପାଠକ ପାଠିକାମାନେ ଏହାକୁ ପଢ଼ି ସେମାନଙ୍କ ଅବସର ସମୟରେ ଯଦି କିଛି ଆନନ୍ଦ ପାଇପାରିବେ ତାହା ହିଁ ମୋ ପକ୍ଷରେ ଯଥେଷ୍ଟ ହେବ, ଏହା ହିଁ ମୁଁ ଆଶା କରେ ।

ରାଣୀହାଟ, କଟକ

ଶ୍ରୀକାନ୍ତ କୁମାର ରାଉତରାୟ

୨୫–୭–୮୧

 

 

ଏକ

 

ଗ୍ରୀଷ୍ମର ଗୋଟିଏ ସନ୍ଧ୍ୟା, ପଶ୍ଚିମ ଆକାଶରେ ସୂର୍ଯ୍ୟ ଅସ୍ତଗାମୀ ! ଲୋହିତ ବର୍ଣ୍ଣରେ ରଞ୍ଜିତ ପଶ୍ଚିମ ଆକାଶ ବେଶ୍‌ ଲୋଭନୀୟ ହୋଇ ଉଠିଚି । ଅସ୍ତଗାମୀ ସୂର୍ଯ୍ୟର ଶାନ୍ତ ଆଲୋକ ରଶ୍ମି ବିକ୍ଷିପ୍ତ ଭାବରେ ଧରାପୃଷ୍ଠରେ ପଡ଼ି ନାହିଁ କେତେବାଟ ଲମ୍ୱି ଯାଇଛି–ନାହିଁ ତାର ସୀମା, ନାହିଁ ତାର ଆଦିଅନ୍ତ । କ୍ଳାନ୍ତ ଆକାଶ ତଳେ ଶାନ୍ତ ରଜନୀ ଧୀରେ ଧୀରେ ଧରାପୃଷ୍ଠକୁ ଆଚ୍ଛାଦିତ କରି ଆସୁଛି; ଆଉ କିଛି ସମୟ ପରେ ଅନ୍ଧକାର ଚତୁର୍ଦ୍ଦିଗକୁ ଘୋଟିନେବ । ଶୀତଳ ଅନ୍ଧକାର ଭିତରେ ବିଶ୍ରାମ ନେବ ଏହି ପୃଥିବୀ । ଆଲୋକ ପରେ ଅନ୍ଧାର, ଆଉ ଅନ୍ଧାର ପରେ ଆଲୋକ, ଏହାହିଁ ସୃଷ୍ଟିର ବିଚିତ୍ର ଲୀଳା ।

 

ହାଟ ସଉଦା ସରିଲା । ହାଡ଼ିବନ୍ଧୁ ହାତ ଘଣ୍ଟାକୁ ଚାହିଁଲା ଛଅଟା ତିରିଶ ମିନିଟି । ପଶ୍ଚିମ ଆକାଶକୁ ଚାହିଁଲା ସୂର୍ଯ୍ୟ ଅସ୍ତାଭିମୁଖି । ଆଉ ସେ କଣ ନେବ ? ତା ହାତରେ ମାତ୍ର ପଚିଶ ପଇସା ବଳିଛି । ବରଗଛମୂଳେ ବ୍ୟାଗଟିକୁ ତଳେ ରଖି ହାଡ଼ିବନ୍ଧୁ କିଛି ସମୟ ଭାବିଲା, ଚମ୍ପା କହିଥିବା ଚିଠା ଅନୁଯାୟୀ ସେ ସବୁ ଜିନିଷ କିଣି ନେଇଚି ତ ? ବ୍ୟାଗ ଖୋଲି ତନ୍ନ ତନ୍ନ କରି ଦେଖିନେଲା ଆଳୁ, ବାଇଗଣ, ସାରୁ, କଞ୍ଚାକଦଳୀ, ପିଆଜ, କଞ୍ଚାଲଙ୍କା, ଖୁମ୍ୱଆଳୁ, ବିଲାତି ବାଇଗଣ, ଅଦା, ରସୁଣ ପାନ, ଗୁଆ, ଭୋଗପାଇଁ ପାଚିଲା କଦଳୀ, ଝୁଣା, ଧୂପକାଠି, କୀର୍ତ୍ତନିଆଙ୍କ ପାଇଁ ଚାରିଅଣାର ଗଞ୍ଜେଇ । ସନଲାଇଟ ସାବୁନ, ଆଉ ଗୋଟେ ଲ୍ୟାମ୍ପକାଚ । ଚିଠା ଅନୁଯାୟୀ ସବୁ ମିଳିଗଲା, କିଛି ସେ ଛାଡ଼ି ଯାଇନି । ଦୁଇଖଣ୍ଡ ଦଶଟଙ୍କିଆ ନୋଟ ଚମ୍ପା ଘରୁ ବାହାରିଲା ବେଳେ ଦେଇଥିଲା । ସେଥିମଧ୍ୟରୁ ପନ୍ଦର ଟଙ୍କା ବାରଅଣା ହେଲା ସଉଦା, ଚକୁଳିଆ ପାଟରା ବାକିବାବଦ ନେଲା ଚାରିଟଙ୍କା, ବର୍ତ୍ତମାନ ତା ହାତରେ ରହିଲା ଚାରିଅଣା ଅର୍ଥାତ୍‌ ୨୫ ପଇସା । ଏହି ଚାରିଅଣାରେ ସେ ନେବ କ’ଣ ? ପକେଟରୁ ରୁମାଲ କାଢ଼ି ମୁହଁ ପୋଛିଲା, କୋଳାହଳମୟ ହାଟ ଭିତରକୁ ଚାହିଁଲା, ଲୋକମାନେ ବେଶ ଚଞ୍ଚଳ ଓ ବ୍ୟସ୍ତ । ସମସ୍ତେ ବ୍ୟଗ୍ର ଘରକୁ ଫେରିବା ପାଇଁ । କିଛି ସମୟ ମନେ ମନେ ଭାବିଲା, ଏପରି ଏକ ଜିନିଷ ସେ ନେବ ଯେଉଁଥିରେ ଚମ୍ପା ଖୁସି ହୋଇଯିବ । ହାତରେ ବ୍ୟାଗଟି ଧରି ପୁନର୍ବାର ହାଟ ଭିତରେ ପଶିଲା ହାଡ଼ିବନ୍ଧୁ । ଚକୁଳିଆ ପାଟରା ପାଖରେ ପହଞ୍ଚିଲା । ମନୋହରି ଦୋକାନର ରଙ୍ଗ ବେରଙ୍ଗ ମୁଣ୍ଡଫିତା ସ୍ନୋ, ସାବୁନ, ପାଉଡ଼ର, ଅଳତା, ଛୁଞ୍ଚି, ସୂତା ଆଉ କେତେ କେଜାଣି କ’ଣ । ଚକୁଳିଆ ପାଟରା ବାକ୍‌ସ ଧରି ବସିଛି । ତା ପୁଅ ନେତରା ଜିନିଷ ଦେଉଛି, ଚାକର ନକୁଳା ପାଟିକରି ଡାକୁଛି ଗ୍ରାହକଙ୍କୁ । କ୍ଷଣକ ପାଇଁ ହାଡ଼ିବନ୍ଧୁ ନୀରବରେ ଛିଡ଼ାହୋଇ ପ୍ରତ୍ୟେକ ଜିନିଷ ଉପରେ ଥରେ ଆଖିବୁଲାଇ ଆଣିଲା । ନାଁ ତା ମନକୁ କିଛି ପାଉନି । ହାତରେ ମାତ୍ର ଚାରିଅଣା ପଇସା ଅଛି । ଛୁଞ୍ଚି, ସେଫଟିପିନ ଘରେ ଅଛି, ଗନ୍ଧକର୍ପୁର ନେବାକୁ ଇଚ୍ଛା ହେଉଥିଲା କିନ୍ତୁ ପ୍ୟାକେଟଟା ତିରିଶ ପଇସା । ପାଞ୍ଚ ପଇସା ତା ପାଖରେ ନ ଥିଲା । ଚକୁଳିଆ ପାଟରା ଅବଶ୍ୟ ବାକି ଦେଇଥାନ୍ତା କିନ୍ତୁ ପାଞ୍ଚପଇସା ବାକି ରଖିବା ପାଇଁ ସେ ମନାକଲା ନାହିଁ । ଚୁପ୍‌ଚାପ ଫେରି ଆସିଲା । କ’ଣ ତାହାହେଲେ ସେ ନେବ ? ନାଳବନ୍ଧ ଉପରକୁ ଉଠିଲା, ଏଠି କେବଳ ମାଛ, ଶୁଖୁଆ, ଚା, ଜଳଖିଆ ଦୋକାନ । ମାଛ ଶୁଖୁଆ କଥା ଛାଡ଼ । ଚାରିଅଣା ସେମାନଙ୍କ ପାଖରେ କିଛି ନୁହେଁ । ମାଛ କିଲୋ ଦଶଟଙ୍କା, ଶୁଖୁଆ କିଲୋ ଆଠଟଙ୍କା । ଜଳଖିଆ ଦୋକାନକୁ ଟିକେ ବଙ୍କେଇ ଚାହିଁଲା, ରଘୁ ସାହୁ ଗରମ ଗରମ ଜଲବି ଛାଣୁଛି । ଜଲବି ଗୁଡ଼ିକ ଗରମ କଡ଼େଇରୁ ଛଣା ହୋଇ ଚିନି ଶିରାରେ ବୁଡ଼ି ଯେତେବେଳେ ଉପରକୁ ଉଠୁଛି ଥପ୍‌ଥପ୍‌ ଶିରା ତା ଦେହରୁ ଗଳି ପଡ଼ୁଛି । ଥାଳିରେ ଥୁଆ ହେବା ପରେ ଆଖିକୁ ଭାରି ଚମତ୍କାର ଦେଖା ଯାଉଛି । ବେଶ୍‌ ତଟକା, ଖୁବ୍‌ ସ୍ୱାଦୁ । ରଘୁସାହୁ ଜଲବି ବାଲିଚନ୍ଦ୍ରପୁର ହାଟରେ ଖୁବ୍‌ପ୍ରସିଦ୍ଧ ଲାଭ କରିଛି । ଲୋକେ କିଲେ, କିଲେ ବାନ୍ଧି ଘରକୁ ନେଇ ଯାଉଛନ୍ତି । ଏହି ଜଲବି ବିକ୍ରିକରି ଦଇସାହୁ ପୁଅ ରଘୁସାହୁ ହାଟରେ ଦି ମହଲା କୋଠା ପିଟି ସାରିଲାଣି । ବଡ଼ପୁଅ ହରିଆକୁ କଟକରେ ପାଠ ପଢ଼ାଇଲାଣି, ଗାଁରେ ଚାରି ପାଞ୍ଚମାଣ ଜମି କିଣି ସାରିଲାଣି, ବର୍ତ୍ତମାନ ତାର ପଞ୍ଚମ ବୃହସ୍ପତି । ହାଟ ପାଳିକେ ହଜାରେ ପାଞ୍ଚଶହ ଟଙ୍କାର କାରବାର କରୁଛି । ଏଥର ସରପଞ୍ଚ ପାଇଁ ଛିଡ଼ା ହୋଇଥିଲା । ବହୁତ ଟଙ୍କା ଖର୍ଚ୍ଚ କରିଥିଲା କିନ୍ତୁ ସାତଖଣ୍ଡ ଭୋଟରେ ହାରିଗଲା । ତା ଜାତିଭାଇ ତାକୁ ଚିତା କାଟିଲେ ବୋଲି ସେ ଦୋଷ ଦେଉଛି । ସେ ଯାହାହେଉ ଜଲବି କିଣିବା ପାଇଁ ହାଡ଼ିବନ୍ଧୁ ମନ ବଳଇଲା ନାହିଁ, ଘରକୁ ଫେରି ଆସିବାକୁ ସିଦ୍ଧାନ୍ତ କଲା, ପଛକୁ ଚାହିଁଲା ଗାଁର ବଟସାହୁ । କ’ଣ ବଟ ସବୁ କିଣି ସାରିଲୁଣି ? ନାହିଁ ଭାଇ ବୋଉର ପେଟକୁ ମାରୁଛି, ସେଥିପାଇଁ କୁସୁପୁର ଯିବି, କୃଷ୍ଣବାବୁଙ୍କ ଠାରୁ ଔଷଧ ନେଇ ଘରକୁ ଫେରିବି । କାଲି ମେଳା ହେବ, ଲଡ଼ୁ ଦୁଇଟଙ୍କାର କିଣିବା ପାଇଁ ଏଠାକୁ ଆସିଥିଲି । ଆପଣଙ୍କର ସବୁ ସରିଲାଣି? ବଟ ପଚାରିଲା । ହଁ, ମୋର ସବୁ ସରିଲାଣି, ଆଉ ଗୋଟେ ଜିନିଷ ଖୋଜୁଛି ମିଳିଲେ ନେବି ନଚେତ୍‌ ଫେରିଯିବି । ସେମିତି କିଛି ଦାମିକା ଜିନିଷ ନୁହେଁ ହାଡ଼ିବନ୍ଧୁ କହିଲା ।

 

କ’ଣ ପାଉ ନାହାନ୍ତି ? ମୋତେ କୁହନ୍ତୁ ମୁଁ ଖୋଜି ଆଣିଦେବି, ବଟ ପୁନର୍ବାର ପଚାରିଲା ।

 

ନାହିଁ ସେମିତି କିଛି ନୁହେଁ, ତୁ ଯା ମୁଁ ଫେରି ଯାଉଛି, ଆର ପାଳିକୁ ନେବି । ବ୍ୟାଗଟିକୁ ବାଁ ହାତରେ ଧରି ନାଳବନ୍ଧ ତଳକୁ ଫେରିଲା ହାଡ଼ିବନ୍ଧୁ, ବଟ କୁସୁପୁର ଗାଁକୁ ଗଲା ।

 

ହାଟ ପାଖରୁ କିଛିବାଟ ଗଲେ ଜାତୀୟ ରାଜପଥ । ଦଇତାରି ଲୁହା ଖଣିରୁ, ପାରାଦ୍ୱୀପ ବନ୍ଦର ପର୍ଯ୍ୟନ୍ତ ଲମ୍ୱିଛି । ବେଶ୍‌ଚଉଡ଼ା, ବେଶ୍‌ ଦୀର୍ଘ । ଏହି ଜାତୀୟ ରାଜପଥ ଏ ଅଞ୍ଚଳବାସୀଙ୍କୁ ଅନ୍ଧକାର ଭିତରୁ ଆଲୋକ ଆଡ଼କୁ ଟାଣିଆଣିଛି । ଦିନରାତି ଟ୍ରକ ଚାଲିଛି, ଲୁହାପଥର ବୁହା ହେଉଛି । ଫେରନ୍ତି ସମୟରେ ଲୋକମାନଙ୍କୁ ନେବା ଆଣିବା କରୁଛି । ଲୋକମାନେ ଏହାଦ୍ୱାରା ଦିନକର ବାଟକୁ ଦୁଇଘଣ୍ଟାକ ଭିତରେ ସାରି ଦେଉଛନ୍ତି । କଟକ ଯିବାକୁ ଯେଉଁ ଲୋକଙ୍କୁ କୋଡ଼ିଏ ବର୍ଷତଳେ ଗୋଟାଏ ଦିନ ଲାଗୁଥିଲା । ସେହି ଲୋକଙ୍କୁ ବର୍ତ୍ତମାନ ଗୋଟିଏ ଘଣ୍ଟା ଲାଗୁଛି । ବାଲିଚନ୍ଦ୍ରପୁର ହାଟରୁ ଚଣ୍ଡିଖୋଲ ଟ୍ରକ୍‌ରେ ୭୫ ପଇସା ଏବଂ ସମୟ ଲାଗୁଛି ୧୫ ମିନିଟ୍‌ । ଚଣ୍ଡିଖୋଲ ଛକରେ ଓହ୍ଲାଇ ସରକାରୀ ବସ୍‌ କିମ୍ୱା ଘରୋଇ ବସ୍‌ରେ କଟକ ଗଲେ ଦୁଇଟଙ୍କା ଏବଂ ଏକଘଣ୍ଟା ସମୟ ଲାଗୁଛି । ଏହି ସ୍ୱଳ୍ପ ସମୟ ଭିତରେ ଏ ଅଞ୍ଚଳର ଅଧିବାସ ବେପାରବଣିଜ ସହିତ ଭଲମନ୍ଦରେ କଟକ ସହର ସହିତ ଘନିଷ୍ଠତା ସ୍ଥାପନ କରି ପାରିଛନ୍ତି । ଖାଲି କଟକ ନୁହେଁ, ସୁଦୂର କଲିକତା, ବମ୍ୱେ, ଦିଲ୍ଲୀ ପର୍ଯ୍ୟନ୍ତ ମଧ୍ୟ । ହାଡ଼ିବନ୍ଧୁ ହାଟ ଭିତରେ ପଶି ଗାଁକୁ ଫେରିବା ସମୟରେ ଏ ପଟ ସେପଟ ଚାହୁଁଥାଏ, କ’ଣ ଗୋଟିଏ ଭଲ ଜିନିଷ ପାଇଲେ କିଣିବ । ସୂର୍ଯ୍ୟ ଅସ୍ତହେବା ଉପରେ । ହାଟ ଶେଷ ମୁଣ୍ଡରେ ପହଞ୍ଚିଲା, ମନ ପସନ୍ଦ ଜିନିଷ କିଛି ପାଇଲା ନାହିଁ । ତାହା ହେଲେ ସେ କ’ଣ ଚାରିଅଣା ପଇସା ଘରକୁ ଫେରାଇ ନେବ ? ନା ଯେକୌଣସି ମତେ ଗୋଟିଏ ଜିନିଷ ଚମ୍ପାପାଇଁ ନେବ । ଏପଟ ସେପଟ ଚାହିଁଲା, ସେହି ପୁରୁଣା ଜିନିଷ, ତା ଆଖିରେ ନୂଆ ଜିନିଷ କିଛି ଦେଖାଗଲା ନାହିଁ । ଆଗକୁ ଦୁଇପାଦ ଆସିଲା; ବାଁ ପଟକୁ ଚାହିଁଲା, ମାଣ୍ଡୁକା ଗାଁର ଚଇତନିଆ ବସିଛି, ଆଗେ ମାଛ ବେପାର କରୁଥିଲା ବୁଢ଼ା ହୋଇଯିବାରୁ ବେପାର ଛାଡ଼ି ଘରେ ବସିଛି, ପୁଅମାନେ ବେପାର କରୁଛନ୍ତି, ସେ ଘରେ ବସି ଖାଉଛି, କିରେ ଚଇତନ ଭଲ ଅଛୁ-? ହାଡ଼ିବନ୍ଧୁ ପଚାରିଲା ।

 

ଜୁହାର ଆଜ୍ଞା, ଚିହ୍ନି ପାରୁ ନ ଥିଲି । ଚାରିକୋଡ଼ି ବରଷ ହୋଇଗଲା । ଆଖିକୁ ଆଉ ଦେଖା ଯାଉନି, ବେଶି ବାଟ ଚାଲି ପାରୁନି । ବହୁଦିନ ହେଲା ହାଟକୁ ଆସି ନଥିଲି । ନାତି ଆଜି ଜବରଦସ୍ତ ଟାଣି ଆଣିଛି । ସଉଦା ପାଇଁ ଯାଉଛି, ମୁଁ ଏଠି ବସିଛି, ଫେରିଲେ ସାଙ୍ଗ ହୋଇ ଯିବୁ । ଆଉ ସବୁ ଭଲ ତ ଆଜ୍ଞା, ଶିପୁରା ଗାଁକୁ ଯିବାକୁ ଭାରି ଇଚ୍ଛା ହେଉଛି କିନ୍ତୁ ବଳ ପାଉନି । ମା ଭଲ ଅଛନ୍ତି ତ ? ହାତଯୋଡ଼ି ହସି ହସି ଚଇତନିଆ ପଚାରିଲା ?

 

ହଁ, ସେମିତି । ଭଲମନ୍ଦ ସଂସାର ଭିତରେ ଚାଲିଛି । ସବୁବେଳେ ଭଲ ନ ଥାଏ କି ସବୁବେଳେ ଖରାପ ନ ଥାଏ । ଚକ ଘୂରୁଛି କେତେବେଳେ ତଳେ, କେତେବେଳେ ଉପରେ କ’ଣ ବୁଝି ପାରୁଛୁ ?

 

ଆଜ୍ଞା ! ଯାହା କହିଲେ ଗୋଟାପଣି ସତ । କାଳ ଯାହା ହେଲାଣି ସେଥିରେ ଆଉ ଚଳି ହେଉନି । ମାଛ କିଲୋକ ଦଶଟଙ୍କା ହେଲାଣି । ଚୁନାମାଛ ଗୁଡ଼ାକ ୫ଟଙ୍କା କିଲୋ, ଆଗେ ଚୁନା ମାଛକୁ କେହି ପଚାରୁ ନ ଥିଲେ ଫୋପାଡ଼ି ଦେଉଥିଲେ । କିଏ କେବେ ଶୁଖୁଆ କରୁଥିଲା । ମାଗିଲେ ଆଞ୍ଜୁଳାଏ ଆଞ୍ଜୁଳାଏ ଦିଆ ଯାଉଥିଲା । ଏବେ ଗହମ ଗୋଟିଗଣିତା । ସେର ଓଜନ କୁଆଡ଼େ ଗଲା, ଏବେ ଯୁଗକୁ କିଲୋ ଆସିଲା । ସେରକରୁ ଓଜନରେ କମ୍‌, ଦାମ୍‌ରେ ବେଶି । ମୁଁ ବଡ଼ମାଛ ସେର ଟଙ୍କାଏରେ ବିକୁଥିଲି । ସେଥିରେ ପୁଣି ତୁମ ଗାଁର କାହ୍ନୁରାଉତ ମୋତେ ମାରି ଗୋଡ଼ାଉଥିଲା । ଯୁଗ ଯାହା ହେଲାଣି ବଞ୍ଚିବା ବଡ଼ ମୁସ୍କିଲ ଆଜ୍ଞା ! ମାଛ ଖାଇବାକୁ ଲୋକ ଆଉ ଇଚ୍ଛା କରୁ ନାହାନ୍ତି । ମାଛ ଖାଇବା ପାଇଁ ହାତକୁ ପଇସା ଆସୁନାହିଁ ।

 

କ’ଣ କରିବା । ଯାହା ଯେତେବେଳେ ଘଟିବ ତାକୁ ଭୋଗିବାକୁ ପଡ଼ିବ, ତାକୁ କେହି ରୋକି ପାରିବେ ନାହିଁ । ମାଛ ସେର ତୁ ବିକୁଥିଲୁ ଟଙ୍କାଏ ଆମେ କିଣି ଖାଉଥିଲୁ । ଏବେ ତୋ ପୁଅ ମାଛ କିଲୋ ବିକୁଛି ଦଶଟଙ୍କା, ତାକୁ ବି କିଣି ଖାଉଛୁ । ଆଉ କିଛିଦିନପରେ ଯଦି ମାଛ କିଲୋ ତୋ ନାତି କୋଡ଼ିଏ ଟଙ୍କାରେ ବିକ୍ରି କରିବ ତାକୁ ବି କିଣି ଖାଇବୁ । ସମୟର ଗତି ଅନୁସାରେ ଆମକୁ ଚାଲିବାକୁ ପଡ଼ିବ । ନଦୀ ଯେପରି ପାହାଡ଼ରୁ ଗଡ଼ି ଗଡ଼ି ଆସିଲାବେଳେ ବହୁ ବାଧା ବିଘ୍ନ ଭିତରେ ନିଜକୁ ସୁହାଇଲା ଭଳି ଗନ୍ତବ୍ୟ ପଥରେ ମାଡ଼ି ଚାଲେ, ପଛକୁ ଚାହେଁନାହିଁ, ଆମ୍ଭମାନଙ୍କୁ ସେହିଭଳି ଆଗକୁ ମାଡ଼ି ଚାଲିବାକୁ ପଡ଼ିବ, କ’ଣ ଭୁଲ କହିଲି ? ହଉ ତୁ ଥା ମୁଁ ଯାଉଛି । ହାଡ଼ିବନ୍ଧୁ ଚାଲିଆସିଲା । ଚଇତନିଆ ହାତଯୋଡ଼ି ଜୁହାର କରି ନାତିକୁ ଅପେକ୍ଷା କଲା । ଜାତୀୟ ରାଜପଥକୁ ଉଠିବାବେଳେ ଗୁଣୁପୁରର ଗୌରା ଦେଖାହେଲା । ରାସ୍ତାର ମୋଡ଼ ମୁଣ୍ଡରେ ପାଚିଆଟି ଧରି ବସିଛି । ପାଚିଆ ଭିତରେ ଦୁଇଟି ବଉଳ ଫୁଲର ମାଳ । ମାଳଟିଏ ୩୦ ପଇସା । ୨୦ଟି ମାଳ ଆଣିଥିଲା । ୧୮ଟି ମାଳ ବିକିଛି, ଆଉ ଦୁଇଟି ମାଳ ବହକିଛି । ଗରାଖ ଆସୁନାହାନ୍ତି, ସଞ୍ଜ ମାଡ଼ି ଆସୁଛି । ମନେ ମନେ ଗରାଖ ଖୋଜି ଅପେକ୍ଷାରେ ବସିଛି ।

 

କ’ଣ କିରେ ଗୌରା ! କ’ଣ ମୋଡ଼ ମୁଣ୍ଡରେ ବସିଛୁ । ଆଜି କ’ଣ ଆଣିଥିଲୁ ?

 

ନାହିଁ ଆଜ୍ଞା, ଆଉ ଆଣିବି କ’ଣ । ବାପା ବେମାର ପଡ଼ିଛି ଛଅମାସ ହେଲା । ବିଛଣାରୁ ଉଠୁନାହିଁ । ଚାଉଳ ବେପାର ବନ୍ଦ କରି ଦେଇଛି । ଧାଁ ଧପଡ଼ କରି ପାରୁନି । ବାପାର ଦେହ ଭଲହେଲେ ପୁଣି ଚାଉଳ ବେପାର କରିବି । ଆଜି ବଉଳ ଫୁଲ ମାଳ ଦିଅଣ୍ଡା ଆଣିଥିଲି । ସବୁ ବିକି ସାରିଲିଣି । ଆଉ ଦିଟା ମାଳ ଅଛି । ନୂଆବୋହୁପାଇଁ ନିଅ । ପାଚିଆ ଭିତରୁ ମାଳ ଦି’ଟା କାଢ଼ି ହାଡ଼ିବନ୍ଧୁ ହାତକୁ ବଢ଼ାଇ ଦେଲା ଗୌରା । ମାଳ ଦିଟାକୁ ହାତରେ ଧରି ହାଡ଼ିବନ୍ଧୁ ଭାରି ଖୁସି ହୋଇଗଲା । ଶୁଖିଲା ଓଠରେ ହସ ଚେନାଏ ଉଙ୍କି ମାରିଲା । ନାକ ପାଖକୁ ମାଳକୁ ନେଇଗଲା–ଆରେ ବାଃ, ବଢ଼ିଆ ବାସୁଛି ତ ? ତୁମର କ’ଣ ବଉଳଗଛ ଅଛି ?

 

ହଁ ଆଜ୍ଞା, ଆପଣ କ’ଣ ଦେଖି ନାହାନ୍ତି ? ଆମ ଦାଣ୍ଡ ଚଉଁରା ମୂଳେ ବାପା ଗଛଟିଏ ଲଗାଇ ଥିଲେ । ଏଇସାଲେ ଫୁଲ ଫୁଟିଛି । ଗୌରା କହିଲା ।

 

ସତେ.... କାହିଁ ମୁଁ ଦେଖିନି ତ ? ତୁମ ଘରକୁ ଅନେକଥର ଅବଶ୍ୟ ଯାଇଛି, ଲକ୍ଷ୍ୟ କରି ନ ଥିବି । ଆଚ୍ଛା କେତେ ଆଜି ବିକିଲୁଣି ।

 

ମାଳ ଗୋଟାଏ ୩୦ ପଇସା ଲେଖା ବିକୁଛି । ପାଞ୍ଚଟଙ୍କା ଚାରଣାରେ ବିକିଛି । ଶେଷକୁ ଏଇ ଦିଟା ଅଛି ।

 

ଭାରି ବଢ଼ିଆ ବାସୁଛି । ଏ ମାଳ କିଏ ଗୁନ୍ଥିଛି, ତୁ ନା ଆଉ କିଏ ? ହାଡ଼ିବନ୍ଧୁ ପଚାରିଲା-

 

ମୋ ସାନ ଭଉଣୀ ଝିଣ୍ଟିକା ଗୁନ୍ଥିଛି, ମୋତେ ଆଜ୍ଞା ମାଳଗୁନ୍ଥି ଆସେନି । ମୋର ବି ଆଜ୍ଞା ସମୟ କାହିଁ ? ବିଲ ବାଡ଼ି କାମ କରୁ କରୁ ତ ଅଣ୍ଟା ପିଠି ନଇଁ ପଡ଼ୁଛି । ଏ କାମ କରୁଛି କେତେବେଳେ । ସେ ଭଉଣୀ ଝିଣ୍ଟିକା ସବୁ କରେ । ଏଇସାଲେ ତାର ବାହାଘର କରିଦେବୁ । ପିଲାଟିଏ ଖୋଜୁଛୁ ପାଉନାହୁଁ । ମିଳିଲେ ଜମି ଦିପା ବିକି ତା କାମ ଉଠାଇ ଦେବୁ । ବୋଝଟାକୁ ଆଉ କାହିଁକି ମୁଣ୍ଡାଇ ବସିବୁ । ଗୌରା କହିଲା ।

 

ଆଚ୍ଛା ଆଚ୍ଛା । ବୋଝକୁ କାହିଁକି ମୁଣ୍ଡାଇ ବସିବ । ପାରୁଛ ଯଦି ଉଠାଇ ଦିଅ । ଆଚ୍ଛା କହିଲୁ ଏ ମାଳ ଦିଟାକୁ କେତେ ନେବୁ ? ବ୍ୟାଗଟାକୁ ତଳେ ରଖି ହାଡ଼ିବନ୍ଧୁ ବସିପଡ଼ିଲା । ଆଖି ଆଗରେ ମାଳଟିକୁ ଧରି ଝୁଲାଇଲା । ବଉଳ ଫୁଲର ବାସନାରେ ନାକ ଫାଟି ପଡ଼ିଲା । ଚମ୍ପା ଫୁଲକୁ ଭାରି ଭଲପାଏ । ଫୁଲ ତାର ଅତି ପ୍ରିୟ । ଫୁଲଟିଏ ପାଇଲେ ଗଭାରେ ଖୋସିଦିଏ । ତାକୁ ବି ଭାରି ମାନେ । ଅନେକ ଥର ଦାଣ୍ଡରେ ବଉଳ ଗଛଟି ଲଗାଇବା ପାଇଁ କହିଛି; କିନ୍ତୁ ନିଜର ଅଳସୁଆମି ଯୋଗୁ ଗଛଟି ଆଣିପାରୁନି କି ଲଗାଇ ପାରୁନି । କ’ଣ ନେବୁ କହ ? ଆପଣ ନିଅନ୍ତୁ ଆଜ୍ଞା । ଯାହା ଦେବେ ତାହା ନେବି । ଆପଣଙ୍କ ସାଙ୍ଗରେ କ’ଣ ଫୁଲଟା ପାଇଁ ମୁଲଚାଲ କରିବି । ନୂଆବୋହୁଙ୍କ ପାଇଁ ମାଳଦିଟା ନେଇ ଯାନ୍ତୁ । ସେ ତ ଭାରି ସଉକିନିଆ ଲୋକ, ଭାରି ସଫାସୁତୁରା, ଦେହରେ ମଳି ଟିକିଏ ତାଙ୍କର ଲାଗେନି । ଏବେ ସେ ସଉକ ତାଙ୍କର ଅଛି ନା ନାହିଁ-? ଆପଣଙ୍କ ଘରଆଡ଼େ ଆଉ ଯାଇ ପାରୁନି । ସମୟ ମୋଟେ ହେଉନି ।

 

ପକେଟରୁ ଚାରଣିଟି କାଢ଼ି ହାଡ଼ିବନ୍ଧୁ ଗୌରା ହାତକୁ ବଢ଼ାଇ ଦେଲା–ନେ ଚାରଣିଟି, ମୋ ପାଖରେ ଆଉ ପଇସା ନାହିଁ–ସୁବିଧା ଦେଖି ଆମ ଘରଆଡ଼େ ବୁଲିଯିବୁ । ମାଳ ଦୁଇଟିକୁ ହାତରେ ଧରି ହାଡ଼ିବନ୍ଧୁ ଠିଆହେଲା–କ’ଣ ମୁଁ ଯାଉଛି ।

 

ହଉ ଆଜ୍ଞା, ମୁଁ ଖୁସୀ, ନୁଆବୋହୁକୁ କହିବେ ମୋ କଥା । ମୁଁ ସୁବିଧା ଦେଖି ଯିବି, ଗୌରା ହସି ହସି ହାଟ ଭିତରକୁ ପଶିଲା । ହାଡ଼ିବନ୍ଧୁ ଜାତୀୟ ରାଜପଥ ଉପରକୁ ଉଠିଲା । ବାଲିଚନ୍ଦ୍ରପୁର ହାଟରୁ ଶିପୁରା ଗାଁର ଦୂରତ୍ୱ ମାତ୍ର ତିନି କିଲୋମିଟର ।

 

ବିରୁପା ନଦୀର ପୋଲ ପାରି ହୋଇ ରାସ୍ତାଉପରେ ଛିଡ଼ାହେଲେ ଶିପୁରା ଗାଁଟା ପରିଷ୍କାର ଆଖିରେ ପଡ଼େ । ପ୍ରଥମେ ଗାଁର ସ୍କୁଲ ଓ ସପ୍ନେଶ୍ୱର ମହାଦେବଙ୍କ ମନ୍ଦିର ଦୃଷ୍ଟିଗୋଚର ହୁଏ । ଜାତୀୟ ରାଜପଥରୁ ନାଲିଗୋଡ଼ି ରାସ୍ତାଟି ବିଲ ମଝିରେ ଗାଁକୁ ଲମ୍ୱି ଯାଇଛି । ଗାଁ ଓ ଜାତୀୟ ରାଜପଥ ମଝିରେ କେତେଖଣ୍ଡ ଧାନବିଲ । ଗାଁର ପୂର୍ବପଟରେ ବିରୁପା ନଦୀର ଧାର । ହାଡ଼ିବନ୍ଧୁ ଡାହାଣ ହାତରେ ବ୍ୟାଗଟି ଧରି ଆସ୍ତେ ଆସ୍ତେ ରାଜପଥ ଉପରେ ଚାଲିଲା । ଖରାଦିନିଆ ସଞ୍ଜ ଦକ୍ଷିଣା ପବନ ବହୁଥାଏ, ବଉଳ ଫୁଲର ହାରଦିଓଟି ପାଇବା ପରେ ହାଡ଼ିବନ୍ଧୁ ମନ ଆନନ୍ଦରେ ନାଚି ଉଠୁଥାଏ । ମନେ ମନେ ଭାବୁଥାଏ ଯାହାହେଉ ଚମ୍ପାର ମନ ପସନ୍ଦ ଜିନିଷଟି ସେ ପାଇଛି । ଫୁଲଟି ପାଇଁ ଚମ୍ପା ଭାରି ଖୁସି ହୋଇଯିବ ନିଶ୍ଚୟ । ଫୁଲମାଳଟି ଆଉ ଥରେ ନାକ ପାଖକୁ ନେଲା–ଇସ୍‌କି ସୁନ୍ଦର ବାସନା !

 

ଗୁଣୁପୁରର ନରହରି ଆଗରେ ଚାଲିଛି । କାନ୍ଧରେ ବସାଇଛି ତା ପୁଅକୁ । ପୁଅ କାନ୍ଦୁଛି, ହାତରେ ଲଡ଼ୁଧରି ଖାଉଛି । ନରହରି ତା ଉପରେ ପାଟି କରୁଛି । ଚୋପ୍‌ ବଦମାସ ଟୋକା, ବନ୍ଦକର କାନ୍ଦ, ହାଟ ଗୋଟାକ ଖାଇବୁ ? ବନ୍ଦକର ନଚେତ୍‌ ତଳେ କଚାଡ଼ି ଦେବି । କିରେ ନରହରି, ପୁଅ କାହିଁକି କାନ୍ଦୁଛି କି ? ପଛକୁ ଚାହିଁଲା ନରହରି, ହାଡ଼ିବନ୍ଧୁକୁ ଦେଖି ହସି ହସି କହିଲା, ଭାଇ ନମସ୍କାର । କୁହନା ଭାଇ ଏ ଟୋକା କଥା, ଯାହାକୁ ଦେଖୁଛି, ତାକୁ କହୁଛି ଦେ ମୁଁ ଖାଇବି । ପୁରି ତରକାରୀ ଖାଇଲା, ରସଗୋଲା ଖାଇଲା, ଜିଲାବି ଖାଇଲା, ବର୍ତ୍ତମାନ ହାତରେ ଲଡ଼ୁଧରି ଖାଉଛି । ପୁଣି କହୁଛି ହାଟକୁ ଫେରି ଚାଲେ ମୋତେ ଖଜା କିଣିଦେ, ମଟର ଗାଡ଼ି ଗୋଟେ କିଣି ଦେ । ଆଗରେ ହୁଣ୍ଡା ପୁଅ ଗୋଟିଏ ମଟର ଗାଡ଼ି କିଣି ଯାଉଛି, ଏ ଟୋକାର ଆଖି ତା ଉପରେ ପଡ଼ିଗଲା । ସେ ଟୋକାଟା ବି ଖଜା ହାତରେ ଧରିଥିଲା, ୟାର ମନ ସମ୍ଭାଳି ହେଉଛି କୋଉଠୁ ? ଦେ ଖଜା, ଦେ ମଟରଗାଡ଼ି । କହିଲ ଭାଇ, ମୁଁ ଏତେ ପଇସା ଆଣିବି କୋଉଠୁ ? ପକିଟିରେ ଗୋଟିଏ ସୁସୁରି କିଣି ରଖିଛି, ବେଗ୍‌ରେ ଗୋଟେ ମାଙ୍କଡ଼ କଣ୍ଢେଇ ରଖିଛି, ଏବେ ଜିଦି ଧରିଛି ମଟରଗାଡ଼ି ପାଇଁ । ଏ ଚଣ୍ଡାଳ ଟୋକାକୁ ସାଙ୍ଗରେ ଆଣି ମୁଁ ଯେଉଁ ଦହଗଞ୍ଜ ହେଲିଣି ମୋ ମନ ଜାଣେ । ଘରେ ପହଞ୍ଚି ତା ମା ପାଖରେ ୟାକୁ ଛାଡ଼ିଦେଲା ପରେ ମୁଁ ଟିକେ ନିଃଶ୍ୱାସ ମାରିବି । କାନ ନାକ ମୋଡ଼ି ହେଲିଣି ଏ ଛତରାକୁ ଆଉ ଦିନେ ସାଙ୍ଗରେ ଆଣିବି ନାହିଁ । ନାକରେ ମୋତେ ପାଣି ପେଇ ସାରିଲାଣି ।

 

କ’ଣ ଏଇ ଗୋଟିଏ ପୁଅ ? ହାଡ଼ିବନ୍ଧୁ ପଚାରିଲା ।

 

ହଁ ଭାଇ ! ଏଇ ଗୋଟିଏ । ଏଇ ଗୋଟିଏ ତ ଆମ ଦି ପ୍ରାଣୀଙ୍କୁ ଅଣନିଶ୍ୱାସି କରି ଛାଡ଼ି ସାରିଲାଣି । ଆଉ ଯାହାର ଚାରି ପାଞ୍ଚଟି ଥିବେ ସେମାନେ କି ଅବସ୍ଥା ଭୋଗୁଥିବେ ଆମକୁ ସହଜେ ଜଣା ପଡ଼ିଯାଉଛି । ଏ କାଳ ଯୁଗକୁ ଏ ଗୋଟିଏ ଯଥେଷ୍ଟ । ଖାଇ ପିଇ ଏଇ ଗୋଟିଏ ମଣିଷ ଭଳି ମଣିଷ ହେଲେ ଜାଣିବ ପୂର୍ବ ଜନ୍ମରେ କରିଥିବା ପୁଣ୍ୟର ଫଳ । କ’ଣ ହାଡ଼ିବନ୍ଧୁ ଭାଇ କହୁଛ ? ଗୋଟିଏ ପିଲାକୁ ରଖି ଥୋଇ ମଣିଷ କରି ପାରିଲେ ଭଲ । ମୋ ବୋପା ଥିଲା ମୂର୍ଖ ମୁଁ ହେଲି ମୂର୍ଖ, ଯେଉଁ ଛପର ଘର ବୋପା କରିଯାଇଥିଲା, ମୁଁ ସେଥିରେ ମାଟି ନେସି ଫଟା କାନ୍ଥକୁ ଯୋଡ଼ୁଛି, ଘର ଖଣ୍ଡିଏ କରି ପାରୁନି । ମୋରି ସାଙ୍ଗରେ ମୋ ଦାଦା ପୁଅ ଭାଇ ସନିଆ ପାଠ ପଢ଼ି କଟକରେ ଚାକିରୀ କରି ଚାରି ବଖରା ପକା ଘର କରି ସାରିଲାଣି, ଜମି ଦି ମାଣ ଖର୍ଦ୍ଦି କଲାଣି, ମୁଁ ପାଠ ପଢ଼ିଲି ନାହିଁ । ବୋପା ସହିତ ଚାଷ କଲି, କିନ୍ତୁ ଦାଦା ସନିଆକୁ ପାଠ ପଢ଼ାଇଲା ମଣିଷ କଲା । ମାସକୁ ମାସ ତିନିଶହ ଚାରିଶହ ଟଙ୍କା ରୋଜଗାର କଲା, ଘର କଲା, ଜମି ବାଡ଼ି କଲା । ଆଗକୁ ଦଶହାତ ବଢ଼ିଗଲା । ମୁଁ କିନ୍ତୁ ଯୋଉଠି ସେଇଠି ଆଗକୁ ମାଡ଼ି ପାରୁନି । ଦିନକୁ ଦିନ ଅବସ୍ଥା ବଡ଼ ଖରାପ ହେଲାଣି । ପାନ ବେପାର ଆଉ ଚାଲୁନି, ଦୁଃଖେ ସୁଖେ ସଂସାର ଚାଲିଛି । ଯାହା କରିବ ସେଇ ଅନନ୍ତ ଗୋପାଳ । ଏଇ ଟୋକାକୁ ପାଠ ପଢ଼ାଇବି, ଯେତେ ବିପଦ ଆପଦ ଆସୁ ପଛେ । ଏ ଟୋକାର ମାମୁଁ କଟକରେ ପିଅନ ଚାକିରୀ କରିଛି । ସେ କହିଛି ଗାଁ ପାଠ ସରିଲା ପରେ କଟକରେ ରଖି ପାଠ ପଢ଼େଇବ । ସବୁ ଭରସା ମୁଁ ଏ ଟୋକା ଉପରେ ରଖିଛି । ନୂଆବୋଉ କେମିତି ଅଛନ୍ତି, ଆଉ ସବୁ ତୁମର ଭଲ ତ ?

 

ହଁ ସେମିତି ଅଛୁ, ଭଲ ବେଳେ ଭଲ ମନ୍ଦ ବେଳେ ମନ୍ଦ ଭୋଗିବାକୁ ପଡ଼ୁଛି । ତୁମ ଗାଁ ଖବର କ’ଣ, ସମସ୍ତେ ଭଲ ଅଛନ୍ତି ତ ?

 

ନରହରି କାନ୍ଧ ଉପରୁ ପୁଅକୁ ଓହ୍ଲାଇ ଦେଇ ତଳେ ଛିଡ଼ା କଲା । ହାଡ଼ିବନ୍ଧୁ ବ୍ୟାଗ୍‌ଟିକୁ ତଳେ ରଖି କ୍ଷଣକ ପାଇଁ ଛିଡ଼ା ହେଲା । ନରହରି ଯିବ ନଈ କୂଳେ କୂଳେ ଗୁଣୁପୁର ଗାଁକୁ । ହାଡ଼ିବନ୍ଧୁ ପଶ୍ଚିମାଭିମୁଖି ହୋଇ ଆସିବ ଶିପୁରାକୁ । ନଈକୂଳ ବରଗଛ ମୂଳ ହେଲା ଛକ ଜାଗା, ଏଇଠି ରାସ୍ତାଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି ।

 

ତୁ ତ ଏ ବର୍ଷ ଇଲିସ ମାଛ ଆମକୁ ମୋଟେ ଖୋଇଲୁ ନାହିଁ, ନୂଆବୋଉ ତା ଉପରେ ଭାରି ରାଗିଛି, ହାଡ଼ିବନ୍ଧୁ କହିଲା ।

 

ନରହରି ହସି ହସି କହିଲା, ରାଗିଥିବ ନିଶ୍ଚୟ । ସେଥିପାଇଁ ତାଙ୍କୁ ମୁହଁ ଦେଖାଉ ନାହିଁ-। ମୁଁ କ’ଣ କରିବି ଭାଇ କହିଲ ? ଏ ବର୍ଷ ମାଛ ଖୁବ୍‌ କମ୍‌ ପଡ଼ିଲେ । ନଈ ତ ପୋତି ହୋଇ ଗଲାଣି । ନଈ ମଝିରେ ବଡ଼ ବଡ଼ ପଠା ହୋଇ ଗଲାଣି । ଏ ବର୍ଷ ନଈ ମୋଟେ ବଢ଼ିଲା ନାହିଁ । ମାଛ ଖୁବ୍‌ କମ୍‌ ଉଠିଲେ । ଯେଉଁ କେତୋଟି ଧରିଥିଲି ମୋ ଶଳା ଆସି କେତୋଟା ନେଇଗଲା, ଆଉ କେତୋଟା ଆମ ଗାଁର ମଧୁବାବୁ ତାଙ୍କ ଶଶୁର ଘରକୁ ନେଇଗଲେ । ମହେଶ୍ୱର ବାବୁ ଆମ ଘରକୁ ଆସି ଦୁଇଟା ନେଇଗଲେ ଆଉ ଗୋଟା ଦିଟା କା ଭାଁ କିଏ ହାବୁଡ଼ରେ ପଡ଼ି ନେଇଗଲେ । କାହାକୁ ମୁଁ ମନା କରି ପାରିଲି ନାହିଁ, ସମସ୍ତେ ନିଜର । ନୂଆବୋଉଙ୍କ କଥା ମନେ ପଡ଼ିଥିଲା, କିନ୍ତୁ ସୁବିଧା ଯୁଟି ନ ଥିଲା । ହଉ ମୋର ମନେ ରହିଲା, ଏଇ ସାଲେ ନିଶ୍ଚୟ ଦେବି । ଆଗ ନୂଆବୋହୁକୁ ଦେବି ତା’ପରେ ଆଉ ଯାହାକୁ ଦେବି । ହଉ ଭାଇ ମୁଁ ଯାଉଛି ନମସ୍କାର । ନରହରି ନଈ କୂଳେ କୂଳେ ପୁଅକୁ କାନ୍ଧରେ ବସାଇ ଆସିଲା । ହାଡ଼ିବନ୍ଧୁ ବ୍ୟାଗଟି ଧରି ଗାଁ ରାସ୍ତା ଧରିଲା ।

 

ଗାଁ ମୁଣ୍ଡ ପୋଖରୀରେ ହାଡ଼ିବନ୍ଧୁ ବ୍ୟାଗଟି ପଥର ଉପରେ ରଖି ଗୋଡ଼ ହାତ ଧୋଉଥିବା ସମୟରେ ଭିକା ମା ଆସି ପହଞ୍ଚିଲା । ସତୁରୀ ପଞ୍ଚସ୍ତରୀ ବୟସର ବୁଢ଼ୀ, ଅଣ୍ଟା ନଇଁ ଗଲାଣି, ସଳଖି ହୋଇ ଛିଡ଼ା ହୋଇ ପାରୁନି । ନଇଁ ନଇଁ ବାଟ ଚାଲୁଛି । ଗେରସ୍ତ ନାହିଁ, ଦୁଇଟି ପୁଅ । ଜମି ଦିଇ ଚାରିମାଣ ଅଛି, ସେଇଥିରୁ ଯାହା ଆସେ ସୁଖ ଦୁଃଖରେ ସଂସାରଟି ଚଳିଯାଏ । ବାଡ଼ିରେ କାଠ କମଳା, ପିଜୁଳି, ପଣସ ଗଛ କେତେଟା ଅଛି, ସେଥିରେ ମଧ୍ୟ ବର୍ଷରେ କିଛି କିଛି ପଇସା ପାଏ । କାଠ କମଳା, ବାଡ଼ିରୁ ତୋଳି ସାନପୁଅ ମୂଷା ହାତରେ ହାଟକୁ ପଠାଇଥିଲା, ଏପର୍ଯ୍ୟନ୍ତ ଫେରିଲା ନାହିଁ । ଘରେ କିଛି ସଉଦା ନାହିଁ । ହାଟରୁ ଆସିଲେ ଚୁଲି ଲାଗିବ ।

 

ହାଟରୁ ଫେରିଲୁ ହାଡ଼ିବନ୍ଧୁ ? ଆମ ମୂଷାକୁ ଦେଖିଥିଲୁ କି ? ପରିବାପତ୍ର ଦର ଆଜି କେମିତି ଅଛି ? ଭିକା ମା ପଚାରିଲା ।

 

ଗୋଡ଼ ଧୋଉ ଧୋଉ ହାଡ଼ିବନ୍ଧୁ କହିଲା, ହାଟକଥା ଛାଡ଼ ବଡ଼ମା, ପରିବା ଦର ଯାହା ସବୁ ହୋଇଛି ଦଶଟଙ୍କା ଦେଲେ ମଧ୍ୟ ବେଗ ପୂରିବ ନାହିଁ । ଆଳୁ କିଲୋ ଆଜି ଦୁଇଟଙ୍କା, ବାଇଗଣ କିଲୋ ଦେଢ଼ ଟଙ୍କା, ସାରୁ କିଲୋ ପଞ୍ଚସ୍ତରୀ ପଇସା, ପାନ କଡ଼ାକ ପଚାଶ ପଇସା ।

 

ମୁଣ୍ଡରେ ହାତ ଦେଇ ଭିକା ମା କହିଲା, ରାଇଜରେ ଆଉ ରହି ହବନିରେ ପୁଅ । କାଳ ଯାହା ହେଲାଣି ରାଇଜ ଛାଡ଼ି ଚାଲି ଯିବାକୁ ଇଚ୍ଛା ହେଉଛି । ମୋ ପିଲାଦିନେ ଆଳୁ ଟଙ୍କାରେ ଷୋଳ ସେରେ ଥିଲା, ପାନ କଡ଼ାକ ପଇସାଏ ଲେଖା ଥିଲା, ଏ ଯୁଗକୁ ଏତେ ମହରଗ । ସେ ଯୁଗ ଗଲା କୁଆଡ଼େ ? ବେପାରି ଘରେ ଘରେ ଆଳୁ ଆଣି ଦେଇ ଯାଉଥିଲେ । ପାନ ଖାଉଥିଲା କିଏ ? ଧରଣିଆ କେଉଟ ବାପ ମୂଷା, ଭିକା ବାପାକୁ ମାଗଣା କଡ଼ା କଡ଼ା ପାନ ଦେଇ ଯାଉଥିଲା, ପାନ ଖାଇ ଖାଇ ଏତେ ବଳୁଥିଲା ଯେ ପାଚିଆରେ ରହି ରହି ପଚି ଯାଉଥିଲା । ଛାଡ଼ ସେ ଯୁଗ ଚାଲିଗଲା କଳିଯୁଗ ଆସି ପହଞ୍ଚିଲା । ସବୁ ମହରଗ ହେବ । ଲୋକ ଖାଇବାକୁ ପାଇବେ ନାହିଁ । ପୋକ ମାଛି ଭଳି ମରିବେ । ମାଳିକା ଯାହା ସବୁ ଲେଖିଛି ସବୁ ସତ ହେବ । ଛତିଆ ବଟରୁ ଜଗନ୍ନାଥ ମହାପ୍ରଭୁ ବାହାରି ହାତରେ ବାର ହାତ ଖଣ୍ଡାଧରି ମ୍ଳେଛ ସଂହାର କରିବେ । ସବୁ ପାପୀ ମରିବେ । ସତ୍ୟଯୁଗ ଆରମ୍ଭ ହେବ । ଆଚ୍ଛା ପୁଅ ଆମ ମୂଷାକୁ ଦେଖିଛୁ କି ? କାଠ କମଳା ଦିଅଣ୍ଡା ହାଟକୁ ନେଇ ଯାଇଛି । ଘରେ ମୋଟେ ପଇସା ନାହିଁ ସଉଦା ଆଣିଲେ ଚୁଲି ଲାଗିବ । ଦିନ ଦି ପହରୁ ଗଲାଣି, ଏ ଯାଏ ଫେରିନି । କୁଆଡ଼େ ଗଲା ସେ ? ହାଟରେ ଦେଖିନୁ ?

 

ଗାମୁଛାରେ ଗୋଡ଼ ପୋଛୁ ପୋଛୁ ହାଡ଼ିବନ୍ଧୁ କହିଲା, ନାଳବନ୍ଧରେ ବିଡ଼ିଟାଣି ଛୋଟେଇ ଛୋଟେଇ କୁଆଡ଼େ ଯାଉଥିଲା । ଧରଣିଆ ପାନ ଦୋକାନରେ ଲେମ୍ୱୁ ଟୋକେଇ ଥୁଆ ହୋଇଥିଲା । ବୋଧେ ବିଡ଼ି କିଣିବାକୁ ଯାଉଥିବ ।

 

ତା କାନକୁ ମୋଡ଼ି ଦି ଚାପୁଡ଼ା ଦେଲୁନି । ଭିମା ଦୋକାନରୁ ବିଡ଼ି ପାଞ୍ଚପଇସାରେ କିଣି ନେଇଥିଲା, ତାକୁ ଖାଇ ସାରିଲାଣି । ଆସୁ ସେ ଟୋକା ତା କାନ ମୂଳୀକୁ ଧରି ଦି ଚାପୁଡ଼ା ଦେବି । ଘରେ ଲୁଣ ନାହିଁ, ତେଲ ନାହିଁ । ହେଇ ଆସୁଛି କହି ସଞ୍ଜ ଆସି ହେଲାଣି । ଘରକୁ ଆସିଲେ ତା କଲିଜାକୁ ମୋଡ଼ି ଖାଇବି । ଅଲାଜୁକ, ତା ମୁହଁରେ ଲାଜ ଟିକେ ନାହିଁ । କର୍ମକୋଢ଼ା ଛତରା । ବାର ହୀନସ୍ତା ସେ ମୋତେ କରୁଛି । ଆସୁ ସେ ଟୋକା, ମୁଁ ଏଇଠି ବସିଛି । ହଉ, ତୁ ଯା ପୁଅ, ସଞ୍ଜ ହୋଇଗଲାଣି ।

 

ତୁ ଯା, ସେ ଏଇନେ ଆସୁଥିବ । ହାଡ଼ିବନ୍ଧୁ କହି ଚାଲିଆସିଲା ।

 

ସଞ୍ଜ ହୋଇ ଯାଇଥିଲା, ଆକାଶରେ ଜହ୍ନ ଉଠିଥିଲା, ମଝି ଦାଣ୍ଡରେ ଜହ୍ନ ପରିଷ୍କାର ପଡ଼ିଥିଲା । ଚମ୍ପା ଦାଣ୍ଡ ପିଣ୍ଡାରେ ବସିଥିଲା, ହାଡ଼ିବନ୍ଧୁକୁ ଦେଖି ଅର୍ଦ୍ଧ ଓଢ଼ଣିକୁ ଆଉ ଟିକେ ଟାଣି ଆଣିଲା । ହାଡ଼ିବନ୍ଧୁ ହାତରୁ ବ୍ୟାଗଟି ନେଇ ଘର ଭିତରକୁ ଚାଲିଗଲା । ଅଗଣାରେ ବ୍ୟାଗଟି ରଖି ତଳେ ବସିପଡ଼ିଲା–ଜହ୍ନ ରାତି, ଚମ୍ପାର ଗୋରା ତକ୍‌ତକ୍‌ ପୂରିଲା ପୂରିଲା ମୁହଁଟିକୁ ଦେଖି ହାଡ଼ିବନ୍ଧୁ ଭାରି ଖୁସି ହୋଇଗଲା । ସତେ ଯେପରି ସରଗ ରାଇଜର କେଉଁ ଏକ ପରୀଟି ତା ଘରେ ଓହ୍ଲାଇ ପଡ଼ିଛି ? ନାଲି ଧଡ଼ିଥିବା ହଳଦିଆ ରଙ୍ଗର ଶାଢ଼ୀଟି ଚମ୍ପା ପିନ୍ଧିଥାଏ । ପାଦରେ ନୂଆ ପାଝୁଲି ଲଗାଇଥାଏ, ହାଲି ବଣିଆ ପାଖରୁ ଆଣିଥିବା ନାଲି ପଥରବସା ନାକଫୁଲଟି ପିନ୍ଧିଥାଏ । ଗୋରା ତକ ତକ ଚେହେରା ଉପରେ ଏ ସବୁ ଅଳଂକାର ଚମ୍ପାର ସୌନ୍ଦର୍ଯ୍ୟତାକୁ ଆହୁରି ଦ୍ୱିଗୁଣିତ କରି ପକାଉଥାଏ । ଚମ୍ପା ଆଗରେ ହାଡ଼ିବନ୍ଧୁ ଆସି ଛିଡ଼ା ହେଲା । ଚମ୍ପା ହସି ହସି ପଚାରିଲା, କ’ଣ ସବୁ ହାଟରୁ ଆଣିଲ ?

 

ଚମ୍ପା ମୁହଁକୁ ଚାହିଁ ହାଡ଼ିବନ୍ଧୁ ହସି ହସି କହିଲା, ଯାହାଟା କେବେ ଆଣି ନ ଥିଲି ଆଜି ସେଇଟା ଆଣିଛି । ଆସିଲ ମୋ ପାଖକୁ ।

 

କାହିଁକି ? କ’ଣ ମୋ ପାଇଁ ଏମିତି ଅମାଲୁ ଦମାଲୁ ଆଣିଛ କି ? ଭାରି ତ ହସୁଛ ?

 

ଓଃ ହୋ, ଆଗେ ମୋ ପାଖକୁ ଆସ, ଦେଖ ମୁଁ କ’ଣ ତୁମ ପାଇଁ ଆଣିଛି ।

 

ଚମ୍ପା ହସି ହସି ହାଡ଼ିବନ୍ଧୁ ପାଖରେ ଆସି ଛିଡ଼ା ହେଲା । ହାଡ଼ିବନ୍ଧୁ ଆଉ ଟିକେ ପାଖକୁ ଲାଗିଆସି ପକେଟରୁ ବଉଳ ଫୁଲ ହାର ବାହାର କରି ଚମ୍ପାକୁ ଦେଖାଇ କହିଲା, ଦେଖିଲ ଏ କ’ଣ-? ଏ ହାର ପାଇଁ ହାଟସାରା ବୁଲି ବୁଲି ଗୌରାଠୁ ଆଣିଲି । ବୁଲିପଡ଼, ତୁମ ଖୋସାରେ ମୁଁ ପିନ୍ଧାଇ ଦିଏ ।

 

ଜହ୍ନ ଆଲୁଅ ଚମ୍ପା ମୁହଁରେ ପଡ଼ିଥାଏ । ଚମ୍ପା ବଉଳ ଫୁଲ ହାରକୁ ଦେଖି ଖିଲି ଖିଲି ହସିଉଠିଲା । ସେହି ହସ ଭିତରେ କହିଲା, ଏବେ ତୁମେ ଭାରି ରସିକ ହୋଇ ଗଲଣି । ଚମ୍ପା ପାଟିରୁ କଥା ନ ସରୁଣୁ ହାଡ଼ିବନ୍ଧୁ ନିଜ ଛାତି ଉପରକୁ ତାକୁ ଟାଣିଆଣି ତା ମୁହଁ ଉପରେ ମୁହଁ କ୍ଷଣକ ପାଇଁ ସ୍ପର୍ଶ କରି କହିଲା, ତୁମକୁ ବାହା ହେଲା ପରେ ମୋର ରସିକତା ଖୁବ୍‌ ବଢ଼ି ଯାଇଛି । ମୋର ବୟସ ବଢ଼ି ପାରୁନି । ମୋ ବ୍ୟତୀତ ତୁମକୁ ଆଉ ଯିଏ ବାହା ହୋଇଥାନ୍ତା ମୋର ଅବସ୍ଥା ସେ ବି ଭୋଗ କରିଥାନ୍ତା । ନିଜ ବାହୁ ଭିତରେ ଚମ୍ପାକୁ ଧରି ଡାହାଣ ହାତରେ ତା ଓଠକୁ ଟେକି ଧରି ସ୍ମିତ ହସ ହସି ହାଡ଼ିବନ୍ଧୁ ପୁନର୍ବାର କହିଲା, ଆକାଶରେ ଜହ୍ନ ଯେମିତି ଚିରହସିତା, ତୁମେ ମୋ ପାଖରେ ସେମିତି ଚିରହସିତା । ଜହ୍ନ ଯେପରି ସମସ୍ତଙ୍କ ପାଖରେ ଲୋଭନୀୟ ତୁମେ ସେମିତି ସମସ୍ତଙ୍କ ପାଖରେ ଲୋଭନୀୟ । ତୁମକୁ ଦେଖିଲେ ମୁଁ ସବୁ ଭୁଲିଯାଏ । ସବୁ ଦୁଃଖ ଯନ୍ତ୍ରଣା ମୋ ପାଖରୁ ଦୂରେଇ ଯାଏ । ଆଜି ହାଟରେ ତୁମରି ଭଳି ମାଇପିଟିଏ ଦେଖିଲି, ତାକୁ ଦେଖି ମୁଁ ଭାବିଲି ମୋ ଚମ୍ପାକୁ କିଏ ନେଇ ଆସିଲା କି ? ତୁମରି ଭଳି ରୂପସୀ ଲୋଭନିୟା ବଧୁଟି ସେ । ଭାରି ସୁନ୍ଦର ଦେଖିବାକୁ ।

 

ଚମ୍ପା ହାଡ଼ିବନ୍ଧୁ କଥା ଶୁଣି ଖୁବ୍‌ ଜୋରରେ ହସିଲା । ଦୁଇ ହାତରେ ଦୂରକୁ ଠେଲି ଦେଇ କହିଲା, ଧନ୍ୟ ଧନ୍ୟରେ ପୁରୁଷ ଧନ୍ୟ, ଧନ୍ୟରେ ତୁମ ମନ । କେଉଁ ବିଧାତା ତୁମକୁ ଗଢ଼ିଥିଲା କେଜାଣି ? ଯାହା ଜଣାପଡ଼ୁଛି ମାଇପକୁ ଛାଡ଼ି ତୁମେ ଘଡ଼ିଏ ରହି ପାରିବ ନାହିଁ । ତୁମେ ଯେଉଁ ଲୋକ ତୁମ ଠାରୁ ଚମ୍ପାକୁ ଛଡ଼େଇ ନେବା ପାଇଁ କେଉଁ ପୁରୁଷ ସାହସ କରିବ ? ଯେଉଁ ଲୋକ ହାଟକୁ ସଉଦା ପାଇଁ ଯାଇ ମାଇପ କଥା ଜପି ଜପି ସଉଦା କରୁଛି ତା ପାଖରୁ କେଉଁ ପୁରୁଷ ଆସି ତା ମାଇପକୁ ନେଇଯିବ କହିଲ ?

 

ଚମ୍ପା କଥା ଶୁଣି ହାଡ଼ିବନ୍ଧୁ କହିଲା, ଆଜିକାଲି କାଗଜରେ ଯେଉଁସବୁ ଖବର ବାହାରୁଛି ଅସମ୍ଭବ ବୋଲି କିଛି କହି ହେବନି । ତୁମର ଯେଉଁ ରୂପ, ରାବଣ ଆଜି ଯଦି ବଞ୍ଚିଥାନ୍ତା ତୁମକୁ ମାୟାମୃଗ ଦେଖାଇ କେବେଠୁ ନେଇ ସାରନ୍ତାଣି । ସେ କେବଳ ମରିଯାଇଛି ବୋଲି ତୁମେ ରକ୍ଷା ପାଇଛ ।

 

ହାଡ଼ିବନ୍ଧୁର ଉଦାହରଣ ଶୁଣି ଚମ୍ପା କହିଲା, ରାବଣ ସିନା ମରି ଯାଇଛି ହେଲେ ତା ବଂଶଧରମାନେ ତ ଅଛନ୍ତି । ସେମାନେ କାହିଁକି ନେଇ ଯାଉ ନାହାନ୍ତି ତ ?

 

ସେମାନଙ୍କର ସାହସ ହେଉନି, ସେମାନେ ମୋତେ ଭୟ କରୁଛନ୍ତି ।

 

ଚମ୍ପା କହିଲା, ଆହା ହାଃ, ଯେଉଁ ବଳବାନ୍‌ ପୁରୁଷ ନା ସେଥିପାଇଁ ଭୟ କରି ଚାଲି ଯାଉଥିବେ । ଆଚ୍ଛା ଛାଡ଼ ସେ କଥା, ହାଟରୁ କ’ଣ ଆଣିଲ କହିଲ ? ବ୍ୟାଗରୁ ଗୋଟି ଗୋଟି ପରିବା କାଢ଼ି ପାଚିଆରେ ରଖିଲା । ଛୋଟ ମାଛ ପାଏ ଆଣିଲ ନାହିଁ ?

 

ମାଛ ହାଟକୁ ଯାଇଥିଲି କିନ୍ତୁ ସେତେବେଳକୁ ପଇସା ସରିଯାଇଥିଲା, ହାଡ଼ିବନ୍ଧୁ କହିଲା-

 

ବଉଳ ଫୁଲ ପାଇଁ ପଇସା କେଉଁଠୁ ପାଇଲ ? ଚମ୍ପା ପଚାରିଲା ।

 

ହାଟ ସଉଦା ପରେ ମୋ ପାଖରେ ମାତ୍ର ଚାରିଅଣା ବଳି ପଡ଼ିଲା । ଭାବିଲି, ଚାରିଅଣାରେ କ’ଣ ନେବି । ହାଟ ସାରା ବୁଲି ବୁଲି ବଉଳ ଫୁଲ ପାଇଲି । ତୁମେ ତ ବଉଳ ଫୁଲକୁ ଭାରି ଭଲପାଅ, ତୁମ ଖୋସାରେ ବଉଳ ଫୁଲର ମାଳ ଭାରି ମାନେ, ମୋତେ ଭାରି ଭଲ ଦେଖାଯାଏ, କିଣି ନେଇ ଆସିଲି । ଅଇନା ପାଖରେ ଛିଡ଼ା ହୋଇ ଦେଖିଲ, ତୁମେ କେତେ ସୁନ୍ଦର ଦେଖା ଯାଉଛ ?

 

ହଉ ଥାଉ ଥାଉ, ଅଇନା ପାଖରେ ଛିଡ଼ା ହୋଇ ଚେହେରା ଦେଖିବାର ବୟସ ମୋର ଆଉ ନାହିଁ । ଫୁଲ ସଉକୁ ଭାଙ୍ଗି ଗଲାଣି । ମୁଁ କ’ଣ ଆଉ ବଉଳ ଫୁଲର ଗନ୍ଧ ଚାହୁଁଛି ? ବର୍ତ୍ତମାନ ଆମର ଦରକାର ଗୋଟିଏ କୁଆଁ କୁଆଁ କଣ୍ଠସ୍ୱର, କ’ଣ ବୁଝିଲ ? ଚମ୍ପା ହସି ହସି କହିଲା । ଚମ୍ପାର କଥା ଶୁଣି ହାଡ଼ିବନ୍ଧୁ କହିଲା, ଓଃ, ତୁମେ ବର୍ତ୍ତମାନ ଫୁଲଗନ୍ଧ ଚାହୁଁନା, ଗୋଟିଏ କୁଆଁ କୁଆଁ କଣ୍ଠସ୍ୱର ଶୁଣିବାକୁ ଚାହୁଁଚ ?

 

ହଁ, ସମସ୍ତେ ଯେଉଁଟା ଚାହାନ୍ତି ମୁଁ ସେଇଟା ଚାହୁଁଚି । ଚାହୁଁ ଚାହୁଁ ଆମର ବାହାଘର ପାଞ୍ଚବର୍ଷ ହୋଇଗଲା, କୋଳକୁ ପିଲାଟିଏ ଭଗବାନ ଦେଲେ ନାହିଁ । ମୋରି ସାଥିରେ ମୋ ସଙ୍ଗାତ ଅଳକା ବାହା ହୋଇଥିଲା, ତା କୋଳରେ ବର୍ତ୍ତମାନ ଚାରିବର୍ଷର ପୁଅ ।

 

ଚମ୍ପା କଥା ଶୁଣି ହାଡ଼ିବନ୍ଧୁ କ୍ଷଣକ ପାଇଁ କାନ୍ଥକୁ ଆଉଜି ବସିପଡ଼ିଲା । ଚମ୍ପାର ମନକଥା ସେ ମର୍ମେ ମର୍ମେ ବୁଝିଲା । ପ୍ରକୃତରେ ତା ବାହାଘର ପାଞ୍ଚବର୍ଷ ହୋଇଗଲାଣି, ଭଗବାନ ଏପର୍ଯ୍ୟନ୍ତ କୋଳକୁ ପିଲାଟିଏ ଦେଇ ନାହାନ୍ତି । ହାଡ଼ିବନ୍ଧୁ ଭାବିଲା ବର୍ତ୍ତମାନ ଚମ୍ପାର ମନର ଅବସ୍ଥା ଯାହା ତା’ର ଗୋଟିଏ ପିଲା ଏକାନ୍ତ ଆବଶ୍ୟକ । ସେ ନାରୀ, ଜନନୀ, ସୃଷ୍ଟିମୟୀ, ସଂସାରି । ସଂସାର କରିବାପାଇଁ ସେ ବର୍ତ୍ତମାନ ବ୍ୟଗ୍ର । ପ୍ରକୃତରେ ତା କୋଳରେ ପିଲା ଦରକାର । ସେ ବା କ’ଣ କରିବ ? ତା’ର ଅବା ଉପାୟ କ’ଣ ଅଛି ? ଚମ୍ପାର ମା ହେବା ପାଇଁ ମନ ଯେପରି ବ୍ୟାକୁଳ ହୋଇ ଉଠିଲାଣି, ତା’ର ବାପ ହେବା ପାଇଁ ମନ ବ୍ୟାକୁଳ ହୋଇ ଉଠିଲାଣି କିନ୍ତୁ ସବୁ ନିର୍ଭର କରୁଛି ଭଗବାନଙ୍କ ଉପରେ । ସେ ଯଦି ଦେଉ ନାହାନ୍ତି ଏମାନେ କ’ଣ କିଛି କରି ପାରିବେ ? ଏମାନଙ୍କ ହାତରେ ଉପାୟ କ’ଣ ଅଛି ? ହାଡ଼ିବନ୍ଧୁ କିଛି ବୁଝି ପାରିଲା ନାହିଁ, ନୀରବ ଦର୍ଶକ ଭଳି ଆକାଶକୁ ଚାହିଁ ରହିଲା । ଜହ୍ନ ପଡ଼ିଛି, ତା’ ଉପରେ ଭସା ବାଦଲ ଭାସି ଯାଉଛି । କେତେକ ତାରା ତା ଆଡ଼କୁ ଚାହିଁ ଆଖି ମିଟି ମିଟି କରୁଛନ୍ତି ।

 

ଉଠ ବସିଲ କାହିଁକି ? ମୁଁ କହିଲି ବୋଲି ମନ ଖରାପ କଲ କି ? ଚାହିଁଲ ମୋ ଆଡ଼କୁ-? ଚମ୍ପା ହାଡ଼ିବନ୍ଧୁ ପାଖରେ ବସି ପଚାରିଲା ।

 

ସତରେ ଚମ୍ପା ଭଗବାନ ଆମ ପ୍ରତି ଏ ଅବିଚାର କାହିଁକି କରୁଛନ୍ତି । ଆମେ କି ଦୋଷ ତାଙ୍କ ପ୍ରତି କରିଛେ । ପାଣି ଗଡ଼ିଲା ଭଳି ସମୟ ଗଡ଼ି ଯାଉଛି । ଚାହୁଁ ଚାହୁଁ ବାହାଘର ପାଞ୍ଚ ବର୍ଷ ହୋଇଗଲାଣି ଅଥଚ କୋଳକୁ ପିଲାଟିଏ ଆସିଲା ନାହିଁ, ତାହାହେଲେ ସଂସାର କରି ଲାଭ କ’ଣ ?

 

ଓଃ ହୋଃ, କାହିଁକି ସେ କଥା ଭାବୁଛ କହିଲ ? ଆମର କ’ଣ ବୟସ ଗଡ଼ିଗଲାଣି । ବାହା ହେବାର କୋଡ଼ିଏ ବର୍ଷ ପରେ ବି ଗୋଟିଏ ଗୋଟିଏ ଲୋକଙ୍କର ପିଲା ହେବାର ଦୃଷ୍ଟାନ୍ତ ଆମର ଅଛି, ମୁଁ ତୁମକୁ ଥଟ୍ଟାରେ କହିଲି ବୋଲି ତୁମେ ଖରାପ ଭାବିଲ କି ? ଉଠ । ଉଠିଲ । ମୁଁ ଚା’ ଟିକେ କରି ଦେଉଛି ପି ଦିଅ । ଆଜି ଗୋଟିଏ ଭଲ ଜିନିଷ ତୁମ ପାଇଁ ରଖିଛି ଗୋଡ଼ ହାତ ଧୋଇ ଆସ ଖାଇବାକୁ ଦେବି ।

 

କ’ଣ ? ହାଡ଼ିବନ୍ଧୁ ପଚାରିଲା ।

 

ପ୍ରଥମେ ମୁହଁ ହାତ ଧୋଇ ଆସ, ତା’ପରେ ଦେବି । ଏଇ ଛୋଟ ଛୋଟ କଥାକୁ ଧରି ଏମିତି ଭାବିଲେ ଚଳିବ ? ତୁମେ ନିଜେ କହୁଥିଲ ନା ମୋତେ ଯିଏ ବାହା ହୋଇଥିବ ତା’ର ବୟସ ମୋଟେ ବଢ଼ିବ ନାହିଁ, ସେ ମୋଟେ ବୁଢ଼ା ହେବନି, ବର୍ତ୍ତମାନ କହୁ କହୁ ଭୁଲି ଗଲଣି ? ବଡ଼ ଭୁଲା ମନ ତୁମର । ମୋତେ ତୁମେ ବହୁତ ଠକୁଚ । ତୁମ ପାଇଁ ଆଜି ମୁଁ ରାବିଡ଼ି କରିଛି, ସେଦିନ କହୁଥିଲ ନା ରାବିଡ଼ି ଖାଇବାକୁ । କାଲି ରାତିରେ ମୋର ମନେ ପଡ଼ିଲା, ଆଜି କରି ରଖିଛି ।

 

ତୁମେ ଖାଇଲଣି–କେମିତି ଲାଗୁଛି ? ହାଡ଼ିବନ୍ଧୁ ପଚାରିଲା ।

 

ଚମ୍ପା ହସି ହସି ଥଟ୍ଟାରେ କହିଲା–ଭାରି ଖଟା ଲାଗୁଛି ।

 

କ’ଣ କହିଲ, ରାବିଡ଼ି ଖଟା ଲାଗୁଛି ?

 

ତୁମର ବିଶ୍ୱାସ ହେଉଛି ? ଚମ୍ପା କହିଲା ।

 

ତୁମେ କହୁଛ, ମୁଁ କେମିତି ବିଶ୍ୱାସ ନ କରିବି ଯେ ।

 

ମୋର ପ୍ରତି କଥାକୁ ତୁମେ କଣ ବିଶ୍ୱାସ କର ?

 

ହଁ ।

 

ମୋ ଆଡ଼କୁ ଚାହିଁଲ ? ଚମ୍ପା କହିଲା ।

 

ଚାହିଁଲି, କ’ଣ କୁହ ?

 

ମୋ କଥା ଯଦି ବିଶ୍ୱାସ କର ତାହାହେଲେ ତୁମକୁ ଦିନେ ମୋ ସହିତ କଟକ ଯିବାକୁ ପଡ଼ିବ । ଚମ୍ପା କହିଲା ।

 

କାହିଁକି ?

 

କଟକ ଯାଇ ଆମ ଦୁଇଜଣଙ୍କୁ ଡାକ୍ତରୀ ପରୀକ୍ଷା କରିବାକୁ ପଡ଼ିବ । ସାନବାବୁଙ୍କ ସ୍ତ୍ରୀ ମୋତେ କହୁଥିଲେ ଡାକ୍ତରଖାନାରେ ଦୁଇଜଣଙ୍କର ପରୀକ୍ଷା କଲେ ଜଣା ପଡ଼ିବ କେଉଁ ଦୋଷରୁ ପିଲାପିଲି ହୋଇ ପାରୁନି । କାହାର ଦୋଷ ଅଛି । ଯଦି ଆମ ଦୁଇଜଣଙ୍କ ଭିତରୁ କାହାର କିଛି ଦୋଷ ଥାଏ ଔଷଧ ଖାଇ ତାକୁ ଭଲ କରିବାକୁ ପଡ଼ିବ, କ’ଣ ବୁଝିଲ । ଏମିତି ସ୍ୱାମୀ ସ୍ତ୍ରୀଙ୍କ ଦୋଷଥାଏ । ଡାକ୍ତରୀ ପରୀକ୍ଷା ପରେ ସବୁ ଧରା ପଡ଼ିଯାଏ ଏବଂ ଔଷଧ ଖାଇଲେ ଭଲହୁଏ । ଆମରି ଭଳି କେତେ ଦମ୍ପତ୍ତିଙ୍କ ପିଲାପିଲି ହେଉ ନ ଥିଲା କିନ୍ତୁ ଡାକ୍ତରୀ ପରୀକ୍ଷା ପରେ ପିଲା ହେଲା । ଚମ୍ପା କହିଲା ।

 

ଠିକ୍‌ ଅଛି ଯିବା । କେଉଁଦିନ କୁହ ?

 

ଏହାରି ଭିତରେ କେଉଁଦିନ ଯିବା । ହେଳା କରିବା ନାହିଁ ।

 

ଠିକ୍‌ ଅଛି, ଆସନ୍ତା ସପ୍ତାହକୁ ସ୍ଥିରକର ।

 

ହଁ..... ଆସନ୍ତା ସପ୍ତାହରେ ଯିବା । ଅଭିଦାଦା କହି ଯାଇଛନ୍ତି ତାଙ୍କ ନାତି ଜିତୁ ବାବୁର ଆଜି ଜନ୍ମଦିନ, ମେଳା ହେବ, ତୁମେ ସେଠାକୁ ଯାଅ ।

 

ହଉ ହେଲା, ମୁଁ ଯାଇ ବୁଲି ଆସୁଛି–ହାଡ଼ିବନ୍ଧୁ ଗାଁ ଦାଣ୍ଡକୁ ଆସିଲା । ଚମ୍ପା ରୋଷେଇ ଘରେ ପଶିଲା........ ।

 

ଦୁଇ

 

ଚମ୍ପା ବେଶ୍‌ ସୁନ୍ଦର ନାଁଟି । ଦୁଇଟି ଅକ୍ଷରର ଏକତ୍ରିକରଣରେ ଏ ନାଁଟିର ସୃଷ୍ଟି । ଏ ଗୋଟିଏ ଫୁଲର ନାଁ, ଏ ଫୁଲଟିର ରୂପ ଯେମିତି ଗୁଣ ସେମିତି । କେହି କାହାରି ଠାରୁ ଊଣା ନୁହନ୍ତି-। ସବୁଜ ପତ୍ର ଗହଳ ଭିତରେ ହଳଦୀ ବର୍ଣ୍ଣର ଏହି କ୍ଷୁଦ୍ର ଚମ୍ପା ଫୁଲଟି ସମସ୍ତଙ୍କ ମନକୁ କ୍ଷଣକ ଭିତରେ ହରଣ କରିନିଏ । ସମସ୍ତେ ଫୁଲଟି ପାଖକୁ ଲାଗି ଆସନ୍ତି । ହାତଟି ବଢ଼ାଇ ଦିଅନ୍ତି-। ଫୁଲଟିକୁ ହାତରେ ଧରି ନାକ ପାଖକୁ ନେଇ ଯା’ନ୍ତି ଆହାଃ କି ସୁନ୍ଦର ବାସନା । ନାସାନ୍ଧ୍ର ଫାଟି ପଡ଼େ, ଶୁଖିଲା ଓଠରେ ଚେନାଏ ହସ ଉଙ୍କି ମାରେ, ମନ ଆନନ୍ଦରେ ନାଚି ଉଠେ ।

 

ଚମ୍ପା ଗଛରେ ଫୁଟେ ଗଛରୁ ଝଡ଼େ । କିନ୍ତୁ ତା ମହକକୁ ଚାରିଆଡ଼କୁ ପଠେଇ ଦିଏ । ସମସ୍ତେ ତା ଗନ୍ଧରେ ଆକର୍ଷିତ ହୋଇ ଉଠନ୍ତି । ତା’ର ଗୁଣ ବର୍ଣ୍ଣନା କରନ୍ତି । ଏମିତି ଦିନେ ବିଦ୍ୟାଧର ଚମ୍ପା ଫୁଲର ଗନ୍ଧରେ ଭାରି ଖୁସି ହୋଇ ଗଛଟିଏ ଆଣି ବାଡ଼ିରେ ଲଗାଇଥିଲା, ସମୟର ଗତି ସହିତ ଚମ୍ପା ଗଛଟି ବଢ଼ିଲା । ସେଥିରେ ଫୁଲ ଫୁଟିଲା ଏବଂ ବିଦ୍ୟାଧର ଚମ୍ପା ଫୁଲର ମହକରେ ନିଜକୁ ଦିନାକାତେ ହଜେଇ ଦେଲା । କିଛିଦିନ ପରେ ତା’ର ହଳଦୀ ଗୁଲଗୁଲିଆ ଝିଅଟିଏ ଜନ୍ମ ହେଲା । ବିଦ୍ୟାଧର ଖୁସି ହୋଇ ଝିଅଟିର ନାଁ ରଖିଲା ଚମ୍ପା କିନ୍ତୁ ଝିଅଟିର ନା ଚମ୍ପା ରଖିବାର ଆଉ ଗୋଟିଏ କାରଣ ଥିଲା । ଯେତେବେଳେ ତା’ର ସ୍ତ୍ରୀ ଗର୍ଭଯନ୍ତ୍ରଣା ଭୋଗ କରୁଥିଲା ଚମ୍ପା ତା’ ମା ପେଟରେ ଥିଲା । ତା ମା’ର ବଞ୍ଚିବାର ଠିକ୍‌ଠିକଣା ନ ଥିଲା । ବିଦ୍ୟାଧର ତା ଘରକୁ ଏକୁଟିଆ । ନୂଆ ବାହା ହୋଇଥାଏ । ଭାଇମାନେ ତାକୁ ଭିନ୍ନେ କରି ଦେଇଥାନ୍ତି । ତଳ ସାହିରେ ଗୋଟିଏ ବଖରା ନେଇ ବିଦ୍ୟାଧର ରହିଥାଏ । ପିଲାଟିଏ ଜନ୍ମ ହେବା ପୂର୍ବରୁ ତା ସ୍ତ୍ରୀ ବହୁ ଯନ୍ତ୍ରଣା ଭୋଗକଲା । ବାରିପଟ ଚମ୍ପାଗଛ ମୂଳେ ବିଦ୍ୟାଧର ଛିଡ଼ା ହୋଇ ଚମ୍ପା ଫୁଲଟିକୁ ହାତରେ ଧରି କାନ୍ଦୁଥାଏ, ଭୋଳାନାଥଙ୍କୁ ଡାକୁଥାଏ । ହେ ପ୍ରଭୁ ତୁ ମୋର ସାହା, ଆଉ ମୋର କେହି ନାହାନ୍ତି, ମୋ ଘରଣୀକୁ ତୁ ରକ୍ଷା କର । ତୋ ଉପରେ ଲକ୍ଷେ ଚମ୍ପା ଚଢ଼ାଇବି । ସ୍ତ୍ରୀର ଗର୍ଭବେଦନା ତା କାନକୁ ବାରମ୍ୱାର ଶୁଭୁଥାଏ । ସେ ଗଛଟି ମୂଳେ ଛିଡ଼ା ହୋଇ ବଡ଼ କରୁଣ କଣ୍ଠରେ ଭୋଳାନାଥକୁ ଡାକୁଥାଏ । ଆସନ୍ନ ସନ୍ଧ୍ୟାରେ ଝିଅଟି ଭୂମିଷ୍ଠ ହେଲା, ବିଦ୍ୟାଧର ଦିର୍ଘନିଶ୍ୱାସ ପକାଇଲା । ଭୋଳାନାଥଙ୍କ ଉପରେ ପ୍ରତ୍ୟେହ ଚମ୍ପା ଫୁଲ ନେଇ ଗଣି ଗଣି ଲକ୍ଷେ ଚଢ଼ାଇଲା । ଝିଅର ଏକୋଇଶା ପୂଜାଦିନ ଝିଅଟିର ନାଁ ରଖିଥିଲା ଚମ୍ପା । ପତ୍ର ଗହଳି ଭିତରେ ଯେଉଁ ଚମ୍ପା କଢ଼ିଟି ଲୁକ୍‌କାୟିତ ଅବସ୍ଥାରେ ରହିଥିଲା ସେହି ଚମ୍ପା କଢ଼ିଟି ପରିପକ୍ୱ ଅବସ୍ଥାରେ ପହଞ୍ଚିବାକ୍ଷଣି ନିଜକୁ ଆଉ ଲୁକ୍‌କାୟିତ ନ ରଖି ଏକ ସୁଗନ୍ଧି ଭରା ଲୋଭନୀୟ ପୁଷ୍ପ ପାଖୁଡ଼ାକୁ ଧରି ଲୋକଲୋଚନରେ ଆତ୍ମ ପ୍ରକାଶ କଲା । ଲୋକେ ଜାଣିଲେ ଏ ଚମ୍ପା ଏ ସୁଗନ୍ଧି ଭରା, ଲୋଭନୀୟା, ଆକର୍ଷଣୀୟା । ବିଦ୍ୟାଧର ପାଖରେ ଚମ୍ପା ଛୋଟ ଥିଲା। ଗାଁ ତୋଟା, ବିଲବାଡ଼ି ନଈ ପୋଖରୀରେ କଅଁଳିଆ ବାଛୁରିଟି ପରି ଡିଆଁ ମାରୁଥିଲା, ଦାଣ୍ଡିଖଳା ଆମ୍ୱଗଛରୁ କଷି ଆମ୍ୱ ତୋଳୁଥିଲା । ପର ବାଡ଼ିରେ ପଶି ବରକୋଳି, କାଠକମଳା ଲୁଚେଇ ଲୁଚେଇ ଖାଉଥିଲା । ଧାନ ଓଳିଆରୁ ଧାନ ଚୋରିକରି ଗୁଡ଼ିଆ ଘରୁ ମୁଢ଼ିମୁଆଁ ଖାଉଥିଲା । ବିଦ୍ୟାଧର ସବୁ ଜାଣୁଥିଲା । କିନ୍ତୁ ନୀରବ ଦର୍ଶକ ଭଳି ମନେ ମନେ ହସି ଚୁପ୍‌ ରହୁଥିଲା । କ’ଣ କରିବ ? ଗୋଟିଏ ବୋଲି ଝିଅ । ସକାଳେ ସନ୍ଧ୍ୟାରେ କୋଳରେ ଧରି ଥରେ ଗେଲ ନ କଲେ ମନ ଅଥୟ ହୋଇ ଉଠେ । ପାଖରୁ ମୁହୂର୍ତ୍ତେ ଅନ୍ତର ହେଲେ ମନ ପାଗଳ ହୋଇଯାଏ । ତା ଭୁଲ୍‌କୁ କ’ଣ ଧରି ହେବ ? ଯାହା କରୁ ତା ମନ, ତାକୁ କିଛି କହି ହେବନି । ତାରି ଘର, ତା’ରି ସବୁ, ବହୁ କଷ୍ଟରେ ଝିଅଟି ପାଇଛି । ପର କୁହନ୍ତୁ ନ ଶୁଣିଲେ ହେଲା । ବିଦ୍ୟାଧର ଝିଅଟିକୁ ଅତି ଗେହ୍ଲା କରିଛି ବୋଲି ବହୁ ଲୋକ ତାକୁ ଦେଖେଇ ଦେଖେଇ କହିଲେଣି ଝିଅ ପିଲାଟା ଏତେ ଉଦ୍ଧତ ହେବା ଉଚିତ୍‌ ନୁହେଁ । ଏକୁଟିଆ ନଈରେ ପହଁରି ପାଣିକୁ ଦି ଭାଗ କରୁଛି । ପାଟ ମଝିରେ ଏକୁଟିଆ ବୁଲି ବିରିଛୁଇଁ ଖାଉଛି । ବିଦ୍ୟାଧର ସବୁ ଜାଣି କିଛି କହୁନାହିଁ । ବିଦ୍ୟାଧର ସବୁ ଶୁଣି ନ ଶୁଣିଲା ଭଳି ରହେ । ଯିଏ ଯାହା କହୁଛି କହୁ ସେ ଠିକ୍‌ ଅଛି, ତା ଝିଅ ଚମ୍ପା ବି ଠିକ୍‌ ଅଛି । ବିପଦ ପଡ଼ିଲେ ନିଜ ଝିଅ ଉପରେ ପଡ଼ିବ ନଚେତ୍‌ ତା ଉପରେ ପଡ଼ିବ । ଅନ୍ୟ ଲୋକଙ୍କର ଭାବିବା ଉଚିତ୍‌ ନୁହେଁ । ଚମ୍ପା ଛୋଟରୁ ବଡ଼ ହେଲା, ବୟସରେ ରଙ୍ଗ ଲାଗିଲା । ଆଖିରେ ଲାଜ ଆସିଲା । ଏକ ଅପୂର୍ବ ରୂପସୀ ପଲ୍ଲୀ କନ୍ୟାଟି ଭଳି ଗାଁରେ ଶୋଭା ପାଇଲା, ତା ଚାଲିରେ ଗାମ୍ଭୀର୍ଯ୍ୟତା ଆପେ ଆପେ ଆସିଲା, ତା କଣ୍ଠରେ ଲାଳିତ୍ୟ ଆପେ ଆପେ ଭରିଗଲା, ତା ହସର ଲାବନ୍ୟତା ଗ୍ରାମର ପ୍ରତ୍ୟେକ ଯୁବକମାନଙ୍କ ସ୍ଥିର ଚିତ୍ତରେ ତରଙ୍ଗ ସୃଷ୍ଟି କଲା-। ସମସ୍ତେ ନିଜ ନିଜ ଅନ୍ତର ଭିତରେ ଚମ୍ପାର ସାନିଧ୍ୟ ପାଇବା ପାଇଁ ଆଶା ବାନ୍ଧିଲେ । ସୁଯୋଗ ଖୋଜିଲେ, ଚମ୍ପାର ଗତିବିଧିକୁ ଲକ୍ଷ୍ୟ କରି ତା ସୌନ୍ଦର୍ଯ୍ୟତାକୁ ଉପଭୋଗ କଲେ । ଗାଁରେ ଅନେକ ଅଘଟଣ ଘଟିଗଲା, ସମସ୍ତେ କାନମୁଣ୍ଡା ଆଉଁସି ତଳକୁ ମୁହଁ ପୋତି ଫେରିଗଲେ-। ଚମ୍ପା ଯାହାର ହେବା କଥା ତାହାର ହେଲା ।

 

ତିରିଶ ବର୍ଷର ଅତୀତ । ସମୟ ଶ୍ରୋତରେ ଚମ୍ପା ଭାସି ଆସି ରୂପସୀ କୁଳବଧୁଟି ଭଳି ହାଡ଼ିବନ୍ଧୁର ସହଧର୍ମିଣୀ ଭାବରେ ଶୋଭା ପାଉଛି । ଅତି ଧୀରସ୍ଥିର କୋମଳମତୀ ଗ୍ରାମ୍ୟ ବଧୂଟି । ସମସ୍ତଙ୍କ ପାଖରେ ପ୍ରଶଂସନୀୟା । କାହାର ଚମ୍ପା ଅପା, କାହାର ଚମ୍ପା ଭାଉଜ, ଆଉ କାହାର ଚମ୍ପା ଦେଈ । ଯିଏ ଯାହା ଡାକି ପାରିଲା କୌଣସିଥିରେ ପ୍ରତିବନ୍ଧକ ନାହିଁ । ସମସ୍ତଙ୍କ ପାଖରେ ସେହି ହସ ହସ ଲାଳିତ୍ୟ କଣ୍ଠର ସ୍ୱର । ତାର କଣ୍ଠସ୍ୱର ସମସ୍ତଙ୍କୁ ଯେପରି କିମିଆ କରି ଦେଇଛି । ସମସ୍ତଙ୍କ କଣ୍ଠରେ ଚମ୍ପାର ପ୍ରଶଂସା । ଏଇ ଗାଁର ଝିଅ, ଏଇ ଗାଁର ବୋହୁ । ତଳ ସାହିର ଶିଙ୍ଗାଣୀ ନାକି ଚମ୍ପା । ଉପର ସାହିର ନାଲି ଗୁଲୁ ଗୁଲୁ ସାଧବବୋହୁ । ଯେଉଁ ଚମ୍ପା ନଈରେ ଗାଧୋଇଲାବେଳେ ପାଣିକୁ ଦି ଖଣ୍ଡ କରୁଥିଲା, ବର୍ତ୍ତମାନ ସେହି ଚମ୍ପା ପୂର୍ଣ୍ଣ ଓଢ଼ଣା ତଳେ ନଦୀରେ ଗାଧୋଇଲାବେଳେ ପାଣିରେ ତରଙ୍ଗ ସୃଷ୍ଟି କରାଇ ଦେଉନି । ଭାଲୁକୁଣୀ ଓଷାବେଳେ ଯେଉଁ ଚମ୍ପା ପାହାନ୍ତା ପହରୁ ସାହି ସାହି ବୁଲି ଝିଅମାନଙ୍କୁ ନିଦରୁ ଉଠାଇ, ପାଟରା ଯୋର, ବଡ଼ ଯୋର, କଳା ପୋଖରୀରେ ପଶି କଇଁଫୁଲ ତୋଳି ଆଣି ପାରୁଥିଲା । ସେହି ଚମ୍ପା ଆଜି ଅର୍ଦ୍ଧ ଓଢ଼ଣୀ ତଳେ ଧୀର ମନ୍ଥର ଗତିରେ ସାଧବ ବୋହୁଟି ଭଳି ଥିରି ଥିରି ବାଟ ଚାଲୁଛି । କଥା କହିଲେ ଏ କାନକୁ ସେ କାନକୁ ଶୁଭୁ ନାହିଁ । ନଈ ବଢ଼ିଲେ ପାଣି କୂଳ ଲଙ୍ଘନ କରେ କିନ୍ତୁ ବୟସ ବଢ଼ିଲେ ଆଖିରେ ଲାଜ ବଢ଼େ । ମନ ପ୍ରଜାପତି ଭଳି ଉଡ଼ି ବୁଲେ, ଏ ଫୁଲରୁ ସେ ଫୁଲ, ସେ ଫୁଲରୁ ଏ ଫୁଲ ।

 

ସେ ଦିନ ନଈରୁ ଗାଧୋଇ ଚମ୍ପା ଫେରୁଥିଲା । କାର୍ତ୍ତିକ ମାସର ଶୀତ, ଓଦା ସଢ଼ ସଢ଼ ଦେହ, ଓଠକୁ ଓଠ ବାଜି ଯାଉଛି, ଗୋଡ଼ ଥରି ଉଠୁଛି, ତରତର ହୋଇ ଫେରୁଥିଲା ବେଳେ ବାଟରେ ଦେଖା ହେଲା ମଝିଆଣି ମା’ । ଗାଁର ସମସ୍ତଙ୍କର ମା’ । ଛୋଟ କ’ଣ ବଡ଼ କ’ଣ ତା ପାଖରେ ସମସ୍ତେ ସମାନ । ସମସ୍ତେ ତାକୁ ଡାକନ୍ତି ମା । ବୟସ ପାଞ୍ଚକୋଡ଼ି ପାଖାପାଖି ହେଲାଣି-। ଜନ୍ମ ତାରିଖ ତାର ମନେ ନାହିଁ । ମସିହା କ’ଣ ସେ ଜାଣିନାହିଁ । ସମସ୍ତଙ୍କ ଠାରୁ ବୟସ୍କା । ସମସ୍ତଙ୍କ ପାଖରେ ସ୍ନେହମୟୀ ଜନନୀ ସ୍ୱରୂପା । ଆଗେ ଗାଈ ଚାରିଟି ବାନ୍ଧିଥିଲା । ଖିର ଦୁହୁଁଥିଲା, ଘିଅ କରୁଥିଲା, ଦହି କରୁଥିଲା, ଛେନା ବିକୁଥିଲା, ଭଲମନ୍ଦ କୁଣିଆ ମଇତ୍ରଙ୍କ ପାଇଁ ସାହାରା ଥିଲା-। କାହା ଘରକୁ କୁଣିଆ ଆସିଲେ ଖିର ଟୋପାକ ପାଇଁ ବୁଢ଼ୀ ପାଖକୁ ଦୌଡ଼ି ଆସୁଥିଲେ । ବୁଢ଼ୀ ଆନନ୍ଦରେ ସେମାନଙ୍କ ମନସ୍କାମନା ପୂରଣ କରୁଥିଲା । କାହାକୁ ମନା କରୁ ନଥିଲା । ସମସ୍ତେ ତାର ସେ ସମସ୍ତଙ୍କର । ବିପଦ ଆପଦ ବେଳେ ଟଙ୍କା ପଇସା ବୁଢ଼ୀ ଅକୁଣ୍ଠ ଚିତ୍ତରେ ଦିଏ । ବିପଦ ଆପଦ ବେଳେ ବୁଢ଼ୀ ସମସ୍ତଙ୍କ ପାଖରେ ଛିଡ଼ାହୁଏ । ହାଲି ବୁଢ଼ୀ ଗୋଡ଼ରେ ବସ୍ତା ପଡ଼ିଯିବାରୁ ଡାହାଣ ଗୋଡ଼ ମକଚି ହୋଇ ଯାଇଛି । ବୁଢ଼ୀ ଛୋଟେଇ ଛୋଟେଇ ଚାଲୁଛି । କଟକ ଯାଇଥିଲା, ନାତିମାନଙ୍କ ପାଖରେ ରହିଥିଲା । ନାତିମାନେ ଭଲ କରିବା ପାଇଁ ବହୁତ ଚେଷ୍ଟା କଲେ କିନ୍ତୁ ଅତ୍ୟଧିକ ବୟସ ହୋଇ ଯାଇଥିବାରୁ ସମ୍ପୂର୍ଣ୍ଣ ଭଲ ହୋଇ ପାରିଲା ନାହିଁ-। ବାରଅଣା ଭଲ ହେଲା, ଚାରିଅଣା ରହିଗଲା । ନିଜ କର୍ମକୁ ଆଦରି ଗାଁକୁ ଫେରି ଆସିଲା, କଟକରେ ନାତିମାନଙ୍କ ପାଖରେ ରହିଲା ନାହିଁ, କଟକ ସହର ତାକୁ ଭଲ ଲାଗିଲା ନାହିଁ, ଗାଁ ତାର ଅତିପ୍ରିୟ, ଏବେ ବାଡ଼ିଧରି ବାଟ ଚାଲୁଛି । ଯେତେବେଳେ ଯାହାକୁ ଦେଖୁଛି ପାଖକୁ ଡାକୁଛି, ହାତରେ ଆଉଁସି ପକାଉଛି, ଭଲମନ୍ଦ ଦି’ ଚାରି ପଦ ପଚାରି ଦେଉଛି । ଦୁଇ ଆଖିରୁ ଲୁହ ଝରାଉଛି, ଏ କାଳଯୁଗକୁ ହୁସଆର ଚଳିବା ପାଇଁ ଦିପଦ କହୁଛି ।

 

କାହିଁକି ଏମିତି ଦଉଡ଼ୁଛୁ କି ? କୁଆଡ଼େ ଯିବୁ କିଲୋ ? ପାଖକୁ ଲାଗିଆସି ମଝିଆଣି ମା ଚମ୍ପାକୁ ପଚାରିଲା ।

 

ଚମ୍ପା ହସି ହସି କହିଲା, କଟକ ଯାଉଛି, ଆସ ନାତିମାନଙ୍କ ପାଖକୁ ତୁମକୁ ନେଇଯିବି । ଆଲୋ କାହିଁକି ଯିବୁ, ଦେହ ପା କାହାର କ’ଣ ହୋଇଛି କି ? ମଝିଆଣୀ ମା ପଚାରିଲା ।

 

ନାହିଁ ମ ମା, ତୁମେ କ’ଣ ମୋ କଥା ଜାଣିନା । ଦେଖୁ ଦେଖୁ ତ ବାହାଘର ପାଞ୍ଚବର୍ଷ ହୋଇଗଲା, ପିଲାଟିଏ କୋଳକୁ ଆସିଲା ନାହିଁ । ଡାକ୍ତର ଦେଖାଇବାକୁ ଯାଉଛୁ । ଯଦି କିଛି ଅସୁବିଧା ଥାଏ ଔଷଧ ପତ୍ର ଖାଇବୁ । ତେଣିକି ଆମର ଭାଗ୍ୟ । କ’ଣ କହୁଛ ମା ?

 

ଠିକ୍‌ କରିଛୁ ମା, ଆଉ ହେଳା କର ନାହିଁ । ଠାକୁରଙ୍କୁ ଡାକି ପଳା । ତୋ କଥା ଭଗବାନ ନିଶ୍ଚୟ ଶୁଣିବ ।

 

ସେହି ଭଗବାନକୁ ଡାକି ଯାଉଛି ଯାହା ସେ କରିବ । ତା ଉପରେ ସବୁ ଛାଡ଼ି ଦେଇଛି ।

 

ହଁ ହଁ, ତୁ ଯା’ ତୋ କଥା ନିଶ୍ଚୟ ଶୁଣିବ.... । ମଝିଆଣି ମା କହିଲା ।

 

ଚମ୍ପା ବୁଢ଼ୀର ପାଦଛୁଇଁ ଘରକୁ ଆସିଲା ।

 

ଘରକୁ ଫେରି ଚମ୍ପା ଅଧିକ ସମୟ ଡେରି ନକରି କଟକ ବାହାରି ପଡ଼ିଲା । ଗ୍ରାମ୍ୟଦେବୀ, ଶୁନୁପେଇ ଆଡ଼କୁ ଚାହିଁ ମୁଣ୍ଡିଆ ମାରି କହିଲା ହେ ଦେବୀ, ତୁ ମୋର ସାହା ଭରସା-। ମୁଁ ଆଉ ତୋତେ କିଛି ମାଗୁନି, ତୁ ଗ୍ରାମ୍ୟଦେବୀ ତୁ ଗ୍ରାମ୍ୟ ରକ୍ଷୀ, ମୋ ଜୀବନର ଅଭାବକୁ ତୁ ପୂରଣ କରିବୁ । ତୋ ହାତରେ ଅସୀମ ଶକ୍ତି ଅଛି । ଚାହିଁଲେ ରଖିବୁ ଚାହିଁଲେ ମାରିବୁ-। ଠାକୁର ପାଖରୁ କୋଥଳିଟି ଆଣିଲା । ଜଗନ୍ନାଥ ନିର୍‌ମାଲ୍ୟ ପାଇଲା, ମୁଣ୍ଡରେ ସିନ୍ଦୂର ଟୋପା ମାରି ନୀଳରଙ୍ଗର ଶାଢ଼ୀଟି ପିନ୍ଧିଲା । ହାଡ଼ିବନ୍ଧୁ ପାଇଁ ଧୋତି ଓ ପଞ୍ଜାବୀ ବାହାର କରି ପିନ୍ଧିବା ପାଇଁ ଅନୁରୋଧ କଲା । ଯଥା ସମୟରେ କଟକ ଯାତ୍ରା ଆରମ୍ଭ ହେଲା ।

 

ଆଶା, ବିଶ୍ୱାସ ଓ ମନବଳ ନେଇ ଏହି ଦମ୍ପତ୍ତି ଦ୍ୱୟ ଜୀବନର ଶ୍ରେଷ୍ଠ ପୁରସ୍କାର ପାଇଁ ଆଗେଇ ଆସିଲେ ।

 

ତିନି

 

ଶୀତ ଦିନିଆ ଦ୍ୱିପହର ଦେହକୁ ଶୀତ ଶୀତ ଲାଗୁଥାଏ, ହାଡ଼ିବନ୍ଧୁ ପାକଲା ଖୋର୍ଦ୍ଧା ଗାମୁଛା କାନ୍ଧରେ ପକାଇ ବିରି ଖଳାକୁ ବାହାରି ପଡ଼ିଲା । ଏ ବର୍ଷ ବିରି ଭଲ ହୋଇଛି, ଶିପୁରା ଗାଁ ବାଲାଙ୍କ କଚେ ପୁଅ ବାର । ବିରି ବିକା ପଇସାରେ କେତେ କ’ଣ ସେମାନେ କରିଯିବେ ? କଞ୍ଚା ପଇସା ଘରକୁ ଆସିବ, କିଏ ଜମି କିଣିବ, କିଏ ଘର କରିବ ? ଆଉ କିଏ ଝିଅ ବାହାଘର କରିବ, ଆଉ କିଏ ପୁଅ ବାହାଘର କରିବ । ଗାଁରୁ ଝିଅ ଯିବ । ଗାଁକୁ ବୋହୂ ଆସିବ । କେତେ ଲୋକଙ୍କର କେତେ ଆଶା କ’ଣ କରିବେ ସେମାନେ ? ଫସଲ ସେମାନଙ୍କର ଆଶାର ଭରସା । ଭଲ ଫସଲ ହେଲେ ନାଚିବେ ହସିବେ, ଖେଳିବେ, ଫସଲ ଉଜୁଡ଼ିଲେ ଦୁଃଖରେ ଦିନ କାଟିବେ । ଗାଁର ବାରଣା ଲୋକ ଚାଷ ଉପରେ ନିର୍ଭର କରନ୍ତି । ଏଣୁ ହସ କାନ୍ଦର ସଂସାର ଭିତରେ ଏହି ଚାଷହିଁ ସେମାନଙ୍କ ଜୀବନଯାତ୍ରା ପଥରେ ଆଶାର ମାପକାଠି ।

 

ଚମ୍ପା ବାରିପଟ ଅଗଣାରେ ବସି ନିଜ ଫଟୋକୁ ହାତରେ ଧରି ମନେ ମନେ ହସୁଥିଲା-। କଟକ ଯାଇଥିବା ସମୟରେ ସେ ଏ ଫଟୋଟି ଉଠାଇଥିଲା । ଫଟୋଟିକୁ ଦେଖି ଚାରୁଅପା, ଶଶିଅପା, ପାର୍ବତୀଅପା, ଝୁଲିଭାଉଜ ଗୋଟିଏ ଗୋଟିଏ ନେବାକୁ ତାକୁ କେତେ ଥର କହିଲେଣି-? ସେମାନଙ୍କୁ ଏ ଫଟୋଟି ଭାରି ଭଲ ଦେଖା ଯାଉଛି । ଫଟୋଟି ଭାରି ଭଲ ଉଠିଛି ବୋଲି ସେମାନଙ୍କ ମତ । ସେମାନେ ମାଗିଲାବେଳେ କାହାକୁ କିଛି ସେ କହି ପାରୁନି । ମାତ୍ର ତିନୋଟି ଫଟୋ ଆଣିଥିଲା; ନିଜ ବାପ ଘରକୁ ଗୋଟିଏ ପଠାଇ ଦେଲା, ମୋହନ ଭାଇ ଗୋଟିଏ ନେଇଗଲେ ଆଉ ମାତ୍ର ଗୋଟିଏ ଫଟୋ ତା ପାଖରେ ଅଛି । ସେ କାହାକୁ ଦେବ ? ନିଜେ ତ ଗୋଟିଏ ରଖିବ ? ନିଜ ପାଖରେ ଗୋଟିଏ ରହିଲେ ଅନ୍ୟମାନଙ୍କୁ ଦେବାକୁ ଆଉ ପାଖରେ ମୋଟେ ନାହିଁ । ଯାହାକୁ ମନା କରୁଛି ସେ ମୁହଁକୁ ଧାନଉଁଷା ହାଣ୍ଡି ଭଳି ଫୁଲାଇ ଦେଉଛି । ଏଇ ଫଟୋ ସକାଶେ ପାର୍ବତୀ ଅପା ମୋଟେ କଥା କହୁନାହାନ୍ତି । ଘରବାଟେ ଗଲେ ମଧ୍ୟ ତା ଆଡ଼କୁ ଚାହୁଁ ନାହାନ୍ତି । ଏତେ ରାଗ ତାଙ୍କର ହୋଇ ଯାଇଛି କହିଲେ ନସରେ । ହଉ ସେ ବା କ’ଣ କରିବ-। ପୁଣି ଇଏ ଯେବେ କଟକ ଯିବେ ଆଉ ଛଅଟା ନକଲକରି ଆଣିଲେ ସମସ୍ତେ ଗୋଟିଏ ଗୋଟିଏ ନେବେ ଏ କଥା ମଧ୍ୟ ସମସ୍ତଙ୍କୁ ସେ କହିଦେଇଛି, କାହାକୁ ମନା କରି ନାହିଁ । ନିଜ ହାତରେ ଫଟୋଟିକୁ ଧରି ଆଗକୁ ପଛକୁକରି ଖୁବ୍‌ ନିରେଖି ଚାହିଁଲା, ମନେ ମନେ ହସିଲା, କାଗଜର ଫଟୋ, ଯେମିତି ଚାହିଁବ ସେମିତି ଉଠାଇବ । ଯେମିତି ନିଜକୁ ସଜାଇବ ସେମିତି ଫଟୋ ଉଠିବ । ଚେହେରାକୁ ଚାହିଁ ଫଟୋ, ତଥାପି ତା ଆଖିରେ ନାକଫୁଲଟା ମୋଟେ ଭଲ ଦେଖା ଯାଉନି । ଏଇଟା ନ ଲଗାଇଥିଲେ ବୋଧେ ଆଉ ଟିକେ ଭଲ ଦେଖା ଯାଇଥାନ୍ତା । ଏଇଟା ଅତି ମରହଟ୍ଟୀ ହୋଇଗଲା କିନ୍ତୁ ଫଟୋ ଦୋକାନୀ ସେଦିନ କାହିଁକି ଏକା ଜିଦ୍‌ଧରିଲା ନାକ ଫୁଲଟା ଲଗାଇବା ଆଜି କାଲି ଝିଅମାନଙ୍କର ଗୋଟାଏ ନୂଆ ଫେସନ । ସବୁ କଲେଜ ଝିଅମାନେ ଏବେ ଗୋଟିଏ ଗୋଟିଏ ନାକଫୁଲ ଲଗାଇ କଲେଜ ଯାଉଛନ୍ତି । କଲେଜ ଝିଅମାନଙ୍କୁ ଦେଖି ଘରର ଘରଣୀମାନେ ନାକ ଫୋଡ଼େଇ ନାକଫୁଲ ଲଗାଇବା ଆରମ୍ଭ କଲେଣି । ଯାହାହେଉ ଫଟୋଟି ମନ୍ଦ ଉଠିନି । ଆଉ ଥରେ ଫଟୋଟିକୁ ଧରି ଏକ ଲୟରେ ଚାହିଁଥିବା ସମୟରେ ଚାରୁ ଅପା ଆସି ପହଞ୍ଚିଲେ । ନୂଆ ଛପା ଶାଢ଼ୀଟି ପିନ୍ଧିଥାନ୍ତି, ପାଟିରେ ମସଲା ଦିଆ ପାନ ଚୋବାଉଥାନ୍ତି । ପାଟିଟା ଭାରି ବାସୁଥାଏ । ପାଖରେ ଆସି ବସିବାକ୍ଷଣି ଲବଙ୍ଗ ଗୁଜୁରାତିର ମିଶ୍ରିତ ବାସନା ନାକ ଫଟାଇ ଦେଲା । ଦୂରକୁ ପାନ ଛେପ ମେଞ୍ଚାଏ ପକାଇ ଚାରୁଅପା କହିଲେ, ହଇଲୋ ଛଟିକୀ, କଟକରୁ ସେଦିନରୁ ଆସିଲୁଣି ତଳ ସାହିକି ପାଦ ଟିକେ ପକାଉ ନାହୁଁ ? ତୁ ଏଡ଼େ ଫୁଲେଇ ! ବାପ ଘରକୁ ଏତେ ଶୀଘ୍ର ଭୁଲିଗଲୁ, କଟକ ଗଲୁ କ’ଣ କ’ଣ ସବୁ ଦେଖିଲୁ ? କି କି ଜିନିଷ କିଣିଲୁ କିଛି ତ ଆମକୁ କହିଲୁ ନାହିଁ । ସେଦିନ ଫଟୋଟି ଦେଖାଇ ଦେଇ ଦବୁ ବୋଲି କହିଲୁ କିନ୍ତୁ ଦେଲୁ ନାହିଁ । ତୋତେ ମୁଁ ଆଉ ମାଗିବି ନାହିଁ, ତୋ ଇଚ୍ଛା ହେଲେ ଦେବୁ ନ ହେଲେ ନ ଦେବୁ । ଏବେ ତୁ ଭାରି ମିଛେଇ ହେଲୁଣି । ହଉ ଏ ରଙ୍ଗ ରହିଲେ ହେଲା ।

 

ଚାରୁଅପାର ଅଭିମାନ ଭରା ବକ୍ତବ୍ୟ ଶୁଣି ଚମ୍ପା ହସି ହସି କହିଲା, ବୁଝିଲ ଅପା, ମୁଁ ଜାଣିଛି ତୁମେ ମୋ ଉପରେ ଭାରି ରାଗିଥିବ । ତୁମେ ତ ଏକା ନୁହେଁ ତୁମ ସହିତ ଲବଙ୍ଗ ଅପା, ପାର୍ବତୀ ଅପା ଆଉ ଶଶୀଅପା ମଧ୍ୟ । ମୁଁ କ’ଣ ଜାଣି ପାରୁନି ବୋଲି ଭାବୁଛ । ସେଦିନ ପାର୍ବତୀ ଅପା ଆମ ଦାଣ୍ଡ ବାଟେ ଶଶୀ ଅପା ଘରକୁ ଗଲେ, ଆମ ଘରକୁ ଆସିଲେ ନାହିଁ । ଏ ଘରଆଡ଼େ ଟିକେ ଚାହିଁଲେ ନାହିଁ ମଧ୍ୟ, ହଉ ତାଙ୍କ ଇଚ୍ଛା । ଶୀତ ଏକା ମାଘକେ ଯାଏ ନାହିଁ ପୁଣି ମାଘରେ ଆସେ । ସେତେବେଳେ ଦେଖିବ ମୁଁ ତାଙ୍କୁ ଆଉ କିଛି କହିବି ନାହିଁ କି ତାଙ୍କ ଦୁଆର ମୁହଁ ମାଡ଼ିବି ନାହିଁ ।

 

ଆଲୋ ଛାଡ଼ ସେ ଛୋପରି କଥା, ତୁ ତାକୁ କ’ଣ ଏପର୍ଯ୍ୟନ୍ତ ଚିହ୍ନି ପାରିଲୁ ନାହିଁ । କ’ଣ ତାର କାମ ଥିବ ତର ତର ହୋଇ ଚାଲି ଯାଇଥିବ, ତୋ ଘରକୁ ଆସି ପାରି ନଥିବ । ସେ ପରା ଆଡ଼ପାଗଳି, ତା ମୁଣ୍ଡ କେତେବେଳେ ଠିକ୍‌ ନଥାଏ । ସିଏ ଯେମିତି ତା ଗେରସ୍ତ ସେମିତି । ପଇସା ପଛରେ ଗୋଡ଼େଇ ଗୋଡ଼େଇ ବାଇଆ ସେ ଦିଜଣ ହୋଇ ଗଲେଣି । ଆଚ୍ଛା କହିଲୁ, ତୋ ଦେହପା ଭଲ ଅଛି ତ ? ଡାକ୍ତର କ’ଣ ଦେଖି ସବୁ କହିଲା । ସବୁ ପରୀକ୍ଷା କଲାଟି । ପେଟ ଧୋଇଲା ? କ’ଣ ଅସୁବିଧା ଥିଲା । ତୋତେ ସବୁ କ’ଣ କହିଲା । ଚାରୁଅପା ପଚାରିଲେ ।

 

ଆମେ ଯାହା ପାଖକୁ ଯାଇଥିଲୁ ସେ ସ୍ୱାମୀ ସ୍ତ୍ରୀ ଦିଜଣ ଡାକ୍ତର । ମୋର, ତାଙ୍କର ସବୁ ପରୀକ୍ଷା କଲେ, ମୋ ପେଟ ଧୋଇ ଦେଲେ । ସେମିତି କିଛି ଅସୁବିଧା ନାହିଁ ବୋଲି କହିଲେ । ତଥାପି ଗୋଟିଏ ବର୍ଷ ଔଷଧ ଖାଇବା ପାଇଁ ପରାମର୍ଶ ଦେଲେ । ଭୟ କରିବାର କିଛି କାରଣ ନାହିଁ । ପିଲା ନିଶ୍ଚୟ ହେବ । ସେ କହନ୍ତି କେତେକ ଦମ୍ପତିଙ୍କର ଡେରିରେ ପିଲା ହୁଏ । ସ୍ୱାମୀ ସ୍ତ୍ରୀ ଭାରି ଭଲ ଲୋକ । ପଇସା ମଧ୍ୟ ବେଶି ନେଲେ ନାହିଁ । ଆମଠାରୁ ଷୋଳଟଙ୍କା ନେଲେ । ମୋତେ ତିନିମାସ ପରେ ଆଉଥରେ ଯିବାକୁ କହିଛନ୍ତି । ୟାଙ୍କୁ କିନ୍ତୁ ପ୍ରତି ମାସରେ ଥରେ ଲେଖା ଯିବାକୁ କହିଛନ୍ତି ।

 

ଆଉ ସବୁ କ’ଣ ଦେଖିଲୁ ଚାରୁଅପା ପଚାରିଲେ ?

 

ଆଉ ଅପା କ’ଣ ସବୁ ଦେଖିବି । ରାଇଜ ଯାକର ଲୋକ ସେଇଠି । ଭଳିକି ଭଳି ବେଶ ପୋଷାକ ପିନ୍ଧି ରାସ୍ତାରେ ଫୁର୍‌ ଫାର୍‌ ଗାଡ଼ିରେ ବସି ଉଡ଼ି ଯାଉଥାନ୍ତି । କି ମରଦ କି ମାଇପେ, କେତେ ରଙ୍ଗ ଢଙ୍ଗିଆ ପୋଷାକ ପିନ୍ଧିଥାନ୍ତି ସେମାନେ । ଯୋଡ଼ି ଯୋଡ଼ି ହୋଇ ସ୍କୁଟର, ମଟର ସାଇକଲ, ପଛରେ ବସି ଉଡ଼ି ଯାଉଥାନ୍ତି । ବଡ଼ ଖୁସି ମିଞ୍ଜାସିଆ ଲୋକ ଗୁଡ଼ାକ । ସବୁଆଡ଼ ବୁଲି ଦେଖିଲି, ରାଣୀହାଟ, ମଙ୍ଗଳାବାଗ, ଚୌଧୁରୀ ବଜାର, ବାରବାଟି ଦୁର୍ଗ, ଷ୍ଟାଡ଼ିଅମ ବାକି କିଛି ନାହିଁ-। ଜାଣିବ ଅପା, ବିନା ପଇସାରେ ସେଠି ମୁହୂର୍ତ୍ତେ ଚଳି ହେବନି । ହାତରେ ପଇସା ନଥିଲେ ଆଗକୁ ପାଦେ ମାଡ଼ି ହେବନି । ଯାହା କହନ୍ତି କଟକ ସହର ବଡ଼ ମହରଗ ମୁଁ ତାହା ଅଙ୍ଗେ ଅଙ୍ଗେ ଲିଭାଇଲି । ହାତକୁ ହାତକୁ ଚାରି ପାଞ୍ଚ ଦିନରେ ପାଞ୍ଚଶହ ଟଙ୍କା ଖର୍ଚ୍ଚ ହୋଇଗଲା । କିଣିବା ଭିତରେ ମୋର ଔଷଧ କିଣା ହୋଇଛି ସତୁରୀ ଟଙ୍କାରେ, ଶାଢ଼ୀ ଗୋଟେ କିଣିଲି ପଞ୍ଚାବନ ଟଙ୍କାରେ, ଆଉ ତାଙ୍କର ଗୋଟିଏ ଭଲ ଧୋତି କିଣିଲି ପଇଁତିରିଶ ଟଙ୍କାରେ, ଆଉ ଏଣୁ ତେଣୁ ପଚାଶ ଷାଠିଏ ଟଙ୍କା । ଆଉ ସବୁ ବାଟେ ବାଟେ ଉଡ଼ିଗଲା । ତାର ହିସାବ କିଛି ନାହିଁ, ଦିଥର ସିନେମା ଯାଇଛୁ । ଥରେ ନନ୍ଦନକାନନ ଯାଇଛୁ । ଏଥିରେ କ’ଣ କଟକ ସହର ବୁଲିଯିବ କୁହ ।

 

ପଇସା ଖର୍ଚ୍ଚ ହେଲେ ହେଲା ତୁ ଏତେ ଚିନ୍ତା କରୁଛୁ କାହିଁକି ? ତୋର କ’ଣ ପଇସା ଅଭାବ ଅଛି । ଗେରସ୍ତ ମାଇପ ଦିଜଣ ମଜାରେ ବୁଲିବାଲି ଆସିଲ । ଖର୍ଚ୍ଚ ହେଲେ ହେଲା, ତୋର କ’ଣ ପଇସା ସରି ଯାଉଛି । ତୁ ଆଉ ପଇସାକୁ ଏତେ ଜଗ୍‌ନାହିଁ, ଯେତେ ଖର୍ଚ୍ଚ ହେଉଛି ହେଉ, କୋଳକୁ ଛୁଆଟିଏ କେମିତି ଆସୁ । ଭଗବାନକୁ ଡାକେ । ଏବେ ତୁ ଭାରି କାମ୍ପି ହେଲୁଣି । ତୋ ଭଳି ମୋର ଯଦି ରୋଜଗାର ହେଉଥାନ୍ତା ନା ମୁଁ ସବୁ ମାସରେ କଟକ ଯାଇ ସିନେମା ଦେଖନ୍ତି । ନୂଆ ନୂଆ ଶାଢ଼ୀ କିଣି ଗାଁକୁ ଫେରନ୍ତି । କ’ଣ ଭୁଲ୍‌ କହିଲି ? ପଇସା ସ୍ୱର୍ଗକୁ ନେବ ନାହିଁ, ସ୍ୱର୍ଗରେ କିଛି ନାହିଁ, ସବୁ ଏଇଠି ଅଛି । ଭୋଗ ବିଳାସ ଯାହା କରିବୁ ଏଇଠି କରିଯା । ଧର୍ମ କର୍ମ କ’ର । ଲୋକମାନଙ୍କୁ ଡାକି ଭଲ ଭଲ ଜିନିଷ ଖାଇବାକୁ ଦେ । ଦେଖିବୁ ଆର ବର୍ଷକୁ ତୋ କୋଳରେ ପିଲା ଖେଳୁଥିବ । ମୋ କଥାକୁ ଟିକେ ଭଲ ଭାବରେ ଚିନ୍ତା କର ଚମ୍ପା । ପଇସା ଖର୍ଚ୍ଚକୁ ମୋଟେ ଡର ନାହିଁ । ଅନ୍ତଗୋପାଳ ନାଁରେ ମେଳା କର । ତୋ ମନସ୍କାମନା ସେ ନିଶ୍ଚୟ ପୂରଣ କରିବେ ।

 

ଚମ୍ପା ହସି ହସି କହିଲା, ଅପା ତୁମେ କ’ଣ ଭାବୁଛ ଆମର ବେଶି ପଇସା ଅଛି ? ଉପରେ ଟିକେ ଧବ ଧାଉଳିଆ ଆମକୁ ଦେଖୁଛ ନା ନଚେତ୍‌ ଆମେ ଭିତରେ ପୂରା ଫମ୍ପା । ଆମର କ’ଣ ଚାକିରି ପଇସା ଅଛି ନା ବେପାର ପଇସା ଅଛି, ପ୍ରତିଦିନ ଘରେ କଞ୍ଚା ପଇସା ପଶିବ । ମାସ ଶେଷକୁ ନୋଟ ବିଡ଼ା ଘରେ ଆସି ଆପେ ଆପେ ପଶିବ । ସେହି ଜମିବାଡ଼ି ଉପରେ ସବୁ ନିର୍ଭର କରେ । ତାକୁ ଧୋଇ ଶୁଖେଇ ଖାଇବା ଛଡ଼ା ଆମର ଆଉ କ’ଣ ଅଛି ?

 

ଥାଉ ଥାଉ, କଥା ତୋତେ ବେଶ୍‌ କହି ଆସେ । ଶାଶୁ ତୋର ଯେଉଁ ସୁନା ମୁଣ୍ଡା ସବୁ ତୋତେ ଦେଇ ଯାଇଥିଲା, ତାକୁ ମାଟି ତଳେ ପୋତି ଦେ । ମଲା ବେଳକୁ ସାଙ୍ଗରେ ନେଇ ଯିବୁ ତୋତେ ଲାଜ ଲାଗୁନି ଏ କଥା କହୁଛୁ । ଚେହେରାକୁ ଫୁଲଟି ପରି ସଜେଇ ରଖିଛୁ । ଏଥିରେ କ’ଣ ତୋର ପଇସା ମୋଟେ ଖର୍ଚ୍ଚ ହେଉନି । ହାଡ଼ିବନ୍ଧୁ ଯଦି ଥାନ୍ତା ତା ମୁହେଁ ମୁହେଁ କହିଥାନ୍ତି, ପଇସା ଖର୍ଚ୍ଚ କରି ଧୁମ୍‌ଧାମ୍‌ରେ କଟକ ପୁରୀ ମଜାରେ ବୁଲୁ । କାମ୍ପି ମୋଟେ ହ’ ନାହିଁ । ମରିଗଲେ ତୋ ଦିହରେ ମୋଟେ ନିଆଁ ଧରିବ ନାହିଁ, ଦରପୋଡ଼ା ହୋଇ ରହିବୁ, ଲୋକ ଛି ଛାକର କରିବେ । କାଳ କାଳକୁ ତୋ ନାଁ ପଡ଼ିଲେ ଲୋକ ନାକ ଟେକିବେ, ବୁଝିଲୁ ଚାରୁଅପା ହସି ହସି ଘରକୁ ଯିବା ପାଇଁ ଉଠିଲେ ।

 

କ’ଣ ଯାଉଛ କି ଅପା, ରୁହ ଏ କାମ୍ପି ଲୋକଠୁ କପେ ଚା’ ପିଇ ଯିବ......

 

ଛି, ତୋଠୁ ଆଉ ଚା ପିଇବି, ରାତିରେ ତୁ ମୋଟେ ଶୋଇ ପାରିବୁ ନାହିଁ । ତୋ ଚିନ୍ତାରେ ମୋ ପେଟ ଗରମ ହୋଇଯିବ । ଆଲୋ ତୁ ଏଡ଼େ ଛୋପରି, ତୋ ଘରକୁ ଯେତେ ପଇସା ଆସୁଛି ତୁ ସେତେ କାମ୍ପି ହେଉଛୁ । ବାଟ ଛାଡ଼େ ମୁଁ ଯାଏ ।

 

ଚା ନ ପେଇ ମୁଁ କ’ଣ ତୁମକୁ ଛାଡ଼ୁଛି । ବସ ଏଇଠି କାନି ଧରି । ଚମ୍ପା ଚାରୁଅପାକୁ ବସିବାକୁ କହିଲା ।

 

ଚମ୍ପା ଗାଲରେ ଖୁନ୍ଦାଟିଏ ମାରି ଚାରୁଅପା ହସି ହସି ବସିଲେ । ପାନଖିଆ ନାଲି ପାଟିରୁ ଛେପଗୁଡ଼ାକ ପଦାକୁ ବାହାରି ଆସି ଚମ୍ପା ଉପରେ ପଡ଼ିଲା । ଚମ୍ପା ଝାଡ଼ି ଝୁଡ଼ି ହୋଇ ଘର ଭିତରକୁ ଚା କରିବା ପାଇଁ ଆସିଲା ।

 

ଶୀଘ୍ର ଶୀଘ୍ର ଆଣେ, ଚା’ରେ ଅଦା ଟିକେ ପକେଇ ଆଣିବୁ ।

 

ହଉ ତୁମେ ବସ ମୁଁ ଶୀଘ୍ର କରି ଦେଉଛି । ଚମ୍ପା ଭିତରକୁ ଗଲା । ଚାରୁଅପା ପିଣ୍ଡାରେ ବସି ଚମ୍ପା ଫଟକୁ ଚାହିଁ, ମନେ ମନେ ହସିଉଠିଲେ । ମନେ ମନେ ଭାବିଲେ ସତରେ ଚମ୍ପା କେତେ ସୁନ୍ଦର । ତା ରୂପକୁ ଚାହିଁ ତା ନାଁଟା ବେଶ୍‌ ମାନିଛି, ଭଗବାନ ତା ମନସ୍କାମନା ପୂରଣ କରନ୍ତୁ । କୋଳକୁ ପିଲାଟିଏ ଶୀଘ୍ର ଦିଅନ୍ତୁ..... ।

 

ଚାରି

 

ମଧ୍ୟାହ୍ନ–ଭୋଜନ ପରେ ହାଡ଼ିବନ୍ଧୁ ବିଶ୍ରାମ ନେବା ଉଦ୍ଦେଶ୍ୟରେ ଖଟ ଉପରେ ଆସି ଗଡ଼ି ପଡ଼ିଲା । ଶୀତଦିନିଆ ଦ୍ୱିପହର, ଦେହକୁ ଅଳସ ଅଳସ ଲାଗୁଥାଏ । ଖଟ ଉପରେ ଗଡ଼ି ପଡ଼ିବା ପରେ ଦୁଇ ଚାରିଥର ଅଳସ ଭାଙ୍ଗିବା ପାଇଁ ଭିଡ଼ି ମୋଡ଼ି ହୋଇ କଡ଼ ନେଉଟାଇଲା । ହାତକୁ ଆଗକୁ ପ୍ରସାରିତ କରି ଛାଟି ହେଲା । ଦୁଇ ଗୋଡ଼କୁ ଅଧାଭାଙ୍ଗି ଆଗକୁ ପଛକୁ କଲା । ଡାହାଣ ହାତ ମୁଠାଇ ଅଣ୍ଟା ଉପରେ ବିଧା ମାରିଲା । ଖରାବେଳେ ତା’ର ଶୋଇବାର ଅଭ୍ୟାସ ନାହିଁ । ଯଦି କେବେ ଶୋଇପଡ଼େ, ସେଦିନ ତାକୁ ଭାରି ଅଳସ ଅଳସ ଲାଗେ । କିଛି କରିବା ପାଇଁ ଇଚ୍ଛା ହୁଏ ନାହିଁ । ସବୁଦିନେ ନ ଶୋଇଲେ ମଧ୍ୟ ଯେଉଁଦିନ କାମ ନ ଥାଏ ବାଧ୍ୟ ହୋଇ ଖାଇ ସାରିଲା ପରେ ଖଟ ଉପରେ ଗଡ଼ିପଡ଼େ । ସେଦିନ ଚିତ୍‌ ହୋଇ ଖଟ ଉପରେ ପଡ଼ି ରହିଲା ହାଡ଼ିବନ୍ଧୁ । ଆଖିକୁ ନିଦ ଆସିଲା ନାହିଁ । କବାଟ ଆଉଜା ହୋଇଥାଏ, ଚମ୍ପା ବାରିପଟେ ଥାଏ । ଚାକର ମଧୁଆ ଗୁହାଳେ ବଳଦ ପାଇଁ ତୁଣ୍ଡି ତିଆରି କରୁଥାଏ । ବୟସ ଆସ୍ତେ ଆସ୍ତେ ଗଡ଼ି ଗଡ଼ି ଯାଉଛି । ରାତି ପରେ ଦିନ, ଦିନ ପରେ ରାତି, ସମୟର ଗତି ଚିରଶ୍ରୋତା ନଦୀ ଭଳି ଗଡ଼ି ଗଡ଼ି ଚାଲି ଯାଉଛି । ପଛକୁ ଚାହୁଁନି, ଆଗକୁ ମାଡ଼ି ଚାଲିଛି । ପଛକୁ ଚାହିଁବା ତା’ର କର୍ତ୍ତବ୍ୟ ନୁହେଁ ବୋଲି ସେ ଭାବେ । ସେ ଅଗ୍ରଦୂତ, ଆଗକୁ ମାଡ଼ିଯିବା ତା’ର ଧର୍ମ–ସେ ଆଶାବାଦୀ, ଆଗକୁ ମାଡ଼ିଗଲେ ତାକୁ ବହୁତ କିଛି ମିଳିବ ବୋଲି ସେ ଆଶା କରେ । ହାଡ଼ିବନ୍ଧୁ ଭାବିଲା ସମୟ ସହିତ ସେ ତାଳ ଦେଇ ଚାଲୁଛି ସତ; କିନ୍ତୁ ତା’ର ପରିବର୍ତ୍ତନ ହେଉନି । ସମୟ ଆଶାବାଦୀ ହେଲେ ସେ ନିରାଶବାଦୀ ହୋଇ ପଡ଼ୁଛି । ସେ ବୁଢ଼ା ହୋଇ ଯାଉଛି, ତା ବୟସର ରଙ୍ଗ ଫିକା ପଡ଼ି ଯାଉଛି । ସେ ଶକ୍ତିହୀନ ହୋଇ ପଡ଼ୁଛି, ଜୀବନର ଆଶା ଆସ୍ତେ ଆସ୍ତେ ମଉଳି ଯାଉଛି । ସେ କିଛି କରି ପାରୁନି । କି କରି ପାରିଲା ଭଳି ସୁବିଧା ଦେଖି ପାରୁନି । ତା’ର ଆଶା ପାଣି ଫୋଟକା ଭଳି ଫାଟି ଯାଉଛି । ସେ ନିର୍ବୋଧ ଭଳି ଆକାଶକୁ ଚାହିଁ ରହୁଛି । ଅନେକ ଆଶା ନେଇ ଚଂପାକୁ ବାହା ହୋଇଥିଲା, ଚଂପା ଭଳି ସ୍ତ୍ରୀଟିକୁ ପାଇ ସେ ବେଶ୍‌ ଆନନ୍ଦିତ ହୋଇଥିଲା । ଚଂପାକୁ ପାଇବା ଦ୍ୱାରା ସେ ଏକ ପ୍ରକାର ସାଂସାରିକ ଜୀବନ ଯାତ୍ରା ପଥରେ ମଜ୍‌ଭୁତ ମେରୀଖୁଣ୍ଟ ଭଳି ଛିଡ଼ା ହୋଇ ପାରିଲା । ସଂସାରର ଚାଲି ଚଳଣ ଗତିବିଧିର ଯେଉଁ ଜଟିଳତା ସେଥିରେ ଯଦି ଚଂପା ତା’ ଘରକୁ ଘରଣୀ ହୋଇ ଆସି ନ ଥାନ୍ତା, ତା ସଂସାର ଆଜି କେଉଁଠି ଥାନ୍ତା ତା ସହଜେ ସେ ଅନୁମାନ କରି ପାରୁଛି । ସତରେ ସଂସାର କରିବା ଭାରି କଷ୍ଟ । ହାତେ ମାପି ଚାଖଣ୍ଡେ ନ ଚାଲିଲେ ବିପଦ ପ୍ରତି ମୁହୂର୍ତ୍ତରେ ଘଟିବ । ଆଜି କାଲି ଗାଁରେ ଯେଉଁ ପ୍ରକାର ଲୋକ ଦେଖା ଦେଲେଣି ସମସ୍ତେ ଗୋଟିଏ ଗୋଟିଏ ଦେବରୂପଧାରୀ ମନୁଷ୍ୟ । ସମସ୍ତଙ୍କର ଅଶେଷ କ୍ଷମତା ଅଛି । କେହି କାହାରିକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ନିଜ ଗୋଡ଼ରେ ନିଜେ ଚଉଦ ପା–କହିଲେ ଚଳେ । ବାପ ଅଜାର ଯେଉଁ ଚଉଦ ପନ୍ଦର ମାଣ ସଂପତ୍ତି ଥିଲା, ଏବେ ବି ସେ ସେତିକି ରଖି ପାରିଛି । ପାଏ ଅଧିକ କିଛି ପାରିନି କି ପାଏ କମାଇ ଦେଇନି । ଯେମିତି ସେମିତି । ଧାନ, ବିରି, ମୁଗ, କୋଳଥ, ଝୋଟ, ଯାହା ସବୁ ଆମଦାନି ହୁଏ ସେଥିରେ ସେ ମାମୁଁ ମାଇଁ ଦୁଇ ପ୍ରାଣୀ ଆନନ୍ଦରେ ଚଳିଯା’ନ୍ତି । ଭଲ ମନ୍ଦ ସୁଖ ଦୁଃଖ ହାନି ଲାଭ ସବୁ ସେହି ଫସଲ ଉପରେ ନିର୍ଭର କରେ । ଯାହା ବାହାରିବ ସେହିଥିରୁ, ଯାହା ସରିବ ସେହିଥିରୁ । ଆସିବା ବେଳେ ବସ୍ତା ବସ୍ତା ଆସିବ, ଗଲାବେଳେ ପୋଷେ ପୋଷେ ଯିବ । ଏହାରି ଭିତରେ ସେମାନଙ୍କ ସଂସାର ଭଲ ମନ୍ଦର ବିଚାର ହେବ । ଯାହା ସେହି ଅନନ୍ତ ଗୋପାଳ କରିବ । ସେହି ସବୁ କରୁଛି ଏବଂ ସବୁ ସେହି କରାଉଥିବ । ତାଙ୍କ ବ୍ୟତୀତ ଅନ୍ୟ କେହି କିଛି କରି ପାରିବ ନାହିଁ । ଦିଗନ୍ତ ବ୍ୟାପି ଅନନ୍ତ ଆକାଶ ତଳେ ଈଶ୍ୱରହିଁ ତା’ର ଆଶାର ଭରସା ।

 

ଅଧିକାଂଶ ସମୟ ସେ ଭାବେ ତା ଜୀବନଟା ଏକ ପ୍ରକାର ମୂଲ୍ୟହୀନ । ପିଲାଦିନେ ତା’ର ଯେଉଁ ଅବସ୍ଥା ଥିଲା ସେଥିରେ ସେ ଭାବୁଥିଲା ବହୁତ କିଛି ପଢ଼ିପାରିଥାନ୍ତା । ସହର ବଜାରରେ ରହିଥାନ୍ତା, ଭଲ ଚାକିରୀ ଖଣ୍ଡେ କରିଥାନ୍ତା । ଆଧୁନିକ ସଭ୍ୟତା ସହିତ ନିଜକୁ ଖାପ ଖୁଆଇ ଜୀବନଟିକୁ ଗଢ଼ିଥାନ୍ତା । କିନ୍ତୁ ସବୁ ଆଶା ତା’ର ପାଣି ଫଟକା ଭଳି ଫାଟିଗଲା । ଆଶା ତା’ର ବୈତରଣୀ ନଦୀ ଗର୍ଭରେ ରହିଗଲା । ନିରାଶୟ, କିଂ କର୍ତ୍ତବ୍ୟ ପଥ ଯାତ୍ରୀଟି ଭଳି ଅଧାବାଟରେ ପଡ଼ିଗଲା । ଆଗକୁ ମାଡ଼ିବା ପାଇଁ ଶକ୍ତି ପାଇଲା ନାହିଁ । ପଛକୁ ଚାହିଁଲାବେଳେ ସମସ୍ୟା ବହୁଳ ସାଂସାରିକ ବୋଝ ଅମୁହା ତାକୁ ମାଡ଼ି ବସିଲା । ଦଶମ ଶ୍ରେଣୀ ପାଶ୍‌କରିବା ପରେ ପରେ ପିତାଙ୍କର ଦେହାନ୍ତ ହୋଇଗଲା । ଜମି ବାଡ଼ିର ବୋଝ ତା ଉପରେ କଟାଗଛ ଆଉଜିଲା ଭଳି ଆଉଜି ପଡ଼ିଲା । କ’ଣ କରିବ ତାକୁ କିଛି ବାଟ ଦେଖା ଗଲାନାହିଁ । ଭାବିଲା ସବୁ ତାର ସର୍ବନାଶ ହୋଇଗଲା । ସେ ଏକପ୍ରକାର ଆସନ୍ନ ମୃତ୍ୟୁ ମୁଖରେ ପଡ଼ିଗଲା । ରୁଗ୍‌ଣା ମାତା ଦିନ ରାତି ବସି କାନ୍ଦିଲା, ମୁହୂର୍ତ୍ତେ ତାକୁ ପାଖରୁ ଅନ୍ତର କଲା ନାହିଁ, ତା ତଳେ ଚାରି ଚାରିଟା ଭଉଣୀ । କାମିନୀ, ସଖି, ମଖି ଓ ଦୁଃଖି । ଏମାନେ ସବୁ ବିଭା ହେବେ । ପର ଘରକୁ ଯିବେ । କେମିତି ସବୁ ହେବ, ସଂସାର କେମିତି ରହିବ, ରୁଗ୍‌ଣା ମାତା ଅହରହ କାନ୍ଦିଲା । ଏସବୁ ଜଞ୍ଜାଳ ଦେଖି ସେ ଏକ ପ୍ରକାର ପାଗଳ ହୋଇଗଲା କହିଲେ ଚଳେ । ଦିନାକେତେ ମନ ଦୁଃଖରେ ଏଣେତେଣେ ବୁଲିଲା । ଗାଁ ମୁରବୀମାନେ ପାଖକୁ ଡାକି ବହୁତ ବୁଝାବୁଝି କରିବା ପରେ ସ୍କୁଲକୁ ଯିବା ଆସିବା କଲା, କିନ୍ତୁ ଯାହା ଦେଖାଗଲା ତା କିଛି ନୁହେଁ । ସମସ୍ୟା ଉପରେ ସମସ୍ୟା ତା ଉପରେ ଏଭଳି ଭାବରେ ଲଦି ହୋଇ ପଡ଼ିଲା ଯେ, ସେ ସବୁକୁ ସମାଧାନ କରୁ କରୁ ଦୁଇ ବରଷ ଲାଗିଗଲା । ପିତାଙ୍କ ଦେହାନ୍ତ ହେବାର ଠିକ୍‌ ବର୍ଷକ ପରେ ତା ତଳ ଭଉଣୀ କାମିନୀ ପୋଖରୀରେ ବୁଡ଼ିମଲା । ଭାଲୁକୁଣି ଓଷାରେ ବାଲୁକା ପୂଜା କରିବାକୁ ଯାଇ ସାଥିମାନଙ୍କ ସହିତ ପୋଖରୀରେ ପହଁରିଲା–ପହଁରୁ ପହଁରୁ ବହୁତ ପାଣିକୁ ଯାଇ ଆଉ ଫେରି ପାରିଲା ନାହିଁ–ଶେଷକୁ ଜୀବନ ହରାଇଲା । କାମିନୀ ଚାଲିଯିବା ପରେ ତାର ଅଣ୍ଟା ଏକରକମ ଭାଙ୍ଗିପଡ଼ିଲା କହିଲେ ଚଳେ । ସେ କ’ଣ କରିବ କିଛି ଭାବିପାରିଲା ନାହିଁ । ରୁଗ୍‌ଣା ମାକୁ କାମିନୀ ଏକରକମ ସମ୍ଭାଳି ନେଇଥିଲା, ଘରର ଯାବତୀୟ କାମ ସେ ଏକା ଏକା କରି ପକାଉଥିଲା । କାହାକୁ ଅପେକ୍ଷା କରୁ ନ ଥିଲା, ତାକୁ କେବଳ ବାହାର କାମ କରିବାକୁ ପଡ଼ୁଥିଲା । କାମିନୀ ଥିଲା ଚତୁରୀ, ବୁଦ୍ଧିମତୀ ଏବଂ ସ୍ନେହୀ । ପରକୁ ଆପଣାର କରିବାରେ ସେ ଥିଲା ସିଦ୍ଧହସ୍ତା । ତା ମା’ର ଷୋଳ କଳା ସେ ଆଣିଥିଲା । ତା ମାକୁ ଯେଉଁଦିନ ଠାରୁ ଆଣ୍ଠୁଗଣ୍ଠି ବାତ ଧରିଲାଣି ସେ ଏକ ରକମ ପଙ୍ଗୁ ପାଲଟି ଯାଇଛି କହିଲେ ଚଳେ, କିଛି କାମ କରି ପାରୁନି । ଯୋଉଠି ବସୁଛି ସେଠି କେବଳ ବସି ରହି ପାଗଳିଙ୍କ ଭଳି ଗପୁଛି । ଯାହାକି ଟିକେ ଆଗରୁ ଭଲଥିଲା କିନ୍ତୁ ପିତାଙ୍କ ଦେହାନ୍ତ ପରେ ଆଉରି ବେଶି ମୁଣ୍ଡ ଖରାପ ହୋଇଗଲା । ତା ପରେ ଯେତେବେଳେ କାମିନୀ ଚାଲିଗଲା, ସେ ଏକ ପ୍ରକାର ଅର୍ଦ୍ଧପାଗଳ ହୋଇଗଲା କହିଲେ ଚଳେ । କ’ଣ କରିବ ସେ କିଛି ଚିନ୍ତା କରି ପାରିଲା ନାହିଁ-। ଆଖି ଆଗରେ ରୁଗ୍‌ଣ ମା ସହିତ ଆଉ ତିନୋଟି ଭଉଣୀ । ସଖି, ମଖି, ଦୁଃଖି । ସଖିଟାକୁ ଭଲ ଶୁଭେନି, କାଳିଟା, ସେ ଏକ ଜଟିଳ ସମସ୍ୟା ତା ଆଗରେ । ତା’ର ବିଭାଘର ହେବା ବଡ଼ କଷ୍ଟ, କୌଣସିମତେ ତା ବାହାଘର କରିବାକୁ ପଡ଼ିବ ଯେତେ ଯାହା ପଡ଼ୁ ପଛେ । ତା ତଳକୁ ମଖି-। ମଖି ତଳକୁ ଦୁଃଖି । ଏମାନଙ୍କ ସମସ୍ୟା ବେଶି କିଛି ନୁହେଁ । ପାଠ ପଢ଼ୁଛନ୍ତି । ଦେଖିବାକୁ ମନ୍ଦ ନୁହନ୍ତି । ବାପ ଅଜା ଖାନଦାନକୁ ଆଖି ଆଗରେ ରଖି ଏମାନେ ଉଠିଯିବେ । ବେଶି କଷ୍ଟ ହେବନାହିଁ । କେବଳ ଜଟିଳ ସମସ୍ୟା ସୃଷ୍ଟି କରିବ ସଖିପାଇଁ । ଯାହାହେଉ ଭଉଣୀ ତାର ସମସ୍ତ ଦାୟିତ୍ୱ ତା ଉପରେ । ଜୀବନର ଚଲା ପଥରେ ବେଳେବେଳେ କଣ୍ଟା ମାଡ଼ିବାକୁ ପଡ଼େ ଏବଂ ସେ କଣ୍ଟାକୁ କାଢ଼ିବାକୁ ପଡ଼େ । ସଂସାର ସେ କରି ନ ଥିଲା ସତ; କିନ୍ତୁ ସଂସାର ରୂପକ ମାନଚିତ୍ରର ଅସ୍ପଷ୍ଟ ଚିତ୍ର ସେ ମନେ ମନେ ଆଙ୍କି ପାରିଥିଲା । ଅନ୍ୟମାନଙ୍କ ଠାରୁ ଶୁଣିଥିଲା ସଂସାର କରିବା ବଡ଼ କଷ୍ଟ । ପିତାଙ୍କ ଦେହାନ୍ତ ପରେ ପରେ ଯେଉଁ ବିପଦର ସମ୍ମୁଖୀନ ସେ ହେଲା ଭଲ ଭାବରେ ଅନୁମାନ କରିଦେଲା ସଂସାର କରିବାଟା ପ୍ରକୃତରେ ବଡ଼ କଷ୍ଟ । ଚାହୁଁ ଚାହୁଁ ତା ଆଖି ଆଗରେ ଛଅଟି ବର୍ଷ ବିତିଗଲା । ଏହି ଛଅଟି ବର୍ଷ ଭିତରେ ସେ ସଖିଟିକୁ କୌଣସି ମତେ ଭାକୁଡ଼ ଗାଁର ଧୋବି ପ୍ରଧାନ ପୁଅ ସହିତ ବାହା କରାଇ ଦେଲା । ପିଲାଟି ମାଟ୍ରିକ ଫେଲ ହୋଇ ଗାଁରେ ଚାଉଳ କଳଟି ପକାଇ ଚଳୁଥିଲା, ହାତରେ ଜମି ପାଞ୍ଚମାଣ ଥିଲା । ବାପ ମାର ଗୋଟିଏ ପୁଅ ଚଳିବା କଷ୍ଟ ନଥିଲା । ତା ତଳଭଉଣୀ ମଖିକୁ ନାନପୁର ଗାଁର ଶଙ୍କର ବିଶ୍ୱାଳ ପୁଅ ଅଲେଖ ସହିତ ବିଭା କରାଇ ଦେଲା । ଅଲେଖ ମାଟ୍ରିକ୍‌ ପାଶ କରି ଚୌଦ୍ୱାର ଲୁଗା କଳରେ ଚାକିରୀ କରିଥିଲା । ମାସକୁ ଚାରିଶହ ଟଙ୍କା ଦରମା ଘରକୁ ଆଣୁଥିଲା । ହାତରେ ଜମିବାଡ଼ି କିଛି ଥିଲା । ଶଙ୍କର ବିଶ୍ୱାଳର ଟିଣଛପର ଘର ଖଞ୍ଜାଏ ଥିଲା ଏବଂ ସେ ନିଜେ ମଧ୍ୟ ଅମିନ କାମ କରି ମାସକୁ ଦୁଇଶହ ତିନିଶହ ରୋଜଗାର କରୁଥିଲା । ଭଲ ଅମିନ ହିସାବରେ ତା ନାଁ ଡାକ ଥିଲା । ମଖି ବାହାଘରର ଦୁଇବର୍ଷ ପରେ ଦୁଃଖିକୁ ବାହା କରାଇ ଦେଲା ଖଡ଼ିଅଙ୍ଗ ଗାଁ’ରେ । ଦୁଃଖି ଥିଲା ସୁନ୍ଦରୀ ଏବଂ ଗାଁ ସ୍କୁଲରୁ ମାଇନର ପାଶ କରିଥିଲା । ଖଡ଼ିଅଙ୍ଗର ଚାଣକ୍ୟ ମହାପାତ୍ର ନାଁ ଡାକ । ପୁରୁଣାକାଳିଆ ଜମିଦାରୀ ଲୋକ, ଦୁଇଟା ପଥର ଖଞ୍ଜା, ତିନି ହଳ ବଳଦ ଜମି ଦେଢ଼ ବାଟି ଖଣ୍ଡେ ହେବ । ତିନି ପୁଅ । ବଡ଼ ପୁଅ ଖଗେଶ୍ୱର ଭୁବନେଶ୍ୱର ଜଳସେଚନ ବିଭାଗରେ ଚାକିରି କରେ । ଦୁଃଖିର ରୂପକୁ ଦେଖି ସେ ଏକାଥରକେ ରାଜି ହୋଇ ଯାଇଥିଲା । ସେ ମଧ୍ୟ ଦୁଃଖିକୁ ଭଲ ଜାନିଯୌତୁକ ଦେଇଥିଲା । ଜାନି ଯୌତୁକ ପାଇ ଚାଣକ୍ୟ ମହାପାତ୍ର ଭାରି ଖୁସି ହୋଇ ଯାଇଥିଲା । ଖଗେଶ୍ୱର ଦୁଃଖିକୁ ପାଇ ମଧ୍ୟ ଭାରି ଖୁସି ହୋଇଥିଲା–ଖଗେଶ୍ୱର ଦେଖିବାକୁ ଖୁବ୍‌ସୁନ୍ଦର । ଦୁଃଖି ସହିତ ତାକୁ ଭାରି ଭଲ ମାନୁଥିଲା । ବାହାଘର ଦିନ ଖଗେଶ୍ୱରକୁ ବରବେଶରେ ଦେଖି ଗାଁ ମାଇପେମାନେ ଭାରି ଖୁସି ହୋଇ ଯାଇଥିଲେ । ସାକ୍ଷାତ୍‌ ରାଧାକୃଷ୍ଣ ଯୋଡ଼ି ବୋଲି ଆଖ୍ୟା ଦେଇ ହସିଥିଲେ । ଖଗେଶ୍ୱର ଅବଶ୍ୟ ଟିକେ ଡହରା ଥିଲା । ରୋଜଗାର ପଇସାରୁ ଏକ ପଇସା ସେ ବାପ ପାଖକୁ ପଠାଉ ନ ଥିଲା, ସବୁ ଖାଇ ଧୁମ୍‌ଧାମ୍‌ରେ ଥିଲା । ଭଳିକି ଭଳି ପୋଷାକ ପିନ୍ଧି ଗାଁକୁ ଆସୁଥିଲା । ଭାରି ସୌକିଆ ଟୋକା ଥିଲା ସେ । ଯାହା ହେଉ ଟୋକାଟା ଡହରା ଥିଲେ ବି ପର ଉପକାରୀ ଥିଲା । ବିପଦ ଆପଦ ବେଳେ ଆଗକୁ ବାହାରି ପଡ଼ୁଥିଲା । କାନ୍ଧ ସହିତ କାନ୍ଧ ଯୋଡ଼ି ଲୋକଙ୍କ ସେବା କରୁଥିଲା । ଏଥିପାଇଁ ଖଗେଶ୍ୱର ସାଇ ପଡ଼ିଶା, ଜ୍ଞାତି କୁଟୁମ୍ୱରେ ଖୁବ୍‌ ପ୍ରିୟ ପାତ୍ର ହୋଇ ଯାଇଥିଲା । ଦୁଃଖି ପାଇଁ ଖଗେଶ୍ୱର ଖୁବ୍‌ ଉପଯୁକ୍ତ ପାତ୍ର ଭାବି ସେ ଆଖି ବୁଜି ବାହାଘର କରି ଦେଇଥିଲା । ଏବେ ସେମାନେ ଖୁବ୍‌ଖୁସିରେ ଅଛନ୍ତି ।

 

ହାଡ଼ିବନ୍ଧୁ କଡ଼ ନେଉଟାଇଲା । ଚଟାଣରେ ମସିଣା ପକାଇ ଚମ୍ପା କେତେବେଳୁ ଆସି ଶୋଇ ପଡ଼ିଛି । ଛାତି ଉପରୁ ଲୁଗାଟା ଖସି ପଡ଼ିଛି, ମନେ ମନେ ଦେଖି ହସିଲା । ବୟସର ରଙ୍ଗ ଉପରେ ସତେ ଯେପରି ଆଉ କିଏ ନୂଆ ରଙ୍ଗ ଦେଇଦେଲା ଭଳି ସେ ଅନୁଭବ କଲା । ଖଟ ଉପରୁ ତଳକୁ ଓହ୍ଲାଇ ଆସିବାକୁ ଇଚ୍ଛା ହେଉଥିଲା, କିନ୍ତୁ କେଜାଣି କାହିଁ ମନେ ମନେ ହସି ଚୁପ୍‌ହୋଇ ଖଟ ଉପରେ ଶୋଇ ଚମ୍ପାକୁ ଚାହିଁଲା । ଅତୀତ ଜୀବନର କେତେ କଥା କ୍ଷଣକ ଭିତରେ ମନ ଉପରେ ପାଣି ଶ୍ରୋତ ଗଡ଼ିଲା ଭଳି ଗଡ଼ିଗଲା । କାଲି ଭଳି ତାକୁ ସବୁ ଲାଗୁଛି । ସମୟ କେତେ ଚଞ୍ଚଳ ତା ଆଖି ଆଗରେ ଗଡ଼ି ଯାଉଛି । ପିତାଙ୍କ ଦେହାନ୍ତ ପରେ ଅନେକ ଅସୁବିଧା ସତ୍ୱେ ତିନି ତିନିଟା ଭଉଣୀକୁ ବାହା କରି ସାରି ନିଜେ ଭାବିଥିଲା କିଛିଦିନ ଆରାମରେ କଟାଇ ନେବା ପାଇଁ । ଭଉଣୀମାନେ ସିନା ବୋଝଥିଲେ ବୋଲି ମା ତା’ର ସବୁବେଳେ କାନ୍ଦି ବାଡ଼େଇ ହେଉଥିଲା, ଝିଅମାନେ ତା’ର କିପରି ବାହା ହୋଇ ଖୁସିରେ ରହିବେ ? ସେ କାମ ତ ସେ ସାରିଦେଲା । ମା ଖୁସି, ସେ ବି ଖୁସି, ଭଉଣୀମାନେ ବି ଖୁସି । କିନ୍ତୁ ଭଉଣୀମାନଙ୍କ ବାହାଘର ପରେ ମା’ ତା’ର ଏକା ଯିଦି ଧରି ବସିଲା କେମିତି ସେ ତାକୁ ବାହା କରାଇ ଘରକୁ ସୁନାଲାଖି ବୋହୁଟିଏ ଆଣିବ । ମା’ର ଏ ଜିଦିକୁ ଦେଖି ଯାହା ବା ସେ ଟିକେ ନିଶ୍ୱାସ ମାରି କିଛିଦିନ ଫୁଲା ଫାଙ୍କିଆରେ ବୁଲିଥାନ୍ତା, ଆଉ ମୋଟେ ବୁଲି ପାରିଲା ନାହିଁ । ବୋଝ ଉପରେ ଲଳିତା ବିଡ଼ା ମାଡ଼ି ବସିଲା ଭଳି ତାକୁ କିଏ ମାଡ଼ି ବସିଲା । କ’ଣ କରିବ । କିଛି ଚିନ୍ତା କରି ପାରିଲା ନାହିଁ । ଅବଶ୍ୟ ଭଉଣୀମାନେ ବାହା ହୋଇ ଯିବା ପରେ ଘରକୁ ଘରଣୀଟିଏ ଆସିବା ନିତାନ୍ତ ଆବଶ୍ୟକ ବୋଲି ସେ ଅନୁଭବ କରୁଥିଲା, କିନ୍ତୁ ଏତେ ଶୀଘ୍ର ନୁହେଁ । ଭାବୁଥିଲା ଆଉ କିଛିଦିନ ଗଡ଼ି ଯାଇଥିଲେ ଭଲ ହୋଇଥାନ୍ତା କିନ୍ତୁ ତା ଆଗରେ ଅସ୍ପଷ୍ଟ ଚଳଚ୍ଚିତ୍ର ଭଳି ରୁଗ୍‌ଣ ମା’ର ଯେଉଁ କରୁଣ କ୍ରନ୍ଦନ ତା ନାନାବାୟା ମନକୁ ଏକାଥରକେ ବୁଲାଇ ଦେଲା । ଶେଷକୁ ବାଧ୍ୟ ହୋଇ ରୁଗ୍‌ଣା ମା ପାଖରେ ବାହା ହେବା ପାଇଁ ମୁଣ୍ଡ ଟୁଙ୍ଗାରିଥିଲା । ତା’ର ମୁଣ୍ଡ ଟୁଙ୍ଗାରିବା ଦେଖି ବୁଢ଼ୀ ଖୁବ୍ ଖୁସି ହୋଇ ମିଠା ହସଟିଏ ହସିଥିଲା । ଏବେ ସେ ଦିନର ହସ ତା’ର ମନେ ପଡ଼ୁଛି, ବୁଢ଼ୀ କେତେ ଖୁସି ହୋଇ ତା ପାଖକୁ ଲାଗି ଆସି ଓଠରେ ହାତଟି ମାରି ଦେଇଥିଲା । ଆଜି ସେ ସ୍ୱର୍ଗପୁରରେ କେଉଁଠି ବସିଥିବ କିନ୍ତୁ ତା ହାତର କୋମଳ ସ୍ପର୍ଶ ଏବେ ବି ତାକୁ କେତେ ମୁଲାମ ଲାଗୁଛି ତା ସେ ଅନୁଭବ କରି ପାରୁଛି ।

 

ତଳେ ଚମ୍ପା ସେମିତି ଉପରକୁ ମୁହଁ କରି ଶୋଇଛି । ସେ ତା ମୁହଁକୁ ଚାହିଁ ଅତୀତ ଜୀବନର କଥାଗୁଡ଼ାକ ଭାବୁଛି । ଏବେ ବି ଚମ୍ପା ଦେହରେ ଉଭା ଯୌବନ । ବର୍ଷାଦିନ ନଦୀ ଭଳି ଉବେଇ ଟୁବେଇ ହେଉଛି ଚମ୍ପା ସୁନ୍ଦରୀ । ଏହା ନିଃସନ୍ଦେହ । ତା ରୂପର ଲାବଣ୍ୟତା ତା ଦେହର ସାନିଧ୍ୟତା ତା ପାଖରେ ଅତୀତରେ କେତେ ମୂଲ୍ୟବାନ ଥିଲା ସେ କଥା ମନେ ପଡ଼ିଲେ ତାକୁ ହସ ମାଡ଼ୁଛି । ଚମ୍ପା ତା ଗାଁର ଝିଅ । ପିଲା ଦିନରୁ ସେ ଚମ୍ପାକୁ ଦେଖି ଆସୁଛି । ଯେତେବେଳେ ସେ ପ୍ରଥମେ ଯୌବନର ପାଦ ଦେଶରେ ପଦାର୍ପଣ କରି ପ୍ରେମର ଅନ୍ୱେଷଣରେ ନିଜକୁ ଆଗେଇ ନେଲା, ସେତେବେଳେ ସେ ପ୍ରଥମେ ଚମ୍ପାକୁ ଭେଟିଥିଲା । ଏବେ ବି ସେ ଦୃଶ୍ୟ ଅସ୍ପଷ୍ଟ ନାଟିକା ଦୃଶ୍ୟ ଭଳି ତା ଆଖି ଆଗରେ ନାଚି ଯାଉଛି । ଅତୀତ ହେଲେ ବି ବଡ଼ ସ୍ମରଣୀୟ ଦୃଶ୍ୟ ନାଟିକା ଭଳି ସେ ଅନୁଭବ କରୁଛି ।

 

ଦିନେ ସନ୍ଧ୍ୟାବେଳେ ସେ ନଈକୂଳକୁ ବୁଲିବାକୁ ଯାଇଥିଲା, ସୂର୍ଯ୍ୟ ଅସ୍ତ ହେବାକୁ ଆଉ ଅଳ୍ପ ସମୟ ବାକି ଥାଏ, ପଶ୍ଚିମ ଆକାଶର ଅସ୍ତଗାମୀ ସୂର୍ଯ୍ୟର ଶୀତଳ ଆଲୋକ ବେଶ୍‌ ଲୋଭନୀୟ ହୋଇ ପଡ଼ିଥାଏ । ଦୂରରେ ବହଡ଼ିଅ ପର୍ବତମାଳାର ସବୁଜିମାର ଦୃଶ୍ୟାଭଳି ଆଖିକୁ ବଡ଼ ଚମତ୍‌କାର ଦେଖା ଯାଉଥାଏ । ସେ ଏକୁଟିଆ ନାଆତଳ ଝଙ୍କାଳିଆ ବରଗଛ ମୂଳେ ବସି ଦୂରଦିଗନ୍ତକୁ ଚାହିଁଥାଏ । ଫେରନ୍ତି ଗେଣ୍ଡାଳିଆ ପକ୍ଷୀମାନେ, ମାଳ ମାଳ ହୋଇ ଆକାଶରେ ଉଡ଼ି ଯାଉଥାନ୍ତି । ନଦୀରେ କେତୋଟି ପଲ୍ଲୀବଧୂ କଥୋପକଥନରେ ନିଜକୁ ହଜାଇ ଦେଇ ସ୍ନାନାରତ ଥାନ୍ତି । ଏକାକି ବସି ସେ ଭାବୁଥାଏ, ବୟସର ରଙ୍ଗ ସହିତ ତାର ମନର ରଙ୍ଗ ଏକବାରକେ ଓଲଟ ପାଲଟ ହୋଇ ଯାଇଛି । ବୟସ ବଢ଼ିଲେ ମନ ପରିବର୍ତ୍ତନ ହୁଏ ଏବଂ ସେ ମନ ସବୁବେଳେ ଗୋଟିଏ ରୂପସୀ ତରୁଣୀକୁ ଖୋଜି ବୁଲେ । ଏକଥା ସେ କେବେ ଜାଣି ନ ଥିଲା । ଏବେ ଜାଣିପାରୁଛି ସେ, ଭାବୁଚି ସେ ଏକ ରଙ୍ଗିନ ପ୍ରଜାପତି ପାଲଟି ଯାଇଛି । ତା ବୟସ ଭିତରେ ଗୋଟିଏ ନୂଆ ଶକ୍ତି ଆବିର୍ଭୂତ ହୋଇଛି–ଏ ଶକ୍ତି କେବଳ ଚାହୁଁଛି କେଉଁ ଏକ ରୂପସୀ ତରୁଣୀର ସାନ୍ନିଧ୍ୟ ।

 

ଅଣ୍ଟାରେ କଳସୀ ଧରି ନାଲିଶାଢ଼ୀ ପିନ୍ଧି ଚମ୍ପା ଆସି ପହଞ୍ଚିଲା, ସେ କେବେ ବିଶ୍ୱାସ କରି ନଥିଲା ଚମ୍ପା ନାଆତଳ ତୁଠକୁ ଆସିବ ବୋଲି ? ସେ ଏହା ପୂର୍ବରୁ ଅନେକଥର ନାଆତଳ ତୁଠ ପାଖରେ ଏକୁଟିଆ ବସିଛି । ନିର୍ଜ୍ଜନ ସ୍ଥାନ, କାଁ ଭାଁ କେତେଜଣ ଏ ତୁଠକୁ ଗାଧୋଇବାକୁ ଆସନ୍ତି ନଚେତ୍‌ ସବୁବେଳେ ନୀରବ ନିକାଞ୍ଚନ ନଦୀତୁଠ ଭାବରେ ଏ ପରିଚିତ, ହଠାତ୍‌ ଆଖି ଆଗରେ ଚମ୍ପାକୁ ଦେଖି ସେ କାହିଁକି ବସିଥିବା ସ୍ଥାନରୁ ଉଠି ଛିଡ଼ା ହୋଇ ଯାଇଥିଲା । ସେ କଥା ତା’ର ଭଲ ଭାବରେ ମନେ ପଡ଼ୁନି । କିନ୍ତୁ ଏଭଳି ଅପ୍ରସ୍ତୁତ ଭାବରେ ଛିଡ଼ା ହୋଇ ଯାଇଥିବାରୁ ଚମ୍ପା ଜାଣିପାରି ହସି ହସି ପଚାରିଥିଲା, ଡରିଗଲ କି ? ଛାତିରେ ଛେପ ପକାଇ ଦିଅ ।

 

ଚମ୍ପା ପୁନର୍ବାର କଡ଼ ଲେଉଟାଇ ମୁହଁମାଡ଼ି ଶୋଇଲା । ପିଠିରୁ ଲୁଗାଟା ପୂରା ଖସି ଗଲା, ଖାଲି ପିଠିଟା ତା ଆଖିରେ ଆଉ ଏକ ନୂଆ ରୂପ ନେଲା । ଚମ୍ପା ତା ପାଖରେ ଆଜି ନୂଆ ନୁହେଁ । ବହୁ ପୁରୁଣା ପିତଳ ହାଣ୍ଡି ଭଳି ଘସରା ହୋଇଗଲାଣି; ତଥାପି ଦିନେ ଦିନେ ନିର୍ଜନତା ଭିତରେ ଚଂପାକୁ ଦେଖିଲେ ଅତୀତ ଜୀବନର କେତୋଟି ପୁରୁଣା କଥା ମନ ଭିତରକୁ ଓଟାରି ହୋଇ ଆସି ଚଂପାକୁ ସେହି ପିଛିଲା ଷୋଡ଼ଶୀ ବୟସୀ ଆଡ଼କୁ ଟାଣି ନେଉଛି । ପ୍ରକୃତରେ ଇଏ ସୁନ୍ଦରୀ ଥିଲା । ଶୁଭ୍ରାଙ୍ଗନି ଏହି ରୂପସୀ ଚଂପାବତୀ ତା ସୁନେଲି ପ୍ରଜାପତି ବୟସରେ କେତେଜଣଙ୍କୁ ପାଗଳ କରି ପକାଇ ନ ଥିଲା ? ସତରେ ଅତୀତ ଜୀବନରେ ଏହି ନାଆ ତଳ ଝଙ୍କାଳିଆ ବରଗଛ ଆମ ଦୁଇଜଣଙ୍କ ସାକ୍ଷାତର ମୂକ ସାକ୍ଷୀ ରୂପେ ଏବେ ବି ଦଣ୍ଡାୟମାନ ହୋଇ ତା ଶାଖା ପ୍ରଶାଖାକୁ ଚତୁର୍ଦ୍ଦିଗକୁ ବିସ୍ତାରିତ କରି ଛିଡ଼ା ହୋଇ ରହିଛି । ଆଉ କେତେ ବର୍ଷ ଛିଡ଼ା ହୋଇ ରହିବ ।

 

ଗୋଟିଏ ଛୋଟିଆ କଥା କହି ଚଂପା କଳସୀ ଧରି ନଦୀଗର୍ଭକୁ ହସି ହସି ଗଡ଼ି ଯାଇଥିଲା । ଏବେ ବି ତା’ର ମନେ ପଡ଼ୁଛି ଚମ୍ପା ମୁହଁରୁ ସେତେବେଳେ ପଦୁଟିଏ କଥା ଶୁଣି ସେ କିଭଳି ଭୟଭୀତ ହୋଇଯାଇଥିଲା, ତଥାପି କାହିଁକି କେଜାଣି ତା ରୂପରେ ଆକର୍ଷିତ ହୋଇ ପୁନର୍ବାର ନଦୀ ଦାଢ଼କୁ ତାକୁ ଦେଖିବା ପାଇଁ ଧାଇଁ ଯାଇଥିଲା । କଳସୀ ଅଣ୍ଟାରେ ଧରି ନଦୀ ଉପରକୁ ଉଠିବା ସମୟରେ ଚମ୍ପା ତାକୁ ଦେଖି ହସି ହସି ପଚାରିଥିଲା ମୋତେ ଦେଖିବାକୁ ଭାରି ଭଲ ଲାଗୁଛି ନୁହେଁ ?

 

ଚଂପା ପାଟିରୁ ଏହି ପଦକ କଥା ଶୁଣି ସେ ଅବଶ୍ୟ ଟିକେ ଅପଦସ୍ତ ହୋଇ ପଡ଼ିଥିଲା କିନ୍ତୁ ପର ମୁହୂର୍ତ୍ତରେ ମନରେ ସାହସ ବାନ୍ଧି ଉତ୍ତର ଦେଇଥିଲା, ଚଂପା ତୁମେ କ’ଣ ଜାଣିନାହଁ,

 

ସୁନ୍ଦର ତୃପ୍ତିର ଅବସାଦ ନାହିଁ ।

ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।

 

ମୁଁ କ’ଣ କରିବି କହିଲ, ଚଂପା ଏ ଅବୁଝା ମନକୁ ବୁଝାଇ ପାରୁନି ।

 

ମୁଁ ଜାଣିଛି ତୁମେ ଅବୁଝା ମନକୁ ବୁଝାଇ ପାରିବ ନାହିଁ । ତୁମ ଅବୁଝା ମନ ବଡ଼ ଅମାନିଆ ଧରିଛି, ଅବଶ୍ୟ ଏଇଟା ତୁମ ମନର ଦୋଷ ନୁହେଁ ତୁମ ବୟସର ଦୋଷ । ତଥାପି ଅମାନିଆ ମନକୁ ଏତିକି କହିଦିଅ, ରେ ମନ ! ଏ ମନ ଭାବୁଥାଏ ଯାହା କାଳେ ପ୍ରାପତେ ହୁଏ ତାହା । ଆଶା ବାନ୍ଧି ରଖିବା ଉଚିତ୍‌ ଆଶା ହରାଇବା ଅନୁଚିତ୍‌।

 

ଚଂପା ମୁହଁରୁ ଏହି ପଦକ କଥା ଶୁଣି ସାରିଲା ପରେ ମୋ ମନରେ କାହିଁକି ସେଦିନ ଅସୀମ ସାହସ ଆସିଗଲା । ମନ ଭିତରେ ଯେଉଁ ଭୟ ଉଦ୍‌ବେଳିତ ଅବସ୍ଥାରେ ଥିଲା ତା କ୍ଷଣକ ଭିତରେ ବର୍ଷା ଜଳ ଭଳି ତଳକୁ ଗଡ଼ିପଡ଼ି ମନକୁ ନିର୍ମଳ କରିଦେଲା । ନିର୍ଭୟରେ ଚଂପାକୁ ପଚାରିଥିଲି ଅବୁଝା ମନ ମୋଟେ ବୁଝୁନି, ତା’ର ସମାଧାନ ତୁମେ କରି ପାରିବ ବୋଲି ମୋର ଆଶା ।

 

ମୋ କଥା ଶୁଣି ସେ ହସିଥିଲା ଏବଂ ସେହି ହସ ଭିତରେ କହିଥିଲା, କେଉଟ ମାଛ ପାଇବା ଆଶାରେ ଖାଲି ହାତରେ ପୋଖରୀ ତୁଠରେ ବସେନି, ଯୁବକ ହାତରେ ତା’ର ବନଚି କାଠି ଥାଏ । ବିଧାତା ସିନା ପୁରୁଷ ରୂପରେ ତୁମକୁ ଜନ୍ମ ଦେଲା ହେଲେ ପୌରୁଷକୁ ବିତରଣ କରିବା ପାଇଁ ବୁଦ୍ଧି ବତାଇଲା ନାହିଁ, ଅପୁରୁଷ କରି ଛାଡ଼ିଦେଲା ।

 

ଚମ୍ପା କଥାର ସାରମର୍ମ ମୋର ଆକାଂକ୍ଷିତ ହୃଦୟତନ୍ତ୍ରୀ ଭିତରେ ଏକ ପ୍ରକାର ନୂତନ ରୂପ ଦେଲା । ମୋର ସ୍ନାୟୁତନ୍ତ୍ରୀ ଭିତରେ ଆନ୍ଦୋଳନ ସୃଷ୍ଟିହେଲା । ମୁଁ ଟିକେ ଦୋହଲି ପଡ଼ିଲା ଭଳି ଅନୁଭବ କଲି । ମୁଁ ପୁରୁଷ, ମୋର ପୌରୁଷତ୍ୱ ଯଥେଷ୍ଟ ଥିବାର ମୁଁ ନିଃସନ୍ଦେହ ଥିଲି କିନ୍ତୁ ଚମ୍ପା କହିଥିବା କଥାର ତାତ୍ପର୍ଯ୍ୟତାକୁ ମୁଁ ଭଲଭାବରେ ବୁଝିପାରି ଖୁବ୍‌ ଦୃଢ଼ତାର ସହିତ ନିଜକୁ ସଂଯତ କରି କହିଥିଲି, ପୁରୁଷ ସବୁବେଳେ ଚେଷ୍ଟାକରେ ତାର ପୌରୁଷତ୍ୱକୁ, ସୁପାତ୍ରରେ ଦାନ କରିବାକୁ ! କୁ ପାତ୍ରରେ ନୁହେଁ । କାରଣ ସେ ବିଚାରବନ୍ତ–ବୁଝିବିଚାରି କାମ କରିବାକୁ ଭଲପାଏ । ନାରୀ ଭଳି ସେ ଅବିଚଳିତ ନୁହେଁ । ସବୁ କଥାକୁ ସେ ଧୈର୍ଯ୍ୟର ସହିତ ବିଚାର କରେ । କାରଣ ପୌରୁଷତ୍ୱ ଭଳି ଦୁର୍ଲ୍ଲଭ ପଦାର୍ଥକୁ ସୁ ପାତ୍ରରେ ଦାନ ନ କଲେ ନଷ୍ଟ ହୋଇଯିବାର ବେଶି ଆଶଙ୍କା ଥିବାରୁ ସେ ସଂଯତ ଅବଲମ୍ୱନ କରେ । ଆଉ ମଧ୍ୟ ଏହାର ଦ୍ୱିତୀୟ କାରଣ ହେଲା ପୁରୁଷ ତାର ପୌରୁଷତ୍ୱ ଦ୍ୱାରା ଜଗତରେ ସୃଷ୍ଟିକର୍ତ୍ତା ବୋଲାଏ । ଏଣୁ ବୁଦ୍ଧି ବିଚାରି କାମ କରିବାକୁ ସେ ପ୍ରଥମେ ଚେଷ୍ଟାକରେ ।

 

ମୋ ଉତ୍ତର ଶୁଣି ସେ ଖୁବ୍‌ ଜୋରରେ ହସି କହିଥିଲା, ପୁରୁଷ ସୃଷ୍ଟିକର୍ତ୍ତା ହୋଇପାରେ କିନ୍ତୁ ନାରୀର ସାହାଯ୍ୟ ବିନା ନୁହେଁ । ନାରୀକୁ ହାତମୁଠାରେ ରଖି ଜଗତରେ ସେ ସୃଷ୍ଟିକର୍ତ୍ତା ବୋଲାଇଥାଏ ।

 

ତା ଉତ୍ତର ଶୁଣି ଅବଶ୍ୟ ସେତେବେଳେ ମୁଁ ନିରୁତ୍ତର ରହିଥିଲି । ନାରୀର ସାହାଯ୍ୟ ବିନା ପୁରୁଷ କେବେ ସୃଷ୍ଟିକର୍ତ୍ତା ହୋଇ ନ ପାରେ ଏ କଥା ମୁଁ ଭଲଭାବରେ ଜାଣିଥିଲି । ତଥାପି ତା ପ୍ରଶ୍ନ ପାଖରେ ମୁଁ ନିଜକୁ ଶୃଗାଳ ମନେ ନ କରି ପୁରୁଷ–ସିଂହ ଭଳି ଗର୍ଜିଉଠି କହିଥିଲି, ପୁରୁଷର ପୌରୁଷତ୍ୱ ସାହାଯ୍ୟ ନେଇ ନାରୀ ସୃଷ୍ଟିମୟୀ ବୋଲି ଗର୍ବ କରି ଆସୁଛି ସତ କିନ୍ତୁ ସୃଷ୍ଟିକର୍ତ୍ତା ବୋଲି କେବେ ଆଖ୍ୟା ପାଇନି । ପୁରୁଷ ସବୁବେଳେ ଊର୍ଦ୍ଧ୍ୱରେ ରହି ତାର ପୌରୁଷତ୍ୱକୁ ନାରୀ ପାଖରେ ବିତରଣ କରି ଆସୁଛି ।

 

ସେଦିନ ଚମ୍ପା ଆଉ ଯୁକ୍ତି କରି ନ ଥିଲା । କଥା ଛଳନରେ କେବଳ କହିଥିଲା ହଉରେ ବୀର ପୁରୁଷ ଦେଖିବା ତୁମର ପୌରୁଷତ୍ୱ କେତେଦୂର କାର୍ଯ୍ୟକାରୀ ହେଉଛି ।

 

ଆକାଶରେ ଜହ୍ନ ଉଠିଥିଲା ଆଉ କାଳ ବିଳମ୍ୱ ନ କରି ଅଣ୍ଟାରେ କଳସୀ ଧରି ଚମ୍ପା ଗ୍ରାମ୍ୟାଭିମୁଖୀ ହୋଇଥିଲା । ଶୀତଳ ଆଲୋକ ରଶ୍ମୀ ତଳେ ଏହି ରୂପସୀ ପଲ୍ଲୀକନ୍ୟା ମୋ ହୃଦୟରେ ଏକ ପ୍ରକାର ଅଲିଭା ଦାଗ ସୃଷ୍ଟି କରି କ୍ଷଣକ ଭିତରେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା ।

 

ସେ ଦିନ ଚମ୍ପା ଆସିବା ପରେ ଅନେକ ସମୟ ନଈକୂଳେ ଏକୁଟିଆ ବସିଥିଲି । ଚମ୍ପା ଶେଷପଦ କଥା ମୋ ମନକୁ ଟିକେ ଝିଙ୍କି ଆଣିଲା ଭଳି ଅନୁଭବ କରୁଥିଲି । ସେ ଯାହା କହିଲା ପ୍ରକୃତରେ ତା ଅକ୍ଷରେ ଅକ୍ଷରେ ସତ, ମାଛ ଧରିବାକୁ ଇଚ୍ଛା କରି ଖାଲି ହାତରେ ପୋଖରୀ କୂଳେ ବସିଲେ କିଛି ଲାଭ ନାହିଁ । ହାତରେ ବନଚି ଖାଡ଼ି ଧରିବା ନିତାନ୍ତ ଆବଶ୍ୟକ ବୋଲି ଅନୁଭବ କଲି-। ଚମ୍ପାର ଏହି କଥାର ସାରମର୍ମ ମୁଁ ମନେ ମନେ ବୁଝିପାରି ଘରକୁ ଫେରିଥିଲି । ନଈକୂଳରୁ ଶିପୁରା ଗାଁ ଭିତରେ ଯେଉଁ କେତେଖଣ୍ଡି ଧାନବିଲ ଥିଲା ତା ଭିତରେ ଆସିଲାବେଳେ ମୁଁ ଅନୁଭବ କରିଥିଲି ଚମ୍ପା ତାକୁ ପରୋକ୍ଷରେ କହିଗଲା, ମନରେ ଯେଉଁ ଆଶା ବାନ୍ଧି ବସିଛ, ତାକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଚେଷ୍ଟା କରିବା ଦରକାର । ଖାଲ ନଈକୂଳେ ବସି ଦିବାସ୍ୱପ୍ନ ଦେଖିଲେ କିଛି ଲାଭ ନାହିଁ, ଆଶା ଆଶାରେ ହିଁ ମରିଯିବ ।

 

ଏବେବି ସେ ଦିନର କଥାଗୁଡ଼ାକ କିଭଳି ମନ ଭିତରେ ଜୀବନ୍ତ ହୋଇ ଉଠୁଛି, ତାକୁ ଭାବିଲେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି । ବିଭାଘର ଅନେକ ଦିନ ହୋଇଗଲାଣି, ଚମ୍ପା ବୟସରେ ଗଡ଼ି ଗଡ଼ି ଅନେକ ଦୂରକୁ ଚାଲି ଆସିଲାଣି । ସେ ମଧ୍ୟ ବୟସ ଭିତରେ ଏପଟ ସେପଟ ହୋଇ ଚଷମା ପିନ୍ଧିବା ପର୍ଯ୍ୟନ୍ତ ଚାଲି ଆସିଲାଣି, ତଥାପି ଅତୀତ କଥାକୁ ଭାବିଲେ ସେଗୁଡ଼ିକ କିଭଳି ଜୀବନ୍ତ ହୋଇ ଉଠୁଛି, ତାକୁ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି । ସନ୍ଧ୍ୟା ହୋଇ ଆସିଲାଣି, ଅଗଣା ଭିତରେ ଆଉ ସୂର୍ଯ୍ୟକିରଣ ନାହିଁ, ଏହା ଭିତରେ ଚମ୍ପା କେତେବେଳୁ ବିଛଣାରୁ ଉଠି ଢିଅ ସାହିର ଲବଙ୍ଗଅପା ସହିତ ଗପୁଛି । ଗେହ୍ଲି ମା ଗୁଡ଼ିଆଣି ମୁଢ଼ି ଟୋକେଇ ଧରି ଗପ ଶୁଣୁଛି । ତାକୁ ସେମାନଙ୍କ କଥା ଗୁଡ଼ାକ ଅସ୍ପଷ୍ଟ ଶୁଭୁଛି । କୌଣସି କଥା ଛଳରେ ଚମ୍ପା ହସି ଉଠିଲା । ଲବଙ୍ଗଅପା ଖୁବ୍‌ଜୋରରେ ହସି ଉଠିଲେ । ଗେହ୍ଲି ମା ଗୁଡ଼ିଆଣି ହସି ହସି ଗୋଡ଼ ଦିଟାକୁ ଆଗକୁ ଲମ୍ୱାଇ ଦୁଇ ହାତରେ ଗୋଡ଼ ଆଉଁସି ଆଣୁଛି ।

 

ଚମ୍ପା ଆଡ଼କୁ ଚାହିଁ ତାର ପୁନର୍ବାର ମନେ ପଡ଼ିଲା, ଚମ୍ପାକୁ ନିଜ ପାଖକୁ ଆଣିବା ପାଇଁ, ନିଜର ବାଲ୍ୟବନ୍ଧୁ ଗୋପାଳିଆ ମହାନ୍ତି କିପରି ତାକୁ ସାହାଯ୍ୟ କରିଥିଲା, ଚମ୍ପା ନଈକୂଳେ ତାକୁ କହିଥିଲା ଖାଲି ହାତରେ ପୋଖରୀ କୂଳରେ ବସିଲେ ମାଛ ଧରା ପଡ଼େନି, ହାତରେ ବନଚି ଖାଡ଼ି ଦରକାର । ଏହି ସାର ମର୍ମକୁ ମନେ ମନେ ଭାବି ସେଦିନ ଘରକୁ ଫେରି ଦାଣ୍ଡ ପିଣ୍ଡାରେ ମନ ଦୁଃଖରେ ବସିଥିଲା, ଦାଣ୍ଡଟା ଶୁନ୍‌ଶାନ ଥିଲା, କେବଳ ଅଷ୍ଟପ୍ରହରୀ ଚଉଁରା ପାଖରେ ଧୂଷାବୁଢ଼ା ପୋକ ବାପା ସହିତ ବିରି ଅମଳ ବିଷୟରେ କଥାବାର୍ତ୍ତା କରୁଥିଲା । ଏବର୍ଷ କୋଦୁଅ ଖଣ୍ଡି ଜମିରୁ ୪୦ ଗୌଣୀ ବିରି ପାଇଥିଲା ବୋଲି ଧୂଷାବୁଢ଼ା କହୁଥିଲା । କ୍ଷଣକ ପାଇଁ ସେହି ଅସ୍ପଷ୍ଟ ଜହ୍ନ ଆଲୁଅ ଭିତରେ ସେମାନଙ୍କୁ ଚାହିଁଥିଲା ବେଳେ ଗୋପାଳିଆ ମହାନ୍ତି ଆସି ପହଞ୍ଚିଥିଲା ।

 

କିରେ, ତୋର କ’ଣ ଏବେ ଆଉ ଦେଖା ନାହିଁ ? କୁଆଡ଼େ ଯାଇଥିଲୁ କି ? କେଉଁଠି ଯାତ୍ରା ଫାତ୍ରା ହେଉଥିଲା କି ?

 

ଅଧା ବିଡ଼ିଟା ଆଉ ଦି ଚାରିଥର ସୁ–ସା ଟାଣି ଦୂରକୁ ଫୋପାଡ଼ି ଗୋପାଳିଆ କହିଲା, ତୁ ମକ୍ଷିଚୁଷ ଯାତ୍ରା କୋଉଠୁ ପାଇବୁ–ପଇସା ଭଲ ତ ତୁ ଭଲ । ତୋର ଏ କଥା ପଚାରି ଲାଭ କ’ଣ, ଏବେ କୋଳିଅଠାରେ ରାଢ଼ଙ୍ଗ ପାଟି ଯାତ୍ରା କରୁଛି, ତୋତେ ଡାକିଲେ କ’ଣ ତୁ ଯିବୁ ? ଚାରି ରାତି ବାଲିଚନ୍ଦ୍ରପୁରେ ହରିନାଥ ପାଲା କରୁଥିଲା, ସେଠି ରହି ଦେଖୁଥିଲି, କାଲି ସରିଲା, ଆଜି ସକାଳେ ଘରକୁ ଫେରିଲି । ତୁ ତ ମୋ ବାପା କଥା ଜାଣିଛୁ, ତୋତେ ଆଉ ଅଧିକ କ’ଣ କହିବି । ବୁଢ଼ା ମୋତେ ଦେଖିଲେ ଚିଡ଼ି ଚିଡ଼ି ହେଉଛି । ଏଥିପାଇଁ ମୁଁ ଘରେ ବେଶି ସମୟ ରୁହେନି । ବାହାରେ ବାହାରେ ବୁଲୁଛି । ପାଠ ଶାଠ ମୋ ଦ୍ୱାରା ହେଲାନି । ଏଣୁ ବାହାରେ ବାହାରେ ରାତି ପୁହାଉଛି ।

 

ଗାଁର ନିଧି ମହାନ୍ତି ପୁଅ ଗୋପାଳିଆ ମହାନ୍ତି । ନିଧି ମହାନ୍ତିର ଛୋଟକାଟିଆ ତେଜରାତି ଦୋକାନଟିଏ ଥାଏ । ଗୋପାଳିଆ ମହାନ୍ତି ଅଳସୁଆ । କାମକୁ ଛେଳି, ଦିନକୁ କଠାଏ ବିଡ଼ି, ଶହେ ଗୁଡ଼ାଖୁ ତାର ଆବଶ୍ୟକ । ନିଧି ମହାନ୍ତି, ପୁଅର ଏସବୁ ଗୁଣ ଦେଖି ଦୋକାନରେ ବସାଇ ଦିଏନି । ମାର ମାର କରେ । ମା କିନ୍ତୁ ଏକଇରବାଳା ବିଶିକେଶନ ଭାବି ଲୁଚେଇ ଚୋରେଇ ପୁଅକୁ ପଇସାପତ୍ର ଦିଏ । ପୁଅ ପଇସାପତ୍ର ଧରି ବାହାରେ ବାହାରେ ବୁଲେ । ଗୋପାଳିଆ ମହାନ୍ତିର ପ୍ରତି ଗାଁରେ ସୁରୁଜୁ ଘର, କୋଉଠି ଧରମ ଭାଇ ଘର, କୋଉଠି ଧରମ ଭଉଣୀ ଘର, ଆଉ କୋଉଠି ଧରମ ବାପା, ଧରମ ବୋଉ, ପିଇସା, ମଉସା ଇତ୍ୟାଦି ଇତ୍ୟାଦି । ଗୋପାଳିଆ ମହାନ୍ତି ଭଲ ମୃଦଙ୍ଗ ବଜାଇ ଜାଣେ । ଅଳ୍ପ ବହୁତେ କିଛି ଭଜନ, ଚମ୍ପୁ ଗାଇ ଜାଣେ । ଏଣୁ ଆଖ ପାଖ ଗାଁ ଗହଳିରେ ମେଳା କୀର୍ତ୍ତନ ଅଷ୍ଟପ୍ରହରୀ ପ୍ରଭୃତି ହେଲେ ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇ ଭଜନ କୀର୍ତ୍ତନ କରେ ।

 

ତାର ଭଲ ଭାବରେ ମନେ ପଡ଼ୁଛି ସେଦିନ ସେ ଗୋପାଳିଆ କାନ ପାଖରେ ଫିସ୍‌ଫିସ୍‌ କରି କହିଥିଲା, ମୋ ପାଇଁ ଗୋଟିଏ ଭଲ ଟୋକି ଠିକ୍‌ କରିଦେ, ମୁଁ ବାହାହେବି । ତୁ ତ, ମୋ ଘର କଥା ସବୁ ଜାଣିଛୁ । ଭଉଣୀମାନେ ବିଭା ହୋଇ ଯିବା ପରେ ମା ବୁଢ଼ୀ ଓ ମୁଁ କିଭଳି ଅବସ୍ଥାରେ ରହିଛୁ । ମୋର ଅବଶ୍ୟ ଏବେ ବିଭାହେବାକୁ ଇଚ୍ଛା ନାହିଁ, କିନ୍ତୁ ବୁଢ଼ୀ ଏକା ଜିଦ୍‌ ଧରି ବସିଛି ଘରକୁ ବୋହୁଟିଏ ଆଣିବା ପାଇଁ । କ’ଣ ତୁ କହୁଛୁ କହିଲୁ । ତୋର ସବୁ ଗାଁରେ ବନ୍ଧୁ ବାନ୍ଧବ ଅଛନ୍ତି, ଗୋଟାଏ ଭଲ ଟୋକି ଉପରେ ଆଖି ପକା ?

 

ଅଧା ବିଡ଼ିଟାକୁ ଦୂରକୁ ଫୋପାଡ଼ି ଗୋଡ଼ ଉପରେ ଗୋଡ଼ ପକାଇ ଗୋପାଳିଆ ଗୋଟାଏ ଦିର୍ଘ ନିଶ୍ୱାସ ପକାଇ କହିଲା, ଆରେ ଗୋଟାଏ ଭଲ ଟୋକି ପାଇ ତୁ ଏତେ ଚିନ୍ତା କରୁଛୁ କାହିଁକି ? ଯଦି ତୁ ମନ ଖୋଲି କହୁଛୁ ବାହା ହେବାକୁ ଇଚ୍ଛା ହେଲାଣି, କାଲି ସକାଳେ ତୋ ପାଇଁ ପାଞ୍ଚ ପାଞ୍ଚଟା ବୋହୁପିଲା ଠିକ୍‌ କରିଦେବି । ତୁ ଯଦି ଚାରିଦିନ ପୂର୍ବରୁ ଏହି କଥାଟା ମୋତେ କହିଥାନ୍ତୁ, ମୋ ମାମୁଁ ପୁଅ ଭାଇର ଶାଳି ସହିତ ତୋର ବାହାଘର ଠିକ୍‌ କରି ଦେଇଥାନ୍ତି । ଆଚ୍ଛା ଠିକ୍‌ ଅଛି, ସେ ଟୋକିଟା ଅନ୍ୟ ଆଡ଼େ ବିଭା ହୋଇଯାଉ । ସେ ସିନା ସୁନ୍ଦରୀ ଟୋକିଟା; କିନ୍ତୁ ଯଦି ତୁ ତାକୁ ବାହା ହୋଇଥାନ୍ତୁ ତୋତେ ତ ଯାହା ସକାଳେ ସନ୍ଧ୍ୟାରେ ବସ ଉଠୁ କରିଥାନ୍ତା, ତା ଛଡ଼ା ମୋତେ ଏ ଘର ଫାଦା ମଡ଼ାଇ ଦେଇ ନଥାନ୍ତା । ତା ମାମୁଁ ତା ପାଇଁ ଗୋଟାଏ କଟକିଆ ଟୋକା ଠିକ୍‌ କରି ଦେଇଛି । ସେ ରଣଚଣ୍ଡି ସେଠି ବାହାହେବ । ଆଚ୍ଛା ହେଉ କୋଳିଅଠାରେ ଗୋଟାଏ ଟୋକି ଅଛି ସେଠି ପ୍ରସ୍ତାବ ପକାଇବା । ଟୋକିଟା ବେଶ୍‌ ଗୋଲଗାଲ ଅଛି । ମୋ ସଙ୍ଗାତର ଭଉଣୀ, ମୁଁ ତୋ କଥା କହିଲା ମାତ୍ରେ ସଙ୍ଗାତ ଏକାଥରକେ ରାଜି ହୋଇଯିବ । କିନ୍ତୁ ଗୋଟାଏ କଥା ଉପରେ ମୋ ମନଟା କାହିଁକି ଟିକେ ଦବି ଯାଉଛି । ଟୋକିଟା ମୋଟେ ପାଠ ପଢ଼ିନି, ସୁଦୁ ଗଜମୂର୍ଖ କିନ୍ତୁ ଦିନକୁ ଚାରିଥର ଫେସନ ହେଉଛି । ସଙ୍ଗାତ କହୁଥିଲା ତାର ମାସକୁ ବାସନା ତେଲ, ସ୍ନୋ, ପାଉଡ଼ର, ଅଳତାରେ ତିରିଶ ଟଙ୍କା ଖର୍ଚ୍ଚ ହେଉଛି । ବୋପା ତାର କଲିକତାରେ ସର୍ଦ୍ଦାର କାମ କରେ । ଭଲ ଦି ପଇସା ମାସକୁ ପାଏ । ଏ ତାର ଗୋଟାଏ ଝିଅ, ବୋପା ଅତି ଗେହ୍ଲାରେ ବଢ଼ାଇଛି । ଝିଅ ପାଇଁ ମାସକୁ ମାସ ସ୍ନୋ, ପାଉଡ଼ର, ବାସନା ତେଲ ପଠାଉଛି । ଯାନି ଯୌତୁକ ଭଲ ଦେବ । କ’ଣ ରାଜି ।

 

ସେ ଦିନର ଗୋପାଳିଆ କଥା ଶୁଣି ସେ ଖୁବ୍‌ ଜୋରରେ ହସି ହସି କହିଥିଲା, ତୁ ଶଳାଟା ପକା ଓଲୁ । ଆବେ ବାଡ଼ିତଳେ ଏତେ ସୁନ୍ଦରୀ ଟୋକି ଥାଉ ଥାଉ ତୁ କୋଳିଅଠା, ବରଅଠା ଗାଁ କାହିଁକି ବୁଲୁଚୁ । ମୁଁ ତୋତେ ଗୋଟିଏ ପ୍ରସ୍ତାବ ଦେବି, ତୁ ସେଠିକୁ ଯିବୁ ।

 

କ’ଣ କହ, ଗୋପାଳିଆ ପାଖକୁ ଲାଗିଆସି ପଚାରିଥିଲା ।

 

ତୁ ବିଦେଇ ନାଆକ ଝୁଅ ଚମ୍ପାକୁ ଦେଖିଛୁ ? ତା ବିଷୟରେ ବାହାଘର ପକାଉନୁ ।

 

ଆଉ ଖଣ୍ଡେ ବିଡ଼ି ଲଗାଇ ଗୋପାଳିଆ ଖୁବ୍‌ ଖୁସି ହୋଇ କହିଲା, ଆରେ ସତେ ତ, ସେଇଟା ତ ବଢ଼ିଆ ଟୋକିଟା । ବିଦେଇ ନାଆକ ଏ ପ୍ରସ୍ତାବ ଶୁଣିବା ମାତ୍ରକେ ବିଲେଇ ମୂଷା ମାଡ଼ି ବସିଲା ଭଳି ମାଡ଼ି ବସିବ । ସେ ଶଳା ତ ବାହାଘର ଖୋଜୁଛି । ମୋ କାନରେ ଦି ତିନି ଥର ବାଜିଲାଣି । ଦିନେ ନଈକୂଳେ ଭିକା ରାଉତକୁ କହୁଥିଲା । ଆଚ୍ଛା ମୁଁ ଆଜି ଯାଇ ଏ ପ୍ରସ୍ତାବଟା ପକାଉଛି । ସେ ବର୍ତ୍ତମାନ ଘରେ ଥିବ । ମୁଁ ତୋତେ କାଲି କହିବି । ଗୋପାଳିଆ ଆଉ କାଳ ବିଳମ୍ୱ ନ କରି ବିଦେଇ ନାଆକ ଘରକୁ ବାହାରି ପଡ଼ିଥିଲା ।

 

ଅତୀତ ସତରେ ବିସ୍ମିତ । ଚମ୍ପା ସହିତ ତା’ର ବିଭାଘର ପ୍ରସ୍ତାବ ନେଇ ଗୋପାଳିଆ ତାକୁ ବହୁତ ସାହାଯ୍ୟ କରିଥିଲା । ଚମ୍ପା କହିବା ଅନୁଯାଇ ସେ ଗୋପାଳିଆକୁ ବନଶୀ ଖାଡ଼ି ସଦୃଶ ବ୍ୟବହାର କରିଥିଲା ଏବଂ ସେଥିରେ ସେ ମଧ୍ୟ କୃତକାର୍ଯ୍ୟ ହୋଇଥିଲା ।

 

ଅତୀତ କଥା ଭାବି ଭାବି ତାକୁ ନିଦ ହୋଇଯାଇଥିଲା । ସେ ଖଟ ଉପରେ କ୍ଳାନ୍ତପଥ ଯାତ୍ରୀଟି ଭଳି ଶୋଇ ପଡ଼ିଥିଲା ।

 

ସଞ୍ଜ ଦେଇ ଘର ଭିତରକୁ ପଶି ଆସି ଖଟ ଉପରେ ବସି ପଡ଼ିଲା ଚମ୍ପା–କିହୋ, ଆଜି ତ ତୁମର ଭାରି ନିଦ, କ’ଣ ଉଠିବାକୁ ଇଚ୍ଛା ହେଉନି, ହାତରେ ହଲାଇ ଦେଇ ଚମ୍ପା କହିଲା ।

 

ନିଦରୁ ଉଠି ଆଖି ମଳି ମଳି କହିଲା, ଆରେ ଏତେ ସମୟ ହେଲାଣି । ବୁଝିଲ ଚମ୍ପା, ତୁମରି କଥା ଭାବି ଭାବି ଶୋଇପଡ଼ିଛି । ଅତୀତ ଜୀବନରେ ତୁମ ସହିତ ମୋର ଯେଉଁଭଳି ଭାବରେ ସାକ୍ଷାତ ହୋଇଥିଲା ଆଜି କାହିଁକି କେଜାଣି ସେ କଥା ଗୁଡ଼ାକ ମୋର ମନେ ପଡ଼ିଲା । ଖରାବେଳେ ତୁମେ ତଳେ ଶୋଇଥିଲ, ତୁମର ପୂରିଲା ପୂରିଲା ଦେହ, ହସ ହସ ମୁହଁଟିକୁ ଦେଖି ଅତୀତ ଜୀବନର ସ୍ମରଣୀୟ ଘଟଣା ଗୁଡ଼ାକ ଆଖି ଆଗରେ ନାଚି ଉଠିଲା । ତୁମର ଗୋଟିଏ କଥା ଏବେ ବି ମୋର ମନେ ପଡ଼ୁଛି, ଖାଲି ହାତରେ ପୋଖରୀ–କୂଳେ ମାଛକୁ ଆଶା ନେଇ ବସିଲେ ଲାଭ ହୁଏନି । ହାତରେ ବନଶୀ ଖାଡ଼ି ଧରିବା ଦରକାର । ବାସ୍ତବିକ ତୁମେ ବଡ଼ ଚତୁରୀ ଥିଲ । ତୁମ କଥାର ସାରମର୍ମ ବୁଝିପାରି ମୁଁ ଗୋପାଳିଆ ମହାନ୍ତିକୁ ବନଶୀ ଖାଡ଼ି ସଦୃଶ ବ୍ୟବହାର କରିଥିଲି ଏବଂ ସେଥିରେ ତୁମକୁ ଧରିଥିଲି କ’ଣ ସତ ନୁହେଁ ? ମନେ ପକାଇଲ ?

 

ବାପରେ ବାପ, ମୁଁ କ’ଣ କେବେ ବିଶ୍ୱାସ କରିଥିଲି ତୁମେ ଏତେ ଶୀଘ୍ର ମୋ କଥାକୁ ବୁଝିପାରି ଗୋପାଳିଆ ମହାନ୍ତିକୁ ଘରକୁ ପଠାଇବ ବୋଲି ? ସେଦିନ ଗୋପାଳିଆ ମହାନ୍ତି ବାପାଙ୍କୁ କଥାରେ କଥାରେ ଏପରି ହଲାଇ ଦେଇଥିଲା ଯେ ବାପା କେବଳ ମୁଣ୍ଡ ଟୁଙ୍ଗାରିବା ବ୍ୟତୀତ ଆଉ କିଛି କହୁ ନ ଥିଲେ । ସବୁଥିରେ ହୁଁ ନାହିଁର ପ୍ରଶ୍ନ ନାହିଁ–ମୋର ମନେ ଅଛି ଗୋପାଳିଆ ମହାନ୍ତି କହୁଥାଏ–ବାହାଘର ଏତେ ତାରିଖରେ ହେବ । ବାପା କହୁଥାନ୍ତି ହୁଁ । ଯାନିଯୌତୁକ ସବୁ ମୋ ଉପରେ ଛାଡ଼ିଦିଅ ମୁଁ ସବୁ ଠିକ୍‌ କରିଦେବି । ବାପା କହୁଥାନ୍ତି ହୁଁ । ଶେଷକୁ ବାପା କ’ଣ ଭାବିଲେ କେଜାଣି ଗୋପାଳିଆକୁ ବାଡ଼ି ପଟକୁ ଡାକି ନେଇ ଚମ୍ପା ଗଛ ମୂଳେ ଛିଡ଼ା ହୋଇ ଫୁସ୍‌ଫୁସ୍‌ କରି ପଚାରିଲେ, ଆରେ ଗୋପାଳ ତୁ ମୋତେ କୁହୁଡ଼ି ପହଁରାଉନାହୁଁ ତ ? ଆରେ ହାଡ଼ିବନ୍ଧୁ ଚମ୍ପାକୁ ବାହା ହେବା ପାଇଁ କ’ଣ ନିଜେ ରାଜି ଅଛି, ତୋତେ ସେ ନିଜେ ପଠାଇଛି-?

 

ସତରେ ଏବେ ବି ମୋର ମନେ ପଡ଼ୁଛି ଗୋପାଳିଆ କହିଲା ଅଜା, ସେ ଟୋକାକୁ ମୁଁ ଯାହା କହିବି ସେ ମାନିବ । ତା ମା ମୋତେ ପଠାଇଛି–ରାଣ ନିୟମ ଦେଇ କହିଛି ମହାପ୍ରସାଦ ନିର୍ବନ୍ଧ ପୂର୍ବରୁ ଏ ପ୍ରସ୍ତାବ ବିଷୟରେ ଗାଁରେ ଯେପରି କେହି ନ ଜାଣନ୍ତି । କାଳେ ଗାଁ ଲୋକ ଏପଟ ସେପଟ କହି ପ୍ରସ୍ତାବ ଭାଙ୍ଗିଦେବେ । କାହିଁ ବିଦେଇ ନାଆକ ଆଉ କାହିଁ ହାଡ଼ିବନ୍ଧୁ । ଆକାଶ ପାତାଳ ତଫାତ । ହାଡ଼ିବନ୍ଧୁ ଘରେ ବିଦେଇ ନାଆକ ବାପା ଦିଜ ନାଆକ ବହୁଦିନ ତଳେ କୁଆଡ଼େ ଗାଈ ଚରାଉ ଥିଲା । ମାସକୁ ଚାରିଟଙ୍କା ଦରମା ପାଉଥିଲା । ଆଜି ତା’ରି ଘରେ ବନ୍ଧୁ ବନ୍ଧା ହେଉଛି । ଲୋକେ ହସି ହସି କଥାଟାକୁ ଉଡ଼ାଇ ଦେବେ । ଏହିସବୁ କାରଣ ଯୋଗୁ ହାଡ଼ିବନ୍ଧୁର ମା ମୋତେ କଥାଟାକୁ ପ୍ରଘଟ କରିବାକୁ ମନା କରିଛି । ଗୋପାଳିଆ ମହାନ୍ତି ବାପାଙ୍କ କାନ ପାଖରେ କହିଥିଲା ମୁଁ ତୁମକୁ ନିର୍ଭର ପ୍ରତିଶ୍ରୁତି ଦେଉଛି ଏ ବିଭାଘର କେହି ଭାଙ୍ଗି ପାରିବେ ନାହିଁ । ଗୋପାଳିଆ ମହାନ୍ତି କଥାବାର୍ତ୍ତାର ଢଙ୍ଗ ଢାଙ୍ଗରୁ ମୁଁ ଯାହା ଅନୁମାନ କରିଥିଲି ତାହା ଅକ୍ଷରେ ଅକ୍ଷରେ ସତ । ମୁଁ ଭଲ ଭାବରେ ଜାଣିଥିଲି ତୁମେ କରାଣ୍ଡି ଗୁନ୍ଥି ବାଳିଆ ମାରିବା ପାଇଁ ଜିଅଳ ଗୁନ୍ଥିଛ, କ’ଣ ସତ ନୁହେଁ ?

 

କରାଣ୍ଡି ଗୁନ୍ଥି ବାଳିଆ ମାରିନେବାର ସୂତ୍ରଟି ତୁମେ ମୋତେ ନଈକୂଳେ ଶିଖାଇଥିଲ, ଯାହା ଫଳରେ ପ୍ରଥମେ ତୁମେ ଶିକାର ହେଲ । ମହାଦେବ ଭଷ୍ମାସୁରକୁ ବର ଦେଇ ଯେଉଁ ବିପଦରେ ପଡ଼ିଥିଲେ ତୁମେ ଠିକ୍‌ ସେହିଭଳି ବିପଦରେ ପଡ଼ିଲ । ଅବଶ୍ୟ ମହାଦେବ ଦେବତା ଥିବାରୁ ରକ୍ଷା ପାଇଲେ; କିନ୍ତୁ ତୁମେ ନାରୀ, ଦେହ ବହନ କରିଥିବାରୁ ଦଣ୍ଡିତ ହେଲ ।

 

ହଉରେ ବାବା, ଆପଣା ହସ୍ତେ ଜିହ୍ୱା ଛେଦି, କେ ଅଛି ତାର ପ୍ରତିବାଦୀ । ବୁଦ୍ଧି ତ ନିଜେ ଶିଖାଇ ଦେଇଛି, ଆଉ କହିବି କାହାକୁ । ଚାଲ ଟିକେ ମହାଦେବ ମନ୍ଦିରକୁ ଯିବା, ଠାକୁର ଦର୍ଶନ କରି ଆସିବା ।

 

ହଉ ଉଠ, ଯିବା...

 

ପାଞ୍ଚ

 

ବାଣପୁରର ମୋହନ ଭାଇ ସେଦିନ ଘରକୁ ଆସିଥାନ୍ତି । ନାନପୁର ଗୋରୁ ହାଟରୁ ବଳଦ ହଳକ ବିକ୍ରି କରି ସାରିବା ପରେ ଘରକୁ ପଶି ଆସିଲେ । ମୋହନ ଭାଇ, ଚମ୍ପାର ପିଇସୀ ପୁଅ ଭାଇ । ବୟସ ତାଙ୍କର ପଇଁଚାଳିଶ ଛୟାଳିଶ ଭିତରେ, କ୍ଷୁଦ୍ରକାୟ, ଗୌରବର୍ଣ୍ଣ ବିଶିଷ୍ଟ ଏହି ମୋହନ ସାମଲ ହାଡ଼ିବନ୍ଧୁ ପରିବାର ଭିତରେ ଅତି ନିବିଡ଼ ଭାବରେ ସଂପୃକ୍ତ । ସୁଖ ଦୁଃଖ ସଂସାର ରୂପକ ଚକ ଭିତରେ ଏ ଏକ ଫଳି ସଦୃଶ । ହାଡ଼ିବନ୍ଧୁ ଅନେକ ସମୟରେ ଏହାଙ୍କ ପରାମର୍ଶକୁ ଅପେକ୍ଷା କରେ । ଏହାଙ୍କ ପରାମର୍ଶରେ ସଂସାର ଭିତରେ ଗତିକରେ । ଖାଲ ଢିପରେ ପଡ଼ିଲାବେଳେ ଏହି ମୋହନ ଭାଇ ଶଗଡ଼ଦଣ୍ଡା ଧରି ବାଟ କାଟିଦେଲା ଭଳି ବାଟ କଢ଼ାଇ ନିଅନ୍ତି-। ଗାଁ ମାଇନର ସ୍କୁଲରେ ବର୍ତ୍ତମାନ ଏ ପ୍ରଧାନ ଶିକ୍ଷକ । ଗାଁର ମୁରବି, ଜମି ଦଶ ପନ୍ଦର ମାଣ ଅଛି-। ଅଭାବ ଅସୁବିଧା ବେଶି ପଡ଼େନି । ବଡ଼ ମେଳାପି, ପ୍ରତିଦିନ ଘରେ ଦୁଇ ଚାରିଜଣ କୁଣିଆ ଆସି ଜୁଟନ୍ତି, ଖାଆନ୍ତି ପିଅନ୍ତି ଖୁସି ଗପ କରି ଫେରନ୍ତି । ବଡ଼ ମାଛ ମାଂସ ପ୍ରିୟ ଏ ମୋହନଭାଇ । ଘର ପଛପଟ ଜମିରେ ଏବେ ପୋଖରୀଟି ଖୋଳି ମାଛ ଚାଷ କରିଛନ୍ତି । କୁଣିଆ ମଇତ୍ର ଘରେ ପହଞ୍ଚିଲେ ବଜାରରୁ ମାଛ କିଣିବାକୁ ପଡ଼େନାହିଁ ।

 

ଖଟ ଉପରେ ମୋହନ ଭାଇ ବସିଥାନ୍ତି । ତାଙ୍କ ଡାହାଣ କଡ଼କୁ ହାଡ଼ିବନ୍ଧୁ ବସି ବିଞ୍ଚଣା ବୁଲାଉ ଥାଏ । ତଳେ ଚମ୍ପା ବସି ପାନ ଭାଙ୍ଗୁଥାଏ । ମୋହନ ଭାଇଙ୍କ ହାତକୁ ପାନ ବଢ଼ାଇ ଦେଇ ଚମ୍ପା ପଚାରିଲା, ଭାଉଜ କଣ କରୁଥିଲେ ? ପିଲାମାନେ ସବୁ ଭଲ ଅଛନ୍ତି ତ ?

 

ପାନ ଖଣ୍ଡକ ପାଟି ଭିତରକୁ ନେଇ ମୋହନ ଭାଇ ହସି ହସି କହିଲେ, ତୋ ଭାଉଜ କଥା ମୋତେ ପଚାରିବୁ ନାହିଁ । ତାକୁ ବର୍ତ୍ତମାନ ପଇସା ନିଶା ଘାରିଛି । ସେ ଭାବୁଛି ସବୁଦିନେ ତା ଘରକୁ କିପରି ହଜାର ହଜାର ଟଙ୍କାର ନୋଟବିଡ଼ା ଆସନ୍ତା କି ? ସେ କୋଠା ଉପରେ କୋଠା ପିଟନ୍ତା । ଆମ ଲୋଚନ ଏବେ ଦୋମହଲା ଘରଟା ତିଆରି କରିଛି, ତାକୁ ଦେଖି ୟା ମନ ସମ୍ଭାଳି ହେଉଛି କେଉଁଠି ? ମୁଁ ସିନା ଲୋଚନକୁ ପାଠ ପଢ଼ାଇ ଓଭରସିଅର କରାଇଲି । ସେ ଓଭରସିଅର ହେବା ପରେ ମୋଠାରୁ ଭିନ୍ନେ ହୋଇଗଲା । ଉପରି ପଇସା ରାତିକେ ହାତିଏ ଆଣିଲା । ଦରମାରେ ହାତ ବାଜିଲା ନାହିଁ । ସେ କୋଠା କରିବ ନାହିଁ ତ ଆଉ କୋଠା କରିବ କିଏ ? ତୁ ନା ମୁଁ ? ଆମର ଏଇ ଚାଳଘର ଭଲ । କ’ଣ ମୁଁ ଭୁଲ କହୁଛି ?

 

ଲୋଚନ ଭାଇ ବର୍ତ୍ତମାନ କେଉଁଠି ? ଚମ୍ପା ପଚାରିଲା ।

 

ଏବେ କୋରାପୁଟରେ ଅଛି । ତା ସ୍ତ୍ରୀ ଘରେ ଅଛି, ଘର ତିଆରି କରୁଛି । ଛାତ ପିଟା ସରିଲାଣି । ପଲସ୍ତରା ହେଉଛି । ସେ ଘର ସରିଲା ବେଳକୁ ଷାଠିଏ ସତୁରୀ ହଜାର ଟଙ୍କା ଖର୍ଚ୍ଚ ସରିଥିବ ।

 

କ’ଣ ? ସେ ଘରେ ଏତେ ଟଙ୍କା ଖର୍ଚ୍ଚ ହେଉଛି ? ହାଡ଼ିବନ୍ଧୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା-

 

ହଁ–ତିନିଟା ବଡ଼ ବଡ଼ ଶୋଇବା ଘର । ଗୋଟିଏ ବୈଠକ ଖାନା, ରୋଷେଇ ଘର, ଷ୍ଟୋର ଘର, ସେପ୍‌ଟିକ୍‌ ପାଇଖାନା, ସବୁ ଏକା ଥରକେ ତିଆରି କରି ଦେଇଛି । ଅସୁବିଧା ହେବନାହିଁ, ପଇସାର ଅଭାବ ନାହିଁ, କାମ କାହିଁକି ବାକି ରଖିବ । ଏ ଘର ଖଣ୍ଡକ ତିଆରି ହେବା ଦିନଠୁ ଆମ ସାନବୋହୁ ଆଉ ଲୋକ ମାନୁନି । ସେ ଭାବୁଛି ସେ ଜଣେ କୋଟିପତି ।

 

ପଇସା ପ୍ରଚୁର ମିଳିଲା–ଆଖି ଖୋଲିଗଲା–ଅଭାବ କିଛି ପଡ଼ିଲା ନାହିଁ । ଚନ୍ଦ୍ର, ସୂର୍ଯ୍ୟ, ଇନ୍ଦ୍ର, ବରୁଣ ସବୁ ଏକାଠି ହୋଇଗଲେ, ଆଉ କାହାକୁ ମାନିବା କ’ଣ ଦରକାର ଚମ୍ପା କହିଲା–

 

ହଁ ଯାହା କହିଲୁ ତା ଠିକ୍‌, ଆମମାନଙ୍କ ଛାଇ ଦେଖିଲେ ସାନବୋହୁର ନାହି ଡିଏଁ । ଆମକୁ ଦେଖେଇ ଶିଖେଇ କେତେ କଥା କହେ । ତୋ ଭାଉଜ ଏସବୁ ସହି ପାରେନି ।

 

ମୋ ଆଗରେ କୁହ, ମୁଁ ଚୁପ୍‌ ରହେ । କ’ଣ ବା ତାକୁ କହିବି–ହାତରେ ଯାହାକୁ ଗଢ଼ିଛି ତାକୁ କେବେ କ’ଣ ଭାଙ୍ଗି ପାରିବି । ଲୋଚନ କିପରି ମଣିଷ ହେଲା, ଲୋକ କ’ଣ ଜାଣି ନାହାନ୍ତି ? ଲୋକ ତାକୁ ଏବେ କ’ଣ କହୁ ନାହାନ୍ତି । କିନ୍ତୁ କ’ଣ ହେବ, ପଇସା ମୁହଁରେ ଲାଗିଛି–ସବୁ ତାକୁ ଅନ୍ଧାର ଦେଖା ଯାଉଛି । କାହାକୁ ମାନୁନାହିଁ, ଛାଡ଼ ତା କଥା । ପିତଳ ପିତଳ ହୋଇ ରହିବ, ସୁନା ସୁନା ହୋଇ ରହିବ । ଆଉ ସବୁ ତୋର ଭଲ ତ । କଟକ ଯାଇଥିଲୁ, ଔଷଧ ପତ୍ର ଖାଉଛୁ ତା ଦ୍ୱାରା କିଛି ଉପକାର ପାଉଛୁ, ମୋହନ ଭାଇ ପଚାରିଲେ ।

 

ଔଷଧ ଖାଉଛି, ବର୍ଷେ ଖାଇବାକୁ ପଡ଼ିବ । ଯାହା ଭଗବାନ ବିଚାର କରିବେ, ମୁଁ ତାଙ୍କରି ଉପରେ ସବୁ ଛାଡ଼ି ଦେଇଛି । ତୁମେ ବସ ମୁଁ ଯାଇ ଜଳଖିଆ ଆଣେ ।

 

କିଛି ଦରକାର ନାହିଁ, ମୁଁ ହାଟରୁ ଜଳଖିଆ ଖାଇ ଆସିଛି–ଯଦି କହୁଛୁ ଚା ଦି କପ୍‌ ଦୁଇ ଜଣଙ୍କ ପାଇଁ ଆଣ ।

 

ଆଉ ସବୁ ତୋର ଭଲ ତ ? ଫସଲ କିପରି ହୋଇଛି, ମୋହନ ପଚାରିଲେ–

 

ହଁ ସେମିତି, ଗୋରୁ ଗାଈ ଗୁଡ଼ାକ ଖାଇ ଯାଉଛନ୍ତି । କେହି ଆକଟ କରୁ ନାହାନ୍ତି । ହାଡ଼ିବନ୍ଧୁ କହିଲା ।

 

ଯୁଗ ଖରାପ ହୋଇଗଲା, କେହି କାହାରିକୁ ମାନୁ ନାହାନ୍ତି । ମୋହନ କହିଲା ।

 

ଚାଆ ନିଅ ଭାଇ, ମୋହନ ହାତକୁ ଗୋଟିଏ କପ୍‌ ବଢ଼ାଇ ଦେଲା ପରେ ଅନ୍ୟ କପ୍‌ଟି ହାଡ଼ିବନ୍ଧୁ ହାତକୁ ବଢ଼ାଇ ଦେଇ ଚମ୍ପା ଗୋଟିଏ ପିଢ଼ା ଉପରେ ତଳେ ବସିଲା । ଅରୁଣା କ’ଣ ଏବର୍ଷ କଲେଜରେ ପଢ଼ିବ ? ଚମ୍ପା ମୋହନ ଭାଇକୁ ପଚାରିଲା ।

 

ନ ପଢ଼ାଇ ଉପାୟ କ’ଣ, କୌଣସି ମତେ ବି.ଏ. ପର୍ଯ୍ୟନ୍ତ ପଢ଼ାଇ ବାହା କରିଦେବି । ତାକୁ ତ ବର୍ତ୍ତମାନ ଷୋଳ ବର୍ଷ, ଏତେ ଶୀଘ୍ର ବାହା କରାଇବାକୁ ମୋର ଇଚ୍ଛା ହେଉନି । ତା ମା ମନା କରୁଛି ।

 

ହଁ, ଗୋଟିଏ ବୋଲି ତ ଝିଅ, ଖୁବ୍‌ ଗେହ୍ଲାରେ ବଢ଼ାଇଛ । ପାଖରୁ ଛାଡ଼ିବାକୁ ମୋଟା ଇଚ୍ଛା ହେଉ ନଥିବ । ଗୋଟିଏ ଭଲ ପାତ୍ର ଦେଖି, ହାତକୁ ଦି ହାତ କରିଦେବ । ତା ପାଇଁ ସବୁ ଜିନିଷ ପତ୍ର ଆଣି ଠିକ୍‌ କଲଣି ନା ? ଚମ୍ପା ପଚାରିଲା ।

 

ଧୁତ୍‌.... ଆଉରି ହାତରେ ଚାରିବର୍ଷ ଅଛି । ଏତେ ଆଗରୁ ଛାନିଆ ହେଲେ କିଛି ଲାଭ ନାହିଁ । ତେବେ ତା ମା ଆଗରୁ ସତର୍କ ହୋଇ ଗଲାଣି । କେତେ କଂସା ବାସନ ବଦଳା ବଦଳି କରି କିଣି ସାରିଲାଣି । ଏବେ ବଣିଆ ପାଖରୁ ଆଠପଟ କାଚ ତିଆରି କରି ଦେଇଛି । ଆଉ କ’ଣ ଗୋଟା ଦିଟା ଜିନିଷ ବରାଦ ଦେଇଛି । ଯାହା ସେ କରିବ କରୁ ମୁଁ ଶେଷକୁ ଅବଶିଷ୍ଟ ଜିନିଷ କରିବି-। ଯାହା ଭଗବାନଙ୍କ ବରାଦ ଥିବ ତାହା ହେବ । ଗୋଟିଏ ଝିଅ କୌଣସିମତେ ଭଲରେ ଉଠିଗଲେ ହେଲା । ମୋହନ କହିଲେ ।

 

ହଁ, ତାହା ନୁହେଁ ଆଉ କଣ । ଉଠାଇଲା ଲୋକ ଉଠାଇ ଦେବ, ଆମେ କେବଳ ବାଆକୁ ବତା । କର୍ତ୍ତବ୍ୟ କରିଯିବା, ଯାହା ଫଳ ମିଳିବ । ହାଡ଼ିବନ୍ଧୁ କହିଲା ।

 

ନିରଞ୍ଜନ, ଚିତ୍ତରଞ୍ଜନ କିପରି ଅଛନ୍ତି–ଚମ୍ପା ପଚାରିଲା ।

 

ନିରଞ୍ଜନ କଟକ ଇଂଜିନିୟରିଂ ସ୍କୁଲ ହଷ୍ଟେଲରେ ଅଛି । ଏବର୍ଷ ତାର ଫାଇନାଲ ଇଅର-। ଭଲ ପଢ଼ୁଛି, ପାଶ୍‌ କରିଯିବ । ଇଲେକ୍‌ଟ୍ରିକାଲ୍‌ ଚାକିରୀ ବହୁତ ଅଛି । ତା ପାଇଁ କିଛି ଅସୁବିଧା ନାହିଁ । ମୁଁ ବେଶି ବ୍ୟସ୍ତ ଚିତ୍ତପାଇଁ, ବଗୁଲିଆଟା, ବହୁତ ଖର୍ଚ୍ଚ କରୁଛି । ସିନେମା ଦେଖିବା, ପୋଷାକ ପିନ୍ଧିବାରେ ତାର ଅତି ଖର୍ଚ୍ଚ । ମାର ସେ ତ ଗେହ୍ଲା ପୁଅ । ନୁଚେଇ ନୁଚେଇ ପଇସା ଦେଇ ତା ମୁହଁ ବଢ଼ାଇ ଦେଇଛି, ସେ ମୋତେ ମାନୁଛି କେଉଁଠି ? ଏବେ ଚିଠି ଲେଖିଥିଲା, ଦେଢ଼ଶହ ଟଙ୍କା ପଠାଇବାକୁ ଦାର୍ଜିଲିଂ ଯିବା ପାଇଁ । କଟକ ଯାଇ ଦେଇ ଆସିଛି–ନିରଞ୍ଜନ ଏବେ ଘରକୁ ଆସିଛି, ଦି ଦିନ ରହି ଯିବ, ସେ ତ ଅତି ଶାନ୍ତ, ତୁ ତା ଗୁଣ ଜାଣିଥିବୁ । ମାଛିକୁ ମ କହିବ ନାହିଁ । ଯାହା ଦେବ ତା ଖାଇବ । ଅଳି ଅଝଟ ନାହିଁ, କି ବଦ ଖର୍ଚ୍ଚ ନାହିଁ । ଏଇଥିପାଇଁ ଗାଁବାଲା କହନ୍ତି, ମୋହନର ବଡ଼ ପୁଅ ନିରଞ୍ଜନ ଖୁବ୍‌ ଭଲ ପିଲାଟା । ବାପ ମାଙ୍କ ନାଁ ରଖିବ । ମୁଁ ସବୁ ଭଗବାନଙ୍କ ହାତରେ ଛାଡ଼ି ଦେଇଛି । ସେ ଯାହା କରିବେ ।

Unknown

 

ଭାଇ, ତୁମେ କିଛି ନ ଖାଇ ଏମିତି ଗପିଲେ ଆମକୁ ଭଲ ଲାଗିବ ନାହିଁ । କିଛି ଜଳଖିଆ ଖାଇଦିଅ । ହାଡ଼ିବନ୍ଧୁ କହିଲା ।

 

ତୁ ପାଗଳ ହେଲୁ ହାଡ଼ିବନ୍ଧୁ, ମୋ ପେଟରେ ଆଉ ଜାଗା ଅଛି ? ମୂଳବସନ୍ତ ଗାଁର ମୁରଲୀକୁ ତୁ ଚିହ୍ନିଥିବୁ । ମୋର ସେ ଶଶୁରଘର ଆଡ଼ୁ ମାଉସୀ ପୁଅ ଭାଇ ହେବ । ଏବେ ସେ ଗୋଟାଏ ଖାବାର ଦୋକାନ ନାନପୁର ହାଟରେ କରିଛି । ମୋତେ ଦେଖିଲାକ୍ଷଣି ଦୋକାନକୁ ଭିଡ଼ିନେଲା । ଜବର ଦସ୍ତ ଖୋଇଲା, ଉପାୟ ନାହିଁ । ବଡ଼ ଭଲ ଲୋକଟି । ଭାରି ମେଳାପି । ଯାହା ସିଏ ତା ଦୋକାନ ବିଷୟରେ କହିଲା କିଛି ଭଲ ନୁହେଁ । ଯାହା କେବଳ ହାଟ ପାଳି ଦିନ ବିକ୍ରି ହେଉଛି, ନଚେତ୍‌ ଅନ୍ୟଦିନେ ସେମିତି କିଛି ନୁହେଁ । ଚଣ୍ଡାଳଟା କଲିକତାରେ ଗୋଟିଏ ବଡ଼ ଚଟକଳରେ କାମ କରୁଥିଲା । ସୁରୁଖୁରୁରେ ଚଳି ଯାଉଥିଲା, କିନ୍ତୁ କ’ଣ ହେଲା କେଜାଣି ମାଇପ ବୁଦ୍ଧିରେ ପଡ଼ି ଚାକିରି ଛାଡ଼ି ଆସି ଶଳା ସହିତ ଠିକାଦାରୀ କାମ କଲା, ତା ଶଳାକୁ ତୁ ଚିହ୍ନି ଥିବୁ । ଆମର ଉତ୍ତର ସାହି ଉଦଣ୍ଡା ମହାପାତ୍ର । କାଳିଆ ହୋଇ ମୋଟାଟା, ସବୁବେଳେ ମଥାରେ ଲମ୍ୱା ତିଳକ ଲଗାଇଥାଏ, କାନ୍ଧରେ ନାଲି ଗାମୁଛା ଖଣ୍ଡେ ପକାଇଥାଏ । ବଡ଼ ଟାଉଟରଟା । ଭୋଟ ସମୟରେ ଭଲ ଦି ପଇସା ରୋଜଗାର କରେ । ଚଉଦିଗ ବୁଲେ । ଲୋକଟାର ବହୁତ ଚିହ୍ନା ପରିଚୟ ଅଛି । ଭୋଟ ସମୟରେ ବଡ଼ବଡ଼ ନେତାମାନଙ୍କ ସହିତ ମିଶୁଥିବାରୁ ସେ ଭାବେ ଓଡ଼ିଶାର ରାଜନୀତିଟା ତା ହାତ ମୁଠାରେ ଥାଏ । ଲମ୍ୱା ଲମ୍ୱା କଥା କହି ସମସ୍ତଙ୍କୁ ଭୂଆଁ ବୁଲେଇ ଦିଏ । ଯିଏ ଯେତେବେଳେ ତା ହାବୁଡ଼ରେ ପଡ଼ିଛନ୍ତି, ଦଶପନ୍ଦର ହଜାର ଟଙ୍କା ହାତରୁ ଦେଇ ଖସିଛନ୍ତି । ଅଣକାର ଦଇତାରୀ ବ୍ରାହ୍ମଣ ପୁଅ ସହିତ ଝୋଟ ବେପାର କରି ତା ଠାରୁ କୋଡ଼ିଏ ହଜାର ଟଙ୍କା ଖାଇଗଲା । ସେ ବ୍ରାହ୍ମଣ ବିଚରା ବାଲିଚନ୍ଦ୍ରପୁର ହାଟରେ ଅଭିଶାପ ଦେଇ ଗାଳି ଦେଉଛି । ଉଦଣ୍ଡା ତାକୁ କି ଧରାଛୁଆଁ ଦେଉଛି । ସେ ତ ଗୋଟାଏ ଗୁଣ୍ଡା, ୟା କଥା ଶୁଣୁଛି କେଉଁଠୁ-? ଥରେ ଦିଥର ଟଙ୍କା ମାଗିଲାବେଳେ ଦି ଧକା ଦେଇ ତଡ଼ି ଦେଇଥିଲା । ବିଚରା ବ୍ରାହ୍ମଣ କାନ୍ଦି କାନ୍ଦି ଗାଁକୁ ଫେରିଥିଲା । ଏବେ ମାଡ଼ଭୟରେ ପାଖକୁ ନଯାଇ ଗାଳି ଦେଉଛି । ଉଦଣ୍ଡା ଏ କାନରେ ପୂରେଇ ସେ କାନରେ ବାହାର କରି ଦେଉଛି । ଏହା ଛଡ଼ା ମାଣିତିରିର ଜଳଧର ସାମଲ ପୁଅ ପହଲି ସାମଲ ସହିତ ଚୋରା ଗଞ୍ଜେଇ ବେପାର କରି ତା ଠାରୁ ଦଶହଜାର ଟଙ୍କା ପକାଇ ତାକୁ ଜେଲ ଭିତରେ ପୂରାଇ ଦେଇ ଏ ବାହାରେ ବାହାରେ ବୁଲୁଛି । ପହଲି ଜେଲ ଭିତରେ ରହି ସଢ଼ୁଛି । ଆଉ କିଏ କହୁଥିଲା ରୁକୁଟି ପାଟ ନକୁଳ ପଧାନକୁ ଗୋଟାଏ ତେଲକଳ କିଣି ଦେବା ପାଇଁ ତା ଠାରୁ ଅଢ଼େଇ ହଜାର ଟଙ୍କା ଆଣି ତାକୁ କଳ କିଣେଇ ଦେଉନି କି ଟଙ୍କା ଫେରାଉ ନାହିଁ-। ସେ ପଧାନପୁଅ ବିଚରା ମାଡ଼ ଭୟରେ ଚୁପ୍‌ରହୁଛି । ବେଳେ ବେଳେ କେମିତି ମାଗିଯାଚି ପାଞ୍ଚ ଦଶ ଆଣି ପାଞ୍ଚଶହ ଟଙ୍କା ପାଇଲାଣି । ଏ ପାଞ୍ଚ ଦଶ ଟଙ୍କା ଭିତରେ ମଧ୍ୟ ଚାରି ପାଞ୍ଚଥର ଗାଳି ଶୁଣି କାନମୁଣ୍ଡା ଆଉଁସି ନୀରବ ରହିଛି । ଉପାୟ କ’ଣ ! ସାରୁ ବେପାରି ପୁଅ ତେଲକଳ ଯେତେବେଳେ ପକାଇବାକୁ ଇଚ୍ଛାକରି ଉଦଣ୍ଡା ହାତକୁ ଟଙ୍କା ବଢ଼ାଇ ଦେଇଥିଲା ଦିପଇସା ଶସ୍ତାରେ କଳଟା ପାଇବା ପାଇଁ, ସେତେବେଳେ ଗାଁର କେତେକ ଲୋକଙ୍କ କାନକୁହା କଥା ତା କାନରେ ପଡ଼ିଥିଲା । ସେମାନେ କହୁଥିଲେ ଶଳା କୃପଣ ଆଜି ଠିକ୍‌ ଘାଟରେ ପାଣି ପିଇଛି । ଶଳା ଏକ ସଲାମ ନ ଦେଇ ଶହେ ସଲାମ ଦେଉଛି । ଗାଁ ହାନି ଲାଭକୁ ପଇସାଟିଏ ଦେବନାହିଁ, ଏବେ ଠିକ୍‌ ବୁଦ୍ଧି ଶିଖିଛି ।

 

ମୁରଲୀ ଶଳାର ଏ ସବୁ ଦୁର୍ଗମ ଶୁଣି କିପରି ମାଇପ ବୁଦ୍ଧିରେ ପଡ଼ି ଚାକିରି ଛାଡ଼ି ଚାଲି ଆସିଲା ମୁଁ ଆଶ୍ଚର୍ଯ୍ୟ ହେଉଛି । ମୁଁ ତାକୁ ପଚାରିଥିଲି, ବିଚରା ଭାଗ୍ୟର ଦୋଷ ଦେଇ ଚୁପ୍‌ ରହିଲା-। ଚାକିରୀ କରିବା ସମୟର ସଞ୍ଚିତ ଦଶହଜାର ଟଙ୍କା ସହିତ ମାଇପ ଗହଣା ପାଞ୍ଚ ହଜାର ଟଙ୍କା ବିକି ମୋଟ ପନ୍ଦର ହଜାର ଟଙ୍କା ଶଳା ଉଦଣ୍ଡା ହାତକୁ ବଢ଼ାଇ ଦେଲା । ଉଦଣ୍ଡା ଏକକାଳୀନ ପନ୍ଦର ହଜାର ଟଙ୍କା ପାଇ ବ୍ଳକ ତରଫରୁ ବି. ଡି. ଓ. କୁ ଧମକା ଧମକି କରି ଚାଳିଶ ପଚାଶ ହଜାର ଟଙ୍କା କାମ କରି ପ୍ରଥମବର୍ଷ ପାଞ୍ଚହଜାର ଟଙ୍କା ଲାଭ କଲା । କିନ୍ତୁ ତା ପରବର୍ଷ ସରପଞ୍ଚ ଇଲେକ୍‌ସନ ଯେମିତି ଚାଲିଆସିଲା, ସେଥିରେ ମୂଳବସନ୍ତ ସରପଞ୍ଚ ପ୍ରାର୍ଥୀ ପାଇଁ ଛିଡ଼ା ହୋଇ ଧୁମ୍‌ଧାମ୍‌ରେ ଟଙ୍କା ପଇସା ଖର୍ଚ୍ଚକରି ମାତ୍ର ପାଞ୍ଚଖଣ୍ଡ ଭୋଟରେ ପୁରୁଷୋତ୍ତମ କର ଠାରୁ ହାରିଗଲା । ତା ପରେ ସବୁ ଠିକାଦାରୀ କାମ ବନ୍ଦ । ଶଳା ଭିଣୋଇ ସହିତ ଲାଗିଲା ଯୁଦ୍ଧ । ଏକପକ୍ଷେ ଶଳା ଓ ଅପରପକ୍ଷେ ସ୍ୱପତ୍ନୀ ଥିବାଯୋଗୁ ସବୁ ଥମ୍‌ଥାମ୍‌ ରହିଗଲା । ଭିଣୋଇ କଲେ ଖାବାର ଦୋକାନ । ଶଳା ହାଟରେ ହେଲେ ପ୍ରଥମ ଶ୍ରେଣୀ ଗୁଣ୍ଡା–ଭୀଷଣ ଗଣ୍ଡଗୋଳ ସତ୍ୱେ ମୁରଲୀ କହୁଥିଲା ଦିନେ ଦିନେ ଚାରି ପାଞ୍ଚ ଜଣଙ୍କୁ ଡାକି ଆଣିବ; ଚା ଜଳଖିଆ ଖାଇ ଚାଲିଯିବ, ପଇସା ଦେବନାହିଁ । ତାକୁ ମାଗିବାକୁ ମଧ୍ୟ କେହି ସାହସ କରନ୍ତି ନାହିଁ । ଆଚ୍ଛା ହେଉ ତୁମେ ସବୁ ଥା, ମୁଁ ଯାଉଛି, ପୁଣି କେବେ ଆସିବି ।

 

ରହୁନା କାଲି ଯିବ । ଏ ଯାନ୍ତୁ ହାଟରୁ ବଡ଼ମାଛ ଆଣିବେ, ଖାଇପିଇ କାଲିସକାଳୁ ଉଠି ଚାଲିଯିବ, ଚମ୍ପା ହସି ହସି କହିଲା ।

 

ଆଉ ସେ ଖାଇବା କଥା ଉଠାନା । ଅନ୍ୟ କେଉଁଦିନ କୁହ ଆସିବି । ଭୁରିଭୋଜନ ପକାଇ ଫେରିବି । ଦେଖିବା କେମିତି ମାଛ ଖାଇବାକୁ ଦେବୁ ।

 

ସେତେବେଳେ ତ ଏମିତି ସେମିତି ତୁମକୁ ଖାଇବାକୁ ଦିଆ ଯିବନି । ଜାଣିବ ତୁମକୁ ଏମିତି ଖାଇବାକୁ ଦିଆଯିବ ଜୀବନରେ କେବେ ଭୁଲି ପାରିବ ନାହିଁ । ସବୁ ଦିନକୁ ମନେ ରଖିଥିବ-। କଣ ବୁଝିଲ.... ସେ ସମୟ ତୁମମାନଙ୍କ ଆଶୀର୍ବାଦ ଉପରେ ନିର୍ଭର କରେ ମୋହନ ଭାଇ ! ଭଗବାନଙ୍କ ପାଖରେ ମୋ ଲାଗି ଟିକିଏ ଗୁହାରି କର ।

 

ଚମ୍ପା କଥା ଶୁଣି ମୋହନ ଭାଇ ହସି ହସି ପିଣ୍ଡାତଳକୁ ଓହ୍ଲାଇ ଆସିଲେ । ସାଇକେଲଟାକୁ ଆଗକୁ ବୁଲାଇ ଆଣିଲେ । ପରିବାପତ୍ର ବ୍ୟାଗଟି ହ୍ୟାଣ୍ଡଲରେ ଝୁଲାଇ ଦେଲେ । ଚମ୍ପା ପୁଞ୍ଜାଏ ନଡ଼ିଆ ଓ କିଛି ବନ୍ତଳ କଦଳୀ ଆଣି ପଛପଟ କ୍ୟାରିଅରରେ ରଖିଲା । ମୋହନ ସମସ୍ତ ଜିନିଷକୁ ସାଇକେଲରେ ବାନ୍ଧି ଆଗକୁ ଚକ ଗଡ଼ାଇଲେ । ହାଡ଼ିବନ୍ଧୁ ମୋହନ ଭାଇଙ୍କୁ ବଳେଇ ଦେବାପାଇଁ ଗାଁ ରାସ୍ତା ପର୍ଯ୍ୟନ୍ତ ଆସିଲା । ବାଟରେ ଆସିଲାବେଳେ ଗାଁରେ କେତୋଟି ଭଲମନ୍ଦ ବିଷୟ ହାଡ଼ିବନ୍ଧୁ ଠାରୁ ବୁଝି ନିଜ ଘରକୁ ଫେରୁ ଫେରୁ ମୋହନ ଭାଇଙ୍କୁ ରାତି ନଅଟା ବାଜି ଯାଇଥିଲା ।

 

ଛଅ

 

ଚମ୍ପାର ପାଠପଢ଼ା ଆରମ୍ଭ ହୋଇଥିଲା ଗାଁ ଚାଟଶାଳୀରେ ଏବଂ ପାଠପଢ଼ା ଶେଷ ହୋଇଥିଲା ସେହି ଗାଁ ଚାଟଶାଳୀରେ । ଗାଁ ଅବଧାନ ଶୁକ ପଣ୍ଡା, ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ତିନୋଟି ବୃତ୍ତ ଆଙ୍କି ଚମ୍ପାକୁ ଖଡ଼ି ଛୁଆଇଁ ଥିଲେ । ଦକ୍ଷିଣା ସ୍ୱରୂପ ବିଦେଇ ନାଆକ ଠାରୁ ଆଠହାତିଆ ଧୋତି ସହିତ ଅଧୁଲୀଟିଏ ପାଇଥିଲେ । ଅବଧାନ ଖୁସି ଥିଲେ । ବିଦେଇ ନାଆକ ମନଖୁସିରେ ପୁରୁଣା ଧାନ ଦଶ ଗୌଣୀ ବିକ୍ରି କରି ଶୁକ ଅବଧାନଙ୍କ ମନ ସନ୍ତୁଷ୍ଟ କରିଥିଲା । ଗୋଟିଏ ଝିଅ ପଢ଼ୁ । ଭାଗବତ, ପୁରାଣ ପଢ଼ି ଶିଖିଲେ ଯଥେଷ୍ଟ । ଅଧିକ ପଢ଼ାଇ ଲାଭ କଣ । ସହଜେ ଝିଅ ଜନମ ହାଣ୍ଡିଶାଳକୁ । ଅଧିକା ପାଠ ପଢ଼ାଇବା ମୂଲ୍ୟହୀନ । ଯାହାହେଉ ବିଦେଇ ନାଆକ ସେଦିନ ବହୁ ଚିନ୍ତାକରି ଝିଅକୁ ସ୍କୁଲକୁ ବହୁତ ବୁଝେଇ ସୁଝେଇ କାଖେଇ କୋଳେଇ ନେଇଥିଲା । ପ୍ରଥମେ ଚମ୍ପା ଶୁକ ଅବଧାନକୁ ଦେଖି ଭୋ କରି କାନ୍ଦି ଉଠିଲା । କାରଣ ସେ ଏହା ଆଗରୁ ବହୁବାର ଶୁକ ଅବଧାନଙ୍କ ଅସଲ ରୂପଟି ଦେଖିଥିଲା । ଶୁକ ଅବଧାନେ କିପରି ପିଲାଙ୍କୁ ଏକ ଗୋଡ଼ିକିଆ ଠିଆ କରାଇ ବେତରେ ପ୍ରହାର କରନ୍ତି । ଶୁକ ଅବଧାନଙ୍କୁ ଖୁବ୍‌ ନିକଟରେ ନିଜ ଆଖି ଆଗରେ ଦେଖି ପୂର୍ବ ଦୃଶ୍ୟଗୁଡ଼ିକ ତା ଆଖି ଆଗରେ ଉଙ୍କି ମାରିଲା । ଭାବିଲା ସେ ଯଦି ଏହିଠାରେ ପାଠପଢ଼େ ତାକୁ ଦିନେ ନା ଦିନେ ଏକଗୋଡ଼ିଆ ଛିଡ଼ା ହେବାକୁ ପଡ଼ିବ ଏବଂ ବେତ ପ୍ରହାର ଖାଇବାକୁ ପଡ଼ିବ-। ଖଡ଼ି ଛୁଇଁବା ପୂର୍ବରୁ ଶୁକ ଅବଧାନେ ତାକୁ ନିଜ କୋଳ ଉପରକୁ ଭିଡ଼ି ନେଇ ମଥାରେ ଚୁମାଟିଏ ଦେଇ କହିଥିଲେ ଭାରି ଭଲ ଝିଅଟି । ଖୁବ୍‌ ଭଲ ପଢ଼ିବ । କିଛି ସମୟ କୋଳରେ ଧରି ନୂଆ ସିଲଟ ଓ ଖଡ଼ି ଧରି ଅଙ୍କିତ ବୃତ୍ତାକାର ଉପରେ ଖଡ଼ି ବୁଲାଇ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଉଚ୍ଚାରଣ କରିବାକୁ କହିଥିଲେ ଓ ନିଜେ ମଧ୍ୟ ଚମ୍ପାର ଖନି ଖନି ଉଚ୍ଚାରଣ ସହିତ ପଦ ମିଳାଇ ଡାକିଥିଲେ ।

 

ସମସ୍ତ ସ୍ରୋତ ଗଡ଼ିଚାଲିଲା । ଚମ୍ପାର ବୟସ ଦିନକୁ ଦିନ ବଢ଼ିବାକୁ ଲାଗିଲା । ଅ, ଆ ପାଠ ଶେଷ କରି ବହି ପଢ଼ିଲା । ଭାଗବତ, ପୁରାଣ କୋକିଳ କଣ୍ଠରେ ବୋଲି ରାଉତ ସାହିଠାରୁ ମହାନ୍ତି ସାହି ପର୍ଯ୍ୟନ୍ତ ଚମ୍ପା କଣ୍ଠର ପ୍ରଶଂସା ବୋହିଲା । ବିଦେଇ ନାଆକ ଝିଅ ଚମ୍ପା କେଡ଼େ ସୁନ୍ଦର କଣ୍ଠରେ ପୁରାଣ, ଭାଗବତ ବୋଲି ପାରୁଛି ସତେ ? ଗାଁ ମାଇପଙ୍କ ତୁଣ୍ଡରେ ଚମ୍ପାର ପ୍ରଶଂସା ବେଶି । ସରସ୍ୱତୀ ପୂଜାଦିନ ଯେତେବେଳେ ସାହି ସାହି ବୁଲି ଗୀତ ବୋଲିଲା ସେତେବେଳେ ସମସ୍ତେ ଚମ୍ପାର କଣ୍ଠସ୍ୱର ଶୁଣି ଭୂରି ଭୂରି ପ୍ରଶଂସା କଲେ । ଏଇ ବିଦେଇ ନାଆକ ଝିଅର ପୁଣି ଏତେ ଗୁଣ ଥିଲା ବୋଲି କେହି ବିଶ୍ୱାସ କରି ପାରିଲେ ନାହିଁ । ଚମ୍ପା ଫୁଲର ପ୍ରଶଂସା ଈଶ୍ୱରଙ୍କ ସୃଷ୍ଟିଭଳି ଯେପରି ଅଦ୍ୱିତୀୟ ବିଦେଇ ନାଆକ ଝିଅ ଚମ୍ପାର କଣ୍ଠସ୍ୱର ମଧ୍ୟ ସେହିଭଳି ।

 

ଚାହୁଁ ଚାହୁଁ ଚାରିଟାବର୍ଷ ବିତିଗଲା । ଚମ୍ପା ତୃତୀୟ ଶ୍ରେଣୀ ପାଶ୍‌ କରିଗଲା । ଗାଁ ସ୍କୁଲରେ ଆଉ ଉପର ଶ୍ରେଣୀ ନାହିଁ । ସରକାରଙ୍କ ଦ୍ୱାରା ପରିଚାଳିତ ଏହା ନିମ୍ନ ପ୍ରାଇମେରୀ ସ୍କୁଲ-। ଉପରେ ଶ୍ରେଣୀରେ ପଢ଼ିବାକୁ ହେଲେ କୁଶୁପରୁ ଗାଁକୁ ଯିବାକୁ ହେବ । ସେଠାରେ ହାଇସ୍କୁଲ ଅଛି । ଶିପୁରା ଗାଁ ଠାରୁ କୁସୁପୁର ଗାଁର ଦୂରତ୍ୱ ମାତ୍ର ଗୋଟିଏ କିଲୋମିଟର । ଦୁଇ ଗାଁ ମଝିରେ ବିରୂପା ନଈ । ଶିପୁରା ଗ୍ରାମବାସୀଙ୍କ ଭଲମନ୍ଦର ସାଥୀ ହେଉଛି କୁସୁପୁର ଗାଁ । ବେପାର ବଣିଜ ଏ ଗାଁରେ ଭଲଭାବରେ ଚାଲେ । ବଡ଼ ବଡ଼ ବେପାର ବଣିଜ ଏ ଗାଁରେ ଭଲ ଭାବରେ ଚାଲେ । ବଡ଼ ବଡ଼ ବେପାରୀ ଏ ଗାଁରେ ଅଛନ୍ତି । ମୋଟା ଆକାରରେ ବେପାର ବଣିଜ ଏ ଗାଁରେ ହୁଏ । ଆଖ ପାଖର ପଚାଶ ଖଣ୍ଡ ଗାଁର ଗ୍ରାମବାସୀ ଏହି ଗାଁ ଉପରେ ନିର୍ଭର କରନ୍ତି । ଏହାଛଡ଼ା ଏଠାରେ ଗୋଟିଏ ବଡ଼ ହାଇସ୍କୁଲ ଥିବାରୁ ଉଚ୍ଚ ଶିକ୍ଷା ପାଇ ଆଖପାଖ ଗାଁରୁ ବହୁ ପିଲା ପଢ଼ିବାକୁ ଆସନ୍ତି ।

 

ଗାଁ ସ୍କୁଲରୁ ନିମ୍ନ ପ୍ରାଇମେରୀ ପାଶ୍‌ କରିବା ପରେ ଚମ୍ପାର ଇଚ୍ଛା ଥିଲା କୁସୁପୁର ଯାଇ ପାଠ ପଢ଼ିବାକୁ । କିନ୍ତୁ ବିଦେଇ ନାଆକ ଏଥିରେ ରାଜି ହେଲାନାହିଁ । ଅବଶ୍ୟ ପ୍ରଥମେ ଏ ପ୍ରସ୍ତାବ ଉପରେ ଚମ୍ପାକୁ ନିରାଶବାଣୀ ଶୁଣାଇ ନ ଥିଲା । ଚମ୍ପାର ପାଠପଢ଼ା ନେଇ ବହୁତ ଚିନ୍ତାକଲା । ଚମ୍ପାର ବୟସରେ ପରିବର୍ତ୍ତନ ଆସିଛି । ଚେହେରାର ରଙ୍ଗ ଦିନକୁ ଦିନ ପୂର୍ଣ୍ଣମୀର ଚାନ୍ଦଭଳି ଗଢ଼ିହୋଇ ଆସୁଛି–ଗ୍ରାମବାସୀ ସମସ୍ତେ ଜାଣି ସାରିଲେଣି ଚମ୍ପା ଚମ୍ପାଭଳି ଝିଅଟିଏ ହେବ । ସ୍ଥିର ଜଳରେ ତରଙ୍ଗ ସୃଷ୍ଟି କରିବା ପାଇଁ ତା ପାଖରେ ବେଶି ସମୟ ଲାଗିବ ନାହିଁ । ବିଦେଇ ନାଆକ ଭାବିଲା, କୁସୁପୁର ଗାଁକୁ ଯିବାକୁ ହେଲେ ନଈପାରି ହେବାକୁ ପଡ଼ିବ । ଏହା ସହିତ ଝଡ଼ବର୍ଷା ଅଛି-। କେତେବେଳେ କଣ ହେବ କିଛି କହି ହେବନି । ଗୋଟିଏ ବୋଲି ଝିଅ । ପାଖରୁ ଟିକିଏ ଅନ୍ତର ହେଲେ ସେ ପାଗଳ ହୋଇଯାଏ । ପାଠ ଅଧିକ ପଢ଼ି ଲାଭ କଣ ? ଚାକିରୀ ତ କରିବ ନାହିଁ । ତା ମନ ପାଇବା ଭଳି ପାଠ ସେ ହାସଲ କରି ସାରିଲାଣି । ଅଧିକ କଅଣ ଦରକାର । ବହୁତ ଭାବିଚିନ୍ତି ଚମ୍ପାକୁ ବୁଝାଇ ସବୁକଥା କହିଲା । ଚମ୍ପା ନିଜ ପିତାଙ୍କ କଥା ଉପରେ ଅଧିକ କିଛି ନ କହି ନୀରବ ରହିଥିଲା । କଣ ବା ସେ ଆଉ କହିଥାନ୍ତା ।

 

ସମୟର ସ୍ରୋତ ତାକୁ ବହୁ ଦୂରକୁ ଟାଣି ଆଣିଛି । ଶିଶୁ କନ୍ୟାରୁ ପରିବର୍ତ୍ତିତ ହୋଇ ଗ୍ରାମ୍ୟ କୁଳବଧୂଟି ଉପରେ ନିଜକୁ ସଜାଇ ପାରିଛି । ଏହା ଭିତରେ ସେ ଅନେକ ତଫାତ୍‌ ଲକ୍ଷ୍ୟ କରି ପାରୁଛି । ରାଉତ ସାହିରୁ ବାପଘର ତଳ ସାହିକୁ ଆସି ଯେତେବେଳେ ଗାଁ ସ୍କୁଲକୁ ଚାହେଁ, ସିନେମା ଚଳଚ୍ଚିତ୍ର ଭଳି ଗୋଟିଏ ପରେ ଗୋଟିଏ ଅତୀତ ଘଟଣା ମନ ଭିତରେ ଉଙ୍କି ମାରି ଉଠେ-। ସତରେ ଏ ଜୀବନ କେତେ ରୂପରେ ନିଜକୁ ଗଢ଼ି ଆଣି ପାରୁଛି ।

 

ସେଦିନ ଗାଁ ଲାଇବ୍ରେରୀରୁ ବହି ଖଣ୍ଡେ ଆଣି ଦାଣ୍ଡ ପିଣ୍ଡାରେ ବସି ପଢ଼ୁଥିଲା । ଏହି ସମୟରେ ଗାଁ ସ୍କୁଲର ନାରଣ ମାଷ୍ଟ୍ରଙ୍କ ସହିତ କେତୋଟି ଭଦ୍ରମହିଳା ତା ଆଡ଼କୁ ଆସୁଥିବାର ସେ ଦେଖିପାରିଲା । ଅର୍ଦ୍ଧ ଓଢ଼ଣୀକୁ ଆଉ ଟିକେ ସଜାଡ଼ି ନେଲା । ଅସଂଯତ ଲୁଗାକାନିକୁ ଆଉଟିକେ ସଜାଡ଼ି ଦେଲା । ଖଟ ଉପରେ ପଡ଼ିଥିବା ବିଛଣା ଚଦରକୁ ସଙ୍ଗେ ସଙ୍ଗେ ବଦଳାଇ ଦେଇ ସଫା ବିଛଣା ଚଦର ପାରିଦେଲା । ଘର ଚତୁର୍ଦ୍ଦିଗରୁ କ୍ଷଣକ ଭିତରେ ଆଖି ବୁଲାଇ ଆଣିଲା । ସବୁ ଠିକ ଅଛି । କାନ୍ଥରେ ଟଙ୍ଗା ହୋଇଥିବା ତା’ର ଓ ତା’ ସ୍ୱାମୀ ହାଡ଼ିବନ୍ଧୁର ଫଟୋଟି ବେଶ୍‌ ଚମତ୍କାର ଦେଖାଯାଉଛି । ତା ଶାଶୁ ଶଶୁରଙ୍କ ଫଟୋ ଉପରେ ଟିକେ ଅଳନ୍ଦୀ ଲାଗିଥିବାରୁ କନାରେ ପୋଛି ଦେଲା । କିଛି ସମୟ ପରେ ନାରଣ ମାଷ୍ଟ୍ରଙ୍କ ସହିତ ଉକ୍ତ ଭଦ୍ରମହିଳାମାନେ ଆସି ଦାଣ୍ଡ ପିଣ୍ଡାରେ ପହଞ୍ଚିଲେ । ନାରଣ ମାଷ୍ଟ୍ର ଘର ଭିତରକୁ ପଶିଆସି ଦେଖିଲେ ଚମ୍ପା ଖଟ ଉପରେ ବସିଛି । ନାରଣ ମାଷ୍ଟ୍ରଙ୍କୁ ଦେଖି ଚମ୍ପା ଖଟ ଉପରୁ ଉଠି ପାଦ ଛୁଇଁ ନମସ୍କାର କଲା । ନାରଣ ମାଷ୍ଟ୍ର ଦୁଇ ବାହୁକୁ ଧରି ତାକୁ ଉଠାଇ କହିଲେ–ତୋ ପାଖକୁ ମୁଁ ଗୋଟିଏ ଜରୁରୀ କାମରେ ଆସିଛି । ତୁ ମୋତେ ନିଶ୍ଚୟ ସାହାଯ୍ୟ କରିବୁ । ଏହି ସମୟରେ ଭଦ୍ରମହିଳାମାନେ ଘର ଭିତରକୁ ପଶିଆସି ସାରିଥିଲେ-। ନାରଣ ମାଷ୍ଟ୍ର ସେମାନଙ୍କ ସହିତ ଚମ୍ପାକୁ ପରିଚୟ କରାଇ ଦେଇ କହିଲେ, ମୁଁ ଯେଉଁ ଛାତ୍ରୀଟି ବିଷୟରେ ଆପଣଙ୍କୁ ସ୍କୁଲରେ କହୁଥିଲି ସେ ହେଉଛି ଏହି ଚମ୍ପା । ଏହାର ପରିଚୟ ଆଉ ଅଧିକ ମୋତେ ଦେବାକୁ ପଡ଼ିବ ନାହିଁ । କେବଳ ଆପଣମାନଙ୍କ ପରିଚୟ ମୋତେ ଚମ୍ପାକୁ ଦେବାକୁ ପଡ଼ିବ । ଏହାପରେ ଆପଣମାନେ ଚମ୍ପା ସହିତ କାର୍ଯ୍ୟକ୍ରମ ସ୍ଥିର କରିବେ–ପ୍ରଥମେ ଚମ୍ପାକୁ ଡାକ୍ତର ନିଶିପଦ୍ମା ଦାଶଙ୍କ ସହିତ ପରିଚୟ କରାଇ ଦେଇ କହିଲେ–ଚମ୍ପା ଏ ହେଉଛନ୍ତି ଡାକ୍ତର ନିଶିପଦ୍ମା ଦାଶ । ଚମ୍ପା ମୁଣ୍ଡକୁ ନୁଆଁଇ ନମସ୍କାର କଲା । ତା’ପରେ ନାରଣମାଷ୍ଟ୍ର କହିଲେ, ଡାକ୍ତର ନିଶିପଦ୍ମା ଦାଶ ଶିଶୁରୋଗ ବିଶେଷଜ୍ଞ । ଆମେରିକାରୁ ଡାକ୍ତରି ପାଶ୍ କରି ଆସି ସରକାରୀ ଚାକିରିରେ ତିନିବର୍ଷ ରହିଥିଲେ । କିନ୍ତୁ ସ୍ୱାଧୀନଚେତା ମଣିଷ କେବେ ଆବଦ୍ଧ ହୋଇ ରହିପାରେନି-। ଡାକ୍ତରଖାନାରେ ଦରିଦ୍ର, ରୁଗ୍‌ଣ, ନିରୀହ ଶିଶୁମାନଙ୍କୁ ଦେଖି ମନରେ ବିରାଟ ପରିବର୍ତ୍ତନ ଆସିଲା । ନିରୀହ, ଦରିଦ୍ର ଶିଶୁମାନଙ୍କୁ ରୋଗମୁକ୍ତ କରିବା ପାଇଁ ସରକାରି ଚାକିରିରୁ ବିଦାୟ ନେଇ ବର୍ତ୍ତମାନ ଦରିଦ୍ର ଶିଶୁମାନଙ୍କୁ ରୋଗମୁକ୍ତ କରିବା ପାଇଁ ଆଗେଇ ଆସିଛନ୍ତି । ବର୍ତ୍ତମାନ ଏମାନେ ନାରୀ ସେବା ସଂଘ ନାମରେ ଏକ ସେବାଦଳ ଗଠନ କରିଛନ୍ତି–ଏହି ସେବାଦଳରେ ବହୁ ଡାକ୍ତର, ଅଧ୍ୟାପିକା ଶିକ୍ଷୟିତ୍ରୀ, ସମାଜ ସେବିକା ସ୍ୱଇଚ୍ଛାରେ ଯୋଗଦେଇ ପ୍ରତି ଗାଁ ଗଣ୍ଡା ବୁଲି ନାରୀ ସେବାସଂଘ ଗଠନ କରୁଛନ୍ତି ଏବଂ ଏହାଦ୍ୱାରା ନାରୀ ସେବା, ନାରୀ ଶିକ୍ଷା, ଶିଶୁମାନଙ୍କୁ ରୋଗମୁକ୍ତ କରି ରଖିବା ଓ ସମାଜରେ କିପରି ଶୃଙ୍ଖଳିତ ଜୀବନ ଯାପନ କରିବାକୁ ହେବ, ଲୋକମାନଙ୍କୁ ବୁଝାଉଛନ୍ତି । ଏ ସେବା ଦଳରେ ଆଉ ଯେଉଁମାନେ ଅଛନ୍ତି ସେମାନେ ହେଲେ ଚାରୁବାଳା ମହାନ୍ତି ଓ ପରିବାଳା ଚୌଧୁରୀ । ଚାରୁବାଳା ମହାନ୍ତି ଜଣେ ଅଧ୍ୟାପିକା–ନାରୀ ଶିକ୍ଷାଉପରେ ଏ ବେଶି ଗୁରୁତ୍ୱ ଦେଉଛନ୍ତି । କାରଣ ପରିବାର ଭିତରେ ପୁରୁଷର ଯେତିକି କାମ ନାରୀର ମଧ୍ୟ ସେତିକି କାମ । ପୁରୁଷମାନେ ବାହାର କାମ କରନ୍ତି, ନାରୀମାନେ ଘର ଭିତର କାମ କରନ୍ତି । ପୁରୁଷର ଅନୁପସ୍ଥିତିରେ ନାରୀ ସବୁ କାମ କରିପାରିବ–ବିଦେଶରେ ବହୁ ସରକାରୀ କାର୍ଯ୍ୟରେ ରହି ବହୁ ବଡ଼ ବଡ଼ ଜଟିଳ କାର୍ଯ୍ୟ କରୁପାରୁଛନ୍ତି ଏବଂ ପରିବାର ଭିତରେ କିଭଳି ଭାବରେ ଶୃଙ୍ଖଳିତ ଭାବରେ ଜୀବନ ଯାପନ କରିପାରୁଛନ୍ତି ସେ ବିଷୟରେ ଏ ତୁମ୍ଭମାନଙ୍କୁ ଭଲ ଭାବରେ ବୁଝାଇ ପାରିବେ–ବିଦେଶର ବହୁ ଦେଶ ଏ ବୁଲିଛନ୍ତି । ନାରୀମାନେ ଶିକ୍ଷାଲାଭ କରିଲେ କି କି ଉପକାର ଦେଶର ଜାତିର ହେବ, ଏ ବୁଝାଇ ଦେବେ । ମୁଁ ଏହାଙ୍କ ବିଷୟରେ ଆଉ ଅଧିକ କହିବି ନାହିଁ । କାରଣ ଆମ ଗାଁରେ ନାରୀସେବା ସଂଘ ଗଠନ କରିସାରିଲେ ଏ ନିଜେ ତୁମ୍ଭମାନଙ୍କୁ ସବୁ ବୁଝାଇ ଦେବେ । ଏହାଙ୍କ ଛଡ଼ା–ଗିରୀବାଳା ଚୌଧୁରୀ ଜଣେ ସମାଜ ସେବିକା । ଘରେ ବସି ଅବସର ସମୟରେ କିଭଳି ଅର୍ଥ ଉପାର୍ଜନ କରିହେବ, ସେ ବିଷୟରେ ଏ କିଛି କିଛି ଶିକ୍ଷା ଦେବେ-

 

ଏ ଜଣେ ଭଲ କଣ୍ଠଶିଳ୍ପୀ । ରେଡ଼ିଓରେ ଅନେକ ସମୟରେ ଏହାଙ୍କ କଣ୍ଠରୁ ଗୀତ ଶୁଣୁଥିବ । ଏହାଙ୍କ ବିଷୟରେ ମଧ୍ୟ ଅଧିକ ପରିଚୟ ଦେଉନାହିଁ । କାରଣ ଖୁବ୍‌ ଅଳ୍ପଦିନ ଭିତରେ ଏହାଙ୍କ ପୂର୍ଣ୍ଣାଙ୍ଗ ପରିଚୟ ଏଠି ମିଳିଯିବ–ଚମ୍ପାକୁ ଲକ୍ଷ୍ୟ କରି କହୁଥିବା ସମୟରେ ଗ୍ରାମର ବହୁ ମହିଳା ଘରଭିତରେ ରୁଣ୍ଡ ହୋଇ ଯାଇଥିଲେ । ସେମାନେ ସମସ୍ତେ ନାରଣ ମାଷ୍ଟ୍ରଙ୍କ କଥା ଏକ ଧ୍ୟାନରେ ଶୁଣୁଥିଲେ । କଥା ଶେଷରେ ନାରଣମାଷ୍ଟ୍ରେ କହିଲେ–ଚଳିତବର୍ଷକୁ ଆମ ସରକାର ନାରୀବର୍ଷ ଭାବରେ ଆଖ୍ୟାୟିତ କରିଛନ୍ତି । ତେଣୁ ନାରୀମାନଙ୍କର ସେବା କରିବା ପାଇଁ ଏହି ବୁଦ୍ଧିଜୀବୀ ମହିଳାମାନେ ନିଜ ସ୍ୱାର୍ଥକୁ ତ୍ୟାଗକରି ସମାଜର ଓ ଦେଶର ସେବା କରିବା ପାଇଁ ପଦାକୁ ଗୋଡ଼ କାଢ଼ିଛନ୍ତି । ଏଣୁ ଆମର କର୍ତ୍ତବ୍ୟ ଆମକୁ ମନ ପ୍ରାଣ ଦେଇ ସାହାଯ୍ୟ କରିବାକୁ ପଡ଼ିବ ଏବଂ ଏ ଗାଁରେ ଗୋଟିଏ ନାରୀ ସେବା ସଂଘ ଗଠନ କରିବାକୁ ପଡ଼ିବ ଓ ଚମ୍ପା ସଙ୍ଗଠନର ଦାୟିତ୍ୱ ନେବ ।

 

ନାରଣମାଷ୍ଟ୍ରଙ୍କ ଗୁରୁ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବକ୍ତୃତା ଶୁଣି ଚମ୍ପା ଏତେ ମୁଗ୍‌ଧ ହୋଇ ଯାଇଥିଲା ଯେ ସଙ୍ଗେ ସଙ୍ଗେ ନାରଣ ମାଷ୍ଟ୍ରଙ୍କ ପାଦଛୁଇଁ ଶପଥ କରି କହିଲା–ମାଷ୍ଟ୍ରେ, ଏ ମୋ ଜୀବନର ପ୍ରତିଶ୍ରୁତି–ମୁଁ ନିଶ୍ଚୟ ଏଥିରେ ଭାଗନେଇ ଆପଣ ଓ ଆସିଥିବା ଭଦ୍ରମହିଳାମାନଙ୍କ ମନସ୍କାମନା ପୂରଣ କରିବି ।

 

ପରିଚୟରେ ଚମ୍ପା ସମସ୍ତଙ୍କୁ ଚା ଜଳଖିଆରେ ଆପ୍ୟାୟିତ କରି ସେମାନଙ୍କୁ ବିଦାୟ ଦେଇଥିଲା ଏବଂ ଆସନ୍ତା ମାସରେ ଗ୍ରାମରେ ଗୋଟିଏ ନାରୀ ସେବା ସଂଘ ଗଠନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ।

 

ସାତ

 

କିଛିଦିନ ଗଡ଼ିଗଲା । ଦିନେ ବାରିପଟ ବାରଣ୍ଡାରେ ଚମ୍ପା ବସି ଚା ପିଉଥିଲା । ହାଡ଼ିବନ୍ଧୁ ନିମ୍ବ ଗଛମୂଳେ ଛିଡ଼ା ହୋଇଥିଲା । ଚାକର ମଧୁଆ ବଳଦ ହଳଙ୍କୁ କୁଣ୍ଡା ପାଣି ଦେଉଥିଲା । କଥା ପ୍ରସଙ୍ଗରେ ଚମ୍ପା କହିଲା–ବୁଝିଲ ! ଆସନ୍ତା ମାସରେ ଆମ ନାରୀ ସେବା ସଂଘ ତରଫରୁ ଆମ ଗାଁରେ ଗୋଟିଏ ଡ୍ରାମା ହେବ, ସେଥିରେ ମୋତେ ଅଭିନୟ କରିବାକୁ ପଡ଼ିବ । ତୁମେ କ’ଣ ରାଜି-?

 

ହାଡ଼ିବନ୍ଧୁ ନିମ୍ବଡ଼ାଳର ପତ୍ର ଖଣ୍ଡେ ଛିଣ୍ଡାଇ ଆଣି ହସି ହସି କହିଲା, ଯାହାହେଉ ବହୁଦିନର ଆଶା ମୋର ପୂରଣ ହେବ ।

 

ହାଡ଼ିବନ୍ଧୁର କଥା ଶୁଣି ଚମ୍ପା କିଛି ବୁଝି ପାରିଲା ନାହିଁ; ତାକୁ କାହିଁକି କେମିତି କେମିତି ଲାଗିଲା । ମନଭିତରେ ସୃଷ୍ଟି ହୋଇଥିବା ଆବିଳତାକୁ ଦୂର କରିଦେବା ପାଇଁ ପୁନର୍ବାର ପ୍ରଶ୍ନ କଲା–କିଛି ବୁଝି ହେଲା ନାହିଁ ? ବହୁଦିନରୁ ତୁମେ କଣ ଆଶା କରିଥିଲ ?

 

ନିମ୍ବ ଗଛ ପାଖରୁ ପିଣ୍ଡା ଉପରକୁ ଉଠି ଆସି ହାଡ଼ିବନ୍ଧୁ ଚକାଆସନ ପକାଇ ଚମ୍ପା ଆଗରେ ବସି ପଡ଼ିଲା । କ୍ଷଣକ ପାଇଁ ଚମ୍ପା ମୁହଁକୁ ଚାହିଁ ହସିଲା । ଏହା ଦେଖି ଚମ୍ପା କହିଲା.... କାହିଁକି ଏମିତି ମୋତେ ଦେଖି ହସୁଛ ? ଆଜି କ’ଣ ନୂଆ ଦେଖୁଛ ? ମୁଁ କଣ ପଚାରିଲି ତାର ଉତ୍ତର ନ ଦେଇ ମୋ ମୁହଁକୁ ଚାହିଁ ହସିବାର କାରଣ ?

 

ତୁମେ ଅଭିନୟ କରିବ, ମୁଁ ଦେଖିବି । ରଜାଘରେ ଜନ୍ମ ହୋଇଥିଲେ ନିଶ୍ଚୟ ରାଣୀଟିଏ ହୋଇଥାନ୍ତ ! କିନ୍ତୁ ଭଗବାନ ଚେହେରାକୁ ରାଣୀ ରୂପରେ ଗଢ଼ି ଗରିବ ଘରେ ଜନ୍ମ ଦେଇ ସବୁ ଭଣ୍ଡୁର କରିଦେଲେ । ତୁମକୁ ସବୁବେଳେ ମୁଁ ରାଣୀ ରୂପରେ ଦେଖେ, କିନ୍ତୁ କାର୍ଯ୍ୟକ୍ଷେତ୍ରରେ ଗୋଟିଏ ସାଧାରଣ କୃଷକର ସ୍ତ୍ରୀ ଭାବରେ ବ୍ୟବହାର କରେ, କିନ୍ତୁ ଚମ୍ପା ତୁମକୁ ଦିନେ ନା ଦିନେ ରାଣୀ ରୂପରେ ଦେଖିବାପାଇଁ ବହୁ ଦିନରୁ ମୋର ଆଶା ଥିଲା । ଏବେ ତୁମେ ରାମାୟଣ ନାଟକରେ ଅଭିନୟ କରିବାକୁ ଯାଉଛ । ସେଥିରେ ତୁମେ ରାମଙ୍କ ସ୍ତ୍ରୀ ସୀତା ରୂପରେ ଅଭିନୟ କରିବ । ରାମଚନ୍ଦ୍ର ଥିଲେ ରାଜା, ସୀତା ଥିଲେ ତାଙ୍କ ରାଣୀ । କ’ଣ ବୁଝିଲ ? ଏ ମନ ଭାବୁଥାଏ ଯାହା, କାଳେ ପ୍ରାପତ ହୁଏ ତାହା । ରାଣୀ ରୂପରେ ତୁମକୁ ଦେଖିବାଟା ହିଁ ମୋର ଇଚ୍ଛା ଥିଲା ।

 

ହାଡ଼ିବନ୍ଧୁର ଦୀର୍ଘ ବକ୍ତବ୍ୟ ଶୁଣି ଚମ୍ପା ଖୁବ୍‌ ଜୋରରେ ହସି ଉଠିଲା । ସେହି ହସ ଭିତରେ କହିଲା, କଣ ଯେ ତୁମେ ଭାବ ମୁଁ ଭାବି ପାରୁନି । ହଇ ହୋ–କାହିଁ ରାଣୀ ଆଉ କାହିଁ ଚନ୍ଦ୍ରକାଣୀ–କାହିଁ ସୀତା ଆଉ କାହିଁ ସୀତା ଗଉଡ଼ୁଣୀ, ମୋ ଠାରୁ ତ ଆହୁରି କେଡ଼େ କେଡ଼େ ସୁନ୍ଦରୀ ମାଇକିନା ଅଛନ୍ତି–ଗୋବର ଗୋଟେଇ ବୁଲୁଛନ୍ତି । ଖରା ବର୍ଷାରେ ଦେହ କଳା ପଡ଼ିଯାଇ ବଣ ମଲ୍ଲୀ ଭଳି ବଣରେ ରହି ଝରି ପଡ଼ୁଛନ୍ତି । କେହି ଦେଖୁ ନାହାଁନ୍ତି କି କେହି ଜାଣୁ ନାହାଁନ୍ତି । ଭଗବାନ ଚେହେରା ଦେଇ ଉପରେ ବସି ନାଟ ଲଗାଉଛନ୍ତି । ମୁଁ ବା କି ଛାର । ଦିନକ ପାଇଁ ନାଟକରେ ସୀତା ହେବି ଯେ ଏଥିପାଇଁ ତୁମେ କେତେ କଣ ଭାବି ଗଲଣି । ଯଦି ପ୍ରକୃତରେ ସୀତା ହୋଇ ତୁମ ପାଖରେ ରହୁଥାନ୍ତି, ତୁମେ ବୋଧେ ମୋତେ ଛାଡ଼ି କୁଆଡ଼େ ଯାଆନ୍ତ ନାହିଁ । ଧନ୍ୟରେ ପୁରୁଷ–କାହାକୁ ନେଇ କାହା ପାଖରେ ରଖୁଛ, ମୋଟେ ଜାଣିପାରୁନ ମାଇପକୁ ଦେଖି ସବୁ ଭୁଲି ଯାଉଛ । ସବୁ ପୁରୁଷ ଗୁଡ଼ାକ ଏମିତିଆ–ନା ତୁମେ ଏକା–

 

ଲଙ୍କାରେ ସମସ୍ତେ ଅସୁର । ମୁଁ ବାଦ୍‌ଯିବି କିପରି । ସ୍ତ୍ରୀ ନେଇ ସବୁ କିଛି ସମ୍ଭବ ହୋଇ ପାରୁଛି । ତାକୁ ଛାଡ଼ି ପାରୁଛି କିଏ ? ସୁନ୍ଦରୀ ସ୍ତ୍ରୀଟିଏ ପାଇ କିଏ କେତେ କ’ଣ କରି ପାରୁଛି ତୁମେ କ’ଣ ଜାଣି ପାରୁନା–ସୀତାଙ୍କୁ ଦେଖି ରାବଣ କ’ଣ କଲା–ତୁମେ କ’ଣ ଜାଣିନା । ଏବେ ତ ଅଭିନୟ କରିବ, ରାବଣ ତୁମକୁ ଧରିନେବାକୁ ଆସିବ, ଦେଖିବି ତୁମ ପ୍ରତି ସେ କିପରି ବ୍ୟବହାର ଦେଖାଇବ । ସ୍ତ୍ରୀ ସାନ୍ନିଧ୍ୟ ପାଇଁ ପୁରୁଷ କି କି ଗୁରୁତର କାମ କରେ ତୁମେ ଏଇଥିରୁ ଜାଣିପାରିବ ।

 

ଛାଡ଼ ! ଭଗବାନଙ୍କ ସୃଷ୍ଟିରେ ସବୁ ବିଚିତ୍ର । କ୍ଷଣକ ସୁଖପାଇଁ ସମସ୍ତେ ସବୁକଥା ଭୁଲି ଯାଆନ୍ତି । ଏଥିରୁ ରାବଣ କାହିଁକି ବାଦ୍‌ଯିବ–ନା ତୁମେ କାହିଁକି ବାଦ୍‌ଯିବ–ସବୁ ପୁରୁଷଙ୍କ ଗୁଣ ସମାନ । ଚମ୍ପା ହସି ହସି କହିଲା ।

 

ସନ୍ଧ୍ୟା ହୋଇ ଆସିଲାଣି । ପଶ୍ଚିମ ଆକାଶରେ ସୂର୍ଯ୍ୟ ଲୁଚିଯିବାକୁ ବସିଲେଣି । ମଧୁଆ ଗୁହାଳରେ ବଳଦ ବାନ୍ଧି ନଈକୂଳକୁ ଚାଲିଗଲାଣି । ପରିଆ କେଉଟ ଇଲିସିମାଛ ଧରିବା ପାଇଁ ନଈ ମଝିରେ ଖୁଣ୍ଟ ଉପରେ ଜାଲ ଧରି ବସିଛି । ଆଜି ସକାଳେ ଘରେ କହି ଯାଇଥିଲା, ମଧୁଆକୁ ସନ୍ଧ୍ୟାବେଳେ ତା ପାଖକୁ ପଠାଇବାକୁ । ଇଲିଶି ମାଛର ଝୋଳ ଚମ୍ପାର ଅତି ପ୍ରିୟ । ତାକୁ ଭାରି ଭଲ ଲାଗେ । ବହୁବାର ନଈକୁ ଗାଧୋଇବାକୁ ଗଲାବେଳେ ପରିଆ ଓ ତା ଭାଇ ଦରିଆକୁ ମାଛ ପାଇଁ କହୁଥାଏ । କିନ୍ତୁ ପାଏ ନାହିଁ ।

 

ଆଜି ପରିଆ ମାଛ ଦେବ, ତୁମେ ଭାତ ଖାଇବ, କିନ୍ତୁ ମୋ ପାଇଁ ରୁଟି କରିଥିବ । ହାଡ଼ିବନ୍ଧୁ କହିଲା–

 

କାହିଁକି ? ମାଛ ମୋଟେ ଖିଆ ହୋଇନି । ମାଛ ସହିତ ଭାତ ଖାଇବାକୁ ତୁମେ ଭାରି ଭଲ ପାଅ ଏବଂ ମୋତେ ମଧ୍ୟ ଏଥିପାଇଁ ବହୁବାର କହିଛ । ଆଜି କାହିଁକି ଭାତ ବଦଳରେ ରୁଟି ଖାଇବ ? ମୁଁ କହୁଛି ଭାତ ଖାଇବାକୁ ପଡ଼ିବ, ଚମ୍ପା କହିଲା ।

 

ହଉ ତୁମ ଇଚ୍ଛା–ଯାହା ଦେବ ତାହା ଖାଇବି । ଇଚ୍ଛା ହେଉଥିଲା ରୁଟି ଖାଇବାକୁ, ଯଦି ନାହିଁ କରୁଛ, ତାହେଲେ ଖାଇବି ନାହିଁ–ହାଡ଼ିବନ୍ଧୁ କହିଲା ।

 

ଚମ୍ପା ଆକାଶକୁ ଚାହିଁଲା । ସୂର୍ଯ୍ୟ ବୁଡ଼ି ଗଲେଣି । ତାରାମାନେ ଆକାଶରେ ମିଟି ମିଟି କଲେଣି । ମଶାମାନେ ପଦାକୁ ବାହାରି ଆସି ଭୁଁ, ଭୁଁ ଗୀତ ବୋଲିଲେଣି । ବିଲୁଆ ନନା ପାଟ ମଝିରେ ହିଡ଼ ଉପରେ ବସି ହୁକେହୋ ହୁକେହୋ ବୋବାଇଲାଣି । ଉଠ, ଆଉ ବସିଲ କାହିଁକି, ଅନ୍ଧାରରେ କ’ଣ ମୋ ମୁହଁ ତୁମକୁ ଦେଖାଯିବ ? ଚମ୍ପା ହସି ହସି କହିଲା ।

 

ହାଡ଼ିବନ୍ଧୁ ଚମ୍ପା କଥାର ପ୍ରତ୍ୟୁତ୍ତର ଦେବାପାଇଁ ଆଉଟିକେ ପାଖକୁ ଲାଗିଆସି କହିଲା–ତୁମେ କ’ଣ ଜାଣିନା, ଆଲୁଅ ଅପେକ୍ଷା ଅନ୍ଧାରରେ ମୁଁ ତୁମ ମୁହଁକୁ ବେଶି ଭଲପାଏ ।

 

ହାଡ଼ିବନ୍ଧୁକୁ ଦୁଇହାତରେ ଦୂରକୁ ଠେଲି ଚମ୍ପା କହିଲା–ଓଃ–ହୋ, କି ଲୋକ ତୁମେ ! ଛାଡ଼ିଲ ମୋତେ, ମୁଁ ସଞ୍ଜ ଦେବାକୁ ଯିବି । ଠାକୁର ଘରେ ଘଣ୍ଟା ବାଜିଲାଣି । କିଏ ଠାକୁର ପୂଜା କରିବାକୁ ଗଲାବେଳେ ଇଏ ମୋ ସହିତ ଲୁଚକାଳି ଖେଳିବାକୁ ବସିଲେଣି । ଚମ୍ପା ହସି ହସି ଘର ଭିତରକୁ ପଶି ଆସିଲା । ହାଡ଼ିବନ୍ଧୁ ତା ପଛେ ପଛେ ଆସି ଦାଣ୍ଡ ପିଣ୍ଡାକୁ ବାହାରି ପଡ଼ିଲା ।

 

ଆଠ

 

ସମୟର ଗତି, ନଦୀର ସ୍ରୋତ ଜୀବନଯାତ୍ରା ଭଳି ଚଞ୍ଚଳ । ଏମାନେ ଅପେକ୍ଷାର ବିରୋଧି । ସଦାସର୍ବଦା ଅଗ୍ରଗାମୀ । ଆଗକୁ ମାଡ଼ିଯିବା ଏମାନଙ୍କର ଧର୍ମ । ଜୀବନଯାତ୍ରା ପଥରେ ଅନେକ ଘାତପ୍ରତିଘାତ ଆସିବ, ଏକଥା ହାଡ଼ିବନ୍ଧୁ ଭଲଭାବରେ ଜାଣିଥିଲା ଏବଂ ଅଙ୍ଗେ ମଧ୍ୟ ନିଭେଇଲାଣି ସଂସାର ବଡ଼ ଜଟିଳ । ସମସ୍ତଙ୍କ ସହିତ ସମତୁଲ ଭାବରେ ଚଳିବା ସହଜ ସାଧ୍ୟ ନହେଲେ ମଧ୍ୟ ସେ ପାରୁପର୍ଯ୍ୟନ୍ତ ଚେଷ୍ଟା କରି ଗାଁରେ ଚଳି ଆସୁଛି । ଭାଇ ବନ୍ଧୁ ଜ୍ଞାତି କୁଟୁମ୍ବ ସମସ୍ତଙ୍କୁ ଆପଣାର କରିପାରିଛି । ଭଲ ମଧ୍ୟରେ କାନ୍ଧ ସହିତ କାନ୍ଧ ମିଳାଇ ଆଗକୁ ଗୋଡ଼ ବଢ଼ାଇଛି । ନଦୀର ସ୍ରୋତଭଳି ତା ଜୀବନକୁ ବହୁ ଆଗକୁ ଗଡ଼ାଇ ଆଣିଲାଣି । ଚାହୁଁ ଚାହୁଁ ତାକୁ ଛତିଶ ବର୍ଷ ହୋଇଗଲା । ଆଉ ଚାରିଟା ବର୍ଷ ଗଡ଼ିଗଲେ ତାକୁ ଚାଳିଶ ପଶିବ ଏବଂ ଚାଳିଶ ଟପିଲା ପରେ ସମସ୍ତଙ୍କର ଯେଉଁ ଅବସ୍ଥା ହୁଏ, ତାକୁ ମଧ୍ୟ ସେହି ଅବସ୍ଥା ଭୋଗ କରିବାକୁ ପଡ଼ିବ-। ଆଖିରେ ଚଷମା ପିନ୍ଧିବ, ଦେହରୁ ବଳ ହଟିବ । ମନରୁ ସାହସ ଭାଙ୍ଗିବ । କୃଷ୍ଣ କେଶ ଗୁଡ଼ିକ ଧବଳ ରୂପ ଧାରଣ କରି ଏକ ଭିନ୍ନ ରୂପରେ ଚିତ୍ରିତ ହେବ ।

 

ବୟସ ବଢ଼ିଲେ ମନ ବଦଳେ, ଚେହେରା ବଦଳେ, ତା ସହିତ ଅନେକ ଆନୁସାଙ୍ଗିକ ଜିନିଷ ମଧ୍ୟ ବଦଳି ଯାଏ । ସମୟ ଅନୁଯାୟୀ କିଏ କେତେ ରୂପରେ ବଦଳି ଯାଉଥିଲା ବେଳେ, ତା ଚେହେରାର ରଙ୍ଗ ଅନେକ ବଦଳିଯିବ । ଶୁଭ୍ର କେଶ ସହିତ ଆବରଣ ଘେରା ସ୍ଖଳିତ ଚର୍ମ କୁଞ୍ଚିତ ଧାରଣ କରିବ । ଆଖି ଭିତରକୁ ପଶିଯିବ । ହନୁହାଡ଼ ପଦାକୁ ବାହାରି ଆସିବ । ଛାତି ପଞ୍ଜରା ଗୁଡ଼ିକ ସୁସ୍ପଷ୍ଟିତ ହୋଇ ଲୋକଲୋଚନକୁ ଆସିଯିବ । ନଦୀ ସମୁଦ୍ର ସହିତ ମିଶି ଜଳକେଳି କଲାବେଳକୁ ତାର ରକ୍ତ ମାଂସର ଶରୀର ହାହାକାର ଭାବରେ ଆକାଶର ତାରା ଗଣିବ । କିନ୍ତୁ ତାରାଗଣା ଶେଷବେଳକୁ ସେ ସବୁଦିନ ପାଇଁ ଆଖି ବୁଜି ସାରିଥିବ ।

 

ଯୌବନରେ ପଦାର୍ପଣ କଲାବେଳେ ଚମ୍ପାକୁ ସ୍ୱପ୍ନଦେଖି ଅନେକ କଳ୍ପନା କରିଥିଲା । ଚମ୍ପା ତା ଜୀବନରେ ସାଥୀରୂପେ ଘରକୁ ଆସିଲେ ଛୋଟ ସଂସାରଟିଏ ଗଢ଼ିବ । ନିଜ ଜୀବନରେ ଅପୂର୍ଣ୍ଣଥିବା ଆଶାତକ ତାର ପୁଅଝିଅମାନଙ୍କ ଦ୍ୱାରା ପୂରଣ କରିବ । ନିଜେ ବେଶି ପାଠ ପଢ଼ି ପାରିଲା ନାହିଁ, ତା ଆଗରେ ବହୁ ପ୍ରତିବନ୍ଧକ ଦେଖାଦେଲା । ସେ ସବୁତକ ସମ୍ଭାଳି ନେଲା । କ’ଣ କରିବ, ଦୈବ ଦୁର୍ଘଟଣା ପାଖରେ ବଳ କାହାର ? ତାର ବହୁ ଇଚ୍ଛା ଥିଲା ପାଠ ପଢ଼ି ସହର ବଜାରରେ ରହିଥାନ୍ତା । ଦେଶ ବିଦେଶ ବୁଲିଥାନ୍ତା । କିନ୍ତୁ ଭଗବାନ ସେଥିରୁ ସବୁଦିନ ପାଇଁ ତାକୁ ବଞ୍ଚିତ କଲେ ।

 

ମନ କଥା ମନରେ ମାରି ଭିଟାମାଟି ଉପରେ ପଡ଼ି ରହିଲା । ଭାଗ୍ୟରେ ଯାହାଥିବ, ତାହା ଭୋଗିବ । ଏହାପାଇଁ ଉପାୟ କିଛି ନାହିଁ ।

 

ପୌଷ ମାସର ସନ୍ଧ୍ୟା । ଶୀତ ଚଦରଟାକୁ ଆଉଟିକେ ନିଜ ଦେହ ଉପରେ ଭଲଭାବରେ ଘୋଡ଼ାଇ ଆଣିଲା । ଆକାଶକୁ ଚାହିଁଲା ବେଶ୍‌ ତୋଫା, ଜହ୍ନିଫୁଲିଆ ଜହ୍ନଟି ପଡ଼ିଛି । ମଝିଦାଣ୍ଡ ଅଷ୍ଟପ୍ରହରୀ ଚଉଁରା ଉପରେ କେତେଜଣ ଟୋକା ବସି ଟୁପଟାପ୍‌ ହେଉଛନ୍ତି । ମାଗୁଣି ରାଉତ ପିଣ୍ଡା ଉପରେ କେତେଜଣ ମାଇପେ ବସି ଭୁଟୁରୁ ଭାଟର ହେଉଛନ୍ତି । ମନ ହେଉଥିଲା, ମହାନ୍ତି ସାହି ଆଡ଼େ ଯାଇ ଗୋପାଳିଆ ଘରଆଡ଼େ ବୁଲି ଆସିବାକୁ । କିନ୍ତୁ କିଏ ଯାଉଛି, ଟୋକାଟା ଥିବ କି ନାହିଁ କିଛି ଠିକ୍‌ ଠିକଣା ନାହିଁ । ଅଳସୁଆଟେ, କେଉଁଠି ବିଡ଼ିଟାଣି ଖୋଳ ପିଟୁଥିବ । ଆଗକୁ ପଛକୁ ତା’ର କିଛି କିଛି ନାହିଁ । ଛାଡ଼ ତା କଥା ! ଯାହା ସେ କରୁଛି, କିନ୍ତୁ ବୋପା ଆସି ବୁଢ଼ା ହେଲାଣି, ଦୋକାନରେ ଖଟି ପାରୁନି । ପୁଅ ବୁଲି ବୁଲି ଷଣ୍ଢ ଧାନ ଖାଇଲାଭଳି ବନ୍ଧୁଘରେ ଖାଉଛି । ଆଉ କେତେଦିନ ଖାଇବ । ସମୟ ଆସିଲେ ବୁଝିବ । ଏବେ ବୁଝି ପାରିବ ନାହିଁ । ବସି ଖାଇଲେ ନଈ ବାଲି ସରେ । ବୁଢ଼ା ଯେଉଁଦିନ ଆଖି ବୁଜିବ ଗୋପାଳିଆ ସେଦିନ ଖୋଳ ବଜା ଧନ୍ଦା ଛାଡ଼ିବ, ତା ପୂର୍ବରୁ ନୁହେଁ ।

 

କ’ଣ ଏଠି ଏକୁଟିଆ ବସି କରୁଛ ? ହାତରେ ଛେନା ଚକଟା ଧରି ଚମ୍ପା ଆସି ପଚାରିଲା ।

 

କ’ଣ ଆଉ କରିବି, ଆକାଶକୁ ଚାହିଁ ଚାନ୍ଦ ଦେଖୁଛି । ଆଉ ତାରା ଗଣୁଛି–ଚମ୍ପା ମୁହଁକୁ ଚାହିଁ ହାଡ଼ିବନ୍ଧୁ କହିଲା ।

 

ନିଅ, ଏ ଛେନା ଚକଟା ତକ ଖାଇଦିଅ । ଶୁନୁପାଇ ଠାକୁରାଣୀ ପାଖରେ ଭୋଗ ହୋଇଥିଲା । ମଝିଆଣୀ ବୁଢ଼ୀ ତୁମ ପାଇଁ ପଠାଇଛି । ଭୋଗ ତାଟିଆଟା ହାଡ଼ିବନ୍ଧୁ ହାତକୁ ବଢ଼ାଇ ଦେଇ ଚମ୍ପା ପୁଣି ପଚାରିଲା–ଆକାଶରେ ତାରା ଗଣି ପାରୁଛ ?

 

ହଁ–ଯେତୋଟି ତାରା ଆଖି ଆଗରେ ରହୁଛନ୍ତି–ସେଗୁଡ଼ିକ ଗଣି ପାରୁଛି । ଆଉ ଯାହା ବା ଗଣି ହୁଅନ୍ତା ଏହି ଜହ୍ନଟା ସବୁ ବିଗାଡ଼ି ଦେଉଛି । ତା ଆଲୁଅକୁ ଦେଖି ସବୁ ଭୁଲି ଯାଉଛି । ଯେପରି ତୁମକୁ ଦେଖି ମୁଁ ସବୁ କିଛି ଭୁଲିଯାଉଛି–ଚମ୍ପାର ପାପୁଲିକୁ ନିଜ ହାତ ଭିତରେ ରଖି କହିଲା ।

 

ସାମାନ୍ୟ ମୁରୁକି ହସା ହସି ଚମ୍ପା କହିଲା–ଆଃ–ହାଃ–ସେଇଥିପାଇଁ ଘର ଭିତରେ ମୋତେ ଏକୁଟିଆ ଛାଡ଼ି ଏଠି ବସିଛ । ଏମିତି ମୋତେ ଦେଖି ଭୁଲିଯାଉଛ ନୁହେଁ ? ମୁଁ ତୁମକୁ ଭଲ ଭାବରେ ଚିହ୍ନିଲିଣି । ଭାବୁଛି ତୁମେ ଗୋପାଳିଆ ଘର ଆଡ଼େ ଯାଇଥିବ । ହଉ ଛାଡ଼ ସେ କଥା । ନିଶିପଦ୍ମା ଦାଶ୍‌ ଚିଠି ଦେଇଛନ୍ତି, କାଲି କଟକ ଯିବାକୁ ହେବ । କାହିଁକି ? ହାଡ଼ିବନ୍ଧୁ ପଚାରିଲା ।

 

ବମ୍ବେରୁ ତାଙ୍କର ଜଣେ ବାନ୍ଧବୀ ଆସିଛନ୍ତି, ସେ ମୋତେ ଦେଖିବେ । ତାଙ୍କୁ ବୋଧେ ମୋ ବିଷୟରେ କହିଛନ୍ତି । ସେଥିପାଇଁ ସେ ଡକାଇଥିବେ । ସେ ମୋଟେ ଦୁଇଦିନ ରହିବେ । ଏଣୁ କାଲିଯିବା ନିତାନ୍ତ ଦରକାର ।

 

ଚମ୍ପା ଆଡ଼କୁ ଚାହିଁ ହାଡ଼ିବନ୍ଧୁ ଦୀର୍ଘ ନିଶ୍ୱାସ ପକାଇ କହିଲା–ହଉ ଚାଲ । କାଲି ସକାଳ ଛଅଟା ବସରେ ବାହାରି ପଡ଼ି ନଅଟା ପୂର୍ବରୁ ତାଙ୍କ ପାଖରେ ପହଞ୍ଚିବା ଏବଂ କାମସାରି ସନ୍ଧ୍ୟା ବସରେ ବସି ଘରେ ରାତି ଆଠଟାରେ ପହଞ୍ଚିବା । ଯାଅ ଆଉ ଛିଡ଼ା ହେଲ କାହିଁକି–ପ୍ରସ୍ତୁତ ହୋଇଯାଅ...

 

ବାଃ ! ଖୁବ୍‌ସହଜରେ କଥାଗୁଡ଼ାକ ବିଜୁଳି ମାରିଲା ଭଳି କହିଗଲ । କିନ୍ତୁ ତାଙ୍କ ପାଇଁ କ’ଣ ନେବାକୁ ହେବ କିଛି ତ କହିଲ ନାହିଁ ?

 

ଥଟ୍ଟାରେ ହାଡ଼ିବନ୍ଧୁ କହିଲା–ଚୁଡ଼ା ଚାରି ଗୌଣୀ ଧର । ଆଉ କିଛି ମୁଢ଼ି ପାଇଁ ଗେହ୍ଲିମା ଗୁଡ଼ିଆଣୀକୁ କହିଦେଇ ଆସ । କାଲି ସକାଳୁ ଆମ ଘରେ ଦେଇଯିବ । ଯାଅ, ଛିଡ଼ା ହେଲ କାହିଁକି-? ମୋ ମୁହଁକୁ ଚାହିଁଲେ କିଛି ଲାଭ ନାହିଁ ।

 

ଧନ୍ୟ ଧନ୍ୟରେ ପୁରୁଷ । କେତେ ସହଜରେ କଥା ଗୁଡ଼ାକ କହିଗଲ । ଆଉ କିଛି ଉଖୁଡ଼ା ନେବାକୁ ଭୁଲିଗଲ କାହିଁକି ? ଉଖୁଡ଼ା ଖାଇ ଡାକ୍ତରାଣୀ ଖୁବ୍‌ ଖୁସି ହୋଇଯିବେ ଏବଂ ଏମିତି ଔଷଧ ସେ ଆମକୁ ଦେବେ ଯେ, ଠିକ୍‌ ଆସନ୍ତା ବର୍ଷକୁ ଆମେ ପୁଅ ଖେଳାଇବା ।

 

ତୁମେ ବୋଧେ ରାଗିଲ ଚମ୍ପା ? ତୁମେ ମୋ କଥା ମୋଟେ ବୁଝିପାରୁନା । ସେ ତ ଡାକ୍ତର ଲୋକ । ସବୁବେଳେ ଭିଟାମିନ୍‌ ଖାଉଛନ୍ତି । କିନ୍ତୁ ଏ ଜିନିଷ କ’ଣ କେବେ ଖାଉଛନ୍ତି ? ଏ ବେଶି ଭିଟାମିନ୍‌ । ଥରେ ତାଙ୍କୁ ଚଖାଇ ଦିଅ ଦେଖିବ ଚିଠି ଉପରେ ଚିଠି କିପରି ତୁମ ପାଖକୁ ଆସିବ । ତୁମେ ଚୂଡ଼ା ମୁଢ଼ି ଉଖୁଡ଼ା ବସ୍ତା ବୋହି ବୋହି ଶତ ପୁତ୍ରର ଜନନୀ ଖୁବ୍‌ ଶୀଘ୍ର ହୋଇଯିବ ଏବଂ ଶେଷକୁ ବିରକ୍ତ ହୋଇ ପରିବାର ନିୟନ୍ତ୍ରଣ କେନ୍ଦ୍ରକୁ ମୋତେ ନ ପଚାରି ଚାଲିଯିବ, ବୁଝିଲ ?

 

ହାଡ଼ିବନ୍ଧୁକୁ ଦୂରକୁ ଠେଲି ଦେଇ ଚମ୍ପା କହିଲା, ଦିନକୁ ଦିନ ଅତି ପିଲାଳିଆ ହୋଇ ଯାଉଛ । ଭାବୁଛ ନିଶିପଦ୍ମା ଦାଶ ହାରିଯିବେ ? କଦାପି ନୁହେଁ । ତାଙ୍କ ଜୀବନର ପ୍ରତିଶ୍ରୁତି ସେ ନିଶ୍ଚୟ ରକ୍ଷା କରିବେ । ଆମ ପାଇଁ କେତେ ଚେଷ୍ଟା ନ କରୁଛନ୍ତି କହିଲ ? କମ୍‌ ଟଙ୍କାର ଔଷଧ ସେ ମୋତେ ଖାଇବାକୁ ଦେଲେଣି । ଯଦି ତୁମେ ହାତରୁ ଟଙ୍କା ଦେଇ କିଣିଥାନ୍ତ ନା ଖୁବ୍‌ କମ୍‌ରେ ଦୁଇ ହଜାର ଟଙ୍କା ତୁମକୁ ଦେବାକୁ ପଡ଼ିଥାନ୍ତା–ବୁଝିଲ ?

 

ସେଥିପାଇଁ କହିଲି ତାଙ୍କୁ ଖୁସି କରାଇବା ପାଇଁ ଆମ ପାଖରେ ଆଉ କିଛି ନାହିଁ । ସେ ତ ପଇସା ନେବେ ନାହିଁ କି ଆଗରୁ ନେଇ ନାହାଁନ୍ତି । ଦ୍ୱିତୀୟତଃ ସମୟ ଆମ ହାତରେ କମ୍‌ ଅଛି-। ଏଣୁ ମୁଁ ଯାହା କହିଲି ତାହା କରି ଦେଖିବ ସେ ଭାରି ଖୁସି ହୋଇଯିବେ । ଥରେ ନେଇ ପରୀକ୍ଷା କର ?

 

ଅସ୍ପଷ୍ଟ ଅନ୍ଧକାର ଭିତରେ ଚମ୍ପା ହାଡ଼ିବନ୍ଧୁକୁ ଚାହିଁ କହିଲା, ତୁମ କଥା ତୁମ ପାଖରେ ଥାଉ । ମୁଁ ଏସବୁ ଜିନିଷ ନେଇ ପାରିବି ନାହିଁ । ଯଦି ଚାହୁଁଚ ତୁମେ ନିଅ ? ମୋ ଇଚ୍ଛା ଯାହା ହେବ ମୁଁ ବାଟରୁ କିଣି ନେବି । ହଉ ଘର ଭିତରକୁ ଆସ–କେତେ ବେଳଯାଏ ଏଠି ବସିବ ?

 

ତୁମେ ଏଠି ବସ–ଚମ୍ପାର ହାତଧରି କହିଲା, କ’ଣ ଦାଣ୍ଡ ମଝିରେ ? ହଁ କ୍ଷତି କଣ, ତୁମେ କ’ଣ ମୋର ନୁହଁ ଅନ୍ୟ କାହାର ? ଲୋକ ଦେଖିଲେ ଥଟ୍ଟା କରିବେ ?

 

ଥଟ୍ଟା କରିବାର ବୟସ କ’ଣ ଆମର ସରି ଗଲାଣି ବୋଲି ଭାବୁଛ ? ପାଖାପାଖି ଲୋକଗୁଡ଼ାକ ଦେଖି କଣ ଭାବିବେ କହିଲ ? ଅନେକ କଥା ଭାବିଲେ ମଧ୍ୟ ମୁରୁକି ହସା ହସି ହେଇ ଚାଲିଯିବେ । କାରଣ ଆମେ ଦୁହେଁ ପରସ୍ପର ନିଜର । ଅନ୍ୟ କାହାରି ନୁହଁ । ଯାଇହଉ ମନକୁ ତୁମେ ବେଶ୍‌ ବୁଝେଇ ରଖିଛ । ବୟସ ବଢ଼ିଲେ ମଧ୍ୟ ମନ ବଦଳି ନାହିଁ । ଭାବୁଛି ଏଇ ମନ ଆଉ କିଛି ଦିନ ରହିଲେ ତୁମର ମନସ୍କାମନା ପୂରଣ ହୋଇଯିବ । ଗୋପି ପଧାନ ଭଳି ଆଠଟି ପିଲାର ଜନକ ହୋଇ ପାରିବ । କ’ଣ ବୁଝିଲ ? ମନ ଭାଙ୍ଗି ନାହିଁ । ମନ ଭାଙ୍ଗିଲେ ସବୁ ଭାଙ୍ଗିଯିବ-

 

ସମସ୍ତଙ୍କ ସହିତ ସମସ୍ତେ କ’ଣ ସମାନ ହୋଇ ପାରିବେ ? କିଏ ଫଳପୁଷ୍ପରେ ଶୋଭିତ ବୃକ୍ଷ ହେଲାବେଳକୁ ଆମେ ଫଳପୁଷ୍ପ ହୀନ ଥୁଣ୍ଟା ବୃକ୍ଷ । ଆମେ କଳଙ୍କିତ ନିର୍ଯ୍ୟାତିତ । କିଏ ଆମର ଅଛି ? ଆମ କଥା ଭାବୁଛି କିଏ ? ଗୋପି ପଧାନ ପାଇଁ ଆଠଟି ପିଲା ବାହାରି ପଡ଼ିବେ; କିନ୍ତୁ ତୁମ ପାଇଁ ?

 

ଦୁଇ କାନ୍ଧରେ ହାତରଖି ଚମ୍ପା ହସି ହସି କହିଲା–ମୋ ପାଇଁ ତୁମେ । ସେ ଆଠଜଣଙ୍କ ପାଖରେ ତୁମେ ଏକୁଟିଆ ସମାନ । ତୁମେ ବି ଚାହିଁଲେ ଆଠ ଯାଗାରେ ଷୋହଳ ଛିଡ଼ା କରିପାରିବ-। ତୁମର କ’ଣ ଶକ୍ତି ନାହିଁ ? ତୁମେ କ’ଣ ପଛେଇ ଯିବ ? ମନରେ ସାହସ ଧର । ଅଧୈର୍ଯ୍ୟ ହେଉଛ କାହିଁକି ? ଗଛରେ ସବୁଜ ପତ୍ର ଥିବା ପର୍ଯ୍ୟନ୍ତ ଫୁଲ ଫୁଟୁଥିବ । ପୁରୁଷ ମନରେ ଧୈର୍ଯ୍ୟ ଥିବା ପର୍ଯ୍ୟନ୍ତ ଅସାଧ୍ୟ କାର୍ଯ୍ୟକୁ ସେ ସାଧିତ କରି ପାରିବ । କ’ଣ ଭୁଲ କହିଲି ? ଚାହିଁଲ ମୋ ଆଡ଼କୁ–ତୁମେ ସବୁବେଳେ ଏହି କଥା ଗୁଡ଼ାକ ଭାବିଲେ ଲାଭ କ’ଣ ହେବ କହିଲ ? ଆମେ ତ ଚେଷ୍ଟା କରୁଛେ, ବ୍ୟସ୍ତ ହେବା କାହିଁକି ? ଭଗବାନ ନିଶ୍ଚୟ ଫଳ ଦେବେ । ମୋର ଏ ବିଶ୍ୱାସ ଅଛି-। ଏଇ ନିଶିପଦ୍ମା ଦାଶ ମୋର ମନସ୍କାମନା ପୂରଣ କରିବେ । ଚମ୍ପାକୁ ଝାଉଁଳିବା ପାଇଁ ପନ୍ଦର ବର୍ଷ ସମୟ ଅଛି । ଏତେ ଶୀଘ୍ର ଏ ଝାଉଁଳି ପଡ଼ିବ ନାହିଁ । ଫୁଲ ଭିତରେ ଏ ପରା ଚମ୍ପା । ଏହାର ରଙ୍ଗ ଯେମିତି ବାସ ବି ସେମିତି ।

 

ତୁମେ ବଡ଼ ନିରାଶବାଦୀ । ଚମ୍ପା ଫୁଲ ଯେତେବେଳେ ପାଖରେ ଅଛି, ଆଶା ବାନ୍ଧିବା ଉଚିତ । ଶିବଙ୍କ ମଥା ଉପରେ ଯେଉଁ ଚମ୍ପା, ତୁମ ପାଖରେ ସେହି ଚମ୍ପା । ଏହାଠାରୁ ବଡ଼ ଭାଗ୍ୟ ଆଉ କାହାର ଅଛି । ଶିବ ଚାହିଁଲେ ତୁମ ମନସ୍କାମନା ପୂରଣ କରିବେ । କ’ଣ ବୁଝି ପାରୁଛ–ମୋ ଆଡ଼କୁ ଚାହିଁଲ–ମୋର ବୋଧେ ଆଉ ବାସ୍ନା ନାହିଁ ? ମୁଁ ମଉଳି ଗଲିଣି, ଶୁଖି ଗଲିଣି, ତେଣୁ ମୋ ଦ୍ୱାରା କିଛି ଲାଭ ହେବନି ବୋଲି ଭାବୁଛ । ଏଇଆ ନା ଆଉ କଣ ? ଆଉ କାହା ଉପରେ ଆଖି ରଖିଲଣି କି ? ଯେପରି ମୋ ମାମୁଁଘର ଗାଁରେ ଧରଣୀ ବଳ ଆଉ ଗୋଟିଏ ବାହା ହେଲା–ପ୍ରଥମ ସ୍ତ୍ରୀର କିଛି ପିଲା ନ ହେବାରୁ ତା ବାପା ତାକୁ ଆଉ ଗୋଟିଏ ଝିଅ ସହିତ ବାହା କରାଇ ଦେଲା । ଏବେ ତା’ର ପାଞ୍ଚଟି ପିଲା । କଣ ଶୁଭୁଛି । ମୁଁ ଭାବୁଛି, ତୁମେ ବୋଧେ ସେହି କଥା କରିବ ।

 

ଚମ୍ପା କଥା ଶୁଣି ହାଡ଼ିବନ୍ଧୁ କାହିଁକି ଟିକେ ଦୋହଲି ପଡ଼ିଲା । ......ଛି...ଛି.... ଏ କଥା ତୁମେ କହି ପାରୁଛ । ଚମ୍ପା ଫୁଲକୁ ଯିଏ ପାଇଛି ସେ କଣ ଅନ୍ୟ ଫୁଲକୁ ପାଖକୁ ଆଣିବାକୁ ଚେଷ୍ଟା କରିବ । ତୁମେ ମୋତେ ଭୁଲ ବୁଝନା ଚମ୍ପା । ମୁଁ ଏକଥା ମୋଟେ ଭାବିନି ।

 

ତା ହେଲେ ଅଧୈର୍ଯ୍ୟ ହେବାର କାରଣ......

 

ଚମ୍ପା କଥାର ଉତ୍ତର ନଦେଇ ହାଡ଼ିବନ୍ଧୁ ନୀରବ ହୋଇ ବସିରହିଲା....

 

ଆସ, ଆଉ ବସି ଲାଭ କଣ ?

 

ହଉ ଚାଲ । ହାଡ଼ିବନ୍ଧୁ ଉଠି ଘର ଭିତରକୁ ଆସିଲା । ଚମ୍ପା ତା ପଛେ ପଛେ ଆସିଲା ।

 

ନଅ

 

ଆପଣଙ୍କର ବିଶ୍ୱାସ ଥାଉ ବା ନଥାଉ ସେଥିରେ କାହାର ଯାଏ ଆସେ ନାହିଁ । ସଂସାର ରୂପକ ଚକ ଭିତରେ ସମସ୍ତେ ଘୂରୁଛନ୍ତି ଏବଂ ଘୂରୁଥିବେ ମଧ୍ୟ । ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହେବେ ଏବଂ ପଶ୍ଚିମ ଦିଗରେ ଅସ୍ତ ହେବେ । ଏହି ଉଦୟ ଅସ୍ତ ଭିତରେ ପ୍ରାଣୀଜଗତ ଉତ୍‌ଥାନ ପତନ ଭିତରେ ଗତି କରିବ । କାହାର ଭାଗ୍ୟ ପ୍ରଜ୍ଜ୍ୱଳିତ ହୋଇ ଉଠୁଥିବା ବେଳେ କାହାର ଭାଗ୍ୟ ନିଜ୍ୱଳିତ ଭାବରେ ଅନ୍ଧକାର ଭିତରେ ଉବେଇ ଟୁବେଇ ହେବ । କେତେକ ଭାଗ୍ୟକୁ ଜାବୁଡ଼ି ଧରି ରାଶି ନକ୍ଷତ୍ର ଗଣନା ଉପରେ ଗତି କରନ୍ତି । ଆଉ କେତେକ ରାଶି ନକ୍ଷତ୍ର ଠାରୁ ଦୂରେଇ ରହି ନିଜ କର୍ମ କ୍ଷେତ୍ରରେ ଆଗେଇ ଯାଆନ୍ତି ।

ହାଡ଼ିବନ୍ଧୁ ଭାଗ୍ୟରେ ଏମିତି ଏକ ସମୟ ଆସିଥିଲା, ସେଦିନ ବର୍ଷା ହେଉଥିଲା । ଆକାଶରେ ଅନବରତ ଝରୁଥିଲା ବର୍ଷାଜଳ । ଦାଣ୍ଡ ମଝିରେ ଚାଲିଥିଲା ପାଣିର ସ୍ରୋତ ।

ଛୋଟ ଛୋଟ ପିଲାମାନେ କାଗଜ ଡଙ୍ଗା କରି ପାଣିରେ ଭସାଇ ଦେଉଥିଲେ । ସେଗୁଡ଼ିକ ପାଣି ସ୍ରୋତରେ ଭାସି ଆସି କେତେକ ବାଟ ମଝିରେ ଅଟକି ଯାଉଥିଲେ ଓ ଆଉ କେତେକ ପାଣି ସ୍ରୋତରେ ଭାସି ଗଡ଼ିଆ ପୋଖରୀରେ ପଡ଼ି ଭାସୁଥିଲେ ।

ହାଡ଼ିବନ୍ଧୁ ଘର ଭିତରେ ଖଟଉପରେ ବସି ଝରକା ଦେଇ ବିଲ ଆଡ଼କୁ ଚାହିଁଲା । ଦେଖିଲା ବର୍ଷା ଜଳରେ ବିଲ ଗୁଡ଼ାକ ଜଳାର୍ଣ୍ଣବ ହୋଇ ଗଲାଣି–ଗାଁର କେତେ ଲୋକ ପକ୍ଷିଆ ଧରି ହାତରେ ଖଣ୍ଡେ ଖଣ୍ଡେ କୋଡ଼ି ଧରି ବିଲ ଆଡ଼େ ବାହାରି ପଡ଼ିଲେଣି । ଭାବୁଥିଲା ନିଜେ ଛତାଟା ଧରି ବିଲ ଆଡ଼େ ମାଡ଼ି ଯିବାକୁ । ଧାନ କିଆରିରୁ ପାଣି କାଟି ଦେବାକୁ । କିନ୍ତୁ–ଖଟରୁ ସେ ଉଠି ପାରିଲା ନାହିଁ । ଦେହରେ ତାର ଜର ଭର୍ତ୍ତି ହୋଇଛି । ଚାକର ମଧୁଆ ଏଇ କେତେଦିନ ହେଲା ତା ଭଉଣୀ ଘରକୁ ଯାଇଛି । ଏପର୍ଯ୍ୟନ୍ତ ଫେରିନାହିଁ । କ’ଣ କରିବ–କାହାକୁ ଯାଇ କହିବ,-–ଆଉ ଥରେ ବିଲ ଆଡ଼କୁ ଚାହିଁଲା । ଜଳାର୍ଣ୍ଣବ ସବୁଜ କ୍ଷେତ ଗୁଡ଼ିକ ଏକ ଭିନ୍ନ ରୂପରେ ତା ଦୃଷ୍ଟି ଉପରକୁ ଆସୁଛନ୍ତି–କିଛି ସମୟ ନୀରବତା ପରେ ଡାକିଲା ଚମ୍ପାକୁ....

କଣ କହୁଛ ? ମୋତେ ଟିକେ ପଦାକୁ ନିଅ । ବାରଣ୍ଡାରେ ଚେୟାର ପକାଇ ଦିଅ । ମୁଁ ସେଠାରେ ବସେ । ଶୋଇ ଶୋଇ ବଡ଼ ବିରକ୍ତ ଲାଗିଲାଣି ।

କ’ଣ ଏ ଥଣ୍ଡାରେ ପଦାରେ ବସିବ ? ଦେଖୁଛ ତ ବାହାରେ କିପରି ବର୍ଷା ହେଉଛି । ପବନ କେତେ ଜୋରରେ ବହୁଛି । ଜାଣୁଛ ତ ଜରଟା ମୋଟେ ଦେହରୁ ଓହ୍ଲାଉ ନାହିଁ–ମୁଣ୍ଡଟାକୁ କ’ଣ ଏମିତି କୁଣ୍ଡାଇ ଦେଲ ଯେ ମୁଣ୍ଡ ସାରା ଘା ହୋଇ ଗଲାଣି । ସେ ବି ଶୁଖୁ ନାହିଁ ।

 

କ’ଣ କରିବି ଚମ୍ପା । ଭାଗ୍ୟ ଖରାପ ଥିଲେ ସବୁ ବିପଦ ଆସି ପହଞ୍ଚେ । ମୁଣ୍ଡରେ କିଛି ନ ଥିଲା । ଭାତୁଡ଼ି ଭଳି କ’ଣ ହାତକୁ ଲାଗିଲା । ତାକୁ ମୁଁ ଟିକିଏ ନଖରେ ଛିଣ୍ଡେଇ ଦେଲି । ତା ପରେ ତାର ଅବସ୍ଥା ଏମିତି ହେଲା । ମୁଁ କଣ ଜାଣିଥିଲି ଏ ଏଭଳି ରୂପ ଧାରଣ କରିବ ବୋଲି । ପାଖରେ ଟିକିଏ ବସ । କ’ଣ କରୁଛ । ତୁମ ଔଷଧ କାଲିଠାରୁ ସରି ଯାଇଥିଲା, କାହା ହାତରେ ମଗାଇଲ ?

 

ମୁଁ ଆଉ ଔଷଧ ଖାଇବି ନାହିଁ । ଔଷଧ ଖାଇ ଲାଭ କିଛିନାହିଁ । କେବଳ ମରୀଚିକା ପଛରେ ଗୋଡ଼ାଇଲା ଭଳି ହେବ । ଦୁଇ ବର୍ଷ ନିଶିପଦ୍ମା ଦାଶ ଅକ୍ଳାନ୍ତ ପରିଶ୍ରମ କରି ବିଫଳଗାମୀ ହୋଇ ଗଲେଣି, ମୁଁ ମନରୁ ଆଶା ଛଡ଼େଇ ଦେଲିଣି ।

 

ଚମ୍ପା କଥା ଶୁଣି, ହାଡ଼ିବନ୍ଧୁ ହସି ଉଠି କହିଲା, ତୁମକୁ ମୋରି ରୋଗ ଧରିଲାଣି । ମୁଁ ଯେପରି ନିରାଶବାଦୀ ଭଳି ବସୁଥିଲି, ତୁମେ ମୋତେ ବୁଝାଉଥିଲ, ଧୈର୍ଯ୍ୟଧର କହୁଥିଲ–ଏବେ କିନ୍ତୁ ଓଲଟା ଦେଖା ଦେଲାଣି । ମୁଁ ଆଶାବାଦୀ ହେଲାବେଳକୁ ତୁମେ ନିରାଶବାଦୀ ହେଲଣି । ଆଚ୍ଛା ହେଉ । ସବୁ ଠିକ୍‌ ହୋଇଯିବ । ଧୈର୍ଯ୍ୟ ଧର । ମଣିଷ ଜୀବନ ସବୁବେଳେ ଖାଲ ଢିପ ଦେଇ ଗତି କରେ, ତାରି ଭିତରେ ନିଜକୁ ଗଡ଼େଇ ନେବାକୁ ପଡ଼ିବ । ବ୍ୟସ୍ତ ହେଲେ ଚଳିବ ନାହିଁ ? ହଁ ମୁଁ କ’ଣ କହୁଥିଲି କି କାହା ହାତରେ ଟଙ୍କା ଦଶଟା ଦେଇ ବାଲିଚନ୍ଦ୍ରପୁର ହାଟରୁ ମଗାଇ ଦିଅ ଏବଂ ଏହା ସହିତ ହାଟରୁ କିଛି ଅଙ୍ଗୁର ମୋ ପାଇଁ ଆଣ । ଆଜି କାହିଁକି ଅଙ୍ଗୁର ଖାଇବାକୁ ମୋର ଭାରି ଇଚ୍ଛା ହେଉଛି । ଏହା ବ୍ୟତୀତ ତୁମର ଏହା ଭିତରେ କେବେ ଜନ୍ମଦିନ ପଡ଼ିବ ? ଶାଢ଼ୀ ଖଣ୍ଡେ କିଣି ଆଣ । ବର୍ଷାଟା ହେଉଛି ନଚେତ ମୁଁ ଯାଇ ନେଇ ଆସନ୍ତି । କାହାକୁ କହିବ । କିଏ କିଣି ପାରିବ ? ଯଦି କାହାକୁ ନ ପାଉଛ ବର୍ଷା କମିଲେ ଚାଲ ସାଙ୍ଗହୋଇ ଶାଢ଼ୀ କିଣିଆଣିବା ।

 

ଚମ୍ପା ଆଉ ଟିକେ ପାଖକୁ ଲାଗିଆସି କହିଲା, ଦେହରେ ହାତ ମାରିଲ, ଦେଖିଲ ଜର କେତେ ଜୋରରେ ପୂରାଇଛି । ମୁଣ୍ଡରେ ଘା-ଗୁଡ଼ାକ କିପରି ମାଡ଼ି ଗଲାଣି, ନିଜ ଦେହ ପ୍ରତି ଟିକେ ନଜର ରଖ । ତୁମ ଦେହ ଅପେକ୍ଷା ମୋ ଜନ୍ମଦିନଟା କ’ଣ ଏତେ ମୂଲ୍ୟବାନ ? ଜନ୍ମଦିନ ଏ ବର୍ଷ ହେବନାହିଁ । କାହିଁକି ଜନ୍ମଦିନ ପାଳିବି ? କି ସଉକ୍‌ ମୋର ଅଛି ? ଯାହାପାଇଁ ସଂସାର ସେ ତ ଖଟରେ ଶୋଇଛି, ରୋଗରେ ଘାଣ୍ଟି ହେଉଛି ତା କଥା ଭାବିବି ନା ନୂଆ ଶାଢ଼ୀଟା ପିନ୍ଧି ଗାଁ ବାଲାଙ୍କୁ ଦେଖାଇ ହେବି ? ଦେଖୁଛି ତୁମେ ବି ପାଗଳ ହୋଇଗଲଣି ଚମ୍ପା । କାନ୍ଦ କାନ୍ଦ ମୁହଁରେ ହାଡ଼ିବନ୍ଧୁ ପାଦତଳେ ବସିପଡ଼ି କହିଲା, ଫୁଲ ଫୁଟିଲେ ବାସନା ହେବ, ନ ଫୁଟିଲେ କ’ଣ ବାସନା ହେବ ? ମନ ଭଲ ଥିଲେ ମଣିଷ ସଉକ୍‌ କରେ, ଜନ୍ମଦିନ ପାଳେ; କିନ୍ତୁ ଯେଉଁଠି ମନ ଖରାପ ଥାଏ ମଣିଷ କେବେ କ’ଣ କିଛି କରିପାରେ ?

 

କ’ଣ କରିବା ଚମ୍ପା, ଯାହା ଭାଗ୍ୟରେ ଥିବ ତାକୁ ଭୋଗିବାକୁ ପଡ଼ିବ । ତୁମେ ରୋକି ପାରିବ ନାହିଁ କି ମୁଁ ରୋକି ପାରିବି ନାହିଁ । ତଥାପି ଜୀବନ ଥିବା ପର୍ଯ୍ୟନ୍ତ ବଞ୍ଚି ରହିବାକୁ ପଡ଼ିବ ।

 

ହଉ–ଆକାଶକୁ ଚାହିଁଲା ହାଡ଼ିବନ୍ଧୁ, ନା, ବର୍ଷା ହେଉଛି କମି ନାହିଁ । ମଧୁଆ କେବେ ଫେରିବ ? ତା ଭାଇ ରଘୁଆକୁ କୁହ କାହା ହାତରେ ଖବର ଦେବ ସେ ଶୀଘ୍ର ଆସୁ, ବିଲ ବାଡ଼ି ଟିକେ ଦେଖୁ । ସବୁ ଉଜୁଡ଼ିଗଲା, ସବୁ ସର୍ବନାଶ ହୋଇଗଲା...... ।

 

ଚାଲ ଚାଲ କଟକ ଆଉ ଥରେ ଯିବା–ଆଠ ଦଶ ଦିନ ହୋଇଗଲା ଜର ଏପର୍ଯ୍ୟନ୍ତ କମିଲା ନାହିଁ, ଘା ଗୁଡ଼ାକ ମୋଟେ ଶୁଖିଲା ନାହିଁ । କେତେ ଇଞ୍ଜେକ୍‌ସନ୍‌ ନେଲଣି କିଛି ଲାଭ ହେଉନି ।

 

ଆଉ କୁଆଡ଼େ ଯିବା ଦରକାର ନାହିଁ । ଏ ଡାକ୍ତରମାନଙ୍କ ଉପରେ ମୋର ବିଶ୍ୱାସ କମି ଗଲାଣି । ସେମାନଙ୍କର କେବଳ ଲମ୍ବା ଲମ୍ବା କଥା ଶୁଣି ଶୁଣି ମୁଁ ବଡ଼ ବିରକ୍ତ ହୋଇ ଗଲିଣି । ସଂସାରରେ ରହିବାକୁ ଆଉ ଇଚ୍ଛା ହେଉନି । ଆଗ ପଛ ହୋଇ ସଂସାରରୁ ସମସ୍ତେ ବିଦାୟ ନିଅନ୍ତି-। ଯାହା ଜଣାପଡ଼ୁଛି ଖୁବ୍‌ ଶୀଘ୍ର ମୋତେ ସେହି ଦଶା ଭୋଗିବାକୁ ପଡ଼ିବ ।

 

ଚୋରକୁ ମାନ ମାରି ଖପରାରେ ଖାଇଲେ ଲାଭ କ’ଣ ଅଛି ? ଦେହ ଖରାପ ହୋଇଛି ଔଷଧ ଖାଇବାକୁ ପଡ଼ିବ, ତେଣିକି ଦେଖା ଯିବ । ରୋଗ ଦେହ ଭିତରେ ରହୁଛି କି ବାହାରି ଯାଉଛି-। ତୁମେ କ’ଣ ଭାବୁଛ ମୋତେ ମାଳ ଅପାଙ୍କ ଅବସ୍ଥା ଭୋଗିବାକୁ ପଡ଼ିବ । ଯେପରି ମାଳ ଅପାଙ୍କ ବର ରଘୁ ଭାଇ ଯକ୍ଷ୍ମା ରୋଗକୁ ଭଲ କରିବା ପାଇଁ ଔଷଧ ନ ଖାଇ ରେଳ ଲାଇନ୍‌ତଳେ ଆତ୍ମହତ୍ୟା କଲେ । ତାଙ୍କୁ କିଏ କହିଦେଲା ଯକ୍ଷ୍ମାରୋଗ ଭଲ ହୁଏନି । ଅଢ଼େଇ ବର୍ଷ ଭିତରେ ରୋଗୀ ମରିଯାଏ । ଦେଖିଲ ମାଳ ଅପା କି ଅବସ୍ଥା ଭୋଗ କରୁଛି । କେଡ଼େ ବଡ଼ ଘରର ଝିଅଟା କି ଡହଳ ବିକଳ ହୋଇ ଦିନ କାଟୁଛି । ଦିଅରଟା ତାକୁ ଭିନ୍ନେ କରି ଦେଇଛି । ଏକୁଟିଆ ଘରେ ପଡ଼ିରହିଛି, ବାପ ମା’ଙ୍କ ଦୟାରୁ ଯାହା ଆସୁଛି ତାକୁ ଖାଇ ପିଇ ଦିନ କାଟୁଛି । ବାପ ଘର ଅବସ୍ଥା ବି ଦିନକୁ ଦିନ ଖରାପ ହୋଇ ଗଲାଣି–ମାଳ ଅପା ବଡ଼ ଭାଇ ଚାକିରୀରୁ ବରଖାସ୍ତ ହୋଇ ଘରେ ବସି ରହିଛନ୍ତି । ତା’ର ଚାରିଟା ଝିଅ ଏପର୍ଯ୍ୟନ୍ତ ବାହା ହୋଇ ନାହାନ୍ତି । ମାଳ ଅପା ବାପା ଆଉ ଜମିବାଡ଼ି ଖବର ବୁଝି ପାରୁ ନାହାନ୍ତି । ଚାକର ବାକର କେହି ରହୁ ନାହାନ୍ତି । ସିଏ ବି ବଡ଼ ହଇରାଣରେ ଚଳୁଛନ୍ତି । ତୁମେ କ’ଣ ଚାହୁଁଛ ମୋତେ ସେହି ଅବସ୍ଥାରେ ପକାଇ ଚାଲିଯିବ ? ଦେଖ, ମୁଁ କହି ଦେଉଛି ତୁମେ ଯଦି ଏମିତି ଏକଜିଦିଆ ହୋଇ ବସି ରହିବ, ମୁଁ କ’ଣ ନା କ’ଣ କରିଦେବି । ତୁମେ ମୋଟେ ଜାଣି ପାରିବ ନାହିଁ ।

 

ଚମ୍ପା କଥା ଶୁଣି ହାଡ଼ିବନ୍ଧୁର ମନ ବଦଳି ଗଲା । ଚମ୍ପାକୁ ନିଜ ଉପରକୁ ଭିଡ଼ିନେଇ କହିଲା, ଛି ତୁମେ ଏତେ ତଳକୁ ଖସି ଯାଉଛ । ମୁଁ କ’ଣ ରଘୁଭାଇଙ୍କ ଭଳି ଏତେ ବଡ଼ ଭୁଲ୍‌ କାମଟା କରିବି ବୋଲି ତୁମେ ଭାବୁଛ ? ଏ ସଂସାର ଏ ଘର କାହାପାଇଁ ? ଆକାଶରେ ସୂର୍ଯ୍ୟ ଚନ୍ଦ୍ର ଥିଲା ଭଳି ଆମେ ଦୁହେଁ ଘରେ ପଡ଼ି ରହିଛେ–ସୂର୍ଯ୍ୟ ନ ଥିଲେ ପୃଥିବୀଟା ସବୁବେଳେ ଅନ୍ଧାର ଭିତରେ ବୁଡ଼ି ରହନ୍ତା ଏବଂ ଚନ୍ଦ୍ର ନ ଥିଲେ ରାତିଟା ସବୁବେଳେ ଅନ୍ଧାର ଭିତରେ ପଡ଼ି ରହନ୍ତା । ଚାନ୍ଦ ରାତି କଣ ଦେଖି ହୁଅନ୍ତା ? ଭାବି ଦେଖିଲ ? ଜହ୍ନ ଆଲୁଅର ରାତି ଅନ୍ଧାର ଅପେକ୍ଷା କେତେ ସୁନ୍ଦର, ଟିକେ ଚିନ୍ତାକରି ଦେଖିଲ । ତୁମେ ମୁଁ ଯଦି ଏ ଘରେ ନଥାନ୍ତେ ଏ ଘରର ଅବସ୍ଥା କ’ଣ ହୁଅନ୍ତା, ଅନ୍ଧାର ଠାରୁ ଆହୁରି ଭୟଙ୍କର ଏବଂ ଆହୁରି ବିଭତ୍ସ ହୋଇ ଉଠନ୍ତା । ତୁମକୁ ଛାଡ଼ି ମୁଁ କେବେ କ’ଣ କେଉଁଠି ରହି ପାରିବି, କଦାପି ନୁହେଁ ? ତୁମେ ପରା ମୋର ଅତି ନିଜର–କହିବାକୁ ଗଲେ ଦେହରୁ ଅଧେ । ଚାହିଁଲ ମୋ ଆଡ଼କୁ–ଚାଲ କାଲି କଟକ ଯିବା, ବଡ଼ ଡାକ୍ତରକୁ ମୋ ଦେହ ଦେଖାଇ ଆସିବା ।

 

ଦଶ

 

କଟକରେ ଡାକ୍ତରୀ ଚିକିତ୍ସା କରି କିଛିଦିନ ପରେ ହାଡ଼ିବନ୍ଧୁ ଗାଁକୁ ଫେରି ଆସିଲା । ସେଦିନ ସକାଳେ ହାଡ଼ିବନ୍ଧୁ ଦାଣ୍ଡ ପିଣ୍ଡାରେ ବେଞ୍ଚ ଉପରେ ବସିଥାଏ । ତା ଡାହାଣ ପାଖେ ଗୋଟିଏ ଔଷଧ ଶିଶି ଓ ଗ୍ଲାସ ଥୁଆ ହୋଇଥାଏ । ଘର ଭିତରେ ଝରକା ପାଖରେ ରେଡ଼ିଓରୁ ଗୀତ ଗୁଣୁ ଗୁଣୁ ବାଜୁଥାଏ । ହାଡ଼ିବନ୍ଧୁ ଔଷଧ ପିଇ ସାରିଲା ପରେ ଚୁପ୍‌ଚାପ ବସି ଖଣ୍ଡେ ବହି ଉପରେ ନଜର ରଖିଥାଏ । ଦେହରୁ ଜର କମି ଯାଇଥିଲେ ମଧ୍ୟ ମୁଣ୍ଡ ଘାଆ ଗୁଡ଼ାକ ଶୁଖି ନଥାଏ ।

 

ଢିଅ ସାହିର ମୁରଲୀ ଭାଇ ଆସି ପହଞ୍ଚିଲେ । ସେ କଲିକତାରେ ଚାକିରି କରନ୍ତି, କିନ୍ତୁ କି ଚାକିରି କରନ୍ତି କେହି ଠିକ ଭାବରେ କହିପାରନ୍ତି ନାହିଁ । ସିଏ ମଧ୍ୟ ସଠିକ୍‌ ଭାବରେ କାହାକୁ ନିଜ ଚାକିରି ବିଷୟରେ କହନ୍ତି ନାହିଁ । କିନ୍ତୁ ଯାହା ଜଣାଯାଏ କେତେବେଳେ କାହାକୁ କହିଛନ୍ତି ଚଟକଳରେ କାମ କରନ୍ତି, ଆଉ କେତେବେଳେ କହିଛନ୍ତି ମଟର କାରଖାନାରେ କାମ କରନ୍ତି, ଆଉ କେତେବେଳେ କାହାକୁ କହିଛନ୍ତି ଛୋଟକାଟିଆ ଖଣ୍ଡେ ଦୋକାନ କରିଛନ୍ତି ।

 

ଯେତେବେଳେ ମୁରଲୀ ଭାଇ ଗାଁକୁ ଆସନ୍ତି ବେଶ୍‌ ଫିଟ୍‌ ଫାଟ୍‌ ଦେଖାଯାନ୍ତି । ଗାଁକୁ ଆସିବା ପରେ ଦାମିକା ଲୁଙ୍ଗି ସହିତ ନାଇଲନ ଗଞ୍ଜି ଓ କାନ୍ଧରେ ଟରକିଷ୍ଟ ଗାମୁଛା ପକାଇ ଯିବା ଆସିବା କରନ୍ତି । ସେ ବହୁତ ବିଡ଼ି ଖାନ୍ତି । କଲିକତାରୁ ଫେରିଲାବେଳେ କଲିକତି ବିଡ଼ି ପୁଳାଏ ଧରି ଆସିଥାନ୍ତି । ସେଥିରୁ ଗାଁର ଭାଇବନ୍ଧୁମାନଙ୍କୁ କିଛି କିଛି ବାଣ୍ଟନ୍ତି ଓ ନିଜେ ଖାଆନ୍ତି । ମୁରଲି ଭାଇ କଥା କହିଲା ବେଳେ ମଝିରେ ମଝିରେ ଖଣ୍ଡି ବଙ୍ଗାଳି କଥା କହି ନିଜକୁ ବଙ୍ଗଳା ଭାଷାରେ ଦକ୍ଷତା ଅର୍ଜ୍ଜନ କରିଥିବାର ପରିଚୟ ଦିଅନ୍ତି । ଛୋଟ ଛୋଟ ପିଲାମାନେ ତାଙ୍କ ଆଗରେ ଚାଲିଗଲାବେଳେ ସେମାନଙ୍କୁ ଡାକି ବଙ୍ଗଳାରେ କହନ୍ତି କି ଖୋକା, କୋଥାଏ ଯାଛେନ୍‌ । ଏସୋ, ଏ ଦିଗେ, ଏହିପରି ଭାବରେ ପାଖ ଲୋକଙ୍କୁ ଶୁଣାଇ ଶୁଣାଇ କହନ୍ତି । କେତେକ ୟାଙ୍କ କଥା ଶୁଣି ହସନ୍ତି ଏବଂ କେତେକ କହନ୍ତି ମୂରଲି ଭଲ ବଙ୍ଗଳା କହି ଜାଣିଛି । ବହୁଦିନ କଲିକତାରେ ରହି ରହି ସବୁ ଶିଖି ଗଲାଣି । ସେ ଯାହା ହେଉ ମୂରଲୀ ଭାଇ ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ମିଶିଯାନ୍ତି । ତେଣୁ ସମସ୍ତଙ୍କ ପାଖରେ ସେ ଆଦରଣୀୟ । ତାଙ୍କର ଗୋଟିଏ ବଦ୍‌ଗୁଣ ସେ ବହୁତ ବଡ଼ ବଡ଼ କଥା କହନ୍ତି । ଏହି ଗୁଣ ଯୋଗୁ ଅଧିକାଂଶ ସମୟରେ ପାଠୁଆ ପିଲାଙ୍କ ପାଖରେ ଲଜ୍ଜିତ ହୋଇ ପଡ଼ନ୍ତି । ଯେଉଁ କେତେଦିନ ଗାଁରେ ରହନ୍ତି ମଝିଦାଣ୍ଡରେ ବସି ପଶା ଖେଳନ୍ତି । ପଶା ଖେଳିଲା ବେଳେ କାଠିକୁ ବଡ଼ ପାଟି କରି ଗଡ଼ାନ୍ତି । ତାଙ୍କର ଯୋଡ଼ିଦାର ଗୋପାଳିଆ ମହାନ୍ତି । କାରଣ ସେ ବିଡ଼ିଆକୁ ଏ ବିଡ଼ିଆ । ବିଡ଼ି ଟାଣିବାରେ କେହି କାହାକୁ ଊଣା ନୁହନ୍ତି । ଏହାଙ୍କ ବ୍ୟତୀତ ବଇଷିମ ସ୍ୱାଇଁ ଓ ଇନ୍ଦ୍ରମଣି ରାଉତ ମଧ୍ୟ ।

 

ନାଲି ଛିଟ ଲୁଙ୍ଗି ଓ ନାଇଲନ ଗଞ୍ଜି ସହିତ ଧଳା ହଳଦିଆ ମିଶା ଟରକିଷ୍ଟ ତଉଲିଆ କାନ୍ଧରେ ପକାଇ ମୁରଲୀ ଭାଇ ଆସି ହାଡ଼ିବନ୍ଧୁର ଡାହାଣ ପାଖରେ ବସି ପଡ଼ିଲେ । ପାନ ଚୋବାଉ ଚୋବାଉ କହିଲେ, କାଲି ରାତିରେ ଉମାବୋଉ ଠାରୁ ତୋ କଥା ଶୁଣି ମନଟା ମୋର ବଡ଼ ଖରାପ ହୋଇଗଲା । ଭାବିଥିଲି କାଲି ରାତିରେ ତୋ ପାଖକୁ ଆସିଥାନ୍ତି କିନ୍ତୁ ଉମାବୋଉ ମନା କଲା–କହିଲା ତା ଦେହଖରାପ ସେ ଶୋଇଥିବ । କାହିଁକି ତାକୁ ଯାଇ ଉଠାଇବ ? ପ୍ରକୃତ କଥା ରୋଗୀକୁ ରାତିରେ ଉଠାଇବା ଉଚିତ୍‌ନୁହେଁ ଭାବି ମନ ଦୁଃଖରେ ଶୋଇଲି–ଆଜି ସକାଳୁ ଉଠି ଚା’ କପେ ପିଇ ତୋତେ ଦେଖିବାକୁ ଚାଲି ଆସିଲି । ତୋ ଦେହ କେତେ ଭାଙ୍ଗି ଯାଇଛିରେ ? ଆରେ କଟକରେ ଏତେ ବଡ଼ ଡାକ୍ତର ଥାଉ ଥାଉ ତୋତେ କେହି ଭଲ କରି ପାରିଲେ ନାହିଁ ? ଏବେ କିପରି ଅଛୁ ? ଟିକେ ଭଲ ଅଛୁଟି ?

 

ହଁ ଆଗ ଅପେକ୍ଷା ଭଲ ଅଛି । ଜର କମିଗଲାଣି, କେବଳ ମୁଣ୍ଡ ଘାଆ ଗୁଡ଼ାକ ଶୁଖିନାହିଁ । ବହୁତ ଇଞ୍ଜେକ୍‌ସନ ନେଲିଣି ଔଷଧ ମଧ୍ୟ ଖାଇଲିଣି । ଦେଖାଯାଉ କ’ଣ ହେଉଛି । ଯେତେଦିନ ଭୋଗିବାକୁ ଥିବ, ଭୋଗିବାକୁ ପଡ଼ିବ, ଏହା ଛଡ଼ା ଉପାୟ କିଛି ନାହିଁ । ଚେଷ୍ଟା କରୁଛେ । ଚେଷ୍ଟା କରୁ କରୁ ଯେତେଦିନ ଯିବ । ଆଉ ସବୁ ମୁରଲୀ ଭାଇ ଭଲ ତ ? କଲିକତା ଖବର ସବୁ କ’ଣ ?

 

ଅଣ୍ଟାରୁ ବିଡ଼ି ଖଣ୍ଡେ ବାହାର କରି ପାଟିରେ ପୂରାଇ ଡିଆସିଲି କାଠି ମାରି ସାରିଲା ପରେ ମୂରଲୀ ଭାଇ କହିଲେ, କଲିକତାର ଖବର ବର୍ତ୍ତମାନ ଦାରୁଣ । ଓଠକୁ ସଙ୍କୁଚିତ କରି ଧୂଆଁ ଗୁଡ଼ିକ କୁଣ୍ଡଳି କୁଣ୍ଡଳି କରି ଉପରକୁ ଛାଡ଼ୁଥିବାର ଦୃଶ୍ୟ ଦେଖି ହାଡ଼ିବନ୍ଧୁର ଓଠରେ ଚେନାଏ ହସ ଟାଣି ଆଣିଲା । ସାମାନ୍ୟ ମୁରୁକି ହସ ହସି ହାଡ଼ିବନ୍ଧୁ କହିଲା, ବର୍ତ୍ତମାନ କଲିକତାରେ ଭୋଟ ଲଢ଼େଇ ଖୁବ୍‌ ଜୋରରେ ଚାଲିଥିବ, ନୁହେଁ ?

 

ଅତି ଦାରୁଣ । ପ୍ରଧାନମନ୍ତ୍ରୀ ଆସି ଚୌରଙ୍ଗୀରେ ସଭା କରି ଯିବାର ଠିକ୍‌ ପରେ ପରେ ବିରୋଧ ପାର୍ଟିର ନେତାମାନେ ଆସି ସଭା କରି ଯାଇଛନ୍ତି । ରାତିଦିନ କେବଳ ଭୋଟ ପ୍ରଚାର ଶୁଣି ଶୁଣି କାନ ସବୁ ଆମର ବଧିରା ହୋଇଗଲାଣି । ଇଏ କହୁଛି ମୋତେ ଭୋଟ ଦିଅ, ମୁଁ ତୁମ୍ଭମାନଙ୍କର ସବୁ ସୁବିଧା କରିଦେବି । ସିଏ କହୁଛି ମୋତେ ଭୋଟ ଦିଅ ମୁଁ ତୁମର ତା’ଠାରୁ ଅଧିକ ସୁବିଧା କରିଦେବି । କିନ୍ତୁ ଯେତୋଟି ଭୋଟ ଆମେ ସବୁ ଦେଲୁଣି କେହି ଆମର କିଛି ସୁବିଧା କରୁ ନାହାନ୍ତି । ଭୋଟ ପାଇ ସାରିଲା ପରେ ନିଜ ନିଜ ସୁବିଧାରେ ନେତାମାନେ ରହୁଛନ୍ତି ।

 

କ’ଣ ମୁଁ ଭୁଲ କହିଲି । ତୁ ଦେଖୁନୁ ଦରଦାମ ଆସି ସବୁ କୋଉଠି ପହଞ୍ଚିଲାଣି । ମୁଁ ଉମାବୋଉ ପାଖକୁ ପ୍ରତି ମାସରେ ଦୁଇଶହ ଟଙ୍କା ମନିଅର୍ଡ଼ର କରେ ଏବଂ ଏହା ବ୍ୟତୀତ ମଝିରେ ମଝିରେ ତେଲ, ସାବୁନ, ମସଲା ମସଲି କିଛି କିଛି ୟା ତା ହାତରେ ପଠାଏ, ତଥାପି ଉମାବୋଉର ସବୁବେଳେ ଆପତ୍ତି ତାଙ୍କ ମା’ ଝିଅକୁ ଦୁଇଶହ ଟଙ୍କା ଅଣ୍ଟୁ ନାହିଁ । ଘରେ ଧାନ ଥାଇ ମୁଁ ମସଲା ମସିଲି ଯୋଗାଇବା ପରେ ମା’ ଝିଅ ମୋତେ ଖାଇଯିବାକୁ ବସିଲେଣି । ସାବୁନ୍‌ଖଣ୍ଡିକ ଦୁଇଟଙ୍କା, ଶୋରିଷ ତେଲ କିଲୋ ଷୋଳ ଟଙ୍କା, ନଡ଼ିଆ ତେଲ କିଲୋ ପଚିଶ ଟଙ୍କା, ଲଙ୍କା କିଲୋ ଆଠ ଟଙ୍କା; କ’ଣ ଖାଇବୁ ଖା, କେତେ ରୋଜଗାର କରିବୁ କେତେ ଖର୍ଚ୍ଚ କରିବୁ କେତେ ଭଲ ମନ୍ଦକୁ ରଖିବୁ । ମୁଣ୍ଡ ମୋର ଖରାପ ହୋଇ ଯାଉଛି, କ’ଣ କରିବି କିଛି ଚିନ୍ତା କରି ପାରୁନି ।

 

ଝରକା ବାଟେ ହାତ ଗଳାଇ ହାଡ଼ିବନ୍ଧୁ ରେଡ଼ିଓ ବନ୍ଦ କରି କହିଲା–କିଛି ଅସୁବିଧା ହେବନାହିଁ, ଯୁଗକୁ ଚାହିଁ ଆମକୁ ଚାଲିବାକୁ ପଡ଼ିବ । ତୁମେ ତ ଚାକିରି କରିଛ ମାସକୁ ପାଞ୍ଚଶହ ପାଉଛ । କଉଡ଼ି ଭଳି ଟଙ୍କା ଗଣି ଆଣୁଛ–କିନ୍ତୁ ମୁଁ ? ଏହି ଚାଷ ଜମିରୁ ଯାହା ଆସିବ ସେଥିରେ ଆମେ ଦୁଇପ୍ରାଣୀ ଓ ଆମର ଭଲମନ୍ଦ ଖର୍ଚ୍ଚ । ତୁମେ ତ ଜାଣିଛ ଆଜି କାଲି ଚାଷରୁ କି ଲାଭ ମିଳୁଛି । ମୂଲିଆ ମଜୁରି ଦେଇ, ସାର କିଣି, ବିହନ କିଣି ଫସଲକୁ ଦିନ ରାତି ଜଗି ଘରକୁ ଆଣି ହିସାବ କଲା ବେଳକୁ ମୁଣ୍ଡ ଖରାପ ହୋଇ ଯାଉଛି । କ’ଣ କରିବୁ, ତାଟିଆ କାମୁଡ଼ି ରହୁଛୁ–ଉପାୟ ନାହିଁ । ଦେହ ଖରାପ ହେଲା ଦିନଠୁ ହଜାରେ ଟଙ୍କା ଖର୍ଚ୍ଚ ସରିଲାଣି, ଆଉ କେତେ ହେବ, ତାର ଠିକ୍‌ ଠିକଣା ନାହିଁ । ମୁଁ ସେ ବିଷୟରେ ଆଉ ଚିନ୍ତା କରୁନାହିଁ । ଚିନ୍ତା କରି କିଛି ଲାଭ ବି ନାହିଁ-

 

ମୁରଲୀ ଭାଇ ନମସ୍କାର, କ’ଣ କାଲି ଆସିଛ, ନିଅ ଚା କପେ ପିଅ । ଚମ୍ପା କହିଲା ।

 

ଚମ୍ପା ହାତରୁ ଚା କପଟା ନେଇ ମୁରଲୀ ଭାଇ କହିଲେ, କିଲୋ ଚମ୍ପା ତୁ କ’ଣ ଏମିତି ହୋଇ ଗଲୁଣି, ଖିଆ ପିଆ ଆଉ କିଛି କରୁନୁ କି ? ଛେନା, ଗୁଡ଼ ଖିଆ ଏବେ ବନ୍ଦ କରି ଦେଲୁଣି ? କେତେ ଛେନା ଗୁଡ଼ ଚକଟି ତୁ ଖାଉଥିଲୁ ଲୋ । ଭିକା ମା ତୋତେ କେତେ ଭଲ ପାଉଥିଲା । କେତେ ଛେନା ତୋତେ ନୁଚେଇ ନୁଚେଇ ଦେଉଥିଲା । ତୋ ବୋପାର ଧାନ ଓଳିଆ ସଫା କରି ଦେଉଥିଲା । ଏବେ ସେ ଅଭ୍ୟାସ ଛାଡ଼ି ଦେଲୁଣି ?

 

ଆଉ ସେ ବୟସ ନାହିଁ ମୁରଲୀ ଭାଇ । ଚମ୍ପା ଏବେ ମଉଳିବାକୁ ଆରମ୍ଭ କଲାଣି । ତୁମେ କ’ଣ ଦେଖି ପାରୁନା ? ଚମ୍ପା ହସି ହସି କହିଲା ।

 

ତୋ ଭଳି ଚମ୍ପା ଏତେ ଶୀଘ୍ର ମଉଳିବ ବୋଲି ମୁଁ ବିଶ୍ୱାସ କରି ପାରୁନି–ତୁ କାଠଚମ୍ପା ନୁହେଁ ଚିନିଚମ୍ପା । ତୋର ରଙ୍ଗ ଭିନ୍ନ, ତୋର ବାସ ଭିନ୍ନ । ଯା, ପାନ ଦିଖଣ୍ଡ ଆଣ, ଚୁନ ଟିକେ ବେଶି ଦେବୁ, ଖଇର ମୋଟେ ଦେବୁନୁ ।

 

ଏବେ ତୁମେ ବେଶି ପାନ ଖାଇଲଣି । କଲିକତାରେ ଅଭ୍ୟାସ ହୋଇ ଗଲା, ନୁହେଁ । ଚମ୍ପା କହିଲା ।

 

ହଁ, ଏ ପାନଖିଆ ଅଭ୍ୟାସଟା କଲିକତାରେ ହୋଇଗଲା । ଆଉ ସବୁ ଖବର କଣ କହ-? କାଲି ରାତିରେ ଘରେ ପହଞ୍ଚି ହାଡ଼ିବନ୍ଧୁ କଥା ଶୁଣି ମନ ଭଲଲାଗିଲା ନାହିଁ । ରାତିରେ ଆସିବାକୁ ଇଚ୍ଛା ଥିଲା । କିନ୍ତୁ ଅନେକ ରାତି ହୋଇ ଯାଇଥିଲା ।

 

କ’ଣ କରିବା ଭାଇ, ଯେତେବେଳେ ଯାହା ଆସୁଛି ଭୋଗିବାକୁ ପଡ଼ୁଛି । ମୁଁ ଆଉ ଏସବୁ ବିଷୟ କିଛି ଚିନ୍ତା କରୁନି । ଅନନ୍ତ ଗୋପାଳଙ୍କ ହାତରେ ସବୁ ଛାଡ଼ି ଦେଇଛି । ସେ ଯାହା କରିବା । ଆମ ଭାଗ୍ୟ ତ ସବୁବେଳେ ଖରାପ, ଆମେ ଆଉ କାହାକୁ କହିବୁ । ଆଗକୁ କିଏ ଅଛି ନା ପଛକୁ କିଏ ଅଛି, ଆମ ପାଇଁ ଛିଡ଼ା ହେବ । ଭଗବାନକୁ ଏତେ ଡାକି ଡାକି କୋଳକୁ ଛୁଆଟିଏ ଦେଲେନି । ଆଉ କାହା ଆଗରେ ଆମେ ଗୁହାରି କରିବୁ । ୟାଙ୍କ ଦେହ ଖରାପ ଦିନଠାରୁ ମୁଁ ସବୁ ଭୁଲି ଯାଇଛି । ଆମ ଭାଗ୍ୟ, ଚମ୍ପା ଲୁଗା କାନିରେ ମୁହଁ ପୋଛିଲା । ଆଖି ଦିଟା ଜକେଇ ଆସିଲା ।

 

ମୂରଲୀ ଭାଇ ସାନ୍ତ୍ୱନା ଦେଇ କହିଲେ, ତୁ ଏମିତି ଅଧୈର୍ଯ୍ୟ ହେଲେ ଚଳିବ । ଏ ପରା ମଣିଷ ଜୀବନ, ପଥର ଠାରୁ ଖୁବ୍‌ ଟାଣ । ଆଉ ଲୁହା ଠାରୁ ଖୁବ୍‌ ଶକ୍ତ । ରକ୍ତମାଂସରେ ଏ ଶରୀର ଗଢ଼ାହେଲେ ମଧ୍ୟ ଭଗବାନ ମନଟାକୁ ଖୁବ୍‌ ମଜଭୁତ୍‌ କରି ଛାଡ଼ି ଦେଇଛନ୍ତି । ମନ ଟାଣକରି ରଖ, ଦେଖିବୁ ସବୁ ବିପଦ ତୋର ମନ ପାଖରେ ହାର ମାନି ଚାଲିଯିବ । ଆଚ୍ଛା ତୁ କହିଲୁ ମୋର ଅବସ୍ଥା କ’ଣ ଥିଲା । ମୋ ବାପା କିଛି ଜମିବାଡ଼ି ମୋ ପାଇଁ ରଖିଥିଲା ? ସବୁ ବିକି ଭାଙ୍ଗି ଅଫିମ ଖାଇଥିଲା । ମୁଁ ଜନ୍ମ ହେଲା ବେଳକୁ ମୋ ବାପା ପାଖରେ ଥିଲା ମାତ୍ର ସାତଗୁଣ୍ଠ ଜମି । ସେ ପୁଣି ଥିଲା କୋଉଠି କହିଲୁ ? ବଡ଼ ଯୋର ସେପଟରେ ମାନେ ସାହାରା ବାଙ୍କରେ, ଯେଉଁଠାରେ କି ପ୍ରତିବର୍ଷ ଧାନ ଧୋଇଯାଏ । ତଥାପି ମା ମୋର ସାହସ ବାନ୍ଧିଥାଏ । ମୋତେ ପାଞ୍ଚବର୍ଷ ବେଳକୁ ବାପା ମଲା । ମା ସେହି ସାତଗୁଣ୍ଠ ଜମିକୁ ନିଜ ହାତ ମୁଠାରେ ରଖି ଚାରି ଚାରିଟା ଗାଈ ପାଳି ମୋତେ ପୋଷିଲା । ଜମିରୁ ଗୁଣ୍ଠେ ବିକ୍ରି କଲା ନାହିଁ । ମା ର ମୋର ସାହସ ବହୁତ ଥିଲା । ସେହି ସାତଗୁଣ୍ଠ ବର୍ତ୍ତମାନ ସାତମାଣ ହେଲା ।

 

ହାଡ଼ିବନ୍ଧୁକୁ ପଚାରେ ସେ ସବୁ କହିବ । ଏଣୁ ମୋ କହିବା କଥା, ସବୁ ଧୈର୍ଯ୍ୟଧରି ଦିନ ଗଡ଼େଇ ନେ ଦେଖିବୁ ସବୁ ବିପଦ ଗୁଡ଼ିକ ଲହଡ଼ି ଆସିଲା ଭଳି କ୍ଷଣକ ଭିତରେ ଆସି ପୁଣି ଫେରିଯିବ ।

 

ହଉ, ତୁମ୍ଭମାନଙ୍କ କଥା ମନରେ ରଖି ଅଣ୍ଟା ଭିଡ଼ି ବସିଛି । ଯାହା ହେବାର ହେଉ । ନୂଆବୋଉ ଭଲ ଅଛି ? ଉମା କାହିଁକି ଏବେ ଆମ ସାହିକୁ ଆସୁନି–ଘରେ ନାହିଁକି ? ଚମ୍ପା ପଚାରିଲା ।

 

ଉମା ଆଉ ଯିବ କୁଆଡ଼େ ଘରେ ଅଛି । ତା ମା’କୁ ସାହାଯ୍ୟ କରୁଛି । ତା ମା’ର ଏବେ ଟିକେ ଅଣ୍ଟା ଧରିଛି । ବେଶି କାମ ଧନ୍ଦା କରି ପାରୁନି । ଏ ତାର ପୁରୁଣା ରୋଗ । କଲିକତା ବାଲିଗଞ୍ଜରୁ ଗୋଟିଏ ତେଲ ଅଣ୍ଟାରେ ଘଷିବା ପାଇଁ ଆଣିଥିଲି ତାକୁ ଘଷୁଛି, ଟିକେ କମିଛି । ଆଚ୍ଛା ହେଉ ତୁମେ ବସ ମୁଁ ଯାଉଛି । ଆଉ କେତେବେଳେ ସମୟ ପାଇଲେ ଆସିବି । ମୁରଲୀ ଭାଇ ଉଠି ଆସିଲେ । ଚମ୍ପା ଓ ହାଡ଼ିବନ୍ଧୁ ଘର ଭିତରକୁ ଆସିଲେ ।

 

ଏଗାର

 

ହାଡ଼ିବନ୍ଧୁ ଖଟ ଉପରେ ଶୋଇଛି । ଚମ୍ପା ତାର ପାଦତଳେ ବସି ଗୋଡ଼ ଆଉଁସୁଛି । ଦିନ ଦିପ୍ରହର ହେବ । ମଧୁଆ ଗୁହାଳ ଘରେ ବସି ପଘା ବଳୁଛି । ନାଲିଗାଈଟା ଭାରି ଦୁଷ୍ଟ ହୋଇଛି, ମାସକ ଭିତରେ ଦୁଇଟା ପଘା ଛିଣ୍ଡାଇ ସାରିଲାଣି । ଏଥିପାଇଁ ମଧୁଆ ବଡ଼ ବିରକ୍ତ ହେଉଛି । ବଡ଼ ମାରଣା ଗାଈଟା ଆସନ୍ତା ବର୍ଷକୁ ତାକୁ ବିକ୍ରି କରି ଦେବାପାଇଁ ବାରମ୍ବାର କହିଲାଣି-। କଣ ତୁମର ଇଚ୍ଛା କହିଲ । ଚମ୍ପା ପଚାରିଲା ।

 

ହାଡ଼ିବନ୍ଧୁ କଡ଼ ନେଉଟାଇ ଡାହାଣ ଗୋଡ଼ଟାକୁ ଚମ୍ପା ଜଙ୍ଘ ଉପରେ ରଖି କହିଲା, ନାଲି ଗାଈଟା ମାରଣା ସତ, କିନ୍ତୁ ଦୁଧିଆଳି । ତାକୁ ବିକିଲେ ଆଉ କ’ଣ ସେହିଭଳି ଗାଈଟା ମିଳିବ ! ମଧୁଆକୁ କୁହ ଟିକେ ସାବଧାନ ହୋଇ ଚଳିବ । ମୁଁ ଭଲ ହୋଇଗଲା ପରେ ସେ ଗାଈର ଦାୟିତ୍ୱ ନେବି, ତାକୁ ଚିନ୍ତା କରିବାକୁ ପଡ଼ିବ ନାହିଁ ।

 

ମୁଁ ତାକୁ ସେହି କଥା କହିଛି ।

 

କ’ଣ ସେ କହିଲା ! ହାଡ଼ିବନ୍ଧୁ ପଚାରିଲା ।

 

ସେ ଚୁପ୍‌ରହିଲା କ’ଣ ଆଉ କହିବ । ତା’ର ଇଚ୍ଛା ଏ ଗାଈଟା ବିକ୍ରି କରି ତା ମାଉସୀ ଗାଈଟା ଆଣିବାକୁ । ମୋତେ ଆଗରୁ ଦୁଇ ଚାରିଥର କହିଥିଲା ମୁଁ ହୁଁ ହାଁ ମାରିଥିଲି; କିନ୍ତୁ କିରଣ ମା’ଠାରୁ ଯାହା ବୁଝିଲି କିଣିବା କଥା ନୁହେଁ । ଗାଈଟା ଦେଖିବାକୁ ଡଉଲ ଡାଉଲ ଓ କଳା ରଙ୍ଗ; କିନ୍ତୁ କ୍ଷୀର ମୋଟେ ଚାରିମାସ ଦେବ, ସେଥିପାଇଁ ମନ ହେଉ ନାହିଁ ।

 

ଭଲ କରିଛ । ମୋତେ ମଧ୍ୟ କହିଥିଲା ମୁଁ ତାକୁ ମନା କରିଥିଲି ।

 

ଚମ୍ପା, ଗୋଡ଼ତଳୁ ଆଉ ଟିକେ ଅଣ୍ଟା ପାଖକୁ ଉଠିଆସିଲା । ହାଡ଼ିବନ୍ଧୁର ଅଣ୍ଟା ଉପରେ ହାତ ଭରା ଦେଇ କହିଲା–ତୁମେ ଜାଣିଛ, ମଧୁଆ ଏବେ ମାନୁଅପା ଝିଅ ସୁମି ପାଖକୁ ବେଶି ଯିବା ଆସିବା କରୁଛି । ସେ ଟୋକିଟା ଠିକ୍‌ ଖରାବେଳେ ଗାଡ଼ିଆ ପାଖକୁ ସାଗ ତୋଳିବାକୁ ଚାଲି ଆସୁଛି । ମଧୁଆ ଗାଡ଼ିଆରେ ହାତ ଧୋଇବା ନାଁରେ ଚାଲି ଯାଉଛି–ସେଠାରେ ବେଶ୍‌ ଟୁପ୍‌ଟାପ୍‌, ଫୁସ୍‌ ଫାସ୍‌ ହେଉଛନ୍ତି । ମୁଁ ଦୁଇ ଚାରିଥର ଦେଖିଲିଣି । ମାନୁଅପାକୁ ଯଦିଓ ଏ କଥା ନ କହିଛି, ଅନ୍ୟ ବାଟରେ ତାଗଦା କରି ଦେଇଛି । ସୁମିକୁ ଆଉ ଏକୁଟିଆ ବୁଲିବାକୁ ଛାଡ଼ ନାହିଁ । ଟୋକିଟା ଭାରି ଚାଲୁଅଛି । ମଧୁଆ ସଙ୍ଗେ ଯୋଡ଼ି ବାନ୍ଧିବାକୁ ଭାରି ଦୌଡ଼ୁଛି ।

 

ଦୌଡ଼ୁ ତୁମର କ’ଣ କ୍ଷତି ହେଉଛି । ବୟସରେ ରଙ୍ଗ ଲାଗିଲେ ସବୁ ପୁଅ ଝିଅ ଏମିତି ହୁଅନ୍ତି । ତୁମେ କିପରି ମୋ ପାଖକୁ ଦୌଡ଼ୁଥିଲ, ମନେ ପକେଇଲ ?

 

ହଁ, ମୁଁ ତୁମ ପାଖକୁ ଦୌଡ଼ୁଥିଲି ନା ତୁମେ ମୋ ପାଖକୁ ଦୌଡ଼ୁଥିଲ ଭଲକରି ମନେ ପକେଇଲ ? ସୁମିଟା କେଡ଼େ ସୁନ୍ଦରୀ ଝିଅ, ଏ ମଧୁଆ ଛତରାକୁ ବାହାହେବ । ତା ବୋଉ କହୁଥିଲା ତା ବାପା ସୁମି ପାଇଁ କଟକରେ ଚାକିରିଆ ବର ଠିକ୍‌ କରିଛି । ମାସକୁ ତିନିଶହ ଟଙ୍କା ଦରମା ପାଉଛି ।

 

କଟକରେ ଚାକିରି କରିଥିବା ତିନିଶହ ଟଙ୍କା ବର ଅପେକ୍ଷା ଏ ଖୁବ୍‌ ଭଲ । ମଧୁଆ ଦେଖିବାକୁ କିଛି ଖରାପ ନୁହେଁ । ଟୋକାଟା ବେଶ୍‌ ହୃଷ୍ଟ ପୃଷ୍ଟ ହୋଇଛି । ଜମିବାଡ଼ି ଦି ଚାରିମାଣ ଅଛି । ଆମ ଘରେ ଚାକିରି କରିଛି । ଗାଁରେ ଖାଇ ପିଇ ଆରାମରେ ଅଛି, ମନ୍ଦ କ’ଣ ? ମୁଁ ଭାବୁଛି, ସୁମି ମଧୁଆକୁ ବିଭାହେଲେ ଖୁବ୍‌ ଭଲହେବ । ତାଙ୍କ ବାହାଘର ନେଇ ତୁମେ ମୁଣ୍ଡ ଖେଳାଉଛ କାହିଁକି ? ମିଆଁ ବିବି ତୋ ରାଜି, କ୍ୟା କରେଗା ପାଜି । ଛାଡ଼ ତାଙ୍କ କଥା, ତୁମେ ତାଙ୍କୁ ଛାଡ଼ିଦେଇ, ସେମାନଙ୍କ ପ୍ରେମଲୀଳା ଦେଖ । ଅବଶ୍ୟ ତୁମେ କହିପାର; ସେମାନେ ତୁମ ଅପେକ୍ଷା ପ୍ରେମଲୀଳା ବେଶି ଶିଖି ନାହାନ୍ତି । ତୁମେ ପ୍ରେମଲୀଳାର ଏକ ସ୍ୱତନ୍ତ୍ର ତାଲିମ ପାଇଛ ।

 

ଚମ୍ପା ହାଡ଼ିବନ୍ଧୁର ନାକଟାକୁ ଚିମୁଟି ଦେଇ ଛାତି ଉପରେ ଭରାଦେଇ ଚୁପ୍‌ଚାପ୍‌ କହିଲା, ତୁମ ଭଳି ରସିକ ବରକୁ ମୁଁ ଛାଡ଼ିଥିଲେ କଣ ବଞ୍ଚି ପାରିଥାନ୍ତି । ସତରେ ମଧୁଆ ଓ ସୁମିକୁ ଦେଖିଲେ ମୋ ମନ ଭିତରେ ଅତୀତର ସେହି ଅଭୁଲା ଦିନ ଗୁଡ଼ାକ ଏତେଶୀଘ୍ର ଚାଲି ଆସୁଛି ଯେ, ମୁଁ ସବୁ କାମ ଛାଡ଼ିଦେଇ କେବଳ ସେହିକଥା ଭାବୁଛି । ଦିନ ସେତେବେଳେ କ’ଣ ଥିଲା ଏବେ କ’ଣ ହୋଇଛି । କିନ୍ତୁ ମୁଁ ଭାବୁଛି ମଧୁଆ ଅପେକ୍ଷା ତୁମେ ଆହୁରି ଦୁଷ୍ଟ ଥିଲ ।

 

ଅବଶ୍ୟ ! ଯେହେତୁ ସୁମି ଅପେକ୍ଷା ତୁମେ ଆଉ ଟିକେ ଅଧିକ ସୁନ୍ଦରୀ ଥିଲ ।

 

ଦାଣ୍ଡ ପାଖ ଦରଜାରେ କିଏ ଖଟ ଖଟ କଲା । ଦେଖିଲ କିଏ ଖଟ ଖଟ କରୁଛି । ହାଡ଼ିବନ୍ଧୁ କହିଲା ।

 

ଚମ୍ପା ଖଟ ଉପରୁ ଉଠି ଅସଂଯତ ଲୁଗାକୁ ସଜାଡ଼ି ଆଣିଲା । ଅଇନା ଆଗରେ ଛିଡ଼ା ହୋଇ ମୁହଁକୁ ଭଲ ଭାବରେ ଦେଖି ନେସରା ହୋଇଥିବା ସିନ୍ଦୂର ଟୋପାକୁ ଲୁଗା କାନିରେ ପୋଛି କହିଲା–ମୁଁ ଦେଖୁଛି ଦିନକୁ ଦିନ ତୁମ ବୟସ ବଢ଼ିବା ପରିବର୍ତ୍ତେ କମି କମି ଆସୁଛି । ଭଗବାନଙ୍କୁ ମଣିଷ ତପସ୍ୟା ବଳରେ ଅକ୍ତିଆର କରି ପାରିବ, କିନ୍ତୁ ତୁମ ଭଳି ସ୍ୱାମୀକୁ ଅକ୍ତିଆର କରିପାରିବ ନାହିଁ ।

 

ଚମ୍ପା ପଦାକୁ ବାହାରି ଆସିଲା । ହାଡ଼ିବନ୍ଧୁ ଖଟ ଉପରେ ନୀରବରେ ଶୋଇ ରହିଲା । କିଛି ସମୟ ପରେ ଚମ୍ପା ହାତରେ ଖଣ୍ଡେ ଚିଠି ଧରି ପହଞ୍ଚିଲା । ମୋହନ ଭାଇ ଚିଠି ଦେଇଛନ୍ତି । ଆଜି ରାତିରେ ଆସି ପହଞ୍ଚିବେ, ସାଙ୍ଗରେ ଯୋଗି ବଇଦକୁ ଆଣିବେ ।

 

କେଉଁ ଯୋଗି ବଇଦ, ହାଡ଼ିବନ୍ଧୁ ପଚାରିଲା ।

 

ଯୋଗି ବଇଦ ବିଷୟରେ ଥରେ ମୋତେ କହୁଥିଲେ । ମୁଁ ତାଙ୍କୁ କହିଥିଲି ଡାକି ଆଣିବାକୁ । ଭାରି ଭଲ ବଇଦ । ବହୁ ବଡ଼ ବଡ଼ ରୋଗକୁ ଖୁବ୍‌ ସହଜରେ ଭଲ କରି ପାରୁଛନ୍ତି । ମୋହନଭାଇ କହୁଥିଲେ ଭୁବନେଶ୍ୱରରେ କେଉଁ ମନ୍ତ୍ରୀଙ୍କ ସ୍ତ୍ରୀକୁ ଭଲ କରି ଦେଲେ ଯେ ମନ୍ତ୍ରୀ ତା କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଦୁଇ ହଜାର ଟଙ୍କା ପୁରସ୍କାର ଦେଲେ ଏବଂ ଏହାଛଡ଼ା ଆଉ କିଛି ଜିନିଷ ଉପହାର ଦେଲେ । ମନ୍ତ୍ରୀଙ୍କ ସ୍ତ୍ରୀର ଗୋଟିଏ ଗୋଡ଼ ପୂରା ଅଚଳ ହୋଇ ଯାଇଥିଲା ବହୁ ବଡ଼ ବଡ଼ ଡାକ୍ତର ଠାରୁ ଔଷଧ ଖାଇଲେ ମଧ୍ୟ ମୋଟେ ଭଲ ହେଉ ନ ଥିଲା । ମନ୍ତ୍ରୀ ଆଶା ଛଡ଼େଇ ବସିଥିଲେ କିନ୍ତୁ କାହାଠାରୁ ଖବର ପାଇ ଯୋଗି ବଇଦକୁ ଡକାଇ ପଠାଇଲେ ଏବଂ ବଇଦ ଠାରୁ ଦୁଇମାସ ଔଷଧ ଖାଇ ସାରିବା ପରେ ତାଙ୍କ ସ୍ତ୍ରୀ ପୂରା ଭଲ ହୋଇଗଲେ । ଶୁଭୁଛି, ମୁଁ କ’ଣ କହୁଛି । ମୋତେ କ’ଣ ଚାହୁଁଚ । ବିଶ୍ୱାସ ହେଉନି ? ତୁମକୁ ମୋ ରାଣ, ତୁମେ ତାଙ୍କୁ ମନା କରିବ ନାହିଁ । ବହୁ କଷ୍ଟରେ ସେ ଆମ ଘରକୁ ଆସୁଛନ୍ତି । ଏବେ ସେ ବଇଦର ଏତେ ନାଁ ହୋଇ ଯାଇଛି ଯେ ତା ପାଦ ପାଖକୁ ଲୋକ ଗାଡ଼ି ମଟର ଧରି ଛୁଟୁଛନ୍ତି । କେବଳ ମନୁଲେଙ୍କା ତାର ଭଲ ଜଣା ଶୁଣା ଥିବାରୁ ତା ପୁଅକୁ ଦେଖିବାକୁ ନିଳାମ୍ବରପୁର ଆସିଥିଲା । ମୋହନ ଭାଇ ଏ ଖବର ପାଇ ମନୁ ଲେଙ୍କାକୁ କହିବାରୁ ମନୁଲେଙ୍କା ମୋହନ ଭାଇ କଥା ଭାଙ୍ଗି ନ ପାରି ତୁମ ପାଖକୁ ପଠାଉଛନ୍ତି-। ବୁଝିଲ, ସତରେ ତୁମେ ତାଙ୍କୁ କିଛି ନ କହି ଦେହ ଦେଖାଇବ । ଯାହା ସେ ଔଷଧ ଦେବ ଆଖିବୁଜି ଗ୍ରହଣ କରିବ । କ’ଣ ମୁଁ ଯାହା କହିଲି ତା କରିବ କି ନାହିଁ କହିଲ ?

 

ଚମ୍ପା କଥା ଶୁଣି ସାରିବା ପରେ ହାଡ଼ିବନ୍ଧୁ ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇ ବିଛଣାରୁ ଉଠି ଖଟ ଉପରେ ବସି କହିଲା–ହଉ ଗୋଟାଏ ଗ୍ଲାସ ପାଣି ଆଣ ପିଇବା ।

 

ବସ ମୁଁ ଆଣି ଦେଉଛି । ଚମ୍ପା ପାଣି ପାଇଁ ଚାଲିଗଲା । ହାଡ଼ିବନ୍ଧୁ ମୋହନ ଭାଇ ଦେଇଥିବା ଚିଠିକୁ ତନ୍ନ ତନ୍ନ କରି ପଢ଼ିଗଲା ।

 

ନିଅ, ପାଣି ପିଇ ଦିଅ–ଚମ୍ପା କହିଲା ।

 

ଚମ୍ପା ହାତର ପାଣିଗ୍ଲାସଟା ନେଇ ହାଡ଼ିବନ୍ଧୁ ଏକା ଥରକେ ପିଇସାରି ଚମ୍ପା କାନିରେ ମୁହଁକୁ ପୋଛି କହିଲା, ବସ ଖଟ ଉପରେ । ଚମ୍ପା ଖଟ ଉପରେ ବସିଲା । ହାଡ଼ିବନ୍ଧୁ କହିଲା, ତୁମେ କ’ଣ ଏ ଯୋଗି ବଇଦକୁ ବିଶ୍ୱାସ କରୁଛ ?

 

ହଁ, ମୋର ବିଶ୍ୱାସ ହେବାରୁ ମୁଁ ଡକେଇ ପଠେଇଲି ।

 

ଯଦି ଇଏ ଭଲ ନ କରେ, ହାଡ଼ିବନ୍ଧୁ କହିଲା ।

 

ନିଶ୍ଚୟ ଭଲ କରିବ । ମୁଁ ସ୍ୱପ୍ନ ଦେଖିଛି ତୁମେ ତାଙ୍କରି ଔଷଧ ଖାଇ ଭଲ ହୋଇଛ ।

 

ଚମ୍ପା କଥା ଶୁଣି ହାଡ଼ିବନ୍ଧୁ ହସି ଉଠିଲା । ଭାବୁଛି ତୁମ ମୁଣ୍ଡ ଖରାପ ହୋଇ ଗଲାଣି । କଟକର ବିଲାତ ଫେରନ୍ତା ଡାକ୍ତର ଯେଉଁଠି ହାରି ଯାଉଛି ସେଠି ଏ ଚେର ମୂଳି ଡାକ୍ତର ଜିତିବ କିପରି ? ଅର୍ଥ କେବଳ ଶ୍ରାଦ୍ଧ ହେବ, ଏହା ଛଡ଼ା ଅନ୍ୟ କିଛି ନୁହେଁ ।

 

ହାଡ଼ିବନ୍ଧୁ କଥା ଶୁଣି ଚମ୍ପା ସାମାନ୍ୟ ବିରକ୍ତ ହୋଇ କହିଲା, ମୁଁ ଜାଣେ ତୁମେ ଏଇ କଥା କହିବ । କିନ୍ତୁ ତୁମେ ବିଶ୍ୱାସ କର, ନିଶ୍ଚୟ ଭଲ ହୋଇଯିବ । ହାଡ଼ିବନ୍ଧୁର ଦୁଇ ହାତକୁ ଧରି ଚମ୍ପା ଅତି ନେହୁରା ଭାବରେ କହିଲା, କ’ଣ ମୋ କଥା ମାନିବ ନା ?

 

ଚମ୍ପା ମୁହଁ ଉପରେ ହାଡ଼ିବନ୍ଧୁ କ୍ଷଣକ ଭିତରେ ଆଖି ବୁଲେଇ ଆଣିଲା । ଚମ୍ପା କି ବିକଳ ହୃଦୟରେ ତାକୁ ନେହୁରା କରୁଛି । ସ୍ୱାମୀର ଦେହ ଖରାପ ହେଲେ ସ୍ତ୍ରୀ ସତରେ କ’ଣ ଏତେ ବିଚଳିତ ହୋଇପଡ଼େ, ସେ କେବେ ଏଭଳି ଅବସ୍ଥା ଦେଖି ନ ଥିଲା । ତା ମୁହଁରୁ ଶେଷ ସିଦ୍ଧାନ୍ତ ବାଣୀ ଶୁଣିବା ପାଇଁ ଚମ୍ପା ବଡ଼ ନିର୍ଲିପ୍ତ ନୟନରେ ପୁନର୍ବାର ପଚାରିଥିଲା । କ’ଣ କୁହ ଯୋଗି ବଇଦ ଆସିଲେ ତାକୁ ଦେହ ଦେଖାଇବାକୁ ମନା କରିବ ନାହିଁଟି ?

 

ହଉ ସେ ବୈଦ୍ୟ ଆସନ୍ତୁ, ଏତେ ବ୍ୟସ୍ତ କାହିଁକି । ମୁଁ ତୁମ କଥାରୁ କେବେ ପଦାକୁ ବାହାରି ଯିବିନାହିଁ । ହାଡ଼ିବନ୍ଧୁ କହିଲା ।

 

ହାଡ଼ିବନ୍ଧୁ କଥା ଶୁଣି ଚମ୍ପା ମୁହଁରେ ହସ ଫୁଟିଲା । ସେହି ହସ ଭିତରେ କହିଲା–ଭଗବାନ ! ତୁମେ ଯଦି ମନା କରିଥାନ୍ତ ମୁଁ ବେହୋସ ହୋଇ ପଡ଼ିଥାନ୍ତି । ଆଚ୍ଛା କହିଲ ତୁମ ଦେହ ଭଲ ନ ହେଲେ ମୁଁ କ’ଣ ରାତିରେ ଶୋଇ ପାରୁଛି ନା ଦିନରେ କିଛି କାମ କରିପାରୁଛି । ସବୁବେଳେ ତୁମରି ଚିନ୍ତା । ମୋର ଆଉ କିଏ ଅଛି କହିଲ ? ଆଗରେ ତୁମେ, ପଛରେ ତୁମେ, ଉପରେ ତୁମେ, ଦୁଇ କଡ଼ରେ ମଧ୍ୟ ତୁମେ । ତୁମକୁ ନେଇ ମୋର ଏଇ ଜୀବନ । କିପରି ମୁଁ ରହିବି କହିଲ ? ଏତେ ଦିନ ଗଲା ଘା ଗୁଡ଼ାକ ଶୁଖିଲା ନାହିଁ । ଦେହ ତୁମର ପୂରା ଭାଙ୍ଗିଗଲାଣି । ତୁମ କଥା ଭାବି ଭାବି ମୁଁ ଅଧାମରା ହୋଇ ଗଲିଣି । ସାହସ ମୋର ଡୁବି ଗଲାଣି । ମନରେ ନାନା ପ୍ରକାର ଦୁଶ୍ଚିନ୍ତା ଆସୁଛି । କିଛି କାମ କରି ପାରୁନି, ଜୀବନ ହରେଇ ଦେବାକୁ ଇଚ୍ଛା ହେଉଛି ।

 

ମୁଁ ଦେଖୁଛି ତୁମେ ଆଉ କିଛି ଦିନ ପରେ ପାଗଳି ହୋଇଯିବ । ଦେହ ନିଶ୍ଚୟ ଭଲ ହୋଇଯିବ, ଏତେ ବ୍ୟସ୍ତ କାହିଁକି ? ଶଙ୍କରା କେଉଟକୁ ଦେଖିଲ କିମିତି ଗଣ୍ଡି ବୋହିଲାଣି । ମଝିରେ ତାର ଅବସ୍ଥା କ’ଣ ହୋଇଥିଲା ତୁମେ ତ ନିଜେ ଆଖିରେ ଦେଖିଛ । ନିଜ ପୁଅ, ମାଇପ, ତାକୁ ଚାହିଁଲେ ନାହିଁ । ସମସ୍ତେ କହିଲେ ବଡ଼ ବେମାରି ତାକୁ ଧରିଲାଣି । ଆଉ ବଞ୍ଚିବ ନାହିଁ । ସମସ୍ତେ ଘୃଣା କଲେ, ପାଖରେ କେହି ବସାଇଲେ ନାହିଁ । ଘରୁ ବାହାରି ଯାଇ ପଦାରେ ପଡ଼ିଲା । ଭାଗ୍ୟବଳରୁ ତାର ମାମୁଁ ପୁଅ ଭାଇ ଆସି ସାଙ୍ଗରେ କଲିକତା ନେଇ ପାଖରେ ଚାରିମାସ ରଖି ଭଲ କରି ଛାଡ଼ିଲା । ଏବେ ଦେଖିଲ ତା ଚେହେରା କ’ଣ ହେଲାଣି । କିଏ ଭାବିଥିଲା ସେ ବଞ୍ଚିବ ବୋଲି ? ଖରାପ ସମୟ ପଡ଼ିଲେ ଲୋକର ଅବସ୍ଥା ଏମିତି ହୁଏ । ଭଲ ସମୟ ଆସିଲେ ଆପେ ଆପେ ଭଲ ହୋଇଯାଏ । କ’ଣ କରିବା ଆମେ ? ଶନିସପ୍ତା ପଡ଼ିଛି, କଷ୍ଟ ଭୋଗିବାକୁ ପଡ଼ିବ । ବୁଝିଲ ମୁଁ କଣ କହୁଛି । ଚମ୍ପାର ଅସଂଯତ କେଶରାଶି ଉପରେ ଥରେ ହାତ ବୁଲାଇ ଆଣି ହାଡ଼ିବନ୍ଧୁ କହିଲା, ତୁମେ ଯେତେଦିନ ପର୍ଯ୍ୟନ୍ତ ମୋ ପାଖରେ ଥିବ ମୋର କିଛି ଅସୁବିଧା ହେବନାହିଁ । ମୁଁ ଖୁବ୍‌ ଆରାମରେ ଦିନ କାଟିବି । ସବୁ ଦୁଃଖ କଷ୍ଟ ଭୁଲିଯିବି ।

 

କ’ଣ ମୋତେ ଦେଖି ଦେଖି ସବୁ ଭୁଲିଯିବ । ଚମ୍ପା କହିଲା ।

 

ହଁ ତୁମକୁ ଦେଖି ଦେଖି ମୁଁ ସବୁ ଭୁଲିଯିବ ।

 

ମିଛ କଥା, ମୋତେ ଦେଖି ଭୁଲିଯିବାର ବୟସ ତୁମର ଆଉ ନାହିଁ । ତୁମେ ବଡ଼ ମିଛୁଆ, ଆଚ୍ଛା ଛାଡ଼ ସେକଥା, ମୋର ଗୋଟିଏ କଥା ରଖିବ ?

 

କ’ଣ କୁହ, ହାଡ଼ିବନ୍ଧୁ ପଚାରିଲା ।

 

ସିଦ୍ଧେଶ୍ୱର ମହାଦେବଙ୍କ ପାଖରେ ତୁମ ଦେହ ଭଲ ହୋଇଯିବା ପାଇଁ ଗୋଟିଏ ମେଳା କରିବାକୁ ମାନସିକ କରିଥିଲି । କାଲି ସେ ମେଳା କାମଟା ସାରି ଦେବା । ପିଲାମାନଙ୍କୁ ଖିରି, ଖେଚଡ଼ି, ଭାତ କରି ଖାଇବାକୁ ଦେବାପାଇଁ ମୁଁ ମନସ୍ଥ କରିଛି ଏବଂ ଏହାର ସବୁ ବ୍ୟବସ୍ଥା କରି ଦେଇଛି । ଜଗୁଆ ଗୁଡ଼ିଆ ହାତରେ ହାଟରୁ କଞ୍ଚା କଦଳୀ, ସାରୁ, କଖାରୁ, ଆଳୁ, ବାଇଗଣ କିଣିଆଣି ରଖିଛି । ଘରେ ଅରୁଆ ଚାଉଳ ଓ ମୁଗଡ଼ାଲି ଅଛି । ଗଛରୁ କାର୍ତ୍ତିକା ଚମାରକୁ ଡାକି ପୁଞ୍ଜାଏ ନଡ଼ିଆ ପାରିଦେଲେ କାମ ସରିଲା । ତୁମେ କେବଳ ମୂରଲୀ ଗୋସେଇଁକୁ ଡାକିବ ଓ ବଇଷମ ସଇଁକୁ କହିଦେବ ସେ କୀର୍ତ୍ତନିଆ ଦଳକୁ ଧରି ଯିବ । ତାଙ୍କ ପାଇଁ ମୁଁ ଦୁଇଟଙ୍କାର ଗଞ୍ଜେଇ କିଣି ଆଣିଛି । କ’ଣ ବୁଝି ପାରୁଛ, ମୁଁ କ’ଣ କ’ଣ କହୁଛି । ସଂକୀର୍ତ୍ତନିଆ ଗଞ୍ଜେଇ ନ ଖାଇଲେ ମୋଟେ ସଂକୀର୍ତ୍ତନ କରି ପାରିବେ ନାହିଁ । ଏ ସବୁ ଦାୟିତ୍ୱ ତୁମ ଉପରେ । ହଁ ଆଉ ଗୋଟିଏ କଥା ତୁମେ କାଲି ଉପାସ ରହିବ । ପୂଜା ପରେ ଖାଇବ । ମୁଁ ଦେଖୁଛି ଏବେ ତୁମେ ଆଉ ଠାକୁର ପୂଜା ପ୍ରତି ମନ ଦେଉନା । ଆଗେ କେତେ ପୂଜା କରୁଥିଲ, ଦେହ ଖରାପ ଦିନଠୁ ସବୁ ଛାଡ଼ି ସାରିଲଣି । କ’ଣ ଠାକୁର ପ୍ରତି ବିଶ୍ୱାସ ଆସୁନି ।

 

ମୋ ପାଇଁ ତୁମେ ପୂଜା କରୁଛ, ମୁଁ କାହିଁକି କରିବି । ଦୁଇଜଣଙ୍କ ଭିତରୁ ଜଣେ କଲେ ଯଥେଷ୍ଟ । ଆମ ଶରୀର ଦୁଇଟି ଅଲଗା ଅଲଗା ଦେଖାଗଲେ ମଧ୍ୟ ମନ ଏକ । ଏକ ମନରେ ଆମର ଜୀବନଯାତ୍ରା । ଯାହା ଆମେ କରିବା ଏକ ମନରେ କରିବା, କ’ଣ ବୁଝିଲ, ମୁଁ କ’ଣ କହିଲି-? ବୁଝିଲି, ଚମ୍ପା କହିଲା । ଏବେ ମୋ କଥାଟି ଶୁଣ–ମୋ କଥା ଶୁଣିଲେ ପନ୍ଦର ଦିନ ଭିତରେ ତୁମ ଦେହ ପୂରା ଭଲ ହୋଇଯିବ ।

 

ଚମ୍ପା କଥା ଶୁଣି ହାଡ଼ିବନ୍ଧୁ ହସି ହସି କହିଲା, ଏତକ କାମ ଆଗରୁ କାହିଁକି କରୁ ନ ଥିଲ-? ଏତକ କରିଥିଲେ ମୁଁ ବହୁ ଆଗରୁ ଭଲ ହୋଇ ସାରନ୍ତିଣି ।

 

ସେ ସମୟ ଆସି ନଥିଲା । ଚମ୍ପା କହିଲା ।

 

ଠାକୁର କ’ଣ ତୁମକୁ ସ୍ୱପ୍ନରେ କହିଲେ । ହାଡ଼ିବନ୍ଧୁ ପଚାରିଲା ।

 

ଯାହା ବୁଝିବ, ହଁ ଶୁଣ ।

 

ଆଜି ଯାଇ ମୁରଲୀ ଗୋସେଇଁକୁ କହିଦେଇ ଆସ ।

 

ସନ୍ଧ୍ୟାବେଳେ ଯାଇ କହି ଆସିବି ।

 

ଆଉ ଗୋଟିଏ କଥା ତୁମକୁ କହିବାକୁ ଭୁଲି ଯାଇଛି । ଏ ମନଟା ବଡ଼ ଅମାନିଆ ଧରିଲାଣି । କିଛି ମନେ ରହୁନି, ସବୁ ଭୁଲି ଯାଉଛି ।

 

ନିଜ ପାଖକୁ ଟାଣିନେଇ ହାଡ଼ିବନ୍ଧୁ ହସି ହସି କହିଲା, ଶ୍ରୀମତୀ ଏବେ ମନେ ପଡ଼ିଛି, କହିଦିଅ ନଚେତ୍‌ ପୁଣି ଭୁଲିଯିବ । ପନ୍ଦର ଦିନ ପରେ ପୁଣି ମନେ ପଡ଼ିଲେ ନେଡ଼ିଗୁଡ଼ କହୁଣୀକୁ ବୋହିଗଲା ଭଳି ଅବସ୍ଥା ଭୋଗିବାକୁ ପଡ଼ିବ ।

 

ହଁ, ଶୁଣ ! ଶାନ୍ତିବୋଉ ଦୁଇଦିନ ତଳେ ପୋଖରୀ କୂଳେ କହୁଥିଲା, ତା ସଙ୍ଗାତ ବରର ଗୋଡ଼ରେ ଗୋଟିଏ ଘା ହୋଇଥିଲା, ମୋଟେ ଶୁଖୁ ନ ଥିଲା, ଡାକ୍ତରୀ ଔଷଧ ବହୁତ ଖାଇଲା; କିନ୍ତୁ ଫଳ କିଛି ହେଲାନାହିଁ । କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ଜଣେ ଯୋଗୀ ତାକୁ କହିଲେ କିଛି ଔଷଧ ଖାଇବା ଦରକାର ନାହିଁ, କେବଳ ପ୍ରତିଦିନ ଯଦି ଗୋଟିଏ କାଳିଆ ଷଣ୍ଢକୁ ଅରୁଆ ଚାଉଳ ଓ କିଛି ଘାସ ସକାଳେ ଖାଇବାକୁ ଦେବ, ଦଶ ଦିନ ଭିତରେ ଘା ଶୁଖିଯିବ । ଶାନ୍ତିବୋଉ କହୁଥିଲା ତା ସଙ୍ଗାତ ବର ଠିକ୍‌ ସେହି କଥା କଲା ଏବଂ ଦଶ ଦିନ ଭିତରେ ପୂରା ଭଲ ହୋଇଗଲା । ଆମେ ଚାଲ ଠିକ ସେଇଆ କରିବା । ଗୋଟିଏ କାଳିଆ ଷଣ୍ଢ କେଉଁଠୁ ଆଣ । ଆମ ଗାଁରେ କାହାର କାଳିଆ ଷଣ୍ଢ ଥିବାର ମୁଁ ଜାଣିନି । ବାବୁଘର ଯେଉଁ ଷଣ୍ଢଟା ଅଛି ସେ ନାଲିଆ । ପିତା ମହାନ୍ତିର ଯେଉଁ ଷଣ୍ଢ ଅଛି ସେ ଧଳା । କାଳିଆ ଷଣ୍ଢ କାହାର ତ ନାହିଁ । କ’ଣ ଶୁଣୁଛ କ’ଣ କହୁଚି । ବୋକାଙ୍କ ଭଳି ମୋତେ ଚାହିଁଲେ ରୋଗ ଭଲ ହେବନି । କାଳିଆ ଷଣ୍ଢ କାହାର ଅଛି ମନେ ପକାଅ ।

 

ହାଡ଼ିବନ୍ଧୁ ନୀରବରେ କିଛି ସମୟ ଭାବି କହିଲା । ମୁଁ ତ ମନେ ପକାଉଛି, ତୁମେ ଗୋଲମାଲ କରୁଛ କାହିଁକି ? ମୋତେ ଭାବିବାକୁ କିଛି ସମୟ ଦିଅ ।

 

ସତେ..... କାଳିଆ ଷଣ୍ଢ କଥା ତୁମେ ଭାବୁଛ । କାହାର ଅଛି କହିଲ ।

 

କାହାରି ନାହିଁ । ହାଡ଼ିବନ୍ଧୁ ଗାମ୍ଭୀର୍ଯ୍ୟ ପୂର୍ଣ୍ଣ ଭାବରେ ଉତ୍ତର ଦେଲା ।

 

ହତାଶ କଣ୍ଠରେ ଚମ୍ପା କହିଲା, କାହାରି ନାହିଁ, ତାହେଲେ କ’ଣ କରିବା ।

 

ସେହି କଥା ଭାବୁଚି କ’ଣ କରିବା । ହୁଁ..... ରୁହ ମୁଁ ଟିକେ ଭାବେ....... କିଛି ସମୟ ନୀରବତା ପରେ ହାଡ଼ିବନ୍ଧୁ କହିଲା, ବୁଝିଲ ଚମ୍ପା, ଭଲ ଉପାୟଟି ଶାନ୍ତି ବୋଉ ତୁମକୁ କହିଛି । ଯଦି ମେଳାଟିଏ ଆମେ କରୁଛେ ମୋତେ ଭଲ ହେବା ପାଇଁ ପନ୍ଦର ଦିନ ଲାଗୁଚି ଏବଂ ଖର୍ଚ୍ଚ ବହୁତ ଲାଗୁଚି । ଖିରି, ଖେଚଡ଼ି, ଭାତ କର, ଡାଲଣା କର, କଦଳୀପତ୍ର କାଟେ–ପିଲାଙ୍କୁ ଡାକେ, ଏବେ ଜଣକୁ ଡାକିଲେ ପାଞ୍ଚଜଣ ଆସୁଛନ୍ତି । ବଡ଼ ମଣିଷ ଯାହା ନ ଖାଉଛନ୍ତି ଏବେ ପିଲାଗୁଡ଼ାକ ତାଙ୍କ ଅପେକ୍ଷା ବେଶି ଖାଉଛନ୍ତି । କୀର୍ତ୍ତନିଆ ଡାକେ, ତାଙ୍କ ପାଇଁ ଗଞ୍ଜେଇ ଖାଇବା ପାଇଁ ଚିଲମ ବନ୍ଦୋବସ୍ତ କର । ମହା ଝାମଲା । ଏତେ କାମ କରି ସାରିବା ପରେ ବି ଯଦି କାହା ପେଟ ନ ପୂରିଲା, କିଏ ମୋଟେ ନ ପାଇଲା, ନାନା ପ୍ରକାର ଗାଳିଗୁଲଜ ଖାଇବାକୁ ପଡ଼ିବ । ଲୋକଙ୍କ ଅଭିଶାପ ମୋ ଉପରେ ପଡ଼ିବ । ପନ୍ଦର ଦିନ ଭିତରେ ଭଲ ହେଉଥିବା ରୋଗ ପଚିଶ ଦିନ ଲାଗିବ । କ’ଣ ବୁଝୁଛ ମୁଁ କ’ଣ କହୁଛି । ବୋକିଙ୍କ ଭଳି ମୋତେ ଚାହିଁନି, ମୁଁ ଯାହା କହୁଚି ମନ ଧ୍ୟାନ ଦେଇ ଶୁଣ । ଲୋକଙ୍କ ଠାରୁ ଅଭିଶାପ ପାଇବା ପରିବର୍ତ୍ତେ, ଗୋଟିଏ କାଳିଆ ଷଣ୍ଢ କେଉଁଠୁ ଆଣି ସକାଳୁ ସକାଳୁ ତାକୁ ଅରୁଆ ଚାଉଳ ଆଉ ପୁଳାଏ ଘାସ ଖାଇବାକୁ ଦେଇ ବିଦା କରିଦେଲେ ଖୁବ୍‌ ଭଲ ହେବ । ସେ ବି ଖୁସି ଆମେ ବି ଖୁସି । ସୋର୍‌ ନାହିଁ ଶବଦ ନାହିଁ । କେହି ଜାଣିବାକୁ ନାହିଁ କି ଦେଖିବାକୁ ନାହିଁ । ଏହା ଛଡ଼ା ବି ପନ୍ଦର ଦିନ ପରିବର୍ତ୍ତେ ଦଶ ଦିନରେ ଆମ ରୋଗ ଭଲ ହୋଇଯିବ । କଣ ବୁଝିଲ ।

 

ଚିନ୍ତିତା ଚମ୍ପା ହଠାତ୍‌ କହିଦେଲା ବୁଝିଲି । ତେବେ କାଳିଆ ଷଣ୍ଢ କେଉଁଠୁ ପାଇବା ।

 

ଖୋଜିବା । ପ୍ରତି ଗାଁକୁ ଲୋକ ପଠାଇବା ନଚେତ୍‌ ଶାନ୍ତିବୋଉ ସଙ୍ଗାତ ବର ଘରକୁ ଶାନ୍ତି ବୋଉକୁ ସାଙ୍ଗରେ ଧରି ଯିବା । ଷଣ୍ଢକୁ ଗୋଡ଼େଇ ଗୋଡ଼େଇ ଗାଁକୁ ଆଣିବା । ସକାଳୁ ଅରୁଆ ଚାଉଳ ଓ ଘାସ ଖାଇବାକୁ ଦେବା ଏବଂ ଦଶଦିନ ପରେ ରୋଗାମୁକ୍ତ ହେବା । ଏଇ ଦଶ ଦିନ ଆମକୁ କଷ୍ଟ ସହିବାକୁ ପଡ଼ିବ । କ’ଣ ଏତିକି କଷ୍ଟ ଆମେ ସହି ପାରିବା ନାହିଁ ? ସତ୍ୟବାନଙ୍କ ପାଇଁ ସାବିତ୍ରୀ କେତେଦିନ କଷ୍ଟକରି ନଥିଲେ କହିଲ ? ସୀତାଙ୍କୁ ପାଇବା ପାଇଁ ରାମଚନ୍ଦ୍ର କି ଯନ୍ତ୍ରଣା ଭୋଗି ନ ଥିଲେ କହିଲ । ଭଗବାନଙ୍କଠାରୁ ବର ପାଇବା ସହଜ କଥା ନୁହେଁ । ବହୁତ କଷ୍ଟ କରିବାକୁ ପଡ଼ିବ । କ’ଣ ବୁଝିଲ । ଚମ୍ପାଫୁଲ ନାଁ ସିନା ବାପା ତୁମର ଗେହ୍ଲାରେ ଦେଇ ଦେଲେ; କିନ୍ତୁ ଝିଅ ଯେ ତାଙ୍କର ଏତେ ଅଳ୍ପ ଦିନ ଭିତରେ ହୁଣ୍ଡି ପାଲଟି ଯିବ ଏକଥା ସେ ଭାବି ନ ଥିଲେ । ହଉ ଛାଡ଼ ଆମ ଭାଗ୍ୟ, ହାଡ଼ିବନ୍ଧୁ କହିଲା ।

 

ଚମ୍ପା କିଛି ନ ବୁଝି ପାରିଲା ଭଳି କହିଲା, କଣ ତୁମେ ବକବକ ହୋଇ ଏତେ କଥା କହି ଯାଉଛ ମୁଁ କିଛି ବୁଝି ପାରୁନି । କାଳିଆ ଷଣ୍ଢ କେଉଁଠାରୁ ପାଇବା ସେକଥା ମୋତେ କୁହ । ଅନ୍ୟ କଥା ମୁଁ କିଛି ଶୁଣିବି ନାହିଁ । ଆଚ୍ଛା ମୁଁ କ’ଣ କହୁଛିକି ନାନପୁର ଗୋରୁ ହାଟରେ କାଳିଆ ଷଣ୍ଢ ବିକ୍ରି ହୁଏନି ? ଟଙ୍କା ଦେଇ କିଣି ଆଣିଲେ ଖୁବ୍‌ ଭଲ ହୁଅନ୍ତା । ଷଣ୍ଢଟା ଆଣିବା ପାଇଁ ଆମେ ଏତେ ଜଣ ଲୋକ ଏତେ ବାଟ କାହିଁକି ଯିବା । କାଲି ତ ହାଟ । ବଟିଆ ଜେନାକୁ ପଚାରିଲେ ସେ ସବୁ କହିଦେବ । ସେ ତ ଏବେ ହଡ଼ା ବେପାର କରୁଚି ତାକୁ ସବୁ ମାଲୁମ ଥିବ । ମୁଁ ଯାଇ କାଲି ସକାଳୁ ବୁଝି ଆସିବି । ଯଦି ମିଳୁଥାଏ, ମାୟା ସ୍ୱାଇଁ ପୁଅ ରାଜୁଆକୁ ଟଙ୍କା ଧରେଇ ଦେଲେ ସଞ୍ଜ ବେଳକୁ ଷଣ୍ଢ ଘରେ ହାଜର । ଠିକ୍‌ କଥା ମନେ ପଡ଼ିଲା ମୋର ।

 

ଚମ୍ପା କଥା ଶୁଣି ହାଡ଼ିବନ୍ଧୁ ଖୁବ୍‌ଜୋରରେ ହସିଉଠି ଚମ୍ପାକୁ ନିଜ ଛାତି ଉପରକୁ ଟାଣି ନେଇ କହିଲା, କେଡ଼େ ହୁଣ୍ଡି ମାଇପିଟି ମୋର । ମୋ ପାଇଁ ପାଗଳ ପାଲଟି ଗଲାଣି, କିଛି ବୁଝି ପାରୁନି । ନିଜ ମୁହଁକୁ ଚମ୍ପା ମୁହଁ ଉପରେ କିଛି ସମୟ ପାଇଁ ମିଶେଇ ଆଣିଲା । ଝରକା କବାଟ ଗୁଡ଼ିକ ଆପେ ଆପେ ଡଙ୍ଗା କୂଳକୁ ଆଉଜି ପଡ଼ିଲା ଭଳି ଆଉଜି ପଡ଼ିଲେ । ଦିନ ଦ୍ୱିପ୍ରହର ସନ୍ଧ୍ୟାଭଳି ଜଣା ପଡ଼ିଲା । ଚମ୍ପା ଆସ୍ତେ ଆସ୍ତେ କହିଲା, ଛାଡ଼ ମୋତେ..... ଇସ୍‌..... ଏ କଣ କରୁଛ–

 

ବାର

 

ଯୋଗିବଇଦ ପାଖରୁ ଔଷଧ ଖାଇବାର ପାଞ୍ଚମାସ ପରେ ଘା ସବୁ ଶୁଖି ଆସିଲାଣି । ଏବେ ଚାରଣା ଅଂଶରେ ଅଛି । ଏହି ପାଞ୍ଚମାସ ଭିତରେ କାଳିଆ ଷଣ୍ଢକୁ ଘରକୁ ଡାକି ପ୍ରତିଦିନ ସକାଳୁ ଅରୁଆ ଚାଉଳ ଓ ଘାସ ଖାଇବାକୁ ଦେବା ବ୍ୟତୀତ ବହୁ ଠାକୁରଙ୍କୁ ଭୋଗ ଯାଚିବା, ଦୁଃଖିରଙ୍କିକୁ ଭୋଜନ ଦେବା କାର୍ଯ୍ୟରେ ଚମ୍ପା ଅବହେଳା କରିନି । ପ୍ରତି ସୋମବାର ଛତିଆ ବଟକୁ ଯାଇ ଅନନ୍ତ ଗୋପାଳଙ୍କୁ ସାକ୍ଷାତ କରି ନିଜର ଗୁହାରି ଶୁଣାଇବାରେ ପଛେଇ ଯାଇନି । କେତେ ଜ୍ୟୋତିଷ ତା ପାଖରୁ ଖାଇ ପିଇ କେତେ ପଇସା ନେଇଛନ୍ତି ତାର ହିସାବ ସେ କେବେ ରଖିନି । ଯେତେବେଳେ ଯିଏ ଯାହା କହିଲା ସବୁ ମୁଣ୍ଡ ପାତି ସହି ନେଲା । ଏପରି ସମୟ ପଡ଼ିଛି ରାତି ଅଧରେ ଝିପି ଝିପି ବର୍ଷାରେ ସ୍ୱାମୀକୁ ସାଙ୍ଗରେ ଧରି ଆଖଣ୍ଡଳମଣି ଯାଇଛି । ଠାକୁର ପାଖରେ ମାନସିକ କରିଚି, ଗୁହାରି କରିଚି, ହେ ପ୍ରଭୁ ତୁ ମୋ ଦୁଃଖ ବୁଝୁ । ଏ ବିରାଟ ସଂସାର ଭିତରେ ତୁ ଅଛୁ ଉପରେ, ଏ ଅଛନ୍ତି ତଳେ । ତୁ ଅଦୃଶ୍ୟ ହେଲେ ବି ମୋ ମାନସ ପଟରେ ସବୁ ସମୟରେ ରହିଛୁ । ତୋତେ ଛାଡ଼ି ମୁଁ କିଛି କରି ପାରେନି । ଏ ବିପଦ ବେଳେ ତୁ ସାହାଯ୍ୟ କରିବୁ ନାହିଁ ତ ଆଉ କିଏ କରିବ ? ମୋର ଆଉ କିଏ ଅଛି ? ଯାହାକୁ ନେଇ ସଂସାର କରିଚି ତାକୁ ସାଙ୍ଗରେ ଧରି ଆସିଚି । ତାକୁ ତୁ ଦେଖେ ସେ କି ଅବସ୍ଥାରେ ଆସି ପହଞ୍ଚି ଗଲାଣି ।

 

ଆଖଣ୍ଡଳମଣି ଚମ୍ପା କଥା ଶୁଣିଛନ୍ତି । ଅନନ୍ତ ଗୋପାଳ ତା ପ୍ରତି ସଦୟ ହୋଇଛନ୍ତି । କଟକ ଚଣ୍ଡି ତା ପ୍ରତି ଆଶୀର୍ବାଦ ଦେଖାଇଛନ୍ତି । ଜଗତର ନାଥ ଜଗନ୍ନାଥ ତା ଭକ୍ତିରେ ସନ୍ତୁଷ୍ଟ ହୋଇଛନ୍ତି । ଗ୍ରାମର ପ୍ରତ୍ୟେକ ଦେବ, ଦେବୀ ତାକୁ ଭୁଲିଯାଇ ନାହାନ୍ତି । ସମସ୍ତଙ୍କଠାରୁ ବର ପାଇ ସେ ବର୍ତ୍ତମାନ ଭଲ ହୋଇ ଗଲାଣି । ଘା ଗୁଡ଼ିକ ଶୁଖି ଗଲାଣି । ସମ୍ପୂର୍ଣ୍ଣ ଭଲ ହେବାକୁ ଆଉ ପନ୍ଦର ଦିନ ଲାଗିବ ବୋଲି ଯୋଗି ବଇଦ କହନ୍ତି । ଯାହା ହେଉ ଯେଉଁଠି ଦୀର୍ଘ ତିନିବର୍ଷ କଟିଗଲାଣି ସେଠି ପନ୍ଦର ଦିନ ବା କେତେ ? ଅଗଣା ଭିତରେ ଚମ୍ପା ଏକୁଟିଆ ବସିଥିଲା । ହାଡ଼ିବନ୍ଧୁ ଯାଇଥିଲା ହାଟକୁ । ସଞ୍ଜ ହୋଇ ଗଲାଣି, ଏ ପର୍ଯ୍ୟନ୍ତ କାହିଁକି ଫେରି ନାହାନ୍ତି । ମନଟା ତାର ଛଟପଟ ହେଲା-। ହାଟକୁ ଗଲାବେଳେ କହିଥିଲା ସଞ୍ଜ ପୂର୍ବରୁ ଫେରି ଆସିବା ପାଇଁ । କଣ ଅସୁବିଧା ହେଲାକି ? ଦାଣ୍ଡଦୁଆର ଫିଟାଇ ପଦାକୁ ଚାହିଁଲା, କେହି ନାହାନ୍ତି, ହାଟ ଫେରନ୍ତା କେହି ଫେରୁଥିଲେ ପଚାରିଥାନ୍ତା । ଝାଡ଼ୁ ଆଣି ପିଣ୍ଡା ସଫା କରି କିଛି ସମୟ ଦାଣ୍ଡ ପିଣ୍ଡାରେ ବସିଲା । ଶଶିବୋଉ ମହାନ୍ତି ସାହିରୁ ଫେରୁଥିଲେ । ଚମ୍ପାକୁ ଦେଖି ପଚାରିଲେ, କିହୋ ଚମ୍ପା ସୁନ୍ଦରୀ, କାହାକୁ ଅପେକ୍ଷା କରିଛୁ କି ?

 

ଚମ୍ପା ହସି ହସି କହିଲା, ମୋ ବରକୁ.....

 

ଫେଁ କରି ହସି ଉଠି ଶଶିବୋଉ କହିଲେ, ସତେ.... ତୋ ବୁଢ଼ା ବରକୁ କିଏ ନେଇ ଯାଉଚି କି ?

 

ଆଜି କାଲି ଅସମ୍ଭବ କିଛି ନୁହେଁ ଅପା । ତୁମକୁ କିପରି ଭାଇ ବୁଢ଼ୀ ଦିନେ କୋରାଫୁଟରୁ ଟେକି ଆଣିଲେ । ତୁମର କ’ଣ ମନେ ନାହିଁ । ବାହା ହେବାର ବୟସ କଣ ତୁମର ଥିଲା ?

 

ମୋର ସିନା ନ ଥିଲା, ହେଲେ ତୋ ଭାଇର କ’ଣ ଥିଲା । ସେ ପରା ବୁଢ଼ାହୋଇ ଯାଇଥିଲେ, ମୁଣ୍ଡ ବାଳ କିଛି କିଛି ପାଚି ଯାଇଥିଲା । ସେ କଥା କହିବାକୁ କାହିଁକି ଭୁଲି ଯାଉଛୁ ?

 

ଚମ୍ପା କହିଲା, ଅବଶ୍ୟ ପିତ ଦୋଷରୁ ଭାଇର ବାଳ ପାଚି ଯାଇଥିଲା; କିନ୍ତୁ ବୟସ ଥିଲା-। ପୋଲିସ ଚାକିରିରୁ ଶହ ଶହ ଟଙ୍କା ମାସକୁ ରୋଜଗାର କରୁଥିଲେ । ତୁମେ ପାଚିଲା ବାଳକୁ ନ ଚାହିଁ ତାଙ୍କ ଚେହେରା, ବେଶ ପୋଷାକ ଓ ପଇସାକୁ ଦେଖି ଲୋଭେଇ ପଡ଼ିଥିଲ । ନଚେତ୍‌ ତୁମେ କେଉଁଠୁ ଶିପୁରା ଗାଁକୁ ଆସିଥାନ୍ତ । କାହିଁ କୋରାଫୁଟ କାହିଁ ଶିପୁରା ।

 

ଆହାଃ ହାଃ, ମୋତେ ଯେପରି ବର ମିଳୁ ନ ଥିଲା । ଭାଇ ତୁମର କେଉଁ ବଡ଼ ଅଫିସର ହୋଇଥିଲେ କି । ପୋଲିସ ଚାକିରି ଭିତରେ ଗୋଟାଏ ହାବିଲଦାର । କିନ୍ତୁ ବାପା ମୋ ପାଇଁ ଆମ ଗାଁ ପାଖ ନଛିପୁର ମହାପାତ୍ର ଘରେ ବାହାଘର ଠିକ୍‌ କରିଥିଲା । ପିଲାଟା କମ୍ପାନୀ ଚାକିରୀ କରିଥିଲା । ବାହାଘର ହେବା ମାସକ ପୂର୍ବରୁ ମୋ ବାପା ଆଗରେ କିଏ କହିଲା ସେ ପିଲାଟା ବହୁତ ମଦ ପିଏ । ଏକଥା ଶୁଣିବା ମାତ୍ରେ ବାପା କାହାକୁ କିଛି ନ କହି ତାଙ୍କ ଘରକୁ ଖବର ପଠେଇ ଦେଲା ବାହାଘର ହୋଇ ପାରିବ ନାହିଁ । ଏଥିପାଇଁ ବାପା ବୋଉର ଭୀଷଣ ଝଗଡ଼ା । ବୋଉ ମୋତେ ତା ବାପ ଘରକୁ ନେଇ ଚାଲିଗଲା । ମାମୁଁ ସେତେବେଳେ ପୋଲିସ ହାବିଲଦାର ଥାଏ । ତୁମ ଭାଇ ସେହି ସମୟରେ କୋରାଫୁଟକୁ ବଦଳି ହୋଇ ଯାଇଥାନ୍ତି । ମାମୁଁ ବୋଉ ଆଗରେ ପ୍ରସ୍ତାବ ଦେଲେ–ବୋଉ ଏକାଥରକେ ରାଜି ହୋଇଗଲା । ଅବଶ୍ୟ ମୁଁ ତୋ ଭାଇର ପାଚିଲା ବାଳକୁ ଦେଖି ନାକ ଟେକିଥିଲି, ଭାବିଥିଲି ବୁଢ଼ାଟାକୁ ମୁହେଁ ମୁହେଁ ମନା କରିଦେବି । କିନ୍ତୁ....

 

ସୁନ୍ଦର ଚେହେରା ଓ ମୋଟା ପଇସାକୁ ଦେଖି ସବୁ ଭୁଲି ଯାଇଥିଲ ନୁହେଁ, ଚମ୍ପା କହିଲା ।

 

ନାହିଁବା, ପାଚିଲା ବାଳରେ କୋଉ ସୁନ୍ଦର ଚେହେରା ଥିଲା । ସମସ୍ତେ ଥଟ୍ଟା କରି କହିଲେ, ପଇସା ଲୋଭରେ ବଇଆ ଜେନା ବୁଢ଼ା ବର ସହିତ ଭାଣିଜୀକୁ ଛନ୍ଦି ଦେଲା । ଶଶିବୋଉ କହିଲେ ।

 

ଆଚ୍ଛା ଛାଡ଼ ସେ କଥା । ଆଜି ଶନିବାର ଭାଇ ନିଶ୍ଚୟ ଆସିଥିବେ । ଆଜି ଆସିବା ପାଳି-। କଣ ଆସି ସାରିଲେଣି ? ଚମ୍ପା କହିଲା ।

 

ହଁ କେତେବେଳୁ ଆସି ସାରିଲାଣି । ଚା ପିଇବା ପାଇଁ ବସିଛନ୍ତି, ମୁଁ କରୁଣି ରାଉତ ଘରକୁ କ୍ଷୀରପାଇଁ ଯାଇଥିଲି ।

 

ଯାହା ହେଉ ବୁଢ଼ାଦିନେ ବି ସଉକୁ ଭାଙ୍ଗି ନାହିଁ । ଶନିବାର ହେଲାକ୍ଷଣି ଘୋଡ଼ା ଛୁଟିଲା ଭଳି ଛୁଟି ଆସୁଛନ୍ତି । ନୁହେଁ ?

 

ତୋତେ ଆଉ ପାରି ହେବନି । ଯାଉଛି, ଦୂରରୁ ହାଡ଼ିବନ୍ଧୁକୁ ଦେଖି, ଶଶିବୋଉ କହିଲେ; ତୋ ବର ଆସିଲାଣି । ଏଥର ବରକୁ ଧରି ଘରକୁ ଯା । ତୁ ସବୁଦିନେ ବରକୁ ଦେଖୁଛୁ, ମୁଁ ସପ୍ତାହରେ ଥରେ ଦେଖୁଛି । ତେଣୁ ଯାହା ହେବାକଥା ହେଉଛି । ତୁ ଥା ମୁଁ ଯାଉଛି । ଶଶିବୋଉ ହସି ହସି ଚାଲି ଆସିଲେ ।

 

ତେର

 

ଫାଲଗୁନର ଗୋଟିଏ ସନ୍ଧ୍ୟା । ଆକାଶରେ ଜହ୍ନ ପଡ଼ିଥାଏ । ଖୋଲା ଅଗଣା ଭିତରେ ମସିଣା ଉପରେ ନିଶିପଦ୍ମା ଦାଶ, ଚାରୁବାଳା ମହାନ୍ତି, ଗିରୀବାଳା ପଟ୍ଟନାୟକ ବସିଥାନ୍ତି । ଚମ୍ପା ଗୋଟିଏ କଡ଼କୁ ବସିଥାଏ, ମଝିରେ ଚିନାବାଦାମ ଥୁଆ ହୋଇଥାଏ । ହାତ ଚାଲିଥାଏ, ପାଟି ଚାଲିଥାଏ । ମଚ ମାଚ, ମୁଡ଼୍‌ମାଡ଼ ଚିନା ବାଦାମ ଭଙ୍ଗା ହେଉଥାଏ । ରାତି ପାହିଲେ ନାରୀସେବା ସଂଘର ନୂତନ ଗୃହ ଉଦ୍‌ଘାଟନ ହେବ । ସାଂସ୍କୃତିକ ବିଭାଗ ମନ୍ତ୍ରୀ ଉଦ୍‌ଘାଟନ କରିବେ । ଛୋଟକାଟିଆ ସଭାଟିଏ ହେବ । ମନ୍ତ୍ରୀ ଭାଷଣ ଦେବେ । ନାରୀଶିକ୍ଷା ଉପରେ ଅନ୍ୟମାନେ କିଛି କିଛି କହିବେ । କୋଡ଼ିଏ ହଜାର ଟଙ୍କା ବ୍ୟୟରେ ଦୁଇବଖରା ଘର ତିଆରି ହୋଇଛି । ଅନ୍ୟାନ୍ୟ ସାମଗ୍ରୀ ପାଇଁ ଆଉ କିଛି ଅର୍ଥ ଆବଶ୍ୟକ । ମନ୍ତ୍ରୀଙ୍କୁ ସବୁ କଥା କୁହାଯିବ । ସଭା କାର୍ଯ୍ୟର ପୂରା ଦାୟିତ୍ୱ ହାଡ଼ିବନ୍ଧୁ ଉପରେ ନ୍ୟସ୍ତ କରାଯାଇଛି । ମାସେ ହେବ ହାଡ଼ିବନ୍ଧୁକୁ ଫୁରୁସତ ନାହିଁ । ଯାହା ହେଉ ସବୁ କାମ ସରି ଗଲାଣି, ସଭାମଞ୍ଚ ତିଆରି ହେଉଛି, ରାତିକ ଭିତରେ ସରିଯିବ । ହାଡ଼ିବନ୍ଧୁର କାର୍ଯ୍ୟ ଉପରେ ସମସ୍ତେ ସନ୍ତୁଷ୍ଟ । ସବୁ ଦିଗରେ ତା ପ୍ରଶଂସା । ଗାଁ କାମ ସିଏ ନ କରିବ ତ ଆଉ କରିବ କିଏ ? କଥା ପ୍ରସଙ୍ଗରେ ଚାରୁବାଳା ମହାନ୍ତି କହିଲେ, ଡାକ୍ତରାଣୀ ମହାଶୟା ଆମ ଚମ୍ପା ସୁନ୍ଦରୀ କଥା କଣ ବୁଝିଲେ । ଆମକୁ ଏ ପର୍ଯ୍ୟନ୍ତ କିଛି କହିଲେ ନାହିଁ । ସକାଳେ ଘଣ୍ଟାଏ କାଳ କ’ଣ ଦୁଇଜଣ ଫୁସ୍‌ଫାସ୍‌ ହୋଇ ହସୁଥିଲେ ଆମେ କିଛି ଜାଣି ପାରିଲୁ ନାହିଁ । କ’ଣ ଲଡ଼ୁ ରସଗୋଲା ଏହା ଭିତରେ କେବେ ମିଳିବ କି ?

 

ଗିରୀବାଳା ମହାନ୍ତି ହସି ହସି କହିଲେ, ଡାକ୍ତରାଣୀ ମହାଶୟା ଯଦି ବନ୍ଦୋବସ୍ତ କରିଥିବେ ନିଶ୍ଚୟ ମିଳିବ । ଚମ୍ପାର ଦାୟିତ୍ୱ ଆମେ ତାଙ୍କ ଉପରେ ଛାଡ଼ି ଦେଇଛୁ ।

 

ସବୁ କଥା ଶୁଣି ଚମ୍ପା ହସି ଉଠିଲା । ଖସିପଡ଼ିଥିବା ଅର୍ଦ୍ଧଓଢ଼ଣୀକୁ ଆଉଟିକେ ଉପରକୁ ଟେକି ଆଣି କହିଲା, ଡାକ୍ତରାଣୀ ମହାଶୟାଙ୍କୁ ପଚାରନ୍ତୁ ସେ ଯଦି ତାଙ୍କ ଜୀବନର ପ୍ରତିଶ୍ରୁତି ପାଳନ କରିଥିବେ ନିଶ୍ଚୟ ଲଡ଼ୁ ରସଗୋଲା ମିଳିବ ।

 

କଣ ଡାକ୍ତରାଣୀ ମହାଶୟ କୁହନ୍ତୁ । ଚାରୁବାଳା ପଚାରିଲେ ।

 

ନିଶିପଦ୍ମା ଦାଶ ହସି ହସି କହିଲେ, ଆଉ ଚାରିମାସ ପରେ ତୁମକୁ ଭୁରି ଭୋଜନ ଦିଆଯିବ । ଚମ୍ପା ସୁନ୍ଦରୀ ବର୍ତ୍ତମାନ ଅନ୍ତସତ୍ତ୍ୱା । ଭଗବାନଙ୍କୁ ସମସ୍ତେ ଡାକ ତାର ପୁଅଟିଏ ହେଉ ।

 

ସମସ୍ତେ ହସି ଉଠିଲେ । ଗିରୀବାଳା ଚମ୍ପାକୁ ନିଜ ଉପରକୁ ଟାଣିଆଣି କହିଲେ, ଚମ୍ପା ସୁନ୍ଦରୀ ଏଥର ଖୁସି । ଭଗବାନଙ୍କୁ ଆମେ ଡାକୁଛୁ ତାଙ୍କର ପୁଅଟିଏ ହେଉ ।

 

ଚାରୁବାଳା କହିଲେ, ଏଥର ଚମ୍ପା ସୁନ୍ଦରୀଙ୍କର ସାତପୁଅ ହେବ । ତୁମ୍ଭେମାନେ ପ୍ରତିବର୍ଷ ମିଠେଇ ଖାଇ ଖାଇ ପେଟ ଫାଟିଯିବ ।

 

ଚମ୍ପା ହସୁଥାଏ ।

 

ଭୟ କରିବାର ଆଉ କିଛି କାରଣ ନାହିଁ । ଚମ୍ପା ସୁନ୍ଦରୀ ବର୍ତ୍ତମାନ ଆନନ୍ଦରେ ସଂସାର କରିବ । ପିଲା ପ୍ରସବ କରିବାର ଯେଉଁ ଅସୁବିଧା ଥିଲା ତାହା ଦୂର ହୋଇଯାଇଛି । ନିଶିପଦ୍ମା ଦାଶ କହିଲେ ।

 

କୁହ ଚମ୍ପା ସୁନ୍ଦରୀ ଆମେ ସବୁ ମିଠେଇ ଖାଇବାକୁ କେବେ ଆସିବୁ । ଗିରୀବାଳା ପଚାରିଲେ ।

 

ଖବର ଦିଆଯିବ । ଖାଲି ଆପଣମାନଙ୍କୁ ଦିଆଯିବ ନାହିଁ, ଆପଣମାନଙ୍କ ବାବୁମାନଙ୍କୁ ମଧ୍ୟ ସାଙ୍ଗରେ ଆଣିବାକୁ ପଡ଼ିବ । ଚମ୍ପା ହସି ହସି କହିଲା ।

 

ସତେ......ତାହାହେଲେ ଗୋଟିଏ ବଡ଼ ଭୋଜି ଦିଆଯିବ ନୁହେଁ । ଆମେ ସମସ୍ତେ ଆସିବୁ । ଯିଏ ଯେଉଁଠି ଥାଉ କେବେ ଭୁଲିବୁ ନାହିଁ । ଚାରୁବାଳା କହିଲେ–

 

ଆଚ୍ଛା ଚାଲ ଯିବା, ସଭା ମଞ୍ଚ ପାଖରୁ ବୁଲି ଆସିବା । କ’ଣ ହେଲା କ’ଣ ନାହିଁ ଦେଖି ଆସିବା । ନିଶିପଦ୍ମା ଦାଶ କହିଲେ–

 

ହଁ ଚାଲ–ଗିରୀବାଳା କହିଲେ । ଆଗପଛ ହୋଇ ସମସ୍ତେ ଆସିଲେ ।

 

ଚଉଦ

 

ସମୟ ସ୍ରୋତରେ ହାଡ଼ିବନ୍ଧୁ ଓ ଚମ୍ପା ବର୍ତ୍ତମାନ ବହୁଦୂରକୁ ଭାସି ଆସିଲାଣି । ବୟସର ପଶ୍ଚିମ ଆକାଶରେ ସେମାନେ ପହଞ୍ଚି ଗଲେଣି । କଳା କେଶଗୁଡ଼ିକ ରଙ୍ଗ ବଦଳାଇ ଧଳା ରୂପରେ ଆତ୍ମପ୍ରକାଶ କଲେଣି । ଅଧିକାଂଶ ସମୟରେ ସେମାନେ ନିଜ ପୁଅ ଦିଗ୍‌ବିଜୟ ସହିତ ରାଉରକେଲାରେ ରହୁଛନ୍ତି । ଦିଗ୍‌ବିଜୟ ଷ୍ଟିଲ ପ୍ଲାଣ୍ଟରେ ମେକାନିକାଲ ଇଞ୍ଜିନିୟର । ତାର ବର୍ତ୍ତମାନ ଦୁଇଟି ପୁଅ ଓ ଗୋଟିଏ ଝିଅ । ଅବସର ସମୟରେ ଫୁଲବଗିଚାରେ ବସି ନାତି ନାତୁଣୀ ଖେଳାଉଥିଲାବେଳେ ଉଭୟ ପରସ୍ପରକୁ ଚାହିଁ ହସନ୍ତି ଏବଂ ଅତୀତ କଥାକୁ ମନେ ପକାଇ ପରସ୍ପର ମୁହଁକୁ ଚାହିଁ କହନ୍ତି, ସତରେ ଅତୀତ କେଡ଼େ ବିସ୍ମିତ ।

 

ରାଉତରାୟ ଭବନ

ତା ୨୧ । ୧ । ୮୦

Image